ମାତ୍ର ୪୫ ଦିନରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍

1 min read

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଆକସ୍ମିକ ଇସ୍ତଫା । ଦେଶରେ ଘନ ଅର୍ଥନୈତିକ ସଙ୍କଟ ଜାରି ରହିଥିବାବେଳେ ସମସ୍ୟାରେ ଛନ୍ଦି ହୋଇଥିବା ଟ୍ରସ୍ ଶେଷରେ ଇସ୍ତଫା ଦେଇଛନ୍ତି । ବ୍ରିଟେନ ଇତିହାସରେ ସବୁଠାରୁ କମ୍ ସମୟ ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ଟ୍ରସ୍ । ବିଭିନ୍ନ କାରଣରୁ ନିନ୍ଦିତ ବୋରିସ ଜନସନଙ୍କ ପରେ ଦାୟିତ୍ବ ନେଇଥିବା ଟ୍ରସ ମାତ୍ର ୪୫ ଦିନରେ ଇସ୍ତଫା ଦେଇଛନ୍ତି। ଶୁଳ୍କ ହ୍ରାସ ନିଷ୍ପତ୍ତି କାରଣରୁ ତାଙ୍କୁ ନିଜ ଦଳ କଞ୍ଜରଭେଟିଭ ପାର୍ଟିରୁ ଜୋରଦାର ସମାଲୋଚନା ମିଳିଥିଲା।

ସେ କହିଛନ୍ତି- ସାମ୍ପ୍ରତିକ ସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ସେ ଅକ୍ଷମ ପାଲଟିଛନ୍ତି। ଯେଉଁ ସମସ୍ୟାର ସୁଧାରିବା ଲାଗି ତାଙ୍କୁ ନିର୍ବାଚିତ କରାଯାଇଥିଲା ତାହା ପୂରଣ କରିବାରେ ସେ ବିଫଳ ହୋଇଛନ୍ତି । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବା ଯାଏ ସେ ଦାୟିତ୍ବରେ ରହିବେ । ସରକାରୀ ଦଳର ପ୍ରାୟ ଶହେ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୋ କନଫିଡେନ୍ସ ଲେଟର ଦାଖଲ କରିବା ସମ୍ଭାବନା ବି ଥିଲା । ଟ୍ରସକୁ ନିଜ ଦଳରେ ହିଁ ବିରୋଧ କରାଯାଉଥିବା ବେଳେ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନିଜ ଘନିଷ୍ଠ ବନ୍ଧୁ ତଥା ଅର୍ଥ ମନ୍ତ୍ରୀ କ୍ବାସି କ୍ବାରତେଙ୍ଗଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ ଲିଜ୍ । ଗତକାଲି ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ଇସ୍ତଫା ଦେଇଥିଲେ। ଧନୀ ଲୋକ ସମେତ ଅନ୍ୟାନ୍ୟ କ୍ଷେତ୍ରରୁ ପ୍ରାୟ ୪୫ ବିଲିୟନ ପାଉଣ୍ଡ ବା ୫୦ ବିଲିୟନ ଡଲାର ଆୟକର ହ୍ରାସ ପରେ ଦେଶରେ ଅର୍ଥନୈତିକ ସମସ୍ୟା ଘନୀଭୂତ ହୋଇଛି।