ରିଷିଙ୍କ ରାସ୍ତାରେ କଣ୍ଟା ବୋରିସ୍‌, ସମର୍ଥନ ନ କରିବାକୁ ଅପିଲ୍‌

ଲଣ୍ଡନ: ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ଦ୍ବିତୀୟ ରାଉଣ୍ଡ ଗଣତି ସୁଦ୍ଧା ରିଷି ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ଅଛନ୍ତି  । ତଥାପି ପିଏମ ରେସ ତାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରିଷିଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି  ।

ରିଷିଙ୍କୁ ଛାଡି ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛନ୍ତି ବୋରିସ  । କୌଣସି ପରିସ୍ଥିତିରେ ବି ରିଷିଙ୍କୁ ସମର୍ଥନ ନ କରିବାକୁ ସେ ଅନ୍ୟ ପ୍ରତିଦ୍ବନ୍ଦୀଙ୍କୁ ଉସୁକାଉଛନ୍ତି  । ଶାସନ ଗାଦିରୁ ହଟିବା ପଛରେ ରିଷି ବଡ କାରଣ ବୋଲି ମାନୁଛନ୍ତି ଜନସନ  ।

ତାଙ୍କ ଇସ୍ତଫା ପରେ ବ୍ରିଟେନର ଆଗାମୀ ପିଏମ ରେସରେ ଭାରତୀୟ ବଂଶୋଦ୍ଭବ ରିଷିଙ୍କ ନାଁ ଚର୍ଚ୍ଚାରେ ଥିଲା  । ଏଲିମିନେଶନ ରାଉଣ୍ଡରେ କଂଜରଭେଟିଭ ପାର୍ଟିର ୮୮ ସାଂସଦ ରିଷିଙ୍କୁ ସମର୍ଥନ ଦେଇଛନ୍ତି । ବ୍ରିଟେନର ଜନସନ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଉଥିଲେ ସୁନାକ  ।

ଜନସନଙ୍କ ନିର୍ବାଚନ ପ୍ରଚାର କାଳରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଥିଲେ ରିଷି। ମିଡିଆରେ ସେ ଜନସନ ସରକାରର ଚେହେରା ଭାବରେ ପରିଚିତ ଥିଲେ । ଅନେକ ଥର ବୋରିସ ଜନସନଙ୍କ ବଦଳରେ ଋଷି ଟିଭି ଡିବେଟରେ ଭାଗ ନେଇଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ଲେବର ପାର୍ଟି ମଧ୍ୟ ପ୍ରଶ୍ନ ଉଠାଇଥିଲା । ଲେବର ପାର୍ଟିର ପ୍ରଶ୍ନ ଥିଲା ଯେ, ବ୍ରିଟେନର ଅସଲ ପ୍ରଧାନମନ୍ତ୍ରୀ କିଏ ? ବୋରିସ ନା ରିଷି ?