ସ୍ୟାଟ୍ ଉଚ୍ଛେଦ ପରେ ବିଚାର ହୋଇପାରୁନି ସରକାରୀ କର୍ମଚାରୀଙ୍କ ମାମଲା, ପୁଣି କାର୍ଯ୍ୟକାରୀ କରିବାକୁ ଉଠିଲା ଦାବି

ଭୁବନେଶ୍ବର: ସ୍ୟାଟ ଉଚ୍ଛେଦ ହେବା ପରେ ବହୁ ସରକାରୀ କର୍ମଚାରୀଙ୍କ ମାମଲା ବିଚାର ହୋଇ ନପାରି ପଡିରହିଛି । ହାଇକୋର୍ଟ ଉପରେ ବହୁ ମାମଲାର ଚାପ ରହୁଥିବାରୁ ଏସବୁ ମାମଲାର ତ୍ୱରିତ ବିଚାର ହୋଇପାରୁନି । ଯାହାକୁ ନେଇ କର୍ମଚାରୀମାନେ ପୁଣିଥରେ ସ୍ୟାଟର ପୁନଃସ୍ଥାପନା ପାଇଁ ଦାବି କରିଛନ୍ତି । ଅନ୍ୟ କିଛି ରାଜ୍ୟରେ ସ୍ୟାଟ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶାରେ ପୁଣି ଥରେ ଏହା କାର୍ଯ୍ୟକାରୀ କରିବାକୁ ଦାବି ଉଠିଛି । ପୂର୍ବରୁ ସ୍ୟାଟ ଉଚ୍ଛେଦ ବିରୋଧୀ ଆନ୍ଦୋଳନ ବେଳେ ବିଜେପି ସ୍ୟାଟ ସପକ୍ଷରେ ମତ ରଖୁଥିଲା । ଏବେ ବିଜେପି ସରକାର ଆସିଥିବାରୁ ପୁଣି ଥରେ ସ୍ୟାଟ କାର୍ଯ୍ୟକାରୀ ହେବା ନେଇ ସରକାରୀ କର୍ମଚାରୀ ଆଶା ରଖିଛନ୍ତି ।

ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ ବା ସ୍ୟାଟ ଉଚ୍ଛେଦ ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବଢି ଚାଲିଛି ସମସ୍ୟା । ବିଭିନ୍ନ ସମସ୍ୟାକୁ ନେଇ କର୍ମଚାରୀମାନେ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି । ହାଇକୋର୍ଟଙ୍କ ନିକଟରେ ଏଭଳି ବହୁ ମାମଲା ଜମା ହୋଇ ରହିଥିବାରୁ ତ୍ୱରିତ ବିଚାର ହୋଇପାରୁ ନଥିବା କହିଛନ୍ତି କର୍ମଚାରୀ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପୁଣିଥରେ ସ୍ୟାଟ ପୁନଃ ସ୍ଥାପନ କରିବା ପାଇଁ ଦାବି ଉଠାଇଛନ୍ତି । କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୟାଟ ଓ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ସ୍ୟାଟ ବ୍ୟବସ୍ଥା କରାଯାଇଥିଲା । ବହୁ ସରକାରୀ କର୍ମଚାରୀ ଲମ୍ବା ସମୟ ଧରି ଏହାଦ୍ୱାରା ଉପକୃତ ମଧ୍ୟ ହେଉଥିଲେ । କିନ୍ତୁ ଏହା ବନ୍ଦ ହେବା ପରେ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏପରିକି ସ୍ୟାଟ ଉଚ୍ଛେଦ ବେଳେ ହୋଇଥିବା ବିରୋଧ ଓ ଆନ୍ଦୋଳନକୁ ବିଜେପି ସମର୍ଥନ କରିବା ସହ ସ୍ୟାଟ ସପକ୍ଷରେ ମତ ରଖିଥିଲା । ତେଣୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍ୟାଟ ପୁନଃସ୍ଥାପିତ ଦାବି ଉଠିବା ସହ ନୂଆ ସରକାର ଏହାକୁ ପୂରଣ କରିବେ ବୋଲି କର୍ମଚାରୀ ସଂଘ ଆଶାବାଦୀ ହୋଇପଡିଛନ୍ତି ।

ସେପଟେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏବେ ବି କଟକରେ କ୍ୟାଟ ବେଞ୍ଚ କାର୍ଯ୍ୟକାରୀ ରହିଛି । କିନ୍ତୁ ସ୍ୟାଟ ଉଚ୍ଛେଦ ଫଳରେ ଓଡ଼ିଶାର ସରକାରୀ କର୍ମଚାରୀମାନେ ବହୁ ସମସ୍ୟାରେ ପଡୁଛନ୍ତି । ସେମାନଙ୍କ ମାମଲାଗୁଡିକର କେବେ ସମାଧାନ ହେବ ତାହା ଅନିଶ୍ଚିତତା ମଧ୍ୟକୁ ଚାଲିଯାଉଛି । ତେଣୁ ସ୍ୟାଟ ବ୍ୟବସ୍ଥାର ପୁନଃସ୍ଥାପିତ ପାଇଁ ଆଇନଜୀବୀ ମାନେ ମତ ରଖିଛନ୍ତି । ସ୍ୟାଟ ଉଚ୍ଛେଦ ନିଷ୍ପତ୍ତି ସମୟରେ ଆଇନଜୀବୀମାନେ ଜୋରଦାର ଆନ୍ଦୋଳନ ଚଳାଇଥିଲେ । ଏହି ଆନ୍ଦୋଳନ ଆଇନଜୀବୀଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ନିହିତ ଥିବା କୁହାଯାଇଛି । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ନେତାମାନେ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ତେଣୁ ଏବେ ବିଜେପି ସରକାରରେ ଥିବାରୁ ସ୍ୟାଟ ପୁଣି ଥରେ ଅବସ୍ଥାପିତ ହେବା ଆବଶ୍ୟକ ବୋଲି ଆଇନଜୀବୀ ମତ ରଖିଛନ୍ତି ।

ସ୍ୟାଟ ଉଠିବା ପରେ ସରକାରୀ ଚାକିରିରେ ନିଯୁକ୍ତିଠାରୁ ଚାକିରି ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ପେନସନ ଆଦି ବିଭିନ୍ନ ମାମଲା ହାଇକୋର୍ଟରେ ବିଚାର ହେଉଛି । ହାଇକୋର୍ଟଙ୍କ ଉପରେ ବିଭିନ୍ନ ପ୍ରକାର ମାମଲାର ଅତ୍ୟଧିକ ଚାପ ଯୋଗୁଁ ସରକାରୀ କର୍ମଚାରୀଙ୍କ ସମସ୍ୟା ସମ୍ପର୍କିତ ମାମଲାର ବିଚାର ବହୁ ବିଳମ୍ବିତ ହେଉଛି ।