ଚୂଲିକୁ ଗଲାଣି ପୂର୍ବୋଦୟ ବିକାଶ: ବେକାରୀ ସମସ୍ୟା ଉତ୍କଟ, ଦରଦାମ ଦରମଲା କଲାଣି

1 min read

ଭୁବନେଶ୍ବର: ବିରୋଧୀ କହୁଥିଲେ । ଏବେ ଲୋକେ କହିଲେଣି । ଦେଶରେ ବେରୋଜଗାରୀ ଚରମ ସୀମାରେ । ଚଳିତ ମାସର ଇଣ୍ଡିଆ ଟୁଡେ ଓ ସି-ଭୋଟର ମିଳିତ ସର୍ଭେ ମୁଡ୍ ଅଫ୍ ଦ ନେସନ୍ ରିପୋର୍ଟ କହୁଛି, ଦେଶର ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତରେ ବେକାରୀ ସଂଖ୍ୟା ବେଶୀ । ସର୍ଭେରେ ଭାଗ ନେଇଥିବା ୬୪ ପ୍ରତିଶତ ଲୋକଙ୍କ ମତ ଦରଦାମ ବୃଦ୍ଧି ଯୋଗୁଁ ସେମାନେ ଦୈନିକ ଖର୍ଚ୍ଚ ତୁଲାଇ ପାରୁନାହାନ୍ତି । ଆଗକୁ ଅବସ୍ଥା ଆହୁରି ଖରାପ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଅଧିକାଂଶ ଲୋକ ।

ରୋଜଗାର ସଙ୍କୁଚିତ । ଦରଦାମ ବୃଦ୍ଧି ଯୋଗୁଁ ଲୋକେ ନିଜର ଦୈନିକ ଖର୍ଚ୍ଚ ମେଣ୍ଟାଇ ପାରୁନାହାନ୍ତି । ରିପୋର୍ଟ କହୁଛି, ୫୧ ପ୍ରତିଶତ ଲୋକଙ୍କ ମତ ୨୦୧୪ରୁ କେନ୍ଦ୍ର ସରକାର କର୍ପୋରେଟକୁ ସୁହାଇଲା ଭଳି ନୀତି କରିଆସୁଛନ୍ତି । ଫଳରେ ଧନୀ ଗରିବ ତାରତମ୍ୟ ଅହେତୁକ ଭାବେ ବଢି ଚାଲିଛି । ୬୦ ପ୍ରତିଶତ ଲୋକଙ୍କ ମତରେ ପୂର୍ବ ଭାରତରେ ବେକାରୀ ବେଶୀ । ଉତ୍ତରପୂର୍ବ ରାଜ୍ୟରେ ବେକାରୀ ସ୍ଥିତି ଆହୁରି ସଙ୍ଗୀନ ବୋଲି ମତ ଦେଇଛନ୍ତି ୬୪ ପ୍ରତିଶତ । ଦକ୍ଷିଣରେ ବେକାରୀ ହାର କମ୍ ରହିଛି । ଅର୍ଥାତ୍ ରିପୋର୍ଟରୁ ଜଣାପଡ଼ିଛି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବେକାରୀ ହାର ଅଣ-ବିଜେପି ଶାସିତ ରାଜ୍ୟ ଅପେକ୍ଷା ଅଧିକ ରହିଛି । ବିରୋଧୀ ଯେତେବେଳେ ଏହି ପ୍ରସଙ୍ଗ ଉଠାଉ ଥିଲେ ରାଜନୈତିକ ବୟାନବାଜି କହି କେନ୍ଦ୍ର ସରକାର ଟାଳି ଦେଇଥିଲେ । ଏବେ ଦେଶର ଲୋକେ ସର୍ଭେ ଜରିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଶେଷଜ୍ଞଙ୍କ ମତ ବିଗତ ୧୦ ବର୍ଷ ଭିତରେ ଲୋକଙ୍କ କ୍ରୟ ଶକ୍ତି ଦ୍ରୁତ ବେଗରେ ହ୍ରାସ ପାଇଛି । ଦରଦାମ ବୃଦ୍ଧି ପ୍ରଭାବରେ ଲଗାତାର ଉପଭୋକ୍ତା ସୂଚକାଙ୍କ ୧୪ ପ୍ରତିଶତରୁ ଖସି ୩ ପ୍ରତିଶତରେ ପହଞ୍ଚିଲାଣି । ମୁଡ୍ ଅଫ୍ ଦ ନେସନ ୭୦ ପ୍ରତିଶତ ଲୋକଙ୍କ କହିବା କଥା ଦେଶରେ ସ୍ବଳ୍ପ ଆୟରେ ନିମ୍ନ ଆୟବର୍ଗ ଯତ୍ କିଞ୍ଚିତ ବି ଚଳିପାରୁନାହାନ୍ତି । ଦେଶରେ ଅଣସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ସଂଖ୍ୟା ଅଧିକ । ୮୨ ପ୍ରତିଶତ ଲୋକଙ୍କ ମତରେ ଏଥିପାଇଁ ଦେଶରେ ସର୍ବନିମ୍ନ ମଜୁରୀ ବଜାର ଦରକୁ ଦେଖି ସ୍ଥିର କରାଯିବା ଦରକାର ।

ସର୍ଭେରେ ଭାଗ ନେଇଥିବା ୬୫ ପ୍ରତିଶତ ଲୋକଙ୍କ କହିବା କଥା, ଆସନ୍ତା ୬ ମାସରେ ସେମାନଙ୍କ ଆୟ ବଢିବନି । ୫୭ ପ୍ରତିଶତଙ୍କ ମତ ଚଳିତବର୍ଷ ବି ଦରଦାମ ବୃଦ୍ଧି ଜାରି ରହିଲେ ସ୍ଥିତି ଆହୁରି ଅସମ୍ଭାଳ ହେବ ।