କଂଗ୍ରେସକୁ ବାଦ ଦେଇ ମୋଦିଙ୍କ ବିରୋଧରେ ମେଣ୍ଟ ଚିନ୍ତା, ଶରଦଙ୍କ ଘରେ ମିଟିଂ

ନୂଆଦିଲ୍ଲୀ: ରାଜନୈତିକ ପଶାପାଲିରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର ନୂଆ ଗୋଟି ଚଲାଇଛନ୍ତି । ଏଥର ତାଙ୍କ ରଣନୀତିରେ କଂଗ୍ରେସର ସ୍ଥାନ ନାହିଁ । ମୋଦିଙ୍କୁ ଘେରିବା ପାଇଁ ପାୱାର ଯେଉଁ ରଣନୀତି ତିଆରି କରୁଛନ୍ତି ସେଥିରେ ସବୁ ବିରୋଧୀ ଦଳ ଅଛନ୍ତି କିନ୍ତୁ ନାହାନ୍ତି ରାହୁଲ କି ତାଙ୍କ କଂଗ୍ରେସ । ମଙ୍ଗଳବାର ଦିନ ମରାଠା ନେତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମୋଦିଙ୍କୁ ଘେରିବା ପାଇଁ ମିଟିଂ ହେବ । ମଙ୍ଗଳବାର ସଂଧ୍ୟା ୪ରେ ହେବାକୁ ଥିବା ବୈଠକରେ ଶରଦ ପାୱାର ଓ ୟଶବନ୍ତ ସିହ୍ନାଙ୍କ ବ୍ୟତିତ ଆଉ କିଛି ବିରୋଧୀ ଦଳ ନେତା ସାମିଲ ହେବେ । ବିଜେପି ଓ ମୋଦିଙ୍କଠାରୁ ମୋହଭଙ୍ଗ ହେବା ପରେ ସିହ୍ନା ୨୦୧୮ରେ ରାଷ୍ଟ୍ରମଂଚ ଗଠନ କରିଥିଲେ । ଏବେ ସିହ୍ନା ଟିଏମସି ଜାତୀୟ ଉପସଭାପତି ଅଛନ୍ତି । ଆସନ୍ତାକାଲି ହେବାକୁ ଥିବା ବୈଠକରେ ପାୱାର ରାଷ୍ଟ୍ରମଂଚ ନେତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବେ ବୋଲି ଶୁଣିବାକୁ ମିଳୁଛି ।

ପାୱାରଙ୍କ ଘରେ ବୈଠକର ଅର୍ଥ କ’ଣ ?
ରାଷ୍ଟ୍ରମଂଚ ରାଜନୈତିକ ମଂଚ ନୁହେଁ । ଏହାର ପ୍ରତିଷ୍ଠା କାଳରେ ସିହ୍ନା ସ୍ପଷ୍ଟ କରିଦେଇଥିଲେ । କିନ୍ତୁ ରାଜନୀତିକୁ ପାଖରୁ ଦେଖୁଥିବା ସମସ୍ତେ ଜାଣନ୍ତି ଯେ, ସବୁ ଅଣରାଜନୈତିକ ମଂଚ ପଛରେ ଗୋଟିଏ ବିଚାର ଥାଏ । ସେହି ବିଚାର ରାଜନୈତିକ ହୋଇ ପାରେ କିମ୍ବା ସାମାଜିକ । କିନ୍ତ ଅନ୍ତରେ ସେହି ବିଚାର ରାଜନୈତିକ ହିଁ ପାଲଟିଯାଏ । ଆନ୍ନା ଆନ୍ଦୋଳନକୁ ଉଦାହରଣ ଭାବେ ନିଆଯାଇପାରେ । ଏହି ଆନ୍ଦୋଳନ ଆରମ୍ଭରୁ କୁହାଯାଇଥିଲା ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ । କିନ୍ତୁ ଆନା ଆନ୍ଦୋଳନ ପରେ ଆପ୍ ଆନ୍ଦୋଳନରେ ବଦଳି ଯାଇଥିଲା ।

