spot_img
Home Blog Page 993

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ । ବିଜେପି ସରକାର ବିରୋଧରେ ଆସନ୍ତା ୧୦ ତାରିଖରେ ଘେରାଉ ଲାଗି ପିସିସିଙ୍କ ରଣ ହୁଙ୍କାର । ୮ ମାସରେ ରାଜ୍ୟରେ ୧୬ ଶହରୁ ଅଧିକ ମହିଳା ନିର୍ଯାତନାର ଶିକାର ହୋଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ଡାକରା ଦେଇଛି । ସେପଟେ ନିଜର ସ୍ଥିତି ବଜାୟ ରଖିବାକୁ କଂଗ୍ରେସର ଏହି ଆନ୍ଦୋଳନ ବୋଲି କହିଛି ବିଜେପି । ଯାହାକୁ ନେଇ ମୁହାମୁହିଁ ହୋଇଚନ୍ତି କଂଗ୍ରେସ ଓ ବିଜେପି ।

ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର। ୧୦ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ଦଳ । ନାରୀ ସୁରକ୍ଷା ନେଇ ମାଗିବ ଜବାବ । ବିଜେପି କହିଲା ପଡ଼ିବନି କୌଣସି ପ୍ରଭାବ । ୮ ମାସରେ ୧୬ ଶହ ନାରୀ ନିର୍ଯାତନା । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ନାବାଳିକା ବି ସୁରକ୍ଷିତ ନୁହନ୍ତି । ଆଦିବାସୀ, ଦଳିତମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି । ରାଜ୍ୟରେ ଶାସନ ଅଛି ବୋଲି ଅନୁଭବ କରିପାରୁନାହାନ୍ତି ଲୋକେ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଜୋରଦାର ପ୍ରତିବାଦ କରିବ କଂଗ୍ରେସ ।

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପରେ ଜିଲ୍ଲାସ୍ତରରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଡାକରା ଦେଇଛି କଂଗ୍ରେସ । ଆସନ୍ତା ୧୦ ତାରିଖରେ ରାଜ୍ୟରେ ନାରୀ ନିର୍ଯାତନା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଦଳ । ନିର୍ଯାତନା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, ବିଜେପିର ପାପ ଘର ଭରି ସାରିଲାଣି । ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ନାରୀଙ୍କୁ ସୁରକ୍ଷା ଯଦି ଦେବେ ନାହିଁ ତେବେ ଶାସନ ଗାଦିରେ ବସିବାର କୌଣସି ଅଧିକାର ନାହିଁ । ସରକାର ବିରୋଧରେ ଆନ୍ଦୋଳନକୁ ଜିଲ୍ଲା ସ୍ତରରେ ଜୋରଦାର କରିବକୁ ଚେତାବନୀ ଦେଇଛି କଂଗ୍ରେସ ।

ରାଜ୍ୟରେ ଶାସନ ଭାର ଗ୍ରହଣ ପରଠାରୁ ଆଇନଶୃଙ୍ଖଳା ଅଛି ବୋଲି ଜଣାପଡୁନାହିଁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ଯୁବକଙ୍କ ମୁଣ୍ଡ ଗଡ଼ିଲା । ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ନାବାଳିକାକୁ ଦୁର୍ଷମ କରାଗଲା । ଦୁର୍ଷମ, ହତ୍ୟା, ଚୋରି କଥା ନକହିଲେ ଭଲ ବୋଲି କହିଛନ୍ତି ଜୟଦେବ । ସେପଟେ ବିଜେପି ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, କଂଗ୍ରେସ ନିଜର ସ୍ଥିତି ବଞ୍ଚାଇ ରଖିବାକୁ ଜିଲ୍ଲାପାଳଙ୍କ ଅଫିସ ଘେରିବ । ଯାହାକୁ ନେଇ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି ।

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବାରୁ ବିଜେପି ସରକାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ । ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରି ଘନ ଘନ ଆକ୍ରମଣ କରୁଛି କଂଗ୍ରେସ । ଏପରିକି ସ୍ବତନ୍ତ୍ର ଅନୁଧ୍ୟାନ କମିଟି କରି ଦଳ ସମସ୍ତ ନିର୍ଯାତନା ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବାକୁ ଦାବି କରିଛି । ସରକାରଙ୍କୁ ଜବାବ ମାଗିବାରୁ ପ୍ରସ୍ତୁତ କରିଛି ସ୍ଵତନ୍ତ୍ର ରଣନୀତି ।

