ଆଇନ ଅନ୍ତର୍ଭୁକ୍ତ ହେବ ଡିଜିଟାଲ ମିଡିଆ, କେନ୍ଦ୍ର ଆଣୁଛି ନୂଆ ନିୟମ

ନୂଆଦିଲ୍ଲୀ: ଆଇନ ଅନ୍ତର୍ଭୁକ୍ତ ହେବ ଓ୍ବେବ ମିଡିଆ । ଆଇନ ଉଲ୍ଲଂଘନ କ୍ଷେତ୍ରରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରେଜିଷ୍ଟ୍ରେସନ ରଦ୍ଦ ହେବା ସହ ଜରିମାନା ଆଦାୟର ବ୍ୟବସ୍ଥା ମଧ୍ୟ ରହିଛି । ମିଡିଆ ପଞ୍ଜିକରଣ ଆଇନରେ ପ୍ରଥମ ଥର ଲାଗି ଓ୍ବେବ ମିଡିଆକୁ ସାମିଲ କରାଯିବ । ପୂର୍ବରୁ ଡିଜିଟାଲ ମିଡିଆ ପାଇଁ ଭାରତ ସରକାର କିଛି ନିୟାମକ ଲାଗୁ କରି ନଥିବା ବେଳେ ପ୍ରଥମ ଥର ଲାଗି ଏହା ଆଇନ ଅନ୍ତର୍ଭୁକ୍ତ ହେବାକୁ ଯାଉଛି ।

ପ୍ରେସ ଆଣ୍ଡ ପିରିଓଡ଼ିକାଲ ବିଲ୍ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କୌଣସି ଇଲେକଟ୍ରୋନିକ୍ସ ଉପକରଣ ମାଧ୍ୟମରେ ଖବର ପରିବେଷଣ କରୁଥିବା ମିଡିଆକୁ ଏହି ସଂଶୋଧିତ ଆଇନ ଅନ୍ତର୍ଭୁକ୍ତ କରାଯିବ । ଏହି ଆଇନ ଲାଗୁ ହେବାର ୯୦ ଦିନ ମଧ୍ୟରେ ଡିଜିଟାଲ ମିଡିଆ ପବ୍ଲିସରଙ୍କୁ ପ୍ରେସ ରେଜିଷ୍ଟ୍ରାର ଜେନେରାଲରେ ରେଜିଷ୍ଟ୍ରେସନ କରିବାକୁ ହେବ ।

ଯାହା ଫଳରେ ଆଇନ ଉଲ୍ଲଂଘନ କ୍ଷେତ୍ରରେ ସେହି ଡିଜିଟାଲ ପବ୍ଲିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ସଂସଦର ମୌସୁମୀ ଅଧିବେଶନରେ ଏ ନେଇ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି । ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ଏହି ଆଇନକୁ ଅନୁମୋଦନ ମିଳି ନଥିବା ଜଣାପଡ଼ିଛି ।