କନ୍ଧମାଳରେ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

ଫୁଲବାଣୀ: କନ୍ଧମାଳରେ ଚାଞ୍ଚଲ୍ଯ । ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା । କେ.ନୂଆଗାଁ ଥାନା କୁଡ଼ୁତୁଲିରେ ଘଟିଛି ଅଭାବନୀୟ ଘଟଣା । ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ପୁରୁଷ ବନ୍ଧୁ । ମୃତକ ଭୁବନେଶ୍ବର ଉପକଣ୍ଠ ବନମାଳିପୁରର ଜଗନ୍ନାଥ ବେହେରା ।

ପୋଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ଏନଏମ ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏଏନଏମ ଜଣଙ୍କ ବିବାହିତା । ଗତ ୫ ବର୍ଷ ହେବ ଜଗନ୍ନାଥ ଓ ଏଏନଏମଙ୍କ ମଧ୍ଯରେ ସମ୍ପର୍କ ରହିଥିଲା । ଗତକାଲି ଜଗନ୍ନାଥ ଏଏନଏମଙ୍କ କ୍ବାର୍ଟର୍ସକୁ ଆସିଥିଲେ । ରାତିରେ ଉଭୟଙ୍କ ମଧ୍ଯରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା ।

ଜଗନ୍ନାଥ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଏଏନଏମ ଜଣଙ୍କ ଗାଁ ଲୋକଙ୍କୁ ଡାକିଥିଲେ । ଏହି ସମୟରେ କ୍ୱାର୍ଟର୍ସ ଭିତରେ ଓଢ଼ଣୀ ଲଗାଇ ପୁରୁଷବନ୍ଧୁ ଆତ୍ମହତ୍ୟା କରିଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।