ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ସଂସଦରେ ସ୍ବର ଉଠାଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣ ଏବଂ ମହିଳାଙ୍କୁ ରାଜନୈତିକ ଅଧିକାର ଦେବାରେ ବିଜୁବାବୁ ସାରା ଦେଶ ପାଇଁ ଆଦର୍ଶ । ଯେଉଁଥି ପାଇଁ ଗତ ତିନି ଦଶନ୍ଧି ଧରି ରାଜ୍ୟ ସରକାର ତାଙ୍କ ଜନ୍ମ ତାରିଖ ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରିବା ସହ ଏହି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ସରକାରୀ କ୍ୟାଲେଣ୍ଡର ଓ ଡାଏରୀରେ ମାର୍ଚ୍ଚ ୫କୁ ସରକାରୀ ଛୁଟି ଘୋଷଣା କରାଯାଇଥିଲା । ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ହଠାତ ସରକାର ଛୁଟି ବାତିଲ କରିବା ସହ ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସଂସଦରେ ଆପତ୍ତି ଉଠାଇଛି ବିଜେଡି । ସେହିଭଳି ମହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ମଧ୍ୟ କଡା ନିନ୍ଦା କରିଛି ବିଜେଡି । ପୂର୍ବ ଭଳି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ସହ ଏହି ଦିନକୁ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ଦେବାଶିଷ ।
ତାରାଙ୍କୁ ଆକ୍ରମଣ ପ୍ରସଙ୍ଗ : ସଂସଦରେ ଉଠାଇଲେ ସପ୍ତଗିରି ଉଲ୍ଲାକା
ନନ୍ଦିଘୋଷ ବ୍ୟୁରୋ: ସଂସଦରେ ବି ଉଠିଲା ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶାସକ ବିଜେପି ସଦସ୍ୟଙ୍କ ଆକ୍ରମଣ ପ୍ରସଙ୍ଗ। ବିଜେପିର ୮ ମାସର ଶାସନ ସମୟରେ ରାଜ୍ୟରେ ୫୪ ଗଣଦୁଷ୍କର୍ମ ହେବା ସହ ୧୬୦୦ ମହିଳାଙ୍କ ବିରୋଧରେ ଅତ୍ୟାଚାର ହୋଇଛି। ସେହିପରି ୩୬ ହଜାର ୪୨୦ ମହିଳା ଓ ୮ ହଜାର ୪୦୩ ଶିଶୁ ନିଖୋଜ ଅଛନ୍ତି। ଯେତେବେଳେ ଏ ପ୍ରସଙ୍ଗ ବିଧାନସଭାରେ ଦଳୀୟ ବିଧାୟକ ଉଠାଉଛନ୍ତି ସେମାନଙ୍କୁ ମାରପିଟ କରାଯିବା ସହ ସସପେଣ୍ଡ କରାଯାଉଛି ବୋଲି ଲୋକସଭାରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା। କଂଗ୍ରେସ ଏହାକୁ ଡରିବନି କି ନଇଁବ ନାହିଁ। ଏଭଳି ଅନ୍ୟାୟ ବିରୋଧରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶାରେ ମହିଳା ବିରୋଧୀ ହିଂସା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସପ୍ତଗିରି। ଏହାସହ ମହିଳା ବିରୋଧୀ ହିଂସା ବନ୍ଦ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ସପ୍ତଗିରି ।
ଅଧାରେ ଅଟକିଛି ପାର୍କ କାମ, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ
ନନ୍ଦିଘୋଷ ବ୍ୟୁରୋ: ନୀଳଗିରିରେ ଶିଶୁ ଆମୋଦ ହୋଇଛି ସାତ ସପନ। ଅଧାରେ ଅଟକିଛି ପାର୍କ କାର୍ଯ୍ୟ । ସ୍ମାଟ ପାର୍କରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ହେଲେ ସେସବୁ ପିଲା ମାନଙ୍କ କାମରେ ଆସୁନି । ସାମାନ୍ୟ ମୋନରଞ୍ଜନ ପାଇଁ କୁନି କୁନି ଶିଶୁଙ୍କୁ ହତାଦର ହେବାକୁ ପଡୁଛି। ଏସବୁ ପ୍ରତି ନୀଳଗିରି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ।
ଅଧାରେ ଅଟକିଛି ପାର୍କ କାମ । ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଗେଟରେ ଝୁଲୁଛି ତାଲା । ହେଲେ ପିଲାଙ୍କୁ ମିଳିପାରୁନି ଆମୋଦ ପ୍ରମୋଦ ନିମନ୍ତେ ଶିଶୁ ଉଦ୍ଯାନଟିଏ । ଆମେ ଆପଣଙ୍କୁ କହୁଛୁ ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ବିଷୟରେ । ଏଠାରେ ପିଲାଙ୍କ ପାଇଁ ଗୋଟିଏ ପାର୍କଟିଏ ନଥିବାରୁ ପିଲାମାନେ ମୋବାଇଲ ମୁହାଁ ହେବା ସହିତ ଖେଳକୁଦରୁ ରୁଚି କମାଇ ସାରିଲେଣି । ପିଲାଙ୍କ ମନୋରଞ୍ଜନ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଲାଗି ୨୦୧୮ ମସିହାରେ ଏକ ଶିଶୁ ଉଦ୍ଯାନଟିର ଉଦଘାଟନ କରାଯାଇଥିଲା । ହେଲେ ତାହା ରକ୍ଷଣାବେକ୍ଷଣା ଅଭାବରୁ ବନ୍ଦ ହୋଇପଡିଛି । ସେହିପରି ନୀଳଗିରି ରାଡାର ରାସ୍ତାରେ ଏନଏସି ପକ୍ଷରୁ ସହରବାସୀଙ୍କ ନିମନ୍ତେ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ ଏକ ସ୍ମାର୍ଟ ପାର୍କ ନିର୍ମାଣଧୀନ ଅବସ୍ଥାରେ ରହିଥିବା ବେଳେ କାମ ବନ୍ଦ ହୋଇଥିବାରୁ ତାହା ବନର ଭ୍ରମ ସୃଷ୍ଟି କରୁଛି । ସରକାର ପରିବର୍ତ୍ତନ ହେବା ପରେ ପାର୍କ କାମ ବନ୍ଦ ଥିବାରୁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।
ନୀଳଗିରି ସହରର ଜେଲ ସମ୍ମୁଖରେ ମୁକ୍ତା ଯୋଜନାରେ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ ନିର୍ମିତ ମିନି ପାର୍କର ଅବସ୍ଥା ମଧ୍ୟ ସମାନ । ଏଠାରେ ୯୦ ପ୍ରତିଶତ କାମ ସରିଥିଲେ ମଧ୍ଯ ଏହା କାର୍ଯ୍ଯକ୍ଷମ ହୋଇପାରିନାହିଁ । ଫଳରେ ଏହା ସରୀସୃପ ମାନଙ୍କ ଆଡ୍ଡାସ୍ଥଳ ପାଲଟିଛି । ସେହିପରି ନୀଳଗିରିର ୧୩ଟି ୱାର୍ଡ ଓ ବଜାରରେ ହୋଇଥିବା ଓପନ ଜିମ ଗୁଡିକ ମଧ୍ୟ ରକ୍ଷଣାବେକ୍ଷଣା ଅଭାବରୁ ଅଚଳ ହେବାକୁ ବସିଲାଣି । ଏନେଇ ନୀଳଗିରି ଭାରାପ୍ରାପ୍ତ ଏନଏସି ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ମେଡିକାଲ ନିକଟ ପାର୍କଟି ମେଡିକାଲର ସ୍ଥାନ ହୋଇଥିବାରୁ ତାକୁ ବନ୍ଦ କରାଯାଇଛି । ସେ ସାମଗ୍ରୀକୁ ଅନ୍ୟତ୍ର ବ୍ୟବହାର କରାଯିବ ସେହିପରି ମିନି ପାର୍କର ଫଣ୍ଡ ସରିବାରୁ କିଛି କାମ ବାକି ଅଛି ତାକୁ ସାରି ଗୋଟିଏ ମାସ ଭିତରେ ଖୋଲାଯିବ ଓ ସ୍ମାର୍ଟ ପାର୍କର ଅନେକ କାର୍ଯ୍ଯ ବାକି ରହିଛି ତାର କାମ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ କହିଛନ୍ତି।
ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ, ପୁରୀ ଶ୍ବେତଗଙ୍ଗାରେ ଅସ୍ଥି ପକାଇ ପିଣ୍ଡଦାନ କଲେ ପୁଅ ବାବୁଶାନ
ନନ୍ଦିଘୋଷ ବ୍ୟୁରୋ: ସ୍ବର୍ଗତ ଉତ୍ତମ ମହାନ୍ତିଙ୍କର ଅସ୍ଥି ବିସର୍ଜନ ପୁରୀ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ କରାଯାଇଛି । ଉତ୍ତମ ମହାନ୍ତିଙ୍କର ପୁଅ ବାବୁଶାନ୍ ଆଜି ପରିବାର ଲୋକଙ୍କ ସହ ଉପସ୍ଥିତ ରହି ପବିତ୍ର ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ନିଜ ପିତାଙ୍କର ଅସ୍ଥି ବିସର୍ଜନ କରିଥିଲେ । ପରେ ପରମ୍ପରା ଅନୁଯାୟୀ ପିଣ୍ଡଦାନ କରିଥିଲେ । ତେବେ ବାପାଙ୍କର ମୃତ୍ୟୁ ପରେ ବାବୁଶାନ୍ ମୁଣ୍ଡନ କରିନଥିବାରୁ ଦେଖାଯାଇଥିବା ବିବାଦକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ବାବୁଶାନ୍ ଙ୍କ ମାମୁ ରବି ମିଶ୍ର । ବାବୁଶାନ୍ ଙ୍କ ମାମୁଙ୍କ କହିବା ଅନୁଯାୟୀ, ଆସନ୍ତା ରଜରେ ବାବୁଶାନ୍ ଙ୍କ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏଣୁ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସହ ଚୁକ୍ତି ହୋଇଥିବାରୁ ଚଳଚ୍ଚିତ୍ର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ବାବୁଶାନ୍ ମୁଣ୍ଡନ କରିପାରିବେ ନାହିଁ । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ବାବୁଶାନ୍ ତ୍ରିବେଣୀ ସଙ୍ଗମ ଯାଇ ତିଥି ନକ୍ଷତ୍ର ସ୍ଥିର କରି ସେଠାରେ ବାପା ଉତ୍ତମ ମହାନ୍ତିଙ୍କ ଶ୍ରାଦ୍ଧ ଦେବା ସହ ମୁଣ୍ଡନ ହେବେ । ପ୍ରଥମେ ରାଜଧର୍ମ ପାଳନ, ପରେ ପିତୃଧର୍ମ ପାଳନ ପାଇଁ ସ୍ବର୍ଗତ ଉତ୍ତମ ମହାନ୍ତି ସବୁବେଳେ ପୁଅ ବାବୁଶାନ୍ ଙ୍କୁ କହି ଆସିଛନ୍ତି । ଏଣୁ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ତ୍ରିବେଣୀ ସଙ୍ଗମରେ ବାବୁଶାନ୍ ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ ହେବା ସହ ଶ୍ରାଦ୍ଧ କର୍ମ କରିବେ ବୋଲି ବାବୁଶାନ୍ ଙ୍କ ମାମୁ କହିଛନ୍ତି ।
ଆସୁଛି ହୋଲି, ଖୋଲିଲାଣି ରଙ୍ଗ ପସରା
ନନ୍ଦିଘୋଷ ବ୍ୟୁରୋ: ଆଉ ଦିନ କେଇଟା ପରେ ଦୋଳ ପୂର୍ଣ୍ଣିମା ସାଙ୍ଗକୁ ଭାଇଚାରାର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗୀନ ହେବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗରେ ଖୋଲିଲାଣି ରଙ୍ଗର ପସରା । ଚଳିତ ବର୍ଷ ହର୍ବାଲ ରଙ୍ଗ କିଣିବାକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି । ଏବଂ ପିଲାଙ୍କୁ ବେଶ ଆକୃଷ୍ଟ କରୁଛି ପୁଷ୍ପା କୁରାଢ଼ୀ ଓ ତ୍ରିଶୂଳ ପିଚକାରୀ ।
ଘଣ୍ଟ ମୃଦଙ୍ଗରେ କମ୍ପୁଛି ଦାଣ୍ଡ । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆଉ ଦିନ କେଇଟା ପରେ ଦୋଳ ପୂର୍ଣ୍ଣିମା ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ପ୍ରାଚୀ ଉପତ୍ୟକା । ରାଧା ଗୋବିନ୍ଦ ବିମାନରେ ବସି ଘରକୁ ଘରୁ ବୁଲି ଭକ୍ତଙ୍କ ହାତରୁ ଭୋଗ ଖାଇ ଗାଁ ପରିକ୍ରମା କରୁଛନ୍ତି । ଭାଇଚାରାର ପର୍ବ ହୋଲି ପାଇଁ ପୁରୀ ଜିଲ୍ଲା କୋଣାର୍କ, କାକଟପୁର ଓ ଅସ୍ତରଙ୍ଗରେ ଖୋଲିଲାଣି ରଙ୍ଗର ପସରା । ବିଶେଷ କରି ହୋଲସେଲ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ଜସ୍ମିନ, ଲାଭେଣ୍ଡର ଭଳି ହର୍ବାଲ ରଙ୍ଗ କିଣିବାକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି। …
କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ହୋଲସେଲ ରଙ୍ଗ ବଜାରରୁ ସ୍ଥାନୀୟ ଲୋକଙ୍କ ବ୍ଯତୀତ ବିଭିନ୍ନ ଅଞ୍ଚଳର ଖୁଚୁରା ବ୍ଯବସାୟୀ ରଙ୍ଗ କିଣିଥାନ୍ତି । ଚଳିତ ବର୍ଷ ହର୍ବାଲ ରଙ୍ଗ କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ଏଥିସହ ଛୋଟ ପିଲାଙ୍କ ପାଇଁ ବଜାରକୁ ଆସିଥିବା ପୁଷ୍ପା କୁରାଢ଼ୀ, ତ୍ରିଶୂଳ, ହାତୁଡି ଭଳି ପିଚକାଳୀ ପିଲାଙ୍କୁ ବେଶ ଆକୃଷ୍ଟ କରୁଛି ।
ସାଲେପୁର ବ୍ଲକରେ ପାଗଳ ମାଙ୍କଡ଼ ଆତଙ୍କ, ୧୦ରୁ ଅଧିକ ଜଣଙ୍କୁ କାମୁଡ଼ିଲାଣି..
ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲାର ସାଲେପୁର ବ୍ଲକରେ ପାଗଳ ମାଙ୍କଡ଼ ଆତଙ୍କ । ସାଲେପୁରର ରାମକୃଷ୍ଣପୁର ପଞ୍ଚାୟତ ଓ ମହଣ ପଞ୍ଚାୟତର ବାଲିସମଳା, ହୀରାପୁର, ପୁରଣ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ାରେ ୧୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନେ କଟକ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଏବେ ବି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପାଗଳ ମାଙ୍କଡ଼ ଭୟରେ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଘରୁ ଗୋଡ଼ କାଢ଼ିଲେ ସାଙ୍ଗରେ ଠେଙ୍ଗା ଧରି ବାହାରିବାକୁ ପଡୁଛି । ବନ ବିଭାଗ ପାଗଳ ମାଙ୍କଡ଼କୁ କାବୁ କରି ଜଙ୍ଗଲରେ ଛାଡ଼ିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଅନ୍ୟପଟେ ନନ୍ଦନକାନନରୁ ସ୍ୱତନ୍ତ୍ର ଟିମ୍ ଆସି ଟ୍ରାଙ୍କୁଲାଇଜ୍ କରି ପାଗଳ ମାଙ୍କଡ଼କୁ କାବୁ କରିବ । ଏହାଛଡା ଅନ୍ୟ ଉପାୟ ନାହିଁ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି।
ରାଜ୍ୟରେ ଅସହ୍ୟ ହେଲାଣି ଖରା, ୩୮ ଡିଗ୍ରୀ ଟପିଲା ୪ ସହରର ତାପମାତ୍ରା
ନନ୍ଦିଘୋଷ ବ୍ୟୁରୋ: ୩୮ ଡିଗ୍ରୀ ଟପିଲା ୪ ସହରର ତାପମାତ୍ରା। ଆସନ୍ତାକାଲି ୧୫ ଓ ୧୬ ତାରିଖ ପାଇଁ ପଶ୍ଚିମ ଓଡ଼ିଶାକୁ ଆଲର୍ଟ ଜାରି ହୋଇଛି। ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀରକୁ ଆଲର୍ଟ ଜାରି ହୋଇଛି। ଦିନ ୨ଟା ପରେ ବଢ଼ିବ ଅସମ୍ଭାଳ ତାତି। ସମ୍ବଲପୁରର ତାପମାତ୍ରା ୩୮.୬ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ା ୩୮.୪, ରାଉରକେଲା ୩୮.୪ ଓ ହୀରାକୁଦ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ଅସହ୍ୟ ହେଲାଣି ଖରା । ଏବେଠାରୁ ବାହାରକୁ ବାହାରିଲା କଷ୍ଟ ହୋଇ ଯାଉଛି ।
ପାକିସ୍ତାନର ଟ୍ରେନ ହାଇଜାକ୍ ଘଟଣା : ୧୮୦ ଜଣ ପାକିସ୍ତାନୀ ସୈନିକଙ୍କୁ ଟକ୍କର ଦେଲେ ୬୦ ଜଣ..
