spot_img

Latest Posts

ପୁଣି ତେଜିଲା ଫୋକସ୍ ଷ୍ଟେଟ୍ ମାନ୍ୟତା ରାଜନୀତି, ବିଜେଡି ପରେ ରାଜ୍ୟ ପାଇଁ ସ୍ୱର ଶାଣିତ କଲା କଂଗ୍ରେସ

ଭୁବନେଶ୍ୱର: ଦିନକୁ ଦିନ କମିବାରେ ଲାଗିଛି କେନ୍ଦ୍ରୀୟ ଅନୁଦାନ। ବିଭିନ୍ନ କ୍ଷେତ୍ରରେ ଟିକସ ଅଂଶରୁ ରାଜ୍ୟକୁ ବଞ୍ଚିତ କରିବା ସହ ଅର୍ଥକାଟ୍ କରୁଛି କେନ୍ଦ୍ର। ୭ବର୍ଷରେ ମୋଦି ସରକାରଙ୍କ ଏପରି ଅଣଦେଖାକୁ ବିରୋଧ କରି କେନ୍ଦ୍ର ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ। ଦଳ ଅଭିଯୋଗ କରିଛି, ୨୦୧୫ରେ ୧୪ପ୍ରତିଶତ ଓ ୨୦୨୦-୨୧ରେ ୩୦ପ୍ରତିଶତ କେନ୍ଦ୍ରୀୟ ଅନୁଦାନ କମିଛି। ରାଜ୍ୟକୁ ମିଳୁନି ସେସ୍ ସରଚାର୍ଜ ଭାଗ। ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ଅଧିକ ଟିକସ ନେଉଛି, ରାଜ୍ୟକୁ କମ୍‌ ଦେଉଛି।

ଏପରିକି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ଟିକସର ସିଂହଭାଗ ନେଉଥିବା ବେଳେ ରାଜ୍ୟକୁ ଦେଉଛି କମ୍। ୮ଟି କେନ୍ଦ୍ରୀୟ ଯୋଜନା ବନ୍ଦ କରିବା ସହ ୩୩ଟି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଅର୍ଥ କାଟ୍ କରାଯାଇଛି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଫୋକସ୍ ଷ୍ଟେଟର ମାନ୍ୟତା ଦେବାକୁ ଦାବି କରିଛି କଂଗ୍ରେସ। ସେପଟେ ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା କରିଥିବା କଥାକୁ ବିଜେପି ମାନିଛି, ହେଲେ ଫୋକସ୍ ଷ୍ଟେଟ୍ ପ୍ରସଙ୍ଗକୁ ଏଡ଼ାଇ ରାଜନୈତିକ ବୟାନବାଜି କରିଛି।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ନିରାଶ ହେବା ପରେ ଓଡ଼ିଶା ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ଦାବିକୁ ବିଜେଡି ଦୋହରାଇ ଆସୁଛି। ହେଲେ ନୀତି ଆୟୋଗର ଆଳ ଦେଖାଇ କେନ୍ଦ୍ର ଏହି ଦାବିକୁ ଏଡ଼ାଇ ଚାଲିଛି। ଉଭୟ ୟୁପିଏ ଓ ଏନଡିଏ ସରକାରଙ୍କ ପାଖରେ ବିଜେଡି ସାଂସଦମାନେ ଏହି ଦାବି ଦୋହରାଇ ଚାଲିଛନ୍ତି। କଂଗ୍ରେସର ଫୋକସ୍ ଷ୍ଟେଟ ମାନ୍ୟତା ଦାବି ସ୍ୱାଗତଯୋଗ୍ୟ ବୋଲି ବିଜେଡି କହିବା ସହ ଏହି ସ୍ୱରରେ ବିଜେପି ସ୍ୱର ମିଳାଇବା ପାଇଁ ଦଳ ପରାମର୍ଶ ଦେଇଛି।  ଦୁଇ ଦିନ ତଳେ ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଅଂଶଧନ ୨୫ ପ୍ରତିଶତ ନଟପିବା ପାଇଁ ସ୍ପେଶାଲ ମେନସନ ଜରିଆରେ ଦାବି କରିଥିଲେ ।

Latest Posts

Don't Miss