ପଦ୍ମ ଧରିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମ୍ପର୍କରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନା ଶେଷ ହୋଇଛି। ଆସନ୍ତା ୩୦ ତାରିଖ ଶୁକ୍ରବାର ଦିନ ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍। ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟରରେ ଲେଖିଛନ୍ତି, “ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନଜୀ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କୁ କିଛି ସମୟ ପୂର୍ବରୁ ଭେଟିଥିଲେ ଏବଂସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ ”  । ଏହି ଖବର ପରେ ଝାଡଖଣ୍ଡର ନୂତନ ରାଜନୈତିକ ସମୀକରଣ ଗଠନ ହେଉଥିବା ଜଣାପଡିଛି। ଚମ୍ପାଇ ସୋରେନ ଜରିଆରେ ବିଜେପି ଆଦିବାସୀ ଭୋଟ୍ ହାତେଇବାକୁ ପ୍ରସ୍ତୁତ ହେଉଛି।

ଚମ୍ପାଇ ସୋରେନଙ୍କ ଗାଁର ଆଦିବାସୀମାନେ କହିଛନ୍ତି ଯେ ଚମ୍ପାଇଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଅପମାନିତ କରାଯାଇଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଳପୂର୍ବକ ହଟାଇ ଦିଆଯାଇଥିଲା। କେବଳ ଚମ୍ପାଇ ସୋରେନଙ୍କ କାରଣରୁ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ଆଗକୁ ବଢିଛି । ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା କ୍ଷତିର ସମ୍ମୁଖୀନ ହୋଇପାରେ। ଦଳ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଛି। ଭବିଷ୍ୟତରେ ସେ ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ବିଜେପି ସହ ଯାଆନ୍ତି ତେବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ।

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଜିତିବା ପାଇଁ ବିଜେପି କୌଣସି ମଉକା ହାତରୁ ଯିବାକୁ ଦେଉନାହିଁ । ବର୍ତ୍ତମାନ ସୋରେନଙ୍କ ସାହାଯ୍ୟରେ  ବିଜେପିର ଆଖି ଏଠାରେ ଥିବା ଆଦିବାସୀ ଭୋଟରଙ୍କ ଉପରେ ରହିଛି, ଯାହାର ସମର୍ଥନ ଏପର୍ଯ୍ୟନ୍ତ ବିଜେପିକୁ ମିଳିପାରନାହିଁ । ଏହି କାରଣରୁ ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଦଳର ଦଳିତ ଆଦିବାସୀ ନେତାଙ୍କ ଉପରେ ନଜର ରଖିଛନ୍ତି। ସେ ଗୋଟିଏ ପରେ ଗୋଟିଏ ସମସ୍ତ ଆଦିବାସୀ ନେତାଙ୍କୁ ଭେଟୁଛନ୍ତି।

ଚମ୍ପାଇ ସୋରେନଙ୍କ ସମେତ ଜେଏମ୍ଏମର ଅନେକ ବଡ଼ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ। ତେବେ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା। ଝାଡ଼ଖଣ୍ଡର ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ। ଏହାପରେ ଜେଏମ୍ଏମରେ ବିବାଦ ଦେଖାଦେଇଥିଲା।