ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ, ସତର୍କ ରହିବା ଲାଗି ଓଡ଼ିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ

1 min read

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ସେରୋଟାଇପ-୨ ଡେଙ୍ଗୁ । ଏଥିଲାଗି ସତର୍କ ରହିବା ଲାଗି ଓଡିଶା ସମେତ ୧୧ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅନ୍ୟ ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ ଓ ତେଲଙ୍ଗାନା । ଏହି ରୋଗର ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବା ସହ ଅନ୍ୟାନ୍ୟ ରୋଗ ପ୍ରତି ସତର୍କ ରହିବା ଲାଗି କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଏହି ୧୧ଟି ରାଜ୍ୟରେ ସେରୋଟାଇପ-୨ ଡେଙ୍ଗୁ ବ୍ୟାପୁଛି । ଅଧିକରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହେବା ସହ ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଗୁଆ ନିରୂପଣ ବ୍ୟବସ୍ଥା, ଜ୍ବରର ମୁକାବିଲା ଲାଗି ହେଲ୍ପଲାଇନ, ଅଧିକ ଟେଷ୍ଟିଂ କିଟ୍ ରଖିବା, ଲାର୍ଭା ମାରିପାରୁଥିବା କୀଟନାଶକ ଓ ପର୍ଯ୍ୟାପ୍ତ ଔଷଧ ରଖିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ତୁରନ୍ତ ମୁକାବିଲା ପଦକ୍ଷେପ ନେବା ଲାଗି ରାପିଡ ରେସପନ୍ସ ଟିମ୍ ସଜାଗ ରଖିବା ଲାଗି କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ଏହା ସହ ଲୋକମାନଙ୍କୁ ସଚେତନ କରିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ପ୍ରମୁଖ ଶାସନ ସଚିବ, ପୌରନିଗମ, ଜିଲ୍ଲାପାଳ, ବରିଷ୍ଠ ଅଧିକାରୀମାନଙ୍କୁ ସତର୍କ ରହିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ପରାମର୍ଶ ଦେଇଛନ୍ତି ।

Leave a Reply