ଅଷ୍ଟ୍ରେଲିଆକୁ ହରାଇ ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ: ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରଥମ ଦଳ ଭାବେ ଭାରତ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇ ଭାରତ ଫାଇନାଲକୁ ଯାଇଛି । ଏହାସହ ଭାରତ ଆଷ୍ଟ୍ରେଲିଆ ପାଖଣୁ ବିଶ୍ବକପର ପ୍ରତିଶୋଧ ଚମ୍ପିୟନ୍ସ ଟ୍ରଫିରେ ନେଇଛି ।

ଆଜିର ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଧର୍ଯ୍ୟପୂର୍ଣ୍ଣ ବାଟିଂ ଦେଖିବାକୁ ମିଳିଥିଲା । ୨୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତର ଦୁଇ ଓପ୍ନର ରୋହିତ ଏବଂ ଶୁଭମନ ଗିଲ୍ ଧର୍ଯ୍ୟର ସହ ଇଂନିସ୍ ଆରମ୍ଭ କରିଥିଲେ । ହେଲେ ଗିଲ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ୧୧ ବଲରୁ ମାତ୍ର ୮ ରନ କରି ଗିଲ ଆଉଟ ହୋଇଯାଇଥିଲେ । ଏହାପରେ ପଡ଼ିଆକୁ ଆସିଥିଲେ ବିରାଟ କୋହଲି । ରୋହିତ ଭଲ ଆରମ୍ଭ ଦେଇଥିଲେ ବି ବଡ଼ ସ୍କୋର କରିପାରି ନଥିଲେ । ୨୯ ବଲରୁ ୨୮ ରନ୍ କରି ରୋହିତ ଆଉଟ ହୋଇଯାଇଥିଲେ । ୪୩ ରନରେ ଦୁଇ ଓପ୍ନରଙ୍କ ଆଉଟ ପରେ ଚାପରେ ଭାରତ ଥିବା ବେଳେ ପଡ଼ିଆକୁ ଓହ୍ଲାଇଥିଲେ ଶ୍ରେୟସ ଆୟର । ବିରୋଟଙ୍କ ସହ ମିଶି ସେ ଧର୍ଯ୍ୟର ସହ ବ୍ୟାଟିଂ କରିବା ସହ ସ୍ଥିତିକୁ ସମ୍ଭାଳି ଥିଲେ । ଆୟର ୬୨ ବଲରେ ୪୫ ରନ୍ କରି ଆଉଟ ହେବା ପରେ ଅକ୍ଷର ପଟେଲ ଫିଲ୍ଡକୁ ଆସିଥିଲେ । ସେ ମଧ୍ୟ ବିରାଟଙ୍କ ଭଲ ସାଥ ଦେଇଥିଲେ । ୩୦ ବଲରେ ୨୭ ରନ୍ କରି ସେଟ୍ ହୋଇ ଆସୁଥିବା ବେଳେ କ୍ଲିନ ବୋଲ୍ଡ ହୋଇଯାଇଥିଲେ । ତେବେ ଅକ୍ଷରଙ୍କ ପରେ ଫିଲ୍ଡକୁ ଆସିଥିଲେ କେ.ଏଲ. ରାହୁଲ । ଆରମ୍ଭରୁ ଏକ, ଦୁଇ ରନ୍ ଉପରେ ଫୋକସ କରିଥିଲେ । ଆଉ ଅନ୍ୟପଟେ ବିରାଟ ଚୌକା, ଛକା ଛାଡ଼ି ସିଙ୍ଗଲରେ ରନ୍ କରି ୮୪ ରନରେ ପହଞ୍ଚି ଯାଇଥିଲେ । ବିରାଟ ସହଜରେ ଶତକ ମାରିବା ସହ ଭାରତର ବିଜୟ ମୁଣ୍ଡି ମାରି ଫେରିବା ପରି ଲାଗୁଥିବା ବେଳେ, ଏକ ବଡ଼ ସର୍ଟ ଖେଳିବା ଛକ୍କରରେ ଜାମ୍ପାଙ୍କ ଦ୍ବାରା ଆଉଟ୍ ହୋଇଯାଇଥିଲେ । ଏହାପରେ ଫିଲ୍ଡକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ଚିରାଚରିତ ଢଙ୍ଗରେ ୩ଟି ବିଶାଳ ଛକା ଓ ଗୋଟିଏ ଚୌକା ସହାୟତାରେ ବିସ୍ଫୋରକ ୨୮ ରନ କରି ଅଷ୍ଟ୍ରେଲିଆର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ । ବିଜୟ ପାଇଁ ୪ ରନ୍ ବାକି ଥିବା ବେଳେ ରାହୁଲ ଏକ ବିରାଟ ଛକା ମରି ଭାରତକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ଏବଂ ଆଦମ ଜାମ୍ପା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଦ୍ବାରଶୁଇସ୍ ଓ କୁପର କନୋଲି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଷ୍ଟ୍ରେଲିଆ । ୫୦ ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ୍ ହେଡ ୩୯, ଲାବୁଶାନ ୨୯, ସ୍ମିଥ ୭୩, ଆଲେକ୍ସ କେରୀ ୬୧, ଗ୍ଲେନ ମାକ୍ସଓ୍ବେଲ ୭, ବେନ ଦ୍ବାରଶୁଇସ୍ ୧୯ ଓ ଜାମ୍ପା ୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

