ବିଧାନସଭା ନିର୍ବାଚନ ହାରିବା ପରେ ମଧ୍ୟ କ’ଣ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ମମତା ? କ’ଣ କହୁଛି ସମ୍ବିଧାନ ଜାଣନ୍ତୁ

1 min read

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ଧରଣର ବିଜୟ ହାସଲ କରିଛି । ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ହୁଏତ ବିଜେପିକୁ ପରାସ୍ତ କରିଛି କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମରୁ ହାର ମାନିବାକୁ ପଡ଼ିଛି । ପଶ୍ଚିବଙ୍ଗର ସବୁଠାରୁ ହଟ୍‌ସିଟ୍‌କୁହାଯାଉଥିବା ନନ୍ଦିଗ୍ରାମକୁ ନେଇ ଯେଉଁଭଳି ଅନୁମାନ କରାଯାଉଥିଲା, ଫଳାଫଳ ମଧ୍ୟ ସେହିଭଳି ସାମ୍ନାକୁ ଆସିଲା । ଆରମ୍ଭରୁ ତ ଅନୁମାନ ଲଗାଇବା କଷ୍ଟ ହୋଇଗଲାଯେ, ନନ୍ଦିଗ୍ରାମରେ କିଏ ବାଜି ମାରିଛି? ଶୁଭେନ୍ଦୁ ଅଧିକାରୀ ନା ମମତା ବାନାର୍ଜୀ?

ନ୍ୟୁଜ୍‌ଏଜେନ୍ସି ANI ପ୍ରଥମେ ମମତା ବାନାର୍ଜୀ ଜିତିଥିବା ଦାବି କରିଥିଲା, କିନ୍ତୁ ରବିବାର ସଂନ୍ଧ୍ୟାରେ ମମତା ବାନାର୍ଜୀ ନନ୍ଦିଗ୍ରାମରେ ପରାଜୟକୁ ସ୍ୱୀକାର କଲେ ।

ଏହି ମଧ୍ୟରେ ତୃଣମୂଳ କଂଗ୍ରେସର ଗୋଟିଏ ଟୁଇଟ୍‌ ନନ୍ଦିଗ୍ରାମରେ ବିଜୟ ପରାଜୟକୁ ନେଇ ଅଧିକ ଭ୍ରମ ସୃଷ୍ଟି କଲା ଯେତେବେଳେ ପାର୍ଟି ପକ୍ଷରୁ କୁହାଗଲାଯେ, ଏବେ ମଧ୍ୟ ମତଗଣନା ଜାରି ରହିଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେ ଯଦି ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରି ସାରିଛନ୍ତି, ତଥାପି କ’ଣ ସେ ମୁଖ୍ୟମନ୍ତ୍ରୀ ଭାବରେ କ୍ଷମତାରେ ରହିବେ? ନିର୍ବାଚନ ବିଶ୍ଲେଷକଙ୍କ କହିବା ହେଉଛି, ସେ ନିଶ୍ଚିତ ଭାବରେ ପୁଣିଥରେ ପଶ୍ଚିମବଙ୍ଗରେ ଶାସନ କରିବେ ।

ଯଦି ଭାରତର ବଡ଼ ରାଜ୍ୟ ମାନଙ୍କ ବିଷୟରେ ଆଲୋଚନା କରିବା ତେବେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ଯୋଗୀ ଆଦିତ୍ୟନାଥ ଏବଂ ଉଦ୍ଧବ ଠାକରେ ସମସ୍ତେ ନିଜ ନିଜ ରାଜ୍ୟର ବିଧାନସଭା ପରିବର୍ତ୍ତେ ବିଧାନ ପରିଷଦର ସଦସ୍ୟ । ମୋଟାମୋଟି ଭାବରେ କହିପାରିବାଯେ, ମୁଖ୍ୟମନ୍ତ୍ରୀ ହେବାପାଇଁ ସେମାନେ ବିଧାନସଭା ନିର୍ବାଚନ ଜିତିନଥିଲେ । ଏମାନଙ୍କ ମଧ୍ୟରୁ ନିତୀଶ କୁମାର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ କି ବିହାରରେ ୩୬ ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନ ଲଢିଥିଲେ ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେବେ ମଧ୍ୟ ସାଧାରଣ ନିର୍ବାଚନ ଲଢି ନାହାଁନ୍ତି । କିନ୍ତୁ ମମତା ବାନାର୍ଜୀଙ୍କ କଥା ଅଲଗା । କାରଣ ପଶ୍ଚିବଙ୍ଗରେ ବିଧାନ ପରିଷଦ ନାହିଁ ।

ଧାରା ୧୬୪ ଅନୁସାରେ, ଯଦି କୌଣସି ବ୍ୟକ୍ତି ୬ ମାସ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ନ ରୁହନ୍ତି ତେବେ ଛଅମାସ ସମୟସୀମା ଶେଷ ହୋଇଯିବା ପରେ ମନ୍ତ୍ରୀ ହୋଇପାରିବେ ନାହିଁ । ଏହାର ଅର୍ଥ ମମତା ବାନାର୍ଜୀଙ୍କ ନିକଟରେ ବିଧାୟକ ହେବାପାଇଁ ଛଅମାସର ସମୟ ରହିଛି । ପଶ୍ଚିବଙ୍ଗରେ ବିଧାନ ପରିଷଦ ନଥିବାରୁ ଏଭଳି ସ୍ଥିତିରେ ମମତା ବାନାର୍ଜୀଙ୍କୁ ଛଅ ମାସ ମଧ୍ୟରେ କୌଣସି ଖାଲି ସିଟରୁ ନାମାଙ୍କନ ଦାଖଲ କରିବା ସହ ଉପନିର୍ବାଚନ ଜିତି ବିଧାୟକ ହେବାକୁ ପଡ଼ିବ ।

Leave a Reply