spot_img

Latest Posts

ମମତାଙ୍କୁ ଦିଲ୍ଲୀରୁ ବଡ଼ ଝଟକା: ବିଧାୟକଙ୍କ ପରେ ଏବେ ସାଂସଦଙ୍କ ବିଦ୍ରୋହ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କ ରାଜନୈତିକ ଦୁର୍ଗରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେଇଛି। ରାଜ୍ୟ ପରେ ଏବେ ଦିଲ୍ଲୀ ଦରବାରରୁ ମମତାଙ୍କ ପାଇଁ ଆସିଛି ସବୁଠାରୁ ବଡ଼ ଝଟକା। ଦଳର ବିଧାୟକମାନଙ୍କ ପରେ ଏବେ ସାଂସଦମାନେ ମଧ୍ୟ ଖୋଲାଖୋଲି ଭାବେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି, ଯାହା ଟିଏମସିର ଅସ୍ତିତ୍ୱ ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ତୃଣମୂଳ କଂଗ୍ରେସର ମୋଟ ୨୯ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୦ ଜଣ ସାଂସଦ ଦଳରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଗଠନ କରିଛନ୍ତି। ଏହି ବିଦ୍ରୋହୀ ସାଂସଦମାନେ ସଂସଦରେ ସେମାନଙ୍କ ପାଇଁ ଅଲଗା ବସିବା ବ୍ୟବସ୍ଥା କରିବାକୁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିବା ମଧ୍ୟ ଜଣାପଡ଼ିଛି। ରାଜନୈତିକ ସମୀକରଣ ଅନୁସାରେ, ଯଦି ଏହି ୨୦ ଜଣ ସାଂସଦ ଦଳରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଆନ୍ତି, ତେବେ ଦୁଇ-ତୃତୀୟାଂଶ ବହୁମତ ଥିବାରୁ ସେମାନଙ୍କ ଉପରେ ଦଳ ବଦଳ ନିରୋଧୀ ଆଇନ ଲାଗୁ ହେବ ନାହିଁ।

ଏହି ସମଗ୍ର ରାଜନୈତିକ ହଲଚଲ ଭିତରେ ବିଦ୍ରୋହୀ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିବା ସାମ୍ନାକୁ ଆସିଛି। ଏହାପୂର୍ବରୁ ରାଜ୍ୟସଭାରେ ଟିଏମସିର ଚିଫ୍ ହୁଇପ୍ ଥିବା ଶୁଖେନ୍ଦୁ ଶେଖର ରାୟ ନିଜ ପଦରୁ ଇସ୍ତଫା ଦେଇ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ କିଛି ଟିଏମସି ସାଂସଦଙ୍କ ସହ ସେ ବୈଠକ କରୁଥିବାର ଫଟୋ ଭାଇରାଲ ହେବା ପରେ ଦଳ ବିଭାଜନର ଚିତ୍ର ସ୍ପଷ୍ଟ ହୋଇଛି।

ଅନ୍ୟପଟେ ଦଳର ବରିଷ୍ଠ ନେତ୍ରୀ ତଥା ସାଂସଦ କାକୋଲି ଘୋଷ ଦାସ୍ତିଦାର ଏହି ବିଦ୍ରୋହକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କର ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା ଏବଂ ନିଷ୍ପତ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ମେଣ୍ଟର ଆଭିମୁଖ୍ୟ ଅନୁଯାୟୀ ହିଁ ହେବ। ଏହି ବୟାନ ପରେ ସାଂସଦମାନେ ଏନଡିଏ ଶିବିର ଆଡ଼କୁ ମୁହାଁଉଥିବା ସଙ୍କେତ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ସାଂସଦମାନଙ୍କ ପୂର୍ବରୁ ପଶ୍ଚିମବଙ୍ଗରେ ଟିଏମସି ବିଧାୟକମାନେ ମଧ୍ୟ ବିଦ୍ରୋହର ବିଗୁଲ ଫୁଙ୍କି ସାରିଛନ୍ତି। ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୫୮ ଜଣ ବିଧାୟକ ଅଲଗା ଗୋଷ୍ଠୀ ତିଆରି କରିସାରିଛନ୍ତି। ଯଦିଓ ଟିଏମସି ଏପର୍ଯ୍ୟନ୍ତ ଦୁଇ ଭାଗ ହୋଇନାହିଁ, କିନ୍ତୁ ଦିଲ୍ଲୀରୁ କଲିକତା ପର୍ଯ୍ୟନ୍ତ ଦଳ ଉପରୁ ମମତା ବାନାର୍ଜୀଙ୍କ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ ଖସିଯାଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।

Latest Posts

Don't Miss