୮ ମାସରେ ଆଣ୍ଠେଇଲାଣି ରାଜ୍ୟ ଆର୍ଥିକ ବିକାଶ, କେରଳଠାରୁ ପଛରେ ଓଡି଼ଶା

ଭୁବନେଶ୍ବର: ଓଡ଼ିଶାରେ ପଛେଇଲାଣି ଆର୍ଥିକ ବିକାଶ । ରାଜ୍ୟରେ ସରକାର ପରିବର୍ତ୍ତନର ୮ ମାସ ପରେ ଅର୍ଥନୀତିରେ କେରଳଠାରୁ ପଛରେ ପଡ଼ିଛି ଓଡ଼ିଶା । ୨୦୨୪-୨୫ରେ ରାଜ୍ୟ ଘରୋଇ ଉତ୍ପାଦରେ କେରଳ ୧୧ ନମ୍ବର ସ୍ଥାନରେ କିନ୍ତୁ ଓଡ଼ିଶା ୧୪ ତମ ସ୍ଥାନରେ । କେରଳରେ ଧାଏଁ ଧାଏଁ ଚାଲିଛି ଜାତୀୟ ରାଜପଥ ବିକାଶ ।  ଅଣ ବିଜେପି ଶାସିତ ରାଜ୍ୟ ହୋଇ କେରଳ କେନ୍ଦ୍ରଠାରୁ ୫ ବର୍ଷରେ ଟାଣିପାରିଛି ୩୩ ହଜାର ୪୩୯ କୋଟି । ଓଡ଼ିଶା ପାଇଛି ମାତ୍ର ୧୭ ହଜାର କୋଟି । କେରଳ ପାଇଁ ଦିଲ୍ଲୀରେ ଲବି କରି ସଫଳତା ପାଉଛନ୍ତି ସେଠାକାର ସାଂସଦ । ଅଥଚ ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ରାଜ୍ୟର ବୃହତ୍ତର ବିକାଶ ପାଇଁ ପଦୁଟିଏ ମୁହଁ ଖୋଲିଲେନି ବୋଲି ଅଭିଯୋଗ ହୋଇଛି ।

ରାଜ୍ୟ ଘରୋଇ ଉତ୍ପାଦରେ କେରଳ ୧୧ତମ ସ୍ଥାନରେ । ଓଡ଼ିଶା ତଳକୁ ଖସି ୧୪ ତମ ସ୍ଥାନରେ । ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ବରାଦରେ କେରଳଠାରୁ ୨ ଗୁଣ ଅଧିକ ଖର୍ଚ୍ଚ କଲା ଓଡ଼ିଶା । ହେଲେ ଘରୋଉ ଉତ୍ପାଦ ବୃଦ୍ଧିରେ କେରଳ ଓଡ଼ିଶାଠାରୁ ୭୦ ପ୍ରତିଶତ ଆଗରେ । କେରଳ ସାଂସଦ ଦିଲ୍ଲୀରେ ଟେବୁଲ ବାଡ଼େଇ ରାଜ୍ୟ ବିକାଶ ପାଇଁ ଟଙ୍କା ଟାଣୁଛନ୍ତି । ହେଲେ ଓଡ଼ିଶାରୁ ଯାଇଥିବା ବିଜେପିର ୨୦ ସାଂସଦଙ୍କ ମୁହଁରେ ଯେପରି ତୁଣ୍ଡି ବନ୍ଧା ହୋଇଥିବା ଅଭିଯୋଗ ହୋଇଛି । କେରଳ ପାଇଁ ଏଲ ଆଣ୍ଡ୍ ଟି ଭଳି ବଡ଼ ଠିକାସଂସ୍ଥା ଗୋଡ଼ ଟେକି ବସୁଛନ୍ତି । ଅଥଚ ଓଡ଼ିଶାରେ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ଼ ପାଇଁ ବାରମ୍ବାର ଟେଣ୍ଡର ପରେ ବି କେହି ଠିକାଦାର ମିଳୁନାହାନ୍ତି । ହେଲେ ଡବଲ ଇଞ୍ଜିନ ସରକାରରେ ରାଜ୍ୟ ଡବଲ ସ୍ପିଡରେ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଥିବା ସମୀକ୍ଷକ କହିଲେଣି ।

