ମୁମ୍ବାଇରେ ୧୧ ସ୍ଥାନରେ ବୋମା… ରିଜର୍ଭ ବ୍ୟାଙ୍କକୁ ଆସିଲା ଧମକ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ଧମକ ପୂର୍ଣ୍ଣ ମେଲ ଆସିଛି । ଯେଉଁଥିରେ ଆରବିଆଇ କାର୍ଯ୍ୟାଳୟ ସମେତ ୧୧ ସ୍ଥାନକୁ ବୋମା ଲଗାଇ ଉଡାଇ ଦେବାକୁ ମେଲରେ ଧମକ ମିଳିଛି। ଏଥିରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମେଲରେ ଲେଖାଅଛି ଆମେ ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୧ ଟି ବୋମା ରଖିଛୁ । ବେସରକାରୀ ବ୍ୟାଙ୍କଗୁଡିକର ସହଯୋଗରେ ଆରବିଆଇ ଭାରତର ସବୁଠୁ ବଡ ଘୋଟାଲା କରିଛି । ଏହି ଘୋଟାଲାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କିଛି ବରିଷ୍ଠ ଅର୍ଥ ଅଧିକାରୀ ଏବଂ ଭାରତର କିଛି ପ୍ରସିଦ୍ଧ ମନ୍ତ୍ରୀ ସାମିଲ ଅଛନ୍ତି। ଏଥିପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି।ଆରବିଆଇ ନୁଆ କେନ୍ଦ୍ରୀୟ କାର୍ଯ୍ୟାଳୟ ଭବନ, ଏଚଟିଏଫସି ହାଉସ୍ ଚର୍ଚ୍ଚଗେଟ୍, ଆଇସିଆଇସିଆଇ ବ୍ୟାଙ୍କ ଟାୱାର୍ସ ବିକେସି ଭଳି ତିନୋଟି ସ୍ଥାନ ଉଲ୍ଲେଖ କରାଯାଇଛି ।  ଏହି ମେଲରେ ଆହୁରି ଲେଖା ଯାଇଛି  ଉଭୟ  ଆରବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ତୁରନ୍ତ ସେମାନଙ୍କ ପଦରୁ ଇସ୍ତଫା ଦେବା ସହ ଘୋଟାଲାର ଖୁଲାସା କରି  ଏକ ପ୍ରେସ ବିବୃତ୍ତି ଜାରି କରନ୍ତୁ।  ଏହା ମଧ୍ୟ ଦାବି କରାଯାଇଛି ଯେ,  ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଅନ୍ତୁ। ଯଦି ଅପରାହ୍ନ ୧.୩୦ ପୂର୍ବରୁ ଆମର ଦାବି ପୂରଣ ନହୁଏ, ତେବେ ସମସ୍ତ ୧୧ଟି ବୋମା ସିରିଏଲ ବ୍ଲାଷ୍ଟ ହେବ  ।   ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଆରବିଆଇ ବ୍ୟତୀତ ସମସ୍ତ ସ୍ଥାନରେ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା।