ବଢ଼ୁଛି ଥଣ୍ଡା, ଜମୁଛି ଶୀତବସ୍ତ୍ର ବେପାର

ଭୁବନେଶ୍ବର: ଥରୁଛି ଟୁଇନସିଟି । ଧୀରେଧୀରେ ବଢୁଛି ଥଣ୍ଡା । ଶୀତକୁ ଦେଖି ଜମିଲାଣି ଶୀତବସ୍ତ୍ର ବଜାର । କିଛିଦିନ ଧରି ହାତବାନ୍ଧି ବସିଥିବା ବେପାରୀ କୋହଲା ପାଗକୁ ଦେଖି ବେଶ ଉତ୍ସାହିତ । କଟକର ରାସ୍ତାକଡ଼ ଓ ବିଭିନ୍ନ ଦୋକାନରେ ଏବେ ରଙ୍ଗବେରଙ୍ଗର ଶୀତବସ୍ତ୍ର ସାଙ୍ଗକୁ ଶାଲ ଓ ଜ୍ୟାକେଟର ପସରା ମେଲାଲେଣି ତିବତିଆନ ବ୍ୟବସାୟୀ ।

ଖସୁଛି ପାରଦ, ବଢୁଛି ଶୀତ । ଚଳିତବର୍ଷ ବିଳମ୍ବରେ ଆସିଛି ଶୀତ । ଟୁଇନ ସିଟିରେ ବି କୋହଲା ପାଗ ଦେଖିବାକୁ ମିଳିଛି । ଥଣ୍ଡା ବଢୁଥିବାରୁ ଗତ କିଛିଦିନ ଧରି ହାତ ବାନ୍ଧି ବସିଥିବା ଶୀତବସ୍ତ୍ର ବେପାରୀଙ୍କ ନିକଟରେ ଜମିଲାଣି ଭିଡ଼ । ଲୋକଙ୍କ ପସନ୍ଦକୁ ଦେଖି ବଜାରକୁ ଆସିଛି ଶୀତବସ୍ତ୍ରର ସମ୍ଭାର । ସବୁବର୍ଷ ପରି କଟକ ସହରରେ ଚଳିତ ବର୍ଷ ମଙ୍ଗଳାବାଗ କାଠଗୋଲା ନଦୀପଟ ଅଂଚଳରେ ପଡିଛି ତିବତୀଆନ ଶୀତବସ୍ତ୍ର ମାର୍କେଟ । ନେପାଳ, ତିବତରୁ ବ୍ୟବସାୟ ମାନେ ୩୦ବର୍ଷରୁ ଉର୍ଦ୍ଧ୍ବ ହେବ ନିଜର ବ୍ୟବସାୟ କରିବାକୁ କଟକ ସହରକୁ ଆସିଥାନ୍ତି । ଏବେ ଶୀତ ଆରମ୍ଭ ହୋଇଥିବାରୁ ଆଗକୁ ଭଲ ବେପାର ହେବ ବୋଲି ସହିଛନ୍ତି ବ୍ୟବସାୟୀ।

ଗ୍ରାହକଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ପ୍ରକାର ଶୀତବସ୍ତ୍ର ବଜାରକୁ ଆସିଛି । ବିଶେଷ କରି ଯୁବବର୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଗ୍ଲୋବସ, ଜ୍ୟାକେଟ, ସ୍ୱଟେର ଏବଂ ଛୋଟ ପିଲାଙ୍କପାଇଁ ଟୋପି, ଚପଲ, ଜୋତା ଆଦି ମାର୍କେଟରେ ମିଳୁଛି । କଟକର ରାସ୍ତାକଡ଼ ଓ ବିଭିନ୍ନ ଦୋକାନରେ ଏବେ ରଙ୍ଗବେରଙ୍ଗର ଶୀତବସ୍ତ୍ର ସାଙ୍ଗକୁ ଶାଲ ଓ ଜ୍ୟାକେଟର ପସରା ଦେଖିବାକୁ ମିଳିଛି ।