ପ୍ରେମିକା ବାହାଘର ଦିନକୁ ଆଗରୁ ଭାଇକୁ ପିଟି ପିଟି ହତ୍ୟା କଲା ପ୍ରେମିକ !

ଭୁବନେଶ୍ବର: ଆଜି ମଙ୍ଗନ, ଆସନ୍ତା କାଲି ଥିଲା ଭଉଣୀ ବାହାଘର । ହେଲେ ମିଳିଲା ଭାଇର ମୃତଦେହ । ରାଜଧାନୀ ଉପକଣ୍ଠରେ ସଂଘଟିତ ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି ।  ରାତି ଅଧରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ହୋଇଛି ଅଭିଯୋଗ । ମୃତ ଯୁବକ ହେଲେ ଶିଶିଲୋ ଗାଁର ଆଶିଷ ଓଝା ।  ଆଶିଷଙ୍କ ଭଉଣୀଙ୍କୁ ରାଜା ନାମକ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲା । ଯାହାକୁ ନେଇ ଆଶିଷ ଓ ତାଙ୍କ ପରିବାର ବିରୋଧ କରିଥିଲେ ।  ଏବେ ଭଉଣୀର ବାହାଘର ଠିକ ହୋଇଯିବାରୁ ଆଶିଷକୁ ରାଜା ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଜଧାନୀ ଉପକଣ୍ଠରେ ପୁଣି ଗଡ଼ିଛି ଏକ ମୁଣ୍ଡ ।  ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ ପରେ ଆଶିଷଙ୍କୁ ହତ୍ୟା ସନ୍ଦେହ । ମୃତଦେହ ବିଲରେ ଫିଙ୍ଗି ଦେଇ ଅଭିଯୁକ୍ତ ଫେରାର ।  ସକାଳୁ ଶୌଚ ପାଇଁ ଧନୁଆଁ ନଦୀକୁ ଗ୍ରାମବାସୀ ଯାଉଥିବା ବେଳେ ମୃତଦେହ ଦେଖିଥିଲେ । ଆଶିଷ ଗତକାଲି ରାତିରୁ ନିଖୋଜ ଥିବା ବେଳେ ଖୋଜା ଖୋଜି କରୁଥିଲେ ପରିବାର ।

ଆଶିଷଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅଙ୍କ ବାହାଘର ଠିକ ହୋଇଥିଲା । ରାଜା ନାମକ ଜଣେ ଯୁବକ ତାଙ୍କ ଝିଅକୁ ଫୋନ ଯୋଗେ ହଇରାଣ ହରକତ କରୁଥିଲା । ହତ୍ୟା ପଛରେ ତାର ହାତ ଥିବା ସନ୍ଦେହ ହେଉଛି । ଗତକାଲି ଆଶିଷକୁ ଫୋନ କରି ଘରୁ ଡାକି ନେଇଥିଲେ । ତା’ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଆସନ୍ତାକାଲି ମୃତ ଆଶିଷଙ୍କ ଭଉଣୀ ବାହାଘର । ପରିବାରରେ ଥିଲା ଖୁସିର ମାହୋଲ । ହେଲେ ହସ ଖୁସିର ସଂସାରରେ ଛାଇଯାଇଛି କଳାବାଦଲ । ବାହାଘର ପୂର୍ବରୁ ଭାଇକୁ ହତ୍ୟା କରି ବିଲରେ ଫୋପାଡି ଦିଆଯାଇଛି ।  ପରିବାରର ଗୋଟେ ବୋଲି ପୁଅକୁ ହରାଇ ହତବାକ ପରିବାର ।  ଗାଁ ଦାଣ୍ଡ କାନ୍ଦ ବୋବାଳିରେ ଫାଟି ପଡୁଛି । ବାପାଙ୍କ ଅଭିଯୋଗ ଆଧାରରେ  ରାଜା ନାମକ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପେଟ ପୋଲିସ ଓ ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛନ୍ତି । ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ ସ୍ପଷ୍ଟ କରିବା ସହ 302ରେ ମାମଲା ରୁଜୁ କରିଛି । ହତ୍ୟାକାଣ୍ଡ ପଛରେ ଏକାଧିକ ଯୁବକଙ୍କ ହାତ ଥିବା ସନ୍ଦେହ ।