ବସ୍ ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ; ପ୍ରଧାନମନ୍ତ୍ରୀ ଓ ୨ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲାରେ ଭୟଙ୍କର ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଯାତ୍ରୀଙ୍କୁ ନେଇ ବସ୍ ଯାଉଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ ବସ୍‌ଟି ଇନ୍ଦୋରରୁ ପୁନେ ଯାଉଥିଲା। ବସଟି ଧାର ଜିଲ୍ଲାର ଖାଲଘାଟ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଚକା ସ୍ଲିପ କରାଯାଇଥିଲା। ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ବାଡ଼କୁ ଧକ୍କା ଦେଇ ସିଧା ନର୍ମଦା ନଦୀ ମଧ୍ୟକୁ ଖସି ପଡ଼ିଥିଲା।  ସକାଳ ୧୦ଟୁାରୁ ୧୦.୧୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।  ଏକାଧିକ ଡଙ୍ଗା ଦ୍ୱାରା ଉଦ୍ଧାରକାରୀ ଦଳ ବସ୍‌ ମଧ୍ୟରୁ ଲୋକଙ୍କୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏଯାଏ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାରଙ୍କ ମଧ୍ୟରେ କେହି ମଧ୍ୟ ଜୀବିତ ନଥିବା ଘଟଣାସ୍ଥଳରେ ଉପସ୍ଥିତ ଆମ୍ୱୁଲାନ୍ସ ଡ୍ରାଇଭରଙ୍କ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ବସରେ ୧୪ରୁ ୧୫ଜଣ ଯାତ୍ରୀ ଯାଉଥିଲେ ସେମାନଙ୍କ ମଧ୍ୟରୁ କାହାକୁ ବି ଉଦ୍ଧାର କରାଯାଇପାରିନଥିବା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୂଚିତ କରିଛନ୍ତି । ତେବେ ବସରେ ପ୍ରକୃତରେ କେତେ ଜଣ ଯାତ୍ରୀ ଯାଉଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିଜନଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ବସ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏଭଳି ଭାବେ ମୃତକଙ୍କ ପରିବାର ପିଛା ୧୬ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି ।

ଏଥିସହିତ ପଢ଼ନ୍ତୁ: ଅଳିଆ ଗାଡ଼ିରୁ ମିଳିଲା ମୋଦି ଓ ଯୋଗୀଙ୍କ ଫଟୋ; ବହିଷ୍କୃତ ହେଲେ ସଫେଇ କର୍ମଚାରୀ