ରେଳ ସେବା ହେବ ପ୍ରଦୂଷଣମୁକ୍ତ: ରାଜ୍ୟମାନଙ୍କ ସହଯୋଗ ଲୋଡ଼ିଲା କେନ୍ଦ୍ର

1 min read

ଭୁବନେଶ୍ୱର: ରେଳସେବା ହେବ ପ୍ରଦୂଷଣମୁକ୍ତ । ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହେବ । ଏଥିପାଇଁ ରାଜ୍ୟମାନଙ୍କର ସହଯୋଗ ଲୋଡ଼ିଛି କେନ୍ଦ୍ର । ଓଡ଼ିଶାର ସମସ୍ତ ରେଳ ଡିଜିଜନକୁ ବିଦ୍ୟୁତକରଣ କରିବା ନେଇ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି ରେଳ ମନ୍ତ୍ରାଳୟ । ରାଜ୍ୟର ୫ଟି ଡିଭିଜନରେ ୬୩ଟି ବିଦ୍ୟୁତକରଣ କାମକୁ ତ୍ୱରାନ୍ୱିତ କରାଯିବ । ଅନ୍ୟପଟେ ରେଳବାଇ କ୍ଷେତ୍ରରେ କେନ୍ଦ୍ରକୁ ରାଜ୍ୟ ସମସ୍ତ ସହଯୋଗ ଦେଇଆସିଛି ବୋଲି ଶାସକ ବିଜେଡି କହଛି । ରେଳ ମନ୍ତ୍ରାଳୟର ଏପରି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ରେଳ ବିଭାଗରେ ଆସିବ ସଂସ୍କାର । ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ହେବ ରେଳବାଇ । ୨୦୧୯ରେ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳ ଡିଭିଜନକୁ ବିଦ୍ୟୁତକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ରାଜ୍ୟର ସହଯୋଗ ଲୋଡିଛି ରେଳ ମନ୍ତ୍ରାଳୟ । ଓଡ଼ିଶାର ସମସ୍ତ ଡିଭିଜନକୁ ବିଦ୍ୟୁତକରଣ କରିବା କାମକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୫ଟି ଡିଭିଜନରେ ୬୩ଟି ବିଦ୍ୟୁତକରଣ କାମ ଚାଲିଛି ।

ନୂଆପଡ଼ା–ଗୁଣୁପୁର, ଜୁନାଗଡ଼-ଲାଞ୍ଜିଗଡ଼, ଖୋର୍ଦ୍ଧାରୋଡରୁ ନୂଆଗାଁ, ଟାଟାନଗରରୁ ବାଦାମପାହାଡ଼ ଏବଂ ରୁପ୍ସାରୁ ବାଙ୍ଗିରପୋଷି ବିଦ୍ୟୁତକରଣ କରାଯିବ । ଗୁଣୁପୁରର ପଳାସିଙ୍ଗି ୧୫ଟି, ଭବାନୀପାଟଣା ୩ଟି, ନୟାଗଡ଼୧୫ଟି, ରାଇରଙ୍ଗପୁରରେ ୧୪ଟି, ବାଙ୍ଗିରିପୋଷିରେ ୩୮ଟି ସବଷ୍ଟେସନ ନିର୍ମାଣ କରାଯିବ । ଏସବୁ ନିର୍ମାଣ ସରିଲେ ରେଳସେବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ହୋଇପାରିବ । ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ରର ସହଯୋଗରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ରେଳବାଇ କରିଥିବା ରାଜ୍ୟ ବିଜେପି କହିଛି ।

ଅନ୍ୟପଟେ କେନ୍ଦ୍ର ରେଳମନ୍ତ୍ରଣାଳୟର ବିଦ୍ୟୁତକରଣ ନିଷ୍ପତିକୁ ସ୍ୱାଗତ କରିଛି ବିଜେଡି । ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ଯେତେବେଳେ ଯେଉଁ ସହଯୋଗ ଓଡ଼ିଶାଠୁ ଚାହିଁଛନ୍ତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବା ବିଜେଡି କହିଛି । ରାଜ୍ୟରେ ବର୍ଷ ବର୍ଷ ଧରି ଅଧପନ୍ତରିଆ ଭାବେ ପଡ଼ିରହିଥିବା ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବା ପାଇଁ ଦଳ ଦାବି କରିଛି ।

ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିଦ୍ୟୁତକରଣ ଯାଏ କେନ୍ଦ୍ରକୁ ରାଜ୍ୟ ସରକାର ରେଳବାଇ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଆସୁଛନ୍ତି । ରାଜ୍ୟର ହକ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ରକୁ ବାରମ୍ବାର ଅବଗତ କରିଆସୁଛନ୍ତି । ତଥାପି ରେଳବାଇ କ୍ଷେତ୍ରରେ ଓଡ଼ିଶା ତା’ର ନ୍ୟାଯ୍ୟ ହକ ପାଉନି ।