ପାର୍ବଣ ପୂର୍ବରୁ ରାଜଧାନୀରେ ଅପରାଧୀଙ୍କ ହଲ୍ଲାବୋଲ

1 min read

ଭୁବନେଶ୍ବର: ପାର୍ବଣ ପୂର୍ବରୁ ଅପରାଧୀଙ୍କ ହଲ୍ଲାବୋଲ । କୋଉଠୁ ଲୁଟିଲେ ତ ଆଉ କେଉଁଠି ହାଣିଲେ । ସିସିଟିଭିରେ କଏଦ ହେଲା ଅପରାଧ ବେଳର ଦୃଶ୍ୟ । ସେଫ୍ ସିଟି ଡ୍ରାଇଭ କରି ବାହାବାହା ନେଉଥିବା କମିଶନରେଟ ପୋଲିସର ରାଜଧାନୀରେ ନିଦ ହଜାଇ ଦେଇଛନ୍ତି ହାର୍ଡକୋର କ୍ରିମିନାଲ । ଅନସେଫ୍ ସିଟିରେ ପ୍ରହସନ ପାଲଟିଛି ସେଫସିଟି ଡ୍ରାଇଭ । ପାର୍ବଣ ପୂର୍ବରୁ ଅପରାଧୀଙ୍କ ହଲ୍ଲାବୋଲ । ହସ୍ପିଟାଲରୁ ଲୁଟିଲେ, ଗାଡି ସୋରୁମରେ ହାଣିଲେ । ରାଜବାଟିକା ଲୁଟ ଘଟଣାରେ ପୋଲିସ ହାତ ଖାଲି ।

ବଡ଼ଗଡ଼ ଥାନା କେସୁରା ଛକ ମଙ୍ଗରାଜ ପଏଣ୍ଟ ଠାରେ ଜଣେ ଅଟୋ ସୋରୁମ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରୁଥିବା ଓ ଖଣ୍ଡାରେ ହାଣୁଥିବାର ଏ ହେଉଛି ଦୃଶ୍ୟ । ଗତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଗାଡି ସୋରୁମରେ କାମ କରୁଥିବା K1 ସଂସ୍ଥାର ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଗୌରାଙ୍ଗଙ୍କ ଘର ଯାଜପୁର ଅଞ୍ଚଳରେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ କରିଛି ।

ଲିଙ୍ଗରାଜ ଥାନା ବିବେକାନନ୍ଦ ମାର୍ଗ ଅଞ୍ଚଳରେ ଥିବା ଭେରାଇଟି ଷ୍ଟୋର ଭିତରେ ବଟି ମାଗିବା ସହ ମୁଣ୍ଡରେ କିଭଳି ବନ୍ଧୁକ ଲଗାଉଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ ।କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରିରୁ ୬୦ ଲକ୍ଷର ଦାମୀ ସାମଗ୍ରୀ ଚୋରିର ସିସିଟିଭି । ସୁଇପର ଓ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ କିଭଳି ଚତୁରତାର ସହ ଚୋରି ହେଉଛି ଦେଖନ୍ତୁ । ଗତକାଲି ରାତିରେ ଏହି ଘଟଣା ଘଟିବା ପରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଇନଫୋସିଟି ଥାନା ପଛପଟ ଆପାର୍ଟମେଣ୍ଟର ୩ ଫ୍ଲାଟରୁ ହୋଇଥିବା ଲୁଟ ଘଟଣାରେ ଏଯାଏଁ ପୋଲିସ ହାତ ଖାଲି ରହିଥିବା ବେଳେ ସହରରେ ମାତି ଥିବା ଅପରାଧୀ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ ।