Budget 2022: ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଆସିବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

1 min read
Budget Session Of Parliament Begins Today

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ୍ ଆଜିଠୁ ଆରମ୍ଭ ହେବ । ପରମ୍ପରା ଅନୁସାର, ବଜେଟ୍ ଅଧିବେଶନ ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ । ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ ହଲରୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଂସଦରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୧-୨୨ ।

ସଂସଦରେ କେତେବେଳେ କଣ ?

ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

୧୦ଟା ୫୫ରେ ସଂସଦ ଭବନରେ ପହଞ୍ଚିବେ ରାଷ୍ଟ୍ରପତି

୧୧ଟାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭ

ରାଷ୍ଟ୍ରପତିଙ୍କ ଅଭିଭାଷଣ ସରିବାର ଅଧ ଘଣ୍ଟା ପରେ ଆରମ୍ଭ ହେବ ଲୋକସଭା ଗୃହକାର୍ଯ୍ୟ

ଲୋକସଭାରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ଦିନ ୨ଟା ୩୦ରେ ଆରମ୍ଭ ହେବ ରାଜ୍ୟସଭା ଗୃହକାର୍ଯ୍ୟ

ରାଜ୍ୟସଭାରେ ଉପସ୍ଥାପିତ ହେବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

Budget Session Of Parliament Begins Today Economic Survey Report
File PIC

ଆର୍ଥିକ ସର୍ଭେ କଣ ?

ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଗତ ବର୍ଷକ ମଧ୍ୟରେ ଦେଶର ଅର୍ଥନୀତିର ସମସ୍ତ ତଥ୍ୟ ଥାଏ । ଆଉ ଆର୍ଥିକ ସର୍ଭେ ରିପୋର୍ଟରେ ଦେଶର ଜିଡିପି ଆକଳନ କରାଯାଏ । ଗତବର୍ଷ ମଧ୍ୟରେ ହୋଇଥିବା ବିକାଶର ମଧ୍ୟ ସମୀକ୍ଷା କରାଯାଏ । ଏହାଛଡ଼ା ଆଗାମୀ ଦିନ ପାଇଁ ଆର୍ଥିକ ସର୍ଭେରେ ରହିଥାଏ ପରାମର୍ଶ ।

କାଲି ଆସିବ ବଜେଟ୍

ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ୍ ଫେବ୍ରୁଆରୀ ୧ ତାରିଖରେ ଆସିବ କେନ୍ଦ୍ରୀୟ ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ସେହିଦିନ ରାଜ୍ୟସଭା କାର୍ଯ୍ୟ ବଜେଟ୍ ଅଭିଭାଷଣ ସରିବାର ୧ ଘଣ୍ଟା ପରେ ଆରମ୍ଭ ହେବ । କରୋନା କଟକଣା ଭିତରେ ସାଂସଦଙ୍କ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟ୍ ଅଧିବେଶନରେ ମୋଟ ୨୮ଟି ବୈଠକ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ବୈଠକ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ବୈଠକ ହେବ ।

ସରଗରମ ହେବ ସଂସଦ

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ସରକରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପେଗାସସ୍ ଭଳି ପ୍ରସଙ୍ଗ ରହିଛି । ଏହାଛଡ଼ା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କରୋନା ପ୍ରଭାବିତ ପରିବାର ଲାଗି ପ୍ୟାକେଜ୍, ଦରବୃଦ୍ଧି, ବେରୋଜଗାରୀ, କୃଷକଙ୍କ ପ୍ରସଙ୍ଗ, ସୀମାରେ ଚୀନ ସହ ଗତିରୋଧ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।

Leave a Reply