କେନ୍ଦ୍ରମନ୍ତ୍ରୀଙ୍କ ରାଲିରେ ପଶୁକୁ ଯାତନା, ଆଶୀର୍ବାଦ ଯାତ୍ରାରେ ଘୋଡ଼ାକୁ ଉପହାସ

ଇନ୍ଦୋର: ରାଜନୈତିକ ସ୍ୱାର୍ଥ ଲାଗି ନିରୀହ ପ୍ରାଣୀଙ୍କୁ ବ୍ୟବହାର । କ୍ଷମତା ଆଗରେ ତୁଚ୍ଛ ପ୍ରାଣୀ ସୁରକ୍ଷା ଆଇନ । ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ସଭ୍ୟ ମଣିଷ ବୁଜିଦେଇଛି ଆଖି । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରରେ ଜଣେ ମନ୍ତ୍ରୀଙ୍କ ରାଲିରେ ବ୍ୟବହୃତ ହୋଇଛି ଏକ ଘୋଡା । ମଜାକଥା ହେଲା ମନ୍ତ୍ରୀଙ୍କ ରାଲିରେ ଏହି ଜୀବ ଯାତନାର ଚିତ୍ର ବିରୋଧରେ ଗର୍ଜିଛନ୍ତି ଖୋଦ୍ ବିଜେପି ସାଂସଦ ତଥା ଜଣେ ପ୍ରାଣୀ ଅଧିକାର ନେତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଆୟୋଜିତ ହେଉଛି ଜନ ଆଶୀର୍ବାଦ ଯାତ୍ରା । ।

ଏହି ପରିପ୍ରକ୍ଷୀରେ ମଧ୍ୟପ୍ରଦେଶ ଇନ୍ଦୋରରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାତିଦ୍ୟ ସିନ୍ଧିଆ ବି କରିଥିଲେ ରାଲି । ହେଲେ ରାଲିରେ ସାମିଲ କରାଯାଇଥିବା ଏକ ଘୋଡାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ଘୋଡାର ଶରୀରକୁ ବିଜେପି ପତାକାର ରଙ୍ଗରେ ରଙ୍ଗିନ କରାଯିବା ସହ ଏକ ପଦ୍ମଫୁଲ ଅଙ୍କାଯାଇଥିଲା । ଦଳର ଏକ ପତାକା ବି ଘୋଡାର ବେକରେ ବାନ୍ଧି ଦିଆଯାଇଥିଲା । ବିଚାରା ନିରୀହ ଜୀବଟି ବୁଝିପାରୁ ନ ଥିଲା ତାକୁ ନେଇ କିପରି ଦର୍ଶକ ଉଠାଉଛନ୍ତି ମଜା ।

ତେବେ ଘୋଡାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୋର ଧରିଥିଲା ରାଜନୀତି । ଏହାକୁ ହଜମ କରିପାରିନାହାନ୍ତି ବିଜେପି ସାଂସଦ ମାନେକା ଗାନ୍ଧି । ତାଙ୍କ ଅନୁଷ୍ଠାନ ପିପୁଲ୍ସ ଫର ଆନିମଲ୍ସ ପକ୍ଷରୁ ଏନେଇ ସାନୋଗିଟାଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ମାମଲାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply