ବୋକରୋ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା: ଟ୍ରାକରୁ ଖସି ଅଲଗା ଅଲଗା ହେଲା ମାଲବାହୀ ଟ୍ରେନ

ବୋକରୋ: ଝାଡଖଣ୍ଡ ବୋକରୋ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା। ଟ୍ରାକରୁ ଖସି ଅଲଗା ଅଲଗା ହେଲା ମାଲବାହୀ ଟ୍ରେନ ବଗି। ସୂଚନା ଅନୁଯାୟୀ, ବୋକରୋ ଷ୍ଟିଲ ପ୍ଲାଣ୍ଟରୁ କୋଇଲା ନେଇ ଯାଉଥିବା ବେଳେ ତୁପକାଡିହ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁଁ ଏହି ରୁଟର ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ମାଲବାହୀ ଟ୍ରେନଟି ଟ୍ରାକରୁ ଖସି ୨ ଭାଗ ହୋଇଯାଇଛି । ଏହାଦ୍ୱାରା ଟ୍ରାକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଏଆରଏମ ବିନୀତ କୁମାର କହିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ଟ୍ରାକ ଲାଇନ ସମ୍ପୂର୍ଣ୍ଣ ମରାମତି କରି ୧ ଘଣ୍ଟା ମଧ୍ୟରେ ଟ୍ରେନ ଚଳାଚଳ କରିବାକୁ ଚେଷ୍ଟା ଜାରି ରଖିଛୁ । ଏହି ଦୁର୍ଘଟଣା ପରେ  ବାରାଣାସୀରୁ ରାଞ୍ଚି ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଚନ୍ଦ୍ରପୁର ରେଳ ଷ୍ଟେସନରେ ମଧ୍ୟ ଅଟକାଇ ଦିଆଯାଇଛି। ଅନ୍ୟ ଟ୍ରେନ ଗୁଡିକର ଟାଇମ୍ ଚେଞ୍ଜ କରାଯାଇଛି ।