ଫୁଲବାଣୀରୁ ଛୁଆହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

ଫୁଲବାଣୀ: ଋକରଡ଼ା ରେଞ୍ଜ ଡେଙ୍ଗାଖମଣ ଗାଁ ନିକଟରୁ ଏକ ଛୁଆ ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ବୟସ ଆନୁମାନିକ ୩ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବୁଧବାର ସକାଳ ସମୟରେ ଡେଙ୍ଗା ଖମଣ ଗାଁ ନିକଟ ଜଙ୍ଗଲରେ ଛୁଆ ହାତୀର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଫୁଲବାଣୀ ବନଖଣ୍ଡ ହୋଇଥିବାରୁ ସ୍ଥାନୀୟ କରଡ଼ା ରେଞ୍ଜର ବିରଞ୍ଚି ପଣ୍ଡାଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ସେଠାରେ ପହଂଚି ଥିଲେ। କରଡ଼ା ରେଞ୍ଜରେ ଗତ କିଛି ଦିନ ହେଲା ଏକ ଛୁଆ ହାତୀ ଓ ତାର ମାଆ ସହ ବିଚରଣ କରୁଥିଲା  ।

କିନ୍ତୁ ଛୁଆ ହାତୀର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି କରଡ଼ା ରେଞ୍ଜର ବିରଞ୍ଚି ପଣ୍ଡା ସୂଚନା ଦେଇଛନ୍ତି। ଆଜି ଛୁଆ ହାତୀର ଶବ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ପରେ ଛୁଆ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।