କମ୍ ଖର୍ଚ୍ଚରେ କେରଳ ଓଡ଼ିଶାଠାରୁ ଭଲ ପ୍ରଦର୍ଶନ କରିବାରେ ସଫଳତା ପାଇଛି । ଚଳିତ ଆର୍ଥିକ ବର୍ଷରେ କେରଳର ପୁଞ୍ଜି ବ୍ୟୟ ରହିଛି ୧୪ ହଜାର ୭୦ କୋଟି । ଓଡ଼ିଶା କରିଛି ୫୮ ହଜାର ୧୯୫ କୋଟି । କେରଳର କାର୍ଯ୍ୟକ୍ରମ ବ୍ୟୟବରାଦ ୮୦ ହଜାର ୪୪୯ କୋଟି । ଓଡ଼ିଶାର ପ୍ରାୟ ୧ ଲକ୍ଷ ୫୫ ହଜାର କୋଟି । ମାନେ ଡବଲ୍ ଖର୍ଚ୍ଚ । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାଠାରୁ କାହିଁ କେତେ ଉପରେ ରହିଛି କେରଳ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେରଳ ଋଣବୋଝରେ ବୁଡ଼ିଥିଲେ ବି ଗୁଣାତ୍ମକ ଭିତ୍ତିଭୂମି ବିକାଶରେ ଶୀର୍ଷ ସ୍ଥାନରେ ରହିଲାଣି ।

ଅଣବିଜେପି ଶାସିତ ରାଜ୍ୟ ହୋଇ କେରଳ ଜାତୀୟ ରାଜପଥ ବିକାଶରେ ଓଡ଼ିଶାଠାରୁ ବହୁ ଆଗରେ । ଗତ ୫ ବର୍ଷରେ କେରଳ ଏନଏଚଆଇଠାରୁ ପାଇଛି ୩୩ ହଜାର ୪୩୯ କୋଟି । ଓଡ଼ିଶା ସେହି ସମୟ ଭିତରେ ପାଇଛି ମାତ୍ର ୧୭ ହଜାର ୨୯୬ କୋଟି ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ଓଡିଶାର ଘରୋଇ ଉତ୍ପାଦ ମାତ୍ର ୮୫ ହଜାର କୋଟି ଛୁଇଁଥିବାବେଳେ କେରଳ ୧ ଲକ୍ଷ ୪୪ ହଜାର ୨୩୬ କୋଟିରେ ପହଞ୍ଚିଲାଣି । ୨୦୨୪ ନିର୍ବାଚନରେ ୨୦ ଜଣ ସାଂସଦ ଓଡିଶାରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନେ କେବଳ ପୂର୍ବ ସରକାରଙ୍କୁ ସମାଲୋଚନା ଓ ରାଜନୈତିକ ବୟାନବାଜି ଛଡ଼ା ୮ ମାସ ହେଲାଣି ଆଉ କିଛି କରିପାରିନାହାନ୍ତି । ମୋହନ ସରକାରଙ୍କ ଦୁଇଟି ବଜେଟରେ ରାଜ୍ୟ ଋଣଭାର ଅତିରିକ୍ତ ୯୧ ହଜାର କୋଟି ଛୁଇଁଲାଣି ।

୨୦୩୬ ବେଳକୁ ଓଡ଼ିଶା ଅର୍ଥନୀତି ୫୦୦ ବିଲିୟନ ଆମେରିକୀୟ ଡଲାର ବା ୪୩ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିବ । ଏପରି ଦାବି କରି ଚାଲିଛନ୍ତି ଏବର ବିଜେପି ସରକାର । ଯେଉଁଥି ପାଇଁ ବଜେଟ୍ ଆକାର ମଧ୍ୟ ପ୍ରତିବର୍ଷ ବଢି ବଢିଚାଲିଛି । ୮ ମାସ ହେଲାଣି କେବଳ ରଙ୍ଗ ବଦଳାଇବା, ଯୋଜନାର ନାମ ବଦଳାଇ ପ୍ରଚାର ଓ ପୋଷ୍ଟରରେ ସୀମିତ ରହିଛି । ଏପରି ଚାଲିଲେ ୨୦୩୬ କ’ଣ ୨୦୫୦ ବେଳକୁ ରାଜ୍ୟ ବିକଶିତ ଓଡ଼ିଶାରେ ରୂପାନ୍ତର ହୋଇଥିବ କି ନାହିଁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ବିଜୁ ଜୟନ୍ତୀରେ ଛୁଟି ବାତିଲକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଅବାନ୍ତର ଯୁକ୍ତି

