ପିଲାର ଶବ ବ୍ୟବଚ୍ଛେଦ ବେଳେ ବିବାଦ, ଦୁଇ ଜଣେ କଲେ ବାପା ବୋଲି ଦାବି

1 min read

ସୋର: ପୋଖରୀରେ ବୁଡ଼ି ଚାଲିଗଲା ବାଳକର ଜୀବନ । ଶବ ବ୍ୟବଚ୍ଛେଦ ବେଳେ ପିଲାର ବାପାକୁ ନେଇ ଉଠିଲା ବିବାଦ । କାରଣ ମୃତ ବାଳକର ମାଆ ଜଣେ ବ୍ୟକ୍ତି ବାପା ବୋଲି ପରିଚୟ ଦେଇଥିବା ବେଳେ ଆଉ ଜଣେ ବ୍ୟକ୍ତି ପହଞ୍ଚି ମୃତ ବାଳକ ତାଙ୍କ ପୁଅ ବୋଲି ଦାବି କରିଛନ୍ତି । ପିଲାର ଦୁଇ ବାପାଙ୍କୁ ନେଇ ବିବାଦ ଦେଖା ଦେଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ବାଲେଶ୍ବର ଜିଲ୍ଲା ଧାମରା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ଖବର ଅନୁସାରେ, ଧାମରା ଅଂଚଳର ସଞ୍ଜୀବ କୁମାର ବିଶ୍ୱାଳଙ୍କ ପୁଅ ସୌମ୍ୟରଞ୍ଜନ ବିଶ୍ୱାଳ ଟିଉସନରୁ ଫେରି ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଏହି ସମୟରେ ସେ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସୋର ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ପୋଖରୀରୁ ଉଦ୍ଧାର କରି ପିଲାଟିକୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ସୋର ପୋଲିସ ଡାକ୍ତରଖନାରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ମାମଲା ରୁଜୁ କରିଥିଲା । ଏହି ସମୟରେ ପୋଲିସ ମୃତ ପୁଅର ମାଆଠାରୁ ବାପାର ନାଁ ସଞ୍ଜୀବ ବିଶ୍ୱାଳ ଲେଖିଥିଲେ । ମାତ୍ର ସନ୍ଧ୍ୟାରେ ଧାମରା ଅଞ୍ଚଳର ବିନ୍ଦୁସାଗର ଦାସ ନାମର ଜଣେ ବ୍ୟକ୍ତି ହଠାତ ଥାନାରେ ପହଁଚି ମୃତ ପୁଅ ତାଙ୍କର ବୋଲି ଦାବି କରିଥିଲେ । ସେ କହିଥିଲେ ତାଙ୍କ ସ୍ତ୍ରୀ ୪ ବର୍ଷ ତଳେ ପରକୀୟ ପ୍ରୀତିରେ ଧାମରା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରି ପଳାଇ ଯାଇଥିଲେ । ଯିବା ବେଳେ ସାଙ୍ଗରେ ପୁଅକୁ ମଧ୍ୟ ନେଇ ଯାଇଥିଲେ । ଯିବା ପରେ ସମସ୍ତଙ୍କର ନାଁ ବଦଳାଇ ଦେଇଥିଲେ ।

ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ପରେ ଆଇନ ଗତ କାଗଜପତ୍ର ଯାଞ୍ଚ କରି ପ୍ରକୃତ ବାପା ବିନ୍ଦୁସାଗର ଦାସଙ୍କୁ ପୁଅର ମୃତଦେହଙ୍କୁ ହସ୍ତାନ୍ତର କରିଛି l