ସେହି ହିସାବରେ ରାଷ୍ଟ୍ରମଂଚ ଏବେ ଅଣରାଜନୈତିକ ହୋଇ ପାରେ. । କିନ୍ତୁ ଭବିଷ୍ୟତରେ ଏହାରି ମାଧ୍ୟମରେ ତୃତୀୟ ମେଣ୍ଟର ସମ୍ଭାବନା ଜନ୍ମ ନେଇପାରେ । କାରଣ ରାଷ୍ଟ୍ରମଂଚରେ ସରକାରଙ୍କ ବିରୋଧରେ ରାଜନୈତିକ ସମେତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ । ଶରଦ ପାୱାର ପ୍ରଥମ ଥର ପାଇଁ ରାଷ୍ଟ୍ରମଂଚରେ ସାମିଲ ହେବେ । ଏମିତିରେ ରାଷ୍ଟ୍ରମଂଚର ଗତିବିଧି ଆଗକୁ ଅଧିକ ମହତ୍ୱପୂର୍ଣ୍ଣ ହେବ । ରାଜନୈତିକ ଦୃଷ୍ଟିକୋଣରୁ କିଛି ଅଲଗା ପ୍ରସଙ୍ଗକୁ ମଧ୍ୟ ଏହା ସହ ଯୋଡିକରି ଦେଖା ଯାଉଛି । ନିକଟରେ ଶରଦ ପାୱାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଛି । ପଶ୍ଚିମ ବଙ୍ଗରେ ମମତାଙ୍କ ବିଜୟ ପଛରେ ପ୍ରଶାନ୍ତଙ୍କ ରଣନୀତି ଥିଲା । ଆଉ ଏବେ ମମତାଙ୍କ ଜାତୀୟ ମହତ୍ୱାକାଂକ୍ଷାକୁ ପ୍ରଶାନ୍ତ ବାସ୍ତବିକ ରୂପ ଦେବାକୁ ଚାହୁଁଛନ୍ତି । ପ୍ରଶାନ୍ତ ଯେଉଁଭଳି ଭାବେ ଅଣ କଂଗ୍ରେସ ଓ ମୋଦି ବିରୋଧୀ ନେତାଙ୍କୁ ଭେଟୁଛନ୍ତି ସେଥିରୁ ଏହା ସ୍ପଷ୍ଟ ଯେ, ସେ ଜାତୀୟ ସ୍ତରରେ ମୋଦି ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି । ଏମିତିରେ ପାୱାରଙ୍କ ଘରେ ରାଷ୍ଟ୍ରମଂଚ ବୈଠକ ହେବାର ରାଜନୈତିକ ଅର୍ଥ ବେସ ମହତ୍ୱପୂର୍ଣ୍ଣ ।

ରାଷ୍ଟ୍ରମଂଚକୁ ମମତାଙ୍କ ମୋହର ନଥିଲେ ଜଶୱନ୍ତ ସାମିଲ ହେଉ ନଥାନ୍ତେ । କାରଣ ଜଶୱନ୍ତ ଏବେ ଟିଏମସିର ରାଷ୍ଟ୍ରୀୟ ଉପସଭାପତି । ତେଣୁ ପରଦା ପଛରେ ମମତାଙ୍କ ଭାଷାରେ ଖେଲା ହେଉଛି କହିଲେ ଭୁଲ ହେବ ନାହିଁ । ଏହି ବୈଠକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦୀଗ ହେଉଛି ଯେ, ଏଥିରେ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ । ବିନା କଂଗ୍ରେସର ପ୍ରତିନିଧିଙ୍କ ଉପସ୍ଥିତିରେ ବିଜେପି ବିରୋଧୀ ନେତା ନିଜର ଆଗାମୀ ରଣନୀତି ତିଆରି କରିବେ । ମମତା ଓ ଶରଦ,ଏ ଦୁହେଁ ନିଜ ରାଜ୍ୟରେ ବଡ ରାଜନୈତିକ ଶକ୍ତି । ମମତାଙ୍କ ରାଜ୍ୟରେ କଂଗ୍ରେସ ଏକରକମ ମୁଳପୋଛ । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ ସରକାର ଗଠନ କରିବାକୁ ଏନସିପିର ଆଶାବାଡି ଧରିବାକୁ ବାଧ୍ୟ । ଦୁଇ ନେତା ଏକଦା କଂଗ୍ରେସର ଫାୟାର ବ୍ରାଣ୍ଡ୍ ନେତା ଥିଲେ । ମମତା ଯଦି ଷ୍ଟ୍ରିଟ୍ ଫାଇଟର ଥିଲେ ତେବେ ଶରଦ ପରଦା ପଛରେ ଗୋଟି ଚଳାଇବାରେ ମାହିର ।

