ବଜେଟ ଅଧିବେଶନରେ ଅକଳରେ ପଡିପାରନ୍ତି ରାଜ୍ୟ ସରକାର
1 min readନନ୍ଦିଘୋଷ ବ୍ୟୁରୋ: ସାତ ମାସର ସରକାରରେ କାମ ଘର ଶୂନ । ତେଣୁ ବିଧାନସଭାର ବଜେଟ ଅଧିବେଶନ ଶାସକ ଦଳକୁ ବେଶ ଅଡ଼ୁଆରେ ପକାଇବ ବୋଲି ଆକଳନ କରାଯାଉଛି । ଫେବୃଆରୀ ୧୩ରୁ ଆରମ୍ଭ ହେଉଥିବା ବିଧାନସଭାରେ ଏଥର ୨୮ଟି କାର୍ଯ୍ୟଦିବସ ରହିଛି । ଲମ୍ବା ସମୟର ଅଧିବେଶନରେ ପରସ୍ପରକୁ ମୁକାବିଲା କରିବା ପାଇଁ ଶାସକ ଓ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇ ବିରୋଧୀ ଘେରିବା ଚକ୍କରରେ ଥିବାବେଳେ ଶାସକ ଦଳ କିପରି ମୁକାବିଲା କରିବ ତାହାକୁ ନେଇ ଉଠିଛି ପ୍ରଶ୍ନ l ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଶାସକ ଦଳ ବାଚସ୍ପତିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି l
ହୋହଲ୍ଲା, ହଙ୍ଗାମା, କକ୍ଷତ୍ଯାଗ। ନାରାବାଜି, ଧାରଣା, ଆରୋପ ପ୍ରତ୍ଯାରୋପ । ପୁଣି ସରଗରମ ହେବ ବିଧାନସଭା । ବଜେଟ ଅଧିବେଶନରେ ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ପୂର୍ବରୁ ବୟାନ ଝଡ଼ । ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ପରସ୍ପରକୁ ଘେରିବାକୁ ତୟାର ବିରୋଧୀ ଓ ଶାସକ ଦଳ । .ଫେବୃଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ l ଲମ୍ବା ସମୟର ବଜେଟ ଅଧିବେଶନ ଆରମ୍ଭ ପୁର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଶୃଙ୍ଖଳା ଛାଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ୭ମାସର ବିଜେପି ସରକାରଙ୍କର ଗୋଟିଏ ପରେ ଗୋଟିଏ ବିଫଳତା ସାମ୍ନାକୁ ଆସୁଥିବା ବେଳେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରୁଛନ୍ତି l ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନିର୍ବାଚନୀ ପ୍ରତିଶୃତି ପାଳନ ନକରିବା, ମଣ୍ଡି ଓ କଟନି ଛଟନି ସମସ୍ଯା, ପାନୀୟ ଜଳ ସମସ୍ଯା, ଚାଷୀ ସମସ୍ଯା ଉତ୍କଟ ରୂପ ଧାରଣ କରିଛି । ଦରଦାମକୁ ମୁଖ୍ୟ ପ୍ରସଂଗ କରି ବିଜେଡି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇ ଶକ୍ତି ପ୍ରଦର୍ଶନ କରିସାରିଛି l ତେବେ ବିଜେପି ବିଧାୟକ ଅଶୋକ ମହାନ୍ତି ବାଚସ୍ପତିଙ୍କ ସପକ୍ଷରେ ଯୁକ୍ତି ବଢୁଥିବା ବେଳେ ବିଧାୟକ ପ୍ରକାଶ ସେଠୀ କହିଛନ୍ତି ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ଜବାବ ଦେବାକୁ ପ୍ରସ୍ତୁତ l ବରିଷ୍ଠ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି ଆମେ ସରକାରଙ୍କୁ ଲୋକଙ୍କ ସ୍ଵର ସାଜି ପ୍ରଶ୍ନ କରିବୁ l
ବଜେଟ ଅଧିବେଶନ ପାଇଁ ଖୁବଶୀଘ୍ର ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିବେ l ଶାସକ ଦଳକୁ ଗୃହରେ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ ବାଚସ୍ପତି ଯେତେ ନାଲିଆଖି ଓ ଧମକ ଦେଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଗୃହରେ ସରକାରଙ୍କୁ ବିଭିନ୍ନ ପ୍ରସଂଗରେ ଜବାବ ମାଗିବ l ଲୋକଙ୍କ ସମସ୍ୟାର ସମାଧାନର ବାଟ କାଢ଼ିବ l ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ବିରୋଧୀ ଦଳଙ୍କର କାମ ହେଲା ସରକାରଙ୍କୁ ପ୍ରଶ୍ନ ପଚାରିବl । ଆଉ ଖୁବଶୀଘ୍ର ବିଧାୟକ ଦଳ ବୈଠକ ବସି ଦଳ ରଣନୀତି ପ୍ରସ୍ତୁତ କରିବ l
ତେବେ ପ୍ରଶ୍ନ ଉଠୁଛି ବାଚସ୍ପତିଙ୍କ ଶୃଙ୍ଖଳା ଛାଟ କଣ ପାଇଁ ? ଅଧିବେଶନର ବହୁ ପୂର୍ବରୁ କାହିଁକି ବିରୋଧୀ ଦଳକୁ ସରକାର ଡରାଇବାକୁ ଚାହିଁଲେ ? ବାଚସ୍ପତିଙ୍କ ଶୃଙ୍ଖଳା ଛାଟ ପଛରେ ପ୍ରକୃତ ଉଦ୍ଦେଶ୍ଯ କଣ ? କାହିଁକି ବାଚସ୍ପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଛି ? ଯାହାର ଉତ୍ତର କେବଳ ବିଧାନସଭା ଆରମ୍ଭ ହେଲେ ମିଳିପାରିବ ।