ଭୁବନେଶ୍ବର: ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରା ନଯିବା ଓ ସରକାରୀ ଛୁଟି ବାତିଲକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ଅବାନ୍ତର ଯୁକ୍ତି । ବିଜେଡିର ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସୁରେଶ ଅବାନ୍ତର ଯୁକ୍ତି ବାଢ଼ିବା ସହ କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ, ଏଥିରେ କାହାର ସନ୍ଦେହ ନାହିଁ । ଓଡ଼ିଶା ପାଇଁ ଗୌରବ ଆଣିଥିଲେ ବିଜୁ ବାବୁ । ତେଣୁ ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ ।

ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସୁରେଶ । ଆଉ କହିଛନ୍ତି, ଘଣ୍ଟେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ପୂରା କାର୍ଯ୍ୟ ଦିବସ କାହିଁକି ବାତିଲ ହେବ ବୋଲି କହି ଅବାନ୍ତର ଯୁକ୍ତି ବାଢ଼ିଛନ୍ତି ରାଜସ୍ବ ମନ୍ତ୍ରୀ ।

ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲକୁ ନେଇ ତେଜିଲା ପ୍ରତିବାଦ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ସଂକୀର୍ଣ୍ଣ ମନୋଭାବ ଆଗରେ ବଳି ପଡ଼ିଲା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସରକାରର ଭୟକୁ ସ୍ପଷ୍ଟ ଭାବେ ବାରିଛନ୍ତି ବିରୋଧୀ । ହେଲେ ରାଜନୀତି କରୁ କରୁ ପଦାରେ ପଡ଼ିଗଲା ସରକାରଙ୍କ ତ୍ରୁଟି । ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ସରକାରୀ ଛୁଟି ଭାବେ ପୂର୍ବରୁ ଘୋଷଣା କରି ସରକାରୀ କ୍ୟାଲେଣ୍ଡର ଓ ଡାଏରୀ ପ୍ରିଣ୍ଟ କରାଯାଇଛି । ହେଲେ ଦିନକ ପୂର୍ବରୁ କେମିତି ଛୁଟି ବାତିଲ ହେଲା, ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି । ସରକାରୀ କର୍ମଚାରୀ ବି ଏଭଳି ନିଷ୍ପତ୍ତିକୁ ରାଜନୈତିକ ଆକ୍ରୋଶ ଭାବେ ବିବେଚନା କରି ସରକାରଙ୍କୁ ନିନ୍ଦା କରିଛନ୍ତି ।  ଅନ୍ୟପଟେ ପ୍ରତିବର୍ଷ ପରି ଆସନ୍ତାକାଲି ଶଙ୍ଖ ଭବନ ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ ।

କେବଳ ଏକ ନାଁରେ ସୀମିତ ନଥିଲେ ବିଜୁ ପଟ୍ଟନାୟକ । ପ୍ରତି ପୀଢି ପାଇଁ ଥିଲେ ରୋଲ ମଡେଲ । କୌଣସି ଦଳରେ ସୀମିତ ନାହିଁ ବିଜୁ ବାବୁଙ୍କ ଆଦର୍ଶ ଓ ବ୍ୟକ୍ତିତ୍ବ । କାରଣ ସେ ଓଡ଼ିଆ ଅସ୍ମିତାର ପ୍ରତୀକ । ହେଲେ ବିଜେପି ସରକାରଙ୍କୁ ଘାରିଛି ବିଜୁ ପଟ୍ଟନାୟକ ଭୟ । ଯେଉଁଥି ପାଇଁ ରାଜ୍ୟ ସରକାର ହୀନ ମନ୍ୟତାର ପରିଚୟ ଦେଇ ବିଜୁ ଜୟନ୍ତୀରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବନ୍ଦ କରିବା ସହ ଛୁଟି ବାତିଲ କଲେ । ଦେଶର ସ୍ବାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ ବିଜେପିରେ କୌଣସି ସ୍ବାଧୀନତା ସଂଗ୍ରାମୀ ନେତା ନଥିବାରୁ ସରକାର ଏବେ ପରିଚୟ ସଙ୍କଟ ଦେଇ ଗତି କରୁଛି ବୋଲି କଟାକ୍ଷ କରିଛି ବିଜେଡି ।

ଓଡ଼ିଆ ବିକାଶର ବିଶ୍ବକର୍ମା ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବାରୁ ସାଧାରଣ ଲୋକଙ୍କ ଭିତରେ ତେଜିବାରେ ଲାଗିଛି ଅସନ୍ତୋଷ । ନୂଆ ସରକାର ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସରକାରୀ ଛୁଟି ଚୂଡ଼ାନ୍ତ ହେବା ପରେ ସରକାରୀ କ୍ୟାଲେଣ୍ଡର ଓ ଡାଏରୀରେ ଏହାକୁ ସ୍ଥାନ ଦିଆଗଲା । ଲାଲ ରଙ୍ଗରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ସରକାରୀ ଛୁଟି ଦିବସ ଭାବେ ଉଲ୍ଲେଖ କରାଯାଇଛି । ହେଲେ ହଠାତ କ’ଣ ହେଲା ଯେ, ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଏହାକୁ ରଦ୍ଦ କରାଗଲା । ଯାହାକୁ ନେଇ ପ୍ରଶ୍ନ କରିଛି ବିଜେଡି ।

ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନର ବହୁ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଞ୍ଚାୟତକୁ କ୍ଷମତା ପ୍ରଦାନ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ୨୦୧୦ରେ ତତ୍କାଳୀନ କେନ୍ଦ୍ର ସରକାର ଜାତୀୟ ପଞ୍ଚାୟତିରାଜ ଦିବସ ଆରମ୍ଭ କରିଥିଲେ । ହେଲେ ଓଡ଼ିଶାରେ ଏହାର ଦୁଇ ଦଶନ୍ଧି ପୂର୍ବରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କଂଗ୍ରେସ ସରକାର ବି ଏହାକୁ ପାଳିଥିଲା । ଏପରିକି ବିଜେଡି ସହ ମେଣ୍ଟରେ ଥିବା ବିଜେପି ବି ଏଥିରେ ଆପତ୍ତି ଉଠାଇ ନଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏହାକୁ ପରିବର୍ତ୍ତନ କରି ଓଡ଼ିଶାବାସୀଙ୍କୁ ଅପମାନିତ କରିଛି । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନିଷ୍ପତ୍ତି ପରିବର୍ତ୍ତନ ନ କରିବେ, ସେ ପର୍ଯ୍ୟନ୍ତ ଚୁପ ବସିବ ନାହିଁ ବୋଲି କହିଛି ବିଜୁ ଜନତା ଦଳ । ଏପରିକି ଏହାର ପ୍ରତିବାଦରେ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରିଛି ବିଜେଡି ।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସମ୍ମାନ ଜଣାଇଛି କଂଗ୍ରେସ । ବିଜୁ ବାବୁଙ୍କ ସମ୍ମାନରେ ମାର୍ଚ୍ଚ ୫କୁ ଛୁଟି ଦେବାର ଥିଲା । କିନ୍ତୁ ଛୁଟି ବାତିଲ କରିବା ସରକାରଙ୍କ ହୀନମନ୍ୟତା । ଯାହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବୋଲି କହି ବିଜେପିକୁ ନିନ୍ଦା କରିଛି କଂଗ୍ରେସ । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଜରୁରୀକାଳୀନ ପରିସ୍ଥିତିରେ ଛୁଟି ବାତିଲ କି ବୃଦ୍ଧି ହୋଇପାରେ । ଏପରିକି ଇଦ କି ଜଗନ୍ନାଥ ପାଞ୍ଜିର ରାଶି ନକ୍ଷତ୍ର ଦେଖି ଛୁଟି ପରିବର୍ତ୍ତନ ହୋଇପାରେ । ହେଲେ ରାଜନୈତିକ ଦୃଷ୍ଟି କୋଣରୁ ମାର୍ଚ୍ଚ ୫ର ଛୁଟିକୁ ବାତିଲ କରାଯାଇଛି ବୋଲି କହିଛନ୍ତି ସହଦେବ । ସେହିପରି ସରକାରୀ କର୍ମଚାରୀ ସଂଘ ବି ଛୁଟି ବାତିଲ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

ପ୍ରତିବର୍ଷ ପରି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳିବ ବିଜୁ ଜନତା ଦଳ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ଏହାକୁ ଜନସେବା ଓ ବିଜୁ ଆଦର୍ଶର ସ୍ମୃତିଚାରଣ ଭାବେ ପାଳନ କରିବ ବିଜେଡି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରଖିଛି ବିଜୁ ଜନତା ଦଳ ।

ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ନବୀନଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ବର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ପାଳନ ହେବ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପବିତ୍ର ଜନ୍ମ ଜୟନ୍ତୀ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଜୟଦେବ ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚମ୍ପିୟନ୍ସ ଟ୍ରଫି ସେମିଫାଇନାଲ: ୨୬୪ ରନରେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍, ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଚମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମ ୪୯.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଭାରତ ତରଫରୁ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ସାମିଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆର ଦୁଇ ଓପ୍ନର ଫିକା ପଡ଼ି ଯାଇଥିଲେ । କୁପର କଲୋନୀ ଖାତା ଖୋଲିବା ପୂର୍ବରୁ ସାମିଙ୍କ ଶିକାର ହୋଇଥିଲେ । ସେପଟେ ଅନ୍ୟତମ ଓପ୍ନର ଟ୍ରାଭିସ୍ ହେଡ ୩୯ ରନ୍ କରି ବରୁଣ ଚକ୍ରବର୍ତ୍ତିଙ୍କ ଶିକାର ବନିଥିଲେ । ଏହାପରେ ଷ୍ଟିଭେନ ସ୍ମିଥ ଏବଂ ମରନୁସ୍ ଲାବୁଶାନ ଅଷ୍ଟ୍ରେଲିଆ ପାରି ସମ୍ଭାଳି ଥିଲେ । ଲାବୁଶାନ ୨୯ ରନ୍ କରି ଜାଡେଜାଙ୍କ ଶିକାର ହୋଇଥିବା ବେଳେ ଅଧିନାୟକ ସ୍ମିଥ ୭୩ ରନ୍ କରିଥିବା ବେଳେ ସାମି ତାଙ୍କୁ କ୍ଲିନ ବୋଲ୍ଡ କରି ଦେଇଥିଲେ । ସେପଟେ ଆଲେକ୍ସ କେରୀ ଭଲ ଇଂନିସ ଖେଳୁଥିଲେ ବି ୬୧ ରନରେ ରନ୍ ଆଉଟ୍ ହୋଇଯାଇଥିଲେ । ଗ୍ଲେନ ମାକ୍ସଓ୍ବେଲ ୭ ରନ କରି ଅକ୍ଷର ପଟେଲଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ । ବେନ ଦ୍ବାରଶୁଇସ୍ ୧୯ ରନ କରି ବରୁଣଙ୍କ ଦ୍ବାରା ଆଉଟ୍ ହୋଇଥିବା ବେଳେ ଜାମ୍ପାଙ୍କୁ ୭ ରନରେ କ୍ଲିନ ବୋଲ୍ଡ କରି ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଶେଷ ବ୍ୟାଟର ଭାବେ ନାଥନ ଏଲିସଙ୍କୁ ବିରାଟଙ୍କ ହାତରେ କ୍ୟାଚ୍ କରାଇଥିଲେ ସାମି ।

ସର୍ବିଆର ସଂସଦରେ ବିଶୃଙ୍ଖଳା ! ଗୃହରେ ବିରୋଧୀ ଫିଙ୍ଗିଲେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ୍

ନନ୍ଦିଘୋଷ ବ୍ୟୁରୋ : ୟୁରୋପୀୟ ଦେଶ ସର୍ବିଆ ସଂସଦରେ ଭୟଙ୍କର ହଟ୍ଟଗୋଳ ।ସଂସଦରେ ବିରୋଧୀ ମାନେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ୍ ଲବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫିଙ୍ଗିଛନ୍ତି । ଯାହା ଫଳରେ ସଂସଦ ଅଧିବେଶନରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏପରିକି ସଂସଦରେ ସାଂସଦ ମାନେ ହାତାହାତି ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।

ମଙ୍ଗଳବାର ସରକାରୀ ନୀତିକୁ ପ୍ରତିବାଦ କରି ସର୍ବିଆର ବିରୋଧୀ ଦଳ ସାଂସଦ ମାନେ ସଂସଦ ଭିତରେ ଏପରି କାଣ୍ଡ ଭିଆଇଛନ୍ତି । ଯାହା ସଂସଦୀୟ ଅଧିବେଶନ ସିଧା ପ୍ରସାରଣ ବେଳେ ଟେଲିଭିଜନରେ ଦେଖାଯାଇଥିଲା । ଏହା ପରେ ସମଗ୍ର ଗୃହରେ କଳା ଏବଂ ଗୋଲାପି ଧୂଆଁ ବ୍ୟାପିଯାଇଥିଲା ଏବଂ ସମସ୍ତେ ଏଣେ ତେଣେ ଦୌଡିବା ଆରମ୍ଭ କରିଦେଇଥିଲେ ।

କେଉଁ ପ୍ରସଙ୍ଗ ନେଇ ହେଲା ହଙ୍ଗାମା ?

୪ମାସ ପୂର୍ବେ ସର୍ବିଆରେ ଏକ ରେଳ ଷ୍ଟେସନ ଛାତ ଭୁଶୁଡି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା  । ବିଧାନସଭା ଅଧିବେଶନରେ ଏସଏନଏସ୍ ଶାସକ ଦଳ ଏକ ଏଜେଣ୍ଡାକୁ ଅନୁମୋଦନ କରିଥିଲା ଯାହାକୁ କିଛି ବିରୋଧୀ ନେତା ଆସନରୁ ଉଠି ବାଚସ୍ପତିଙ୍କ ପାଖକୁ ଯାଇ ଏହାର ପ୍ରତିବାଦ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ବିରୋଧୀ ସାଂସଦ ଗୃହରେ ଧୂଆଁ ଗ୍ରେନେଡ୍ ଏବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫିଙ୍ଗିଥିଲେ । ଯାହା ଫଳରେ ପୂରା ଗୃହ ଧୂଆଁମୟ ହୋଇଯାଇଥିଲା

