ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

Both Houses Of Parliament Sine Die Before Scheduled Date

ନୂଆଦିଲ୍ଲୀ: ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ । ଆଜି ଗୃହ କାର୍ଯ୍ୟ ଆରମ୍ଭ ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସାଇନ୍ ଡାଏ ଘୋଷଣା କରାଯାଇଛି । ନିଲମ୍ବିତ ୧୨ ସାଂସଦଙ୍କୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । ହଙ୍ଗାମା ଜାରି ରହିଥିବାରୁ ଉଭୟ ଗୃହକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଚଳିତ ଅଧିବେଶନରେ ପାସ୍‌ ହୋଇଛି ମାତ୍ର ୧୦ଟି ବିଲ୍‌ ।

 Both Houses Of Parliament Sine Die Before Scheduled Date

ହୋ ହଲ୍ଲା, ବିରୋଧ, ପ୍ରତିବାଦ ଭିତରେ ଶେଷ ହେଲା ସଂସଦର ଶୀତ ଅଧିବେଶନ । ମାତ୍ର ୪୮ ଘଣ୍ଟାର ଆଲୋଚନାରେ ପାରିତ ହୋଇଛି ୧୦ଟି ବିଲ୍ । ସମୟ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ ହେବା ପରେ ଆଞ୍ଚଳିକ ଦଳ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ନିଜ ରାଜ୍ୟର ସ୍ୱାର୍ଥକୁ ନେଇ ଦାବି ରଖିବା ପୂର୍ବରୁ ଗୃହ କାର୍ଯ୍ୟ ଶେଷ ହୋଇଛି । ଏଥର ଗୃହରେ ବିଜେଡି ସାଂସଦ ମାନେ ଅନେକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ବିରୋଧୀଙ୍କ ହୋ ହଲ୍ଲା, ଗୃହ ଚଳାଇବାରେ କେନ୍ଦ୍ରର ଅକ୍ଷମତା ଓଡ଼ିଶା ଭଳି ଅନେକ ରାଜ୍ୟକୁ ଅସନ୍ତୁଷ୍ଟ କରିଛି । ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପାଇଁ ଏଥର ବିଜେଡି ସାଂସଦ ମାନେ ବିଭାଗୀୟ ମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ । ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ହେଉକି ପିଏମଆୱାସ ସବୁ ଦାବି ନେଇ ମନ୍ତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭେଟିଥିଲେ ବିଜେଡି ସାଂସଦ । ଗ୍ରାମ୍ୟ ଉନ୍ନୟନ ଏବଂ ରେଳ ଅନୁଦାନ ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଦସ୍ୟ ।

ଶୀତକାଳୀନ ଅଧିବେଶନରେ ଦୁଇଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ୧୨ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଏବଂ ୟୁପି ଲଖିମପୁର ପ୍ରସଙ୍ଗରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି ପୂରା ଶୀତ ଅଧିବେସନର ଗୁରୁତ୍ୱପୂର୍ଣ୍ଣ ସମୟକୁ ନଷ୍ଟ କରି ଦେଇଥିଲା । ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ ଏବଂ ନିର୍ବାଚନ ସଂଶୋଧନ ବିଧେୟକକୁ ନେଇ ଆଲୋଚନା ବେଳେ ସାଂସଦଙ୍କ ବ୍ୟବହାର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ଗତକାଲି ମଧ୍ୟ ଟିଏମସି ସାଂସଦ ଡେରେକ ଓବ୍ରିଏନଙ୍କୁ ନିଲମ୍ବନ କରାଯାଇଥିଲା । ଦର ବୃଦ୍ଧି, ଏମଏସପି, ପାଣିପାଗ ପରିବର୍ତ୍ତନ ନେଇ ସଂସଦରେ ବିରୋଧୀ ଆଲୋଚନା ପାଇଁ ଚାହୁଁଥିଲେ । ହେଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନଥିଲେ । ଯାହାକୁ ନେଇ ପ୍ରତିଦିନ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଦେଶରେ ଓମିକ୍ରନ ସଂକଟ ଘନଉଥିବା ବେଳେ ସଂସଦରେ ଏନେଇ କୌଣସି ଆଲୋଚନା ନହେବାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି  ।

Leave a Reply