ବିଏସକେୱାଇକୁ ବଦନାମ କରିବାକୁ ଚକ୍ରାନ୍ତ, ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଯାଇ ଅପପ୍ରଚାର କରୁଛନ୍ତି ବିଜେପି ସରକାର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଯାଇ ବିଜେପି ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିରୋଧରେ ଅପପ୍ରଚାରରେ ମାତିଛନ୍ତି । ସରକାର ବଦଳିବା ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ବଦଳିଯାଇଛି । ସମାନ୍ତରାଳ ଭାବେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସ୍ବାସ୍ଥ୍ୟ ସେବାକୁ ଆହୁରି ଲୋକଭିମୁଖୀ କରାଯିବ ବୋଲି ଡବଲ ଇଂଜିନ ସରକାର ଦାବି କରୁଥିଲେ ବି ରାଜ୍ୟର ସବୁ ଶ୍ରେଣୀର ଲୋକ ଏବେ ବିଏସକେୱାଇକୁ ଝୁରି ହେଉଛନ୍ତି । ସମ୍ପୁର୍ଣ୍ଣ ଭାବେ ଆସ୍ୟୁରାନ୍ସ ଭିତ୍ତିକ ନବୀନ ପଟ୍ଟନାୟକଙ୍କ ଏହି ଫ୍ଲାଗସିପ୍ ଯୋଜନା ଲୋକଙ୍କ ପାଇଁ ବରଦାନ ସାଜିଥିଲା ।

ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଝୁରୁଛନ୍ତି ଓଡିଶାବାସୀ । ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଯାଇଁ ବିଏସକେୱାଇକୁ ବଦନାମ କରାଯିବାକୁ ଚାଲିଛି ଚକ୍ରାନ୍ତ । ସାଧାରଣ ଲୋକଙ୍କ ମତ ବିଏସକେୱାଇର ସ୍ଥାନ ନେଇପାରିବନି ଆୟୁଷ୍ମାନ ଭାରତ । ସରକାର ବଦଳିବା ପରେ ବଦଳିଯାଇଛି ରାଜ୍ୟ ବିଜେପି ନେତାଙ୍କ ଆଭିମୁଖ୍ୟ । ସାଧାରଣ ଲୋକଙ୍କ କଲ୍ୟାଣ ଅପେକ୍ଷା କାଦୁଅଫିଙ୍ଗା ରାଜନୀତିରେ ମାତିଛନ୍ତି ନେତା ।

ଗରିବ ଗୁରୁବା ଲୋକଙ୍କୁ ସମ୍ପୁର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଏସକେୱାଇ ଲୋକଙ୍କ ପାଇଁ ସାଜିଥିଲା ବରଦାନ । ରାଜ୍ୟର ପ୍ରାୟ ୯୭ ଲକ୍ଷ ପରିବାର ଏହି ସୁବିଧା ପାଉଥିବା ବେଳେ ରାଜ୍ୟ ସରକାର ସରକାରୀ ହସ୍ପିଟାଲରେ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦେଉଥିଲେ । ଏହାଭିନ୍ନ ସରକାରୀ ସ୍ବୀକୃତିପ୍ରାପ୍ତ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ ହସ୍ପିଟାଲରେ ଚିକିତ୍ସା ବାବଦରେ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ୮୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲରେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ପାଉଛନ୍ତି । ୨୦୧୯ ଫେବୃଆରୀ ୧ ତାରିଖରେ ଯୋଜନା ଆରମ୍ଭ ହୋଇଥିବା ବେଳେ ୨୦୨୪ ଜୁନ ସୁଦ୍ଧା ରାଜ୍ୟ ସରକାର ୬୫୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦିନରୁ ଗାଁ ଗହଳିର ଗରିବ ଗୁରୁବାଙ୍କୁ ଚିକିତ୍ସା ପାଇଁ ଆଉ ଜମି କି ସୁନା ବନ୍ଧକ ରଖିବାକୁ ପଡୁନଥିଲା ।

ଆପୋଲୋ, ଟାଟା ମେମୋରିଆଲ ଭଳି ଦେଶର ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାରୁ ମଧ୍ୟ ଲୋକେ ମାଗଣା ଚିକିତ୍ସା ସୁବିଧା ପାଉଥିଲେ । ଗୋଟିଏ ବିଏସକେୱାଇ କାର୍ଡରେ ସବୁ ଚିକିତ୍ସା ହେଉଥିଲା ଆଉ ରୋଗୀଙ୍କୁ ବାରଦୁଆର ବୁଲିବାକୁ ପଡୁନଥିଲା । ବହୁ ଜଟିଳ ଓ ଦୁରାରୋଗରୁ ମଧ୍ୟ ଲୋକେ ସୁସ୍ଥ ହୋଇଛନ୍ତି । ଏହି ଯୋଜନାରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । ବିଏସକେୱାଇ ଆସ୍ୟୁରାନ୍ସ ଭିତ୍ତିକ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ଇନସ୍ୟୁରାନ୍ସ ଭିତ୍ତିକ । ତେଣୁ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲୋକେ କି ସୁବିଧା ପାଇବେ ସେନେଇ ସନ୍ଦିହାନ ଅଛନ୍ତି । ଏଥିସହ ବିଏସକେୱାଇର ମୋଡାଲିଟି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ଲୋକେ ଆହୁରି ଦ୍ବନ୍ଦ୍ବରେ ଅଛନ୍ତି ।

ସେହିଭଳି ରାଜ୍ୟର ଡବଲ ଇଂଜିନ ସରକାର ଆୟୁଷ୍ମାନ ଭାରତ ଲାଗୁ କରିବାକୁ ରାଜନୈତିକ ଉଦ୍ଦେଶ୍ୟରେ ବିଏସକେୱାଇ ବିରୋଧରେ ରାଜନୈତିକ ବୟାନବାଜି କରୁଛନ୍ତି । ସାଧାରଣ ଲୋକଙ୍କ ପାଇଁ ବରଦାନ ସାଜିଥିବା ଏହି ଯୋଜନାର ଏବେ ନାଁ ବଦଳାଯାଇଛି । ଆୟୁଷ୍ମାନ ଭାରତ ସହ ସମାନ୍ତରାଳ ଭାବେ ବିଏସକେୱାଇ କାର୍ଯ୍ୟକାରୀ କରିବାକୁ ଦାବି ହେଉଛି ।

ଆୟୁଷ୍ମାନ ଭାରତ ଲାଗୁ ହେଲେ କିଛି ଲୋକଙ୍କ କାର୍ଡ କଟିଯିବାର ଭୟ ରହିଛି । ତେଣୁ ସାଧାରଣରେ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ହସ୍ପିଟାଲକୁ ଗଲେ ପୂରୁଣା କାର୍ଡ ଆଉ କାମ କରିବ କି ନାହିଁ ବୋଲି ମଧ୍ୟ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ସରକାରକୁ ଆସିଲେ ବିଏସକେୱାଇ ବନ୍ଦ କରିବାକୁ ପ୍ରଚାର କରୁଥିଲେ । ଏବେ କିନ୍ତୁ ଯୋଜନାକୁ ବନ୍ଦ କରିବା ପରିବର୍ତ୍ତେ ନାଁ ବଦଳାଇ ନିଜେ ବାହାବା ନେବାକୁ ଉଦ୍ୟମ କରୁଛନ୍ତି ।