ଜାଲିଓ୍ବାନାବାଗ ହତ୍ୟାକାଣ୍ଡର ପ୍ରତିଶୋଧ, ହତ୍ୟା ଉଦ୍ୟମ କରି ଯୁବକ ଗିରଫ

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ହତ୍ୟା ଉଦ୍ୟମ । ଖ୍ରୀଷ୍ଟମାସରେ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଜଣେ ଶିଖ୍ ଯୁବକ ମହାରାଣୀଙ୍କ ପ୍ରସାଦରେ ପଶିଥିଲେ । ୧୯୧୯ ମସିହାରେ ଜାଲିଆନଓ୍ୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଯୁବକ ଜଣଙ୍କ ରାଣୀଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିଲେ । କିନ୍ତୁ ପୋଲିସ ଏହି ଯୁବକ ଜଣଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଛି । ବ୍ରିଟିଶ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଏହି ୧୯ ବର୍ଷିୟ ଯୁବକଙ୍କ ନାମ ହେଉଛି ଜସଓ୍ୱନ୍ତ ସିଂ ଛୋଲ ।

ଖ୍ରୀଷ୍ଟମାସ ଦିନ ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଭିଡିଓରେ ଅଭିଯୁକ୍ତ ଜଣଙ୍କ କହିଛନ୍ତି କି ମୁଁ ଯାହା କରିଛି ଏବଂ ଯାହା କରିବି ସେଥିପାଇଁ ମୁଁ ଦୁଃଖିତ । ମୁଁ ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିବି । ୧୯୧୯ ଜାଲିଆନାଓ୍ୱାଲା ବାଗ୍ ହତ୍ୟାକାଣ୍ଡରେ ଯେଉଁମାନେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପ୍ରତିଶୋଧରେ ମୁଁ ବ୍ରିଟେନ ରାଣୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବ ।

ଜସଓ୍ୱନ୍ତ ସିଂ କରିଥିବା ଭିଡିଓକୁ ସ୍କଟଲାଣ୍ଡ ୟାର୍ଡ ପୋଲିସ ଯାଞ୍ଚ କରୁଛି । ମହାରାଣୀ ଏଲିଜାବେଥଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଏକ ଭିନ୍ନ ଧରଣର ହୁଡି ଏବଂ ମାସ୍କ ପିନ୍ଧି ରାଜ ପ୍ରସାଦ ମଧ୍ୟରେ ପ୍ରବେଶ କରିଥିଲା ।  ସେ ରାଜପ୍ରସାଦ କାନ୍ଥ ଉପରକୁ ଚଢ଼ୁଥିବାର ସିସିଟିଭିରେ ଦେଖାଯାଇଥିଲା । ତାଙ୍କ ହାତରେ ଏକ ଧନୁ ତୀର ମଧ୍ୟ ଥିଲା । ମାନସିକ ସ୍ୱାସ୍ଥ୍ୟ ଅଧିନିୟମ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

୧୩ ଏପ୍ରିଲ ୧୯୧୯ରେ, ଜେନେରାଲ ଡାୟର ଅମୃତସରର ଜଲିଆନୱାଲା ବାଗରେ ରୋୱାଲାଟ ଆକ୍ଟ ବିରୋଧରେ ସଭା କରୁଥିବା ହଜାର ହଜାର ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଯେଉଁମାନଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ଅନ୍ତର୍ଭୁକ୍ତ ଥିଲେ । ୧୨ ଶହରୁ ଅଧିକ ଲୋକ ମଧ୍ୟ ଆହତ ହୋଇଥିଲେ। ଶହ ଶହ ମହିଳା, ବୃଦ୍ଧ ଏବଂ ଶିଶୁ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେଠାରେ ନିର୍ମିତ ଏକ କୂଅକୁ ଡେଇଁପଡିଥିଲେ ଯେଉଁଥିରେ ସେମାନେ ମଧ୍ୟ ମୃତ୍ୟୁ ବରଣ କରିଥିଲେ।

Leave a Reply