ଚଳନ୍ତା ଗାଡ଼ିରେ ସିଲିଣ୍ଡର ବିସ୍ଫୋରଣ, ପୋଡି ପାଉଁଶ ହେଲା ଡ୍ରାଇଭର

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରର କଡମା ଥାନା ଅଞ୍ଚଳରେ ଅଘଟଣ । ଏକ କାରରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ସୂଚନା ମିଳିବା ମାତ୍ରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାରେ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଗଲା। ଚଳନ୍ତା କାରରେ ଘରୋଇ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ କାରରେ ବସିଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଗଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କୁ ବିଜୟା ହେରିଟେଜର ବାସିନ୍ଦା ସୁନୀଲ ଅଗ୍ରୱାଲ ବୋଲି ପରିଚୟ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିଆଁ ଏତେ ଭୟଙ୍କର ଥିଲା ଯେ କାର ଚଳାଉଥିବା ଯୁବକ ଜଣକ କାରରୁ ବାହାରି ପାରିଲେ ନାହିଁ। ଫଳରେ ଜୀବନ୍ତ ଦଗ୍ଧ ହୋଇଗଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।