ଛତିଶଗଡ଼ରେ ଲଖିମପୁର ଭଳି ଘଟଣା: ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ମାଡ଼ଗଲା କାର୍

1 min read

ରାୟପୁର: ଛତିଶଗଡ଼ ଜଶପୁରରେ ଲଖିମପୁର ଖେରି ଷ୍ଟାଇଲରେ ଦଳିଲା କାର୍। ସେଠି ଚାଷୀଙ୍କୁ ଦଳି ଥିଲେ, ଏଠି ମାଆ ଜଗତଜନନୀଙ୍କ ଭକ୍ତଙ୍କୁ ଦଳିଲେ। ଷ୍ଟାଇଲ ପୂରା ସମାନ। ପଛରୁ ଆସି ଦଳିଲା କାର୍। ମାଆ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ର ବେଳେ ଏମିତି ଘଟଣା ଘଟିଛି । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ମୃତକ ହେଲେ ଗୌରବ ଅଗ୍ରୱାଲ। ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ ।

ଏପଟେ ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ନିଆଁ ଲଗାଇ ଦେବା ସହ ଡ୍ରାଇଭରଙ୍କୁ ମାଡ଼ ମାରିଛନ୍ତି। ପୂରା ସହରକୁ ନିଜ କବଜାକୁ ନେଇ ଯାଇଛନ୍ତି ଆନ୍ଦୋଳନକାରୀ। ଏହାସହ ପଥଲଗାଁ ଥାନାରେ ବିକ୍ଷୋଭ ପ୍ରଦଶର୍ନ କରୁଛନ୍ତି।

ଦୁର୍ଘଟଣା ଘଟାଇ ଥିବା କାରରେ ଗଞ୍ଜେଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି। ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ଏହା ବହୁତ ଦୁଃଖଦ ଓ ହୃଦୟବିଦାରକ ଘଟଣା। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କିଛି ପୋଲିସ ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, କାହାରିଙ୍କୁ ଛଡ଼ାଯିବନି। ସମସ୍ତଙ୍କ ସହ ନ୍ୟାୟ ହେବ। ଭଗବାନ ମୃତକଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ଘଟଣାକୁ ନେଇ ବିଜେପି ବଘେଲ ସରକାରକୁ ଟାର୍ଗେଟ କରିବା ସହ ପ୍ରଶ୍ନ ଉଠାଇଛି। ବିଜେପି ନେତା ଅମିତ ମାଲବିୟା ଦୁଘର୍ଟଣାର ଭିଡିଓ ସେୟାର କରି ଲେଖିଛନ୍ତି, ଛତିଶଗଡ଼ ଜଶପୁରରେ ହିନ୍ଦୁମାନଙ୍କ ଶୋଭାଯାତ୍ରରେ ଦ୍ରୁତଗତିରେ ଗାଡ଼ି ଚଢାଇ ଦେଲେ। ହିନ୍ଦୁଙ୍କ ଉପରେ ସାମ୍ପ୍ରଦାୟିକ ଆରୋପ ଓ ଆକ୍ରମଣର ଏହା ଦ୍ୱିତୀୟ ଉଦାହରଣ। ହେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗାନ୍ଧି ଭାଇ-ଭଉଣୀଙ୍କୁ ଉତ୍ତର ପ୍ରଦେଶରେ ରାଜନୈତିକ ଫାଇଦା ଦେବା ପାଇଁ ସାହାଯ୍ୟ କରୁଛନ୍ତି।

Leave a Reply