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଟ୍ରେନ୍ ହାଇଜାକ୍ ଘଟଣା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ୫୦୦ ଜଣ ଯାତ୍ରୀ ଥିବା ଏହି ଟ୍ରେନକୁ ହାଇଜାକ କରାଯାଇଥିବାବେଳେ ଏଥିରେ ୧୮୦ ଜଣ କେବଳ ପାକିସ୍ତାନୀ ସେନା କର୍ମଚାରୀ ଥିଲେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ଟ୍ରେନକୁ ହାଇଜାକ କରିଥିଲେ ମାତ୍ର ୬୦ ଜଣ ବିଦ୍ରୋହୀ । BLA ସଂଗଠନର ଏହି ୬୦ ଜଣ ବେଶ ସାହାସିକତାର ସହ ପାକିସ୍ତାନୀ ସେନାକୁ ସାମ୍ନା କରିଥିଲେ । ତେବେ ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ କି, ଏହି BLA ସଂଗଠନରେ ରହିଥିବା ଯୁବକମାନେ କେତେ ଶକ୍ତିଶାଳି । ତେବେ BLAର ବିଦ୍ରୋହୀ ମାନେ ସ୍ବାଧିନତା ପାଇଁ ପାକିସ୍ତାନ ସହ ଲଢ଼ୁଛନ୍ତି । ଏମାନେ ବହୁ ଶକ୍ତିଶାଳି ହୋଇଥିବାବେଳେ ବାରମ୍ବାର ଏଭଳି ଆକ୍ରମଣ କରିବା ଜାରି ରଖିଛନ୍ତି । ସେପଟେ ଚୀନ ବଳରେ ବଳିୟାନ ଦେଖାଉଥିବା ପାକିସ୍ତାନକୁ ମଧ୍ୟ ଏମାନେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ଏପରିକି ଚୀନକୁ ମଧ୍ୟ ଚେତାବନୀ ଦେଇଛନ୍ତି ।
ଚାରି ନାବାଳକ ପିଲାଙ୍କୁ କ୍ଷୀରରେ ବିଷ ଦେଇଦେଲା ବାପା
ନନ୍ଦିଘୋଷ ବ୍ୟୁରୋ: ବିହାରର ଭୋଜପୁର ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ଚାରି ନାବାଳକ ପିଲାଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି, ଯାହା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ସେ ଏବଂ ତାଙ୍କ ସାନ ପୁଅ ଚିକିତ୍ସାଧୀନ ଅଛନ୍ତି, ପୋଲିସ ବୁଧବାର ଦିନ କହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ବିହିୟାନ୍ ଥାନା ସୀମା ଅନ୍ତର୍ଗତ ବଲୱାନିଆ ଗାଁରେ ଥିବା ତାଙ୍କ ଘରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟୀ ଅରବିନ୍ଦ କୁମାର ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ ପିଲାମାନଙ୍କୁ ଖାଇବାକୁ ଦେଇଥିବା ଜଣାପଡ଼ିଛି।
ବୁଧବାର ଦିନ ଏହି ଘଟଣା ଜଣାପଡ଼ିଲା ଯେତେବେଳେ ସମ୍ପର୍କୀୟମାନେ ଅରବିନ୍ଦଙ୍କ କୋଠରୀ ଭିତରୁ ବନ୍ଦ ଥିବା ଦେଖିଲେ। କବାଟ ଭାଙ୍ଗି ସେମାନେ ଅରବିନ୍ଦ ଏବଂ ତାଙ୍କର ଚାରି ପିଲା – ଦୁଇ ପୁଅ ଏବଂ ଦୁଇ ଝିଅ – ବିଛଣାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଲେ। ପୀଡିତମାନଙ୍କୁ ତୁରନ୍ତ ଆରାର ସଦର ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପହଞ୍ଚିବା ମାତ୍ରେ ତିନି ଜଣ ପିଲାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅରବିନ୍ଦ ଏବଂ ତାଙ୍କ ପୁଅ ଆଦର୍ଶ କୁମାର (୫) ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ପୀଡିତମାନେ କୀଟନାଶକ ଖାଇଥିଲେ। “ମୃତକଙ୍କ ଭିସେରା ସଂରକ୍ଷିତ ରଖାଯାଇଛି ଏବଂ ପରୀକ୍ଷା ପାଇଁ ପାଟନାର ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଯିବ,” ସରକାରୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ପିତା-ପୁତ୍ରଙ୍କ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି। ମୃତକମାନେ ନନ୍ଦିନୀ କୁମାରୀ (୧୨), ଡଲି (୫) ଏବଂ ଟୋନି କୁମାର (୬) ବୋଲି ଚିହ୍ନଟ ହୋଇଛନ୍ତି। ଘଟଣା ସମୟରେ ପରିବାରର ଅନ୍ୟ ସଦସ୍ୟ ଏକ ବିବାହ ଉତ୍ସବରