ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର, ହାଇରିସ୍କରେ ଏହି ଡିଭାଇସ

1 min read

ନୂଆଦିଲ୍ଲୀ: ଆଣ୍ଡ୍ରଏଡ ଫୋନ ବ୍ୟବହାରୀକାରୀ ସାବଧାନ । ହ୍ୟାକ୍‌ ହୋଇପାରେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ । ଏନେଇ କେନ୍ଦ୍ର ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା କମ୍ପ୍ୟୁଟର ଏମର୍ଜେନସି ରେସପନ୍ସ ଟିମ୍ ବା CERT-In ପକ୍ଷରୁ ଜାରି କରାଯାଇଛି ସତର୍କତା । ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ ତଥ୍ଯ ହ୍ଯାକ ଲାଗି ବ୍ୟାପକ ଦୁର୍ବଳତା ରହିଛି ବୋଲି କହିଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିଇଆରଟି ।

ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି- ଆଣ୍ଡ୍ରଏଡ ଫୋନରେ ୟୁଜରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ରିମୋଟ କୋଡ କିମ୍ବା ଅନ୍ଯାନ୍ୟ କ୍ଷେତ୍ରରେ ବହୁଳ ବିପଦ ରହିଛି । ଏସବୁକୁ ହାଇରିସ୍କ ବୋଲି ଦର୍ଶାଇଛି ସିଇଆରଟି । ଆଣ୍ଡ୍ରଏଡ 11, ଆଣ୍ଡ୍ରଏଡ 12 ଓ ଆଣ୍ଡ୍ରଏଡ 13ରେ ପରିଚାଳିତ ଆଣ୍ଡ୍ରଏଡ ଡିଭାଇସ ଉପରେ ବିଶେଷ ବିପଦ ରହିଛି । ଫ୍ରେମଓ୍ବର୍କ, ସିଷ୍ଟମ, ଗୁଗଲ ପ୍ଲେ ସିଷ୍ଟମ, କ୍ବାଲକମ୍ କମ୍ପୋନେଣ୍ଟ ଓ କ୍ବାଲକମ କ୍ଲୋଜଡ ସୋର୍ସ କମ୍ପୋନେଣ୍ଟ କ୍ଷେତ୍ରରେ ବି ବିଶେଷ ଦୁର୍ବଳ ଥିବାରୁ ତଥ୍ଯ ହ୍ଯାକ ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଇଛି ।

ଏହି ଅପରେଟିଂ ସିଷ୍ଟମରେ ବିଶେଷ ଦୁର୍ବଳ ରହିଥିବା କମ୍ପୋନେଣ୍ଟ ମଧ୍ଯରେ ରହିଛି CVE-2022-40534, CVE-2023-21646, CVE-2023-21653 ସମେତ ପ୍ରାୟ 32ଟି କମ୍ପୋନେଣ୍ଟ । ତେବେ ହ୍ୟାକର ମାନଙ୍କଠାରୁ କିପରି ସୁରକ୍ଷିତ ରହିବେ ସେଥିଲାଗି ଗାଇଡ ଲାଇନ ଜାରି କରିଛି ସିଇଆରଟି । ତାହା ହେଲା- ଡିଭାଇସକୁ ଅପଡେଟ କରିବେ । ଡିଭାଇସ ପ୍ରସ୍ତୁତକାରୀ ବା ଓଇଏମ ଦ୍ବାରା ଉପଲବ୍ଧ ସିକ୍ଯୁରିଟି ଅପଡେଟ ଓ ପ୍ଯାଚଗୁଡିକ ଲାଗି ଆବେଦନ କରିବେ । ଆଣ୍ଡ୍ରଏଡ ଫୋନରେ କଣ କଣ ଦୁର୍ବଳତା ରହିଛି ତାହା ଜାଣିବା ଲାଗି ଏହି ଅପଡେଟ ସହାୟକ ହେବ ।