ରାଷ୍ଟ୍ରୀୟ ରାଜନୀତିରେ ବିଜେପି ଯୁଗର ଅଭିଦ୍ୟୁୟ ପରେ କଂଗ୍ରେସ ସବୁ ମେଣ୍ଟର ନେତୃତ୍ୱ ପାଇଁ ନିଜକୁ ହକଦାର ଭାବେ । କିନ୍ତୁ ମମତା ଓ ଶରଦଙକ୍ ପରି ନେତା ଏହାକୁ ସାମୟିକ ଭାବେ ସ୍ୱୀକାର କରିଥିଲେ ମଧ୍ୟ ଅନ୍ତରର ସହିତ କେବେ ମଧ୍ୟ ସ୍ୱୀକାର କରି ନାହାନ୍ତି । ଦୁଇ ନେତା କଂଗ୍ରେସର ନୀତିକୁ ବିରୋଧର କରି ନିଜର ଆଂଚଳିକ ଦଳ ପ୍ରତିଷ୍ଠଆ କରିଥିଲେ । ଶରଦ,ସୋନିଆଙ୍କ ନାଗରିକତାକୁ ପ୍ରଶ୍ନ କରି ଦଳ ଛାଡିଥିଲେ ଓ ମମତା କଂଗ୍ରେସର ବାମପନ୍ଥୀଙ୍କ ବିରୋଧରେ ରାଜନୈତିକ ଲଢେଇର ତରିକାକୁ ବିରୋଧ କରି ଦଳ ଛାଡି ଥିଲେ । ଏବେ ଏ ଦୁହେଁ ମୁଳ ଦଳଠାରୁ ନିଜ ରାଜ୍ୟରେ ଅଧିକ ଶକ୍ତିଶାଳୀ ।

ଏମିତିରେ ସେମାନେ କୌଣସି ମଧ୍ୟ ରାଷ୍ଟ୍ରୀୟ ମେଣ୍ଟରେ କଂଗ୍ରେସର ନେତୃତ୍ୱକୁ ସ୍ୱୀକାର କରିବ ମୁଡରେ ନାହାନ୍ତି । ମମତାଙ୍କ ରାଷ୍ଟ୍ରୀୟ ମହତ୍ୱାକାଂକ୍ଷା କାହାକୁ ଅଛପା ନାହିଁ । ଶରଦ ମଧ୍ୟ ମନ ଭିତରେ ପ୍ରଧାନମନ୍ତ୍ରୀ ନହୋଇ ପାରିବାର କ୍ଷୋଭକୁ ଧରି ବୁଲୁଛନ୍ତି । ଏକଦା ତାଙ୍କ ଘୋର ବିରୋଧୀ ବାଲା ସାହେବ ଥାକ୍ରେ ବି ତାଙ୍କୁ ପ୍ରଧାନମନ୍ତ୍ରୀ ମେଟେରିଆଲ ବୋଲି କହିଥିଲେ । ଏବେ ଦୁଇ ଆଂଚଳିକ ନେତା ନେତା ନିଜ ରାଜନୈତିକ ମହାତ୍ୱାକାଂକ୍ଷା ପୁରା କରିବାକୁ କଂଗ୍ରେସକୁ ଛାଡି ଏକାଠି ଯଦି ହୁଅନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Leave a Reply