GST ଠକେଇ ମାମଲାରେ ସିବିଆଇ ଏତଲା, ୧୦ ଲକ୍ଷ ବଦଳରେ ୫ କୋଟି ଟ୍ୟାକ୍ସକୁ କରିଥାନ୍ତେ ୫ ଲକ୍ଷ !

1 min read

ଭୁବନେଶ୍ୱର: ଜିଏସଟି ଠକେଇ ମାମଲାରେ ସିବିଆଇ ଏତଲା ଦାଏର କରିଛି । ଏତଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଆର୍ଥିକ ମୁଖ୍ୟଙ୍କ ସମେତ ଭୁବନେଶ୍ୱର ଜିଏସଟି ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ନାମ ରହିଛି । ସିବିଆଇ ଏତଲା ଅନୁସାରେ ଜିଏସଟି ଅଧିକାରୀ ଏ ବି କର ବକେୟା ୫ କୋଟି ଜିଏସଟି ଟ୍ୟାକ୍ସ କମ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ଏତଲା ଅନୁସାରେ ଏହି ଶିକ୍ଷାନୁଷ୍ଠାନ ଉପରେ ଜିଏସଟି ବକେୟା ଥିଲା । ସେପ୍ଟମ୍ବର ୩,୨୦୨୦ରେ ଏ ବି କର ଏନେଇ ଅନୁଷ୍ଠାନକୁ ନୋଟିସ କରିଥିଲେ ।

ନୋଟିସ ଜାରି କରିବା ପରେ ଏ ବି କର ନିଜ ସହଯୋଗୀଙ୍କ ସହ ସେଞ୍ଚୁରିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଅଡିଟ୍ ପାଇଁ ଯାଇଥିଲେ । ଅଡିଟ୍ କାଳରେ ଜିଏସଟି ଆକାଉଣ୍ଟରେ ୨୦୧୭-୧୮ ମସିହାରେ ଅନିୟମିତତା ଥିବା ନଜରକୁ ଆସିଥିଲା । ୨୦୧୭-୧୮ ପୂର୍ବ ବର୍ଷ ଗୁଡିକରେ ମଧ୍ୟ ସଠିକ ଜିଏସଟି ପୈଠ କରାଯାଇ ନଥିବା ଜଣା ପଡିଥିଲା ।

ସିବିଆଇ ଅନୁସାରେ ଜିଏସଟି ଓ ଫାଇନ ବାବଦରେ ସେଞ୍ଚୁରିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ବାର୍ଷିକ ୫ କୋଟିରୁ ଅଧିକ ଦେବାକୁ ପଡିଥାନ୍ତା । ତେଣୁ ଶିକ୍ଷାନୁଷ୍ଠାନକୁ ଚଳାଉଥିବା ଟ୍ରଷ୍ଟ ପକ୍ଷରୁ ଏହାର ଆକାଉଣ୍ଟସ ମ୍ୟାନେଜର ଆଶୁତୋଶ ପାଢିଙ୍କୁ ଜିଏସଟି ଅଧିକାରୀଙ୍କ ସହ ଆଲୋଚନା କରି ମାମଲାର ସମାଧନ କରିବାକୁ କୁହାଯାଇଥିଲା ।

ସିବିଆଇ ଅନୁସାରେ ଜିଏସଟି ଅଧିକାରୀ ଏ ବି କର ଫାଇନ କମାଇବାକୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ୧୦ ଲକ୍ଷ ଟଙ୍କା ବଦଳରେ ଟ୍ୟାକ୍ସ ଓ ଫାଇନକୁ ୫ କୋଟିରୁ ୫ ଲକ୍ଷ କରି ଦିଆଯିବ ବୋଲି କର ପ୍ରତିଶ୍ରୁତି ଦେଇଥିବା ସିବିଆଇ ଏତଲାରେ ଉଲ୍ଲେଖ କରିଛି । କୌଣସି ସୂତ୍ରରୁ ସୂଚନା ପାଇବା ପରେ ସିବିଆଇ ୨୯ ତାରିଖ ଦିନ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଥିବା ଏକ ତାରକା ହୋଟେଲ ଉପରେ ଚଢଉ କରିଥିଲା । ଚଢଉ ସମୟରେ ନଗଦ ଟଙ୍କା ସହିତ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଥିଲା ।

ଏହାସହ ପଢନ୍ତୁ- ସିବିଆଇ ଜାଲରେ GSTର ୩ ଅଧିକାରୀ, ଠକିବା ପାଇଁ ହୋଟେଲରେ ଚାଲିଥିଲା ବ୍ଲୁ-ପ୍ରିଣ୍ଟ

Leave a Reply