ବିଜୁ ବାବୁଙ୍କୁ ଅପମାନ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର: ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲ । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରା ନଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ଭୂମିପୁତ୍ର ବିଜୁ ପଟ୍ଟନାୟକ ଅସମ୍ମାନ କରାଯାଉଥିବା ପ୍ରତିବାଦରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରୁଛି ବିଜେଡି ।

ସୂଚନାଯୋଗ୍ୟ, ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି, ଓଡ଼ିଶାବାସୀଙ୍କୁ ଅପମାନିତ କରିବାର କୌଣସି ସୁଯୋଗ ହାତଛଡ଼ା କରୁନି । ମହାପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ସହ ୯୦ ଦଶକର ପରମ୍ପରାକୁ ଭାଙ୍ଗି ଦେଇଛନ୍ତି । କେବଳ ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ବରେ ବରପୁତ୍ରର ଆଖ୍ୟା ପାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଡବଲ ଇଂଜିନ ସରକାର ଅସମ୍ମାନ ପ୍ରଦର୍ଶନ କରିଛି ।

ବିଜେଡି ପକ୍ଷରୁ କୁହାଯାଇଛି, ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନ କରି ବିଜୁବାବୁଙ୍କୁ ଅସମ୍ମାନ କରିଛନ୍ତି ରାଜ୍ୟ ସରକାର । ବିଜୁ ପଟ୍ଟନାୟକ ବିଜେଡିର ନୁହଁନ୍ତି । ସେ ଦେଶର ଟଲେଷ୍ଟ ନେତା । ସାରା ବିଶ୍ବରେ ଲୋକେ ତାଙ୍କୁ ମନେ ରଖିଛନ୍ତି । ଗତ ୩୦ ବର୍ଷ ଧରି ରାଜ୍ୟ ସରକାର ଏହି ଦିବସ ପାଳନ କରୁଥିଲେ । ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ଏହାକୁ ବିରୋଧ କରି ନଥିଲେ । କିନ୍ତୁ ଏବେ ଷଡଯନ୍ତ୍ର କରି ରାଜନୈତିକ ଉଦ୍ଦେଶ୍ୟ ରଖି ମହାପୁରୁଷଙ୍କୁ ଅସମ୍ମାନ କରିଛନ୍ତି । ବିଜୁବାବୁଙ୍କ ପ୍ରତି ଏଭଳି ହିନମନ୍ୟତା ରାଜ୍ୟବାସୀ କେବେ କ୍ଷମା ଦେବେନାହିଁ ।

ବିଜୁ ବାବୁଙ୍କୁ ଅପମାନ, କ୍ଷମା ଦେବେନି ଓଡ଼ିଶାବାସୀ: ମାନସ ମଙ୍ଗରାଜ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ରଖିଛନ୍ତି । ମାଟିର ପୁଅ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ । ୧୯୯୧ ମସିହାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପ୍ରଥମ ଭାରତୀୟ ରାଜ୍ୟ ଥିଲା ଯେଉଁଠାରେ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଏକତୃତୀୟାଂଶ ଆସନ ସଂରକ୍ଷଣ କରାଯାଇଥିଲା।

ବିଜୁ ପଟ୍ଟନାୟକ ସରକାର ୩ଟି ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍ କରିଥିଲେ । ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଆଇନ, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ଆଇନ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଆଇନ । ଏହା ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ପ୍ରଦାନ କରିଥିଲା । ୧୯୯୧ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧୀନରେ ୨୮ ହଜାର ୬୯ ଜଣ ମହିଳା ସଦସ୍ୟ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ସରକାର ଏହି ମଡେଲକୁ ଅନୁସରଣ କରିଥିଲେ ଏବଂ ୧୯୯୨ ମସିହାରେ ୭୩ତମ ସଂଶୋଧନ ଆକାରରେ ସଂସ୍କାର ଆଣିଥିଲେ ।

ଏହି କାରଣରୁ ବିଜୁ ପଟ୍ଟନାୟକ ସମ୍ମାନ ପାଇବାକୁ ଯୋଗ୍ୟ ଏବଂ ତାଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫କୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା । ଏହାକୁ ପରିବର୍ତ୍ତନ କରି, ଓଡ଼ିଶା ସରକାର କିମ୍ବଦନ୍ତୀ ନାୟକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବୋଲି କହିଛନ୍ତି ସାଂସଦ ମଙ୍ଗରାଜ ।