କ୍ଷମା ମାଗିଲା CBSE, ବିବାଦୀୟ ପ୍ରଶ୍ନରେ ମିଳିବ ଫୁଲ ମାର୍କ

1 min read

ନୂଆଦିଲ୍ଲୀ: ମୁଣ୍ଡ ନୁଆଁଇଲା ସିବିଏସଇ । ଦଶମ ଶ୍ରେଣୀ ପରୀକ୍ଷାରେ ବିବାଦୀୟ ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ସୃଷ୍ଟି ହେବା ପରେ ଏହି ପ୍ରଶ୍ନକୁ ହଟାଇଛି ସିବିଏସଇ । ବୋର୍ଡ ପକ୍ଷରୁ ଏହି ନାରୀ ବିଦ୍ବେଷୀ ପ୍ରସଙ୍ଗକୁ ହଟାଇ ଦିଆଯାଇଥିବାବେଳେ ଏହି ପ୍ରଶ୍ନରେ ଫୁଲ୍ ମାର୍କ ସମସ୍ତ ପିଲାଙ୍କୁ ଦିଆଯିବ ବୋଲି କହିଛି ସିବିଏସଇ । ଏହି ପ୍ରସଙ୍ଗକୁ ନେଇ ଆଜି ସଂସଦରେ ଝଡ ସୃଷ୍ଟି ହୋଇଥିଲା । ସରକାରଙ୍କ ନାରୀ ବିଦ୍ବେଷୀ ନୀତି ବିରୋଧରେ ଗର୍ଜିଥିଲେ କଂଗ୍ରେସ ସାଂସଦ । କଂଗ୍ରେସ, ଡିଏମକେ, ଆଇୟୁଏମଏଲ, ଏନସିପିର ଓ ନ୍ୟାସନାଲ କଂଗ୍ରେସର ସାଂସଦମାନେ ଏହି ପ୍ରସଙ୍ଗରେ ଲୋକସଭା ଅଧିବେଶନ ବର୍ଜନ କରିଥିଲେ । ଏହି ପ୍ରସଙ୍ଗ ପ୍ରଥମେ ସୋନିଆ ଗାନ୍ଧୀ ଉଠାଇବା ପରେ ଅନ୍ୟ ସାଂସଦମାନେ ଗୃହ ବର୍ଜନ କରିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ଏହା ଏକ ଆରଏସଏସ-ବିଜେପିର କୁତ୍ସିତ ଅଭିପ୍ରାୟ ବୋଲି ଦର୍ଶାଇଥିଲେ । ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ପ୍ରଶ୍ନପତ୍ରରେ ଲିଙ୍ଗଗତ ସମାନତା ଉପରେ ପ୍ରଶ୍ନ ଉଠିବା ସହ ଏହା ପ୍ରତିକ୍ରିୟାଶୀଳ ଚିନ୍ତାର ଏକ ନମୁନା ବୋଲି କହିଛନ୍ତି ପ୍ରିୟଙ୍କା । ଇଂରାଜୀ ପ୍ରଶ୍ନପତ୍ରର ଏକ ଅନୁଚ୍ଛେଦରେ ରହିଛି- ମହିଳାଙ୍କୁ ଘରେ ଅଧିକ ଅଧିକାର ଦେବା ହେତୁ ପିଲାମାନେ ଖରାପ ହେଉଛନ୍ତି । କେବଳ ସ୍ୱାମୀଙ୍କ ପଥ ଗ୍ରହଣ କରି ଜଣେ ମାତା ପିଲାମାନଙ୍କ ସମ୍ମାନ ହାସଲ କରିପାରନ୍ତି । ଅନେକ ମହଲରୁ ଏହାକୁ ନେଇ ନିନ୍ଦା କରାଯାଇଥିବାବେଳେ ଏହି ମତ ନାରୀ ବିଦ୍ବେଷୀ ବୋଲି କୁହାଯାଇଛି । ପ୍ରଶ୍ନ ପତ୍ରରେ ଆହୁରି କୁହାଯାଇଛି- ଶିଶୁ ଓ ସେବକମାନଙ୍କୁ ସେମାନଙ୍କ ସ୍ଥାନ ସମ୍ପର୍କରେ ଶିକ୍ଷା ଦେବା ଆବଶ୍ୟକ । ଏହାସହ ନାରୀମାନଙ୍କୁ ଅଧିକ ସ୍ବାଧୀନତା ଦେବା ଦ୍ବାରା ସନ୍ତାନମାନଙ୍କ ଉପରେ ଥିବା ପିତାମାତାଙ୍କ କର୍ତ୍ତୃତ୍ବ ଧୂଳିସାତ୍ ହୋଇଛି ।

ଏହା ପୂର୍ବରୁ ମଧ୍ୟ ସିବିଏସଇ ଦ୍ବାଦଶ ଶ୍ରେଣୀର ସୋସିଓଲୋଜି ପେପରରେ ଏକ ଚିନ୍ତାଜନକ ପ୍ରଶ୍ନ ପକାଇଥିଲା । ସୋସିଓଲୋଜି ପେପରରେ ଆସିଥିଲା ଯେ- ୨୦୦୨ରେ ଗୁଜରାଟରେ ମୁସଲିମ ବିରୋଧୀ ହିଂସା ପଛରେ ଥିବା ଦଳର ନାଁ କ’ଣ । ଏପରି ପ୍ରଶ୍ନ ଆସିବା ପରେ ଏହାକୁ ନେଇ ସେ ସମୟରେ ବହୁ ବିବାଦ ଦେଖା ଦେଇଥିଲା । ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପରେ ସିବିଏସଇ ପକ୍ଷରୁ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା ।

 

Leave a Reply