ଦୁଇ ମିନିଟ୍ ନୀରବ ବ୍ରିଟେନ, ୧୨୫ ସହରରେ ମହାରାଣୀଙ୍କ ଅନ୍ତିମ ଯାତ୍ରାର ସିଧାପ୍ରସାରଣ

ଲଣ୍ଡନ: ଆଜି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଲଣ୍ଡନର ଓ୍ବେଷ୍ଟ ମିନିଷ୍ଟରରେ ଭାରତୀୟ ସମୟ ଅପରାହ୍ନ ସାଢେ ୩ଟାରେ ରାଜକୀୟ ଅନ୍ତିମ ସଂସ୍କାର ହୋଇଛି । ଲଣ୍ଡନର ଓ୍ବେଷ୍ଟ ମିନିଷ୍ଟର ହଲରେ ସକାଳୁ ବହୁ ରାଷ୍ଟ୍ରନେତା ପହଞ୍ଚି ମହାରାଣୀଙ୍କ ଶେଷ ଦର୍ଶନ କରିଛନ୍ତି । ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହାରାଣୀଙ୍କୁ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ମହାରାଣୀଙ୍କ ମହାଯାତ୍ରାରେ ପ୍ରିନ୍ସ ଉଇଲିୟମ, ତାଙ୍କ ସ୍ତ୍ରୀ କାଥେରିନ୍, ପ୍ରିନ୍ସ ଜର୍ଜ, ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ରାଣୀଙ୍କ କଫିନ ଯାତ୍ରାରେ ଓ୍ବେଷ୍ଟମିନିଷ୍ଟର ଆବେ ପର୍ଯ୍ୟନ୍ତ ଯାଇଛନ୍ତି । ମହାରାଣୀଙ୍କ ମହାଯାତ୍ରାରେ ରାଜ ପରିବାର ସଦସ୍ୟ ଏକ ସ୍ବତନ୍ତ୍ର କଳା ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି ।

ସକାଳୁ ଶେଷଦର୍ଶନ ପରେ ରାଣୀଙ୍କ ପାର୍ଥିବ ଶରୀରକୁ ଘୋଡା ଗାଡ଼ିରେ ଓ୍ବିଣ୍ଡସରରେ ଥିବା ପ୍ରିନ୍ସ ଫିଲିପଙ୍କ କବର ନିକଟକୁ ନିଆଯାଇଥିଲା । ଶେଷକୃତ୍ୟରେ ପ୍ରାୟ ୫ଶହ ବିଦେଶୀ ଅତିଥି ସାମିଲ ହୋଇଥିଲେ । ଭାରତ ସମେତ ଆମେରିକା, ବେଲଜିୟମ, ସ୍ପେନ୍, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଆଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହୋଇଛନ୍ତି । ତେବେ ସିରିଆ, ଭେନେଜୁଏଲା, ମିଆଁମାର, ଆଫଗାନିସ୍ତାନ, ଋଷ ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନି ।

 

ରାଜ ପରିବାର ସଦସ୍ୟଙ୍କ ସମେତ ୨ହଜାରରୁ ଅଧିକ ଲୋକଙ୍କ ଗହଣରେ ରାଣୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଶେଷକୃତ୍ୟ ପାଇଁ ସାରା ବ୍ରିଟେନରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଛି  । ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ ଛୁଟି ଘୋଷଣା କରିଛନ୍ତି । ସେହିପରି ସିନେମା ହଲ୍, ସ୍କୁଲ, ସୁପରମାର୍କେଟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ବିଭିନ୍ନ ସହରରେ ୧୨୫ଟି ସ୍କ୍ରିନରେ ଅନ୍ତିମଯାତ୍ରାର ଲାଇଭ ଟେଲିକାଷ୍ଟ କରାଯାଇଛି ।