ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀକୁ ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ: ବୁର୍ଲା ପୋଲିସ ଦ୍ବାରା ପେଶାଦାର ଅପରାଧୀକୁ ଏନକାଉଣ୍ଟର । ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ । ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ଗୁଳିରେ ଅଭିଯୁକ୍ତ କମଲୁ ପ୍ରଧାନ ଆହତ ହୋଇଛି । ତାର ଡାହଣ ଗୋଡରେ ଗୁଳି ବାଜିଛି । ବୁର୍ଲା ପୋଲିସ ତାକୁ ଧରିବାକୁ ଜଙ୍ଗଲକୁ ଯାଇଥିବାବେଳେ ପୋଲିସକୁ ପୁଣି ଆକ୍ରମଣ କରିଥିଲା କମଲୁ । ଫଳରେ ଜଙ୍ଗଲ ଭିତରେ ଏନକାଉଣ୍ଟର କରିଥିଲା ପୋଲିସ । ବୁର୍ଲା ଥାନା ଆ.କଟାପାଲି ଜଙ୍ଗଲରେ ଏନକାଣ୍ଟର କରାଯାଇଛି ।

ଅଭିଯୁକ୍ତର ପାଲଟା ଆକ୍ରମଣରେ ବୁର୍ଲା ପୋଲିସର ଏସଆଇ ଦେବାଶିଷ ଖିଲାରଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ଏକ ତାରିଖ ଦିନ କମଲୁର ଦାମ୍ପତ୍ଯ କନ୍ଦଳକୁ ସମାଧାନ କରିବାକୁ ଯାଇ ହଣା ଖାଇଥିଲେ କନଷ୍ଟେବଳ ସରୋଜ ଭୋଇ । ଏକ ଘରେ ଲୁଚି ରହଥିବାବେଳେ ସରୋଜ କମଲୁକୁ ଧରିବାକୁ ଗଲାବେଳେ କମଲୁ ଏକ ଧାରୁଆ ଅସ୍ତ୍ରରେ ସରୋଜଙ୍କୁ ଆକ୍ରମଣ କରି ଅତି ନିର୍ମମଭାବେ ପାପୁଲି କାଟିଦେଇଥିଲା । ଯେଉଁଥିରେ ସରୋଜଙ୍କ ଡାହାଣ ହାତର ତିନିଟି ଆଙ୍ଗୁଠି କଟିଯାଇଥିଲା । ତାପରଠାରୁ କମଲୁ ଫେରାର ଥିଲା ।