ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ

ଝାଡ଼ଖଣ୍ଡର: ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ। ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାକୁ ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ସନ୍ଧ୍ଯାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଶପଥ ନେବାର ୧୦ ଦିନ ଭିତରେ ସେ ସଂଖ୍ଯା ଗରିଷ୍ଠତାର ପ୍ରମାଣ ଦେବେ।

ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଛି। ଜେଏମଏମ ପକ୍ଷରୁ ଚମ୍ପଇଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ। ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଚମ୍ପଇ ଝାଡ଼ଖଣ୍ଡ ଟାଇଗର ଭାବେ ମଧ୍ୟ ବେଶ ପରିଚିତ।

ଝାଡଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ ଚମ୍ପଇ। ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ। ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ। ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୯ରୁ ଝାଡଖଣ୍ଡ ସରକାରରେ ମନ୍ତ୍ରୀ ଅଛନ୍ତି।