ସୈଫଙ୍କ ଆକ୍ରମଣକାରୀ ବାଂଲାଦେଶୀ ଜାତୀୟ କୁସ୍ତି ଖେଳାଳି
ମୁମ୍ବାଇ: ବଲିଉଡ଼ ଷ୍ଟାର ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶେହଜାଦକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଅଭିଯୁକ୍ତ ଶେହଜାଦ ବାଂଲାଦେଶର ଜଣେ କୁସ୍ତି ଖେଳାଳି । ବାଂଲାଦେଶର ଜାତୀୟ ସ୍ତରର କୁସ୍ତି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛି । କମ ଓଜନ ବର୍ଗରେ ସେ ଜିଲ୍ଲା ଓ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିଲା । ଜଣେ କୁସ୍ତି ଯୋଦ୍ଧା ହୋଇଥିବାରୁ ସୈଫଙ୍କୁ ଆକ୍ରମଣ କରିବାକୁ ସେ ସକ୍ଷମ ହୋଇଥିବା ପଚରାଉଚରା ବେଳେ ପୋଲିସକୁ କହିଛି ।
ଶେହଜାଦଙ୍କୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି, ସୈଫଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ୩ରୁ ୪ ଥର ଡ୍ରେସ୍ ଚେଞ୍ଜ କରିଥିଲା । ଘଟଣା ଭିଆଇବା ପରେ ଅଭିଯୁକ୍ତ ଏଣେ ତେଣେ ବୁଲୁଥିଲା । ପ୍ରଥମେ ସେ ବାନ୍ଦ୍ରା ଷ୍ଟେସନକୁ ଯାଇଥିଲା । ସେଠାରୁ ଦାଦର, ବର୍ଲି, ଆନ୍ଧେରୀ ଓ ପରେ ଠାଣେ ଯାଇଥିଲା । ଗତବର୍ଷ ଡିସେମ୍ବରରେ ଅଭିଯୁକ୍ତ ଶେହଜାଦ ମୁମ୍ବାଇ ଆସିଥିବା କ୍ରାଇମବ୍ରାଞ୍ଚ କହିଛି ।
ଏକାଧିକ ସେଲିବ୍ରିଟିଙ୍କ ଘରର କରିଥିଲା ରେକି
ପଚରାଉଚରାରୁ ଏହା ବି ଜଣାପଡ଼ିଛି ଯେ, ସୈଫଙ୍କ ଘରେ ପଶିବା ପୂର୍ବରୁ ଶେହଜାଦ ଏକାଧିକ ସେଲିବ୍ରିଟିଙ୍କ ଘରର ରେକି କରିଥିଲା । ରିକ୍ସା ଚାଳକଙ୍କ ପାଖରୁ ଅଭିଯୁକ୍ତ ସେଲିବ୍ରିଟିଙ୍କ ଘର ସମ୍ପର୍କରେ ସୂଚନା ଏକାଠି କରୁଥିଲା । ଶାହରୁଖ ଖାନ ଏବଂ ସୈଫଙ୍କ ବ୍ୟତୀତ ଏକାଧିକ ସେଲିବ୍ରିଟିଙ୍କ ଘରର ରେକି କରିଥିଲା ଅଭିଯୁକ୍ତ ।
ରବିବାର ସକାଳେ ଠାଣେ ସହରରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଠାଣେର ଏକ ଜଙ୍ଗଲୀ ଅଞ୍ଚଳରେ ଥିବା ଶ୍ରମିକଙ୍କ ଶିବିରରେ ଶେହଜାଦ ଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ତାକୁ ଧରିବାକୁ ପୋଲିସ ଯୋଜନା କରିଥିଲା । ପ୍ରାୟ ୭ ଘଣ୍ଟାର ଅଭିଯାନ ପରେ ଶେହଜାଦକୁ ଗିରଫ କରାଯାଇଥିଲା ।