ପୂଜା ମଣ୍ଡପ ଲାଗି BMCର ଗାଇଡଲାଇନ ଜାରି, ନିରାପଦ ଏବଂ ପରିବେଶ ଅନୁକୂଳ ରଖିବା ପାଇଁ କଲା ଅପିଲ

1 min read

ଭୁବନେଶ୍ବର : ପ୍ଳାଷ୍ଟିକ, ପ୍ରଦୂଷଣ ମୁକ୍ତ ଗଣେଶ ପୂଜା। ପୂଜା ମଣ୍ଡପ ଲାଗି ବିଏମସିର ଗାଇଡଲାଇନ ଜାରି। ୧୨ ସୁତ୍ରୀ ନିୟମାବଳୀ ଜାରି କଲା ବିଏମସି। ପରିବେଶ ଓ ପୂଜା ମଣ୍ଡପ ସ୍ବଚ୍ଛ ରଖିବା ଲାଗି ଅପିଲ୍। ପରିବେଶକୁ ଦୃଷ୍ଟିରେ ରଖି କମ୍ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ । ଯାଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ । ପ୍ରସାଦ ଇତ୍ୟାଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ନତୁବା କଦଳୀ ପତ୍ର, ଶାଳ ପତ୍ର, କାଗଜ ପ୍ଲେଟ, କପ୍, ମାଟି ପାତ୍ର ଇତ୍ୟାଦି ବ୍ୟବହାର କରିବାକୁ କୁହାଯାଇଛି । ପରିବେଶ ପ୍ରଦୂଷିତ ହେଲା ଭଳି କୌଣସି ପ୍ରକାରେ ଥର୍ମକୁଲ, ଏକକ ବ୍ୟବହାର, ପ୍ଲାଷ୍ଟିକଦ୍ରବ୍ୟ ପ୍ରସ୍ତୁତ ପାତ୍ରରେ ପ୍ରସାଦ ଇତ୍ୟାଦି ଦିଅନ୍ତୁ ନାହିଁ । ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର କରନ୍ତୁ ନାହିଁ । ବିସର୍ଜନ ପୂର୍ବରୁ ମୂର୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର, ଇତ୍ୟାଦି ଆଭୂଷଣକୁ ବାହାର କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଅସ୍ଥାୟୀ ପୁଷ୍କରିଣୀ ନିକଟରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ ପାତ୍ରରେ ଏଗୁଡିକୁ ପକାଇବାକୁ କୁହାଯାଇଛି ।  ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ ମିଟର ଚତୁଃପାର୍ଶ୍ଵକୁ ନିଜ ଦାୟିତ୍ବରେ ସଫା ରଖନ୍ତୁ । ପୂଜା ମଣ୍ଡପ ପାଖରେ ଓଦା ଓ ଶୁଖିଲା ଅଳିଆ ପକାଇବା ପାଇଁ ବଡ ବଡ ଡଷ୍ଟବିନ୍ ରଖିବାକୁ କୁହାଯାଇଛି ।

ସେପଟେ ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ସତନ୍ତ୍ର ପାକିଂ ବ୍ୟବସ୍ଥା କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।  ଅସ୍ଥାୟୀ ପୂଜା ମଣ୍ଡପଗୁଡିକୁ ଯେପରି ଲୋକଙ୍କ ଭିଡ ଯୋଗୁଁ ଭାଙ୍ଗି ନଯାଏ ସେଥିପାଇଁ ମଜବୁତ୍ ଭାବେ ନିର୍ମାଣ କରିବାକୁ କୁହାଯାଇଛି । ବିଦ୍ୟୁତ୍ ସଂଯୋଗରେ କୌଣସି ସ୍ଥାନରେ ଯେପରି ସର୍ଟ ସର୍କିଟ୍ ନ ହୁଏ, ସେଥିପ୍ରତି ଧ୍ୟାନ ଦେବେ । ପ୍ରତ୍ୟେକ ମଣ୍ଡପର ନିରାପତା ଓ ସୁରକ୍ଷା ନିମନ୍ତେ ଅତି କମରେ ୩ ଜଣ ସିକ୍ୟୁରିଟି କର୍ମୀ ରଖନ୍ତୁ। ଯେଉଁମାନେ ଘରେ କିମ୍ବା ବ୍ୟକ୍ତିଗତ ଭାବେ ଛୋଟ ମୂର୍ତି ପୂଜା କରୁଛନ୍ତି ଏବଂ ବିସର୍ଜନସ୍ଥାନକୁ ଯିବାରେ ଅସୁବିଧା ହେଉଛି, ତେବେ ବିସର୍ଜନ ନିମନ୍ତେ ଠାକୁରଙ୍କ ମୂର୍ତିକୁ ନିକଟସ୍ଥ ବିଏମ୍ସି କଲ୍ୟାଣମଣ୍ଡପରେ ହସ୍ତାନ୍ତର କରନ୍ତୁ । ଅଗ୍ନିକାଣ୍ଡ ଘଟାଇବା ଭଳି କୌଣସି ଜ୍ବଳନଶୀଳ ସାମଗ୍ରୀ ଯଥା-ଧୂପ, ଦୀପ ଇତ୍ୟାଦିକୁ ଅଣଦେଖା କରିବ ନେଇ ବିଏମସି ଅପିଲ କରିଛି। ଚଳିତ ବର୍ଷ ଭଷାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦେଇନି କମିଶନରେଟ ପୋଲିସ। ବିନା ଅନୁମତିରେ ଡିଜେ ବଜାଇଲେ ପୋଲିସ ନେବ ଆକ୍ସନ।