ଓଡ଼ିଶା ଫେରିଲା ଜାପାନରେ ପ୍ରାଣହରାଇଥିବା ୨ଯୁବକଙ୍କ ମୃତଦେହ

ଓଡ଼ିଶା ଆସିଲା ଜାପାନରେ ପ୍ରାଣ ହରାଇଥିବା ୨ ଯୁବକଙ୍କ ମୃତଦେହ । କୋଲକାତା ବିମାନବନ୍ଦରରେ ମୃତଦେହ ପହଞ୍ଚିବା ପରେ ସେମାନଙ୍କ ଗାଁକୁ ପଠାଇବାର ବ୍ୟବସ୍ଥା କରାଯାଇଛି । ‘ଓଡ଼ିଶା ମୋ ପରିବାର’ ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଏବଂ ଅବୈତନିକ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ କୋଲକାତା ଯାଇ ମୃତଦେହ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦ। ଅଞ୍ଚଳର ଶେଖ୍‌ ମନ୍‌ତାଜ ଓ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ଶେଖ୍‌ ବାହାରୁଦ୍ଦିନ ଜାପାନର ରାଜଧାନୀ ଟୋକିଓରେ ଏକ ହୋଟେଲରେ କାମ କରୁଥିବା ବେଳେ ଗ୍ୟାସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେମାନଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ମୃତଦେହ ଆଣିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ସହାୟତା ପାଇଁ ଉଭୟଙ୍କ ପରିବାର ଲୋକ ନିବେଦନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଏବଂ ଅବୈତନିକ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ୨ ଯୁବକଙ୍କ ପାର୍ଥିବ ଶରୀର ଓଡ଼ିଶା ଆଣିବାରେ ସକ୍ଷମ ହୋଇଛନ୍ତି । ଉଭୟଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପକ୍ଷରୁ  ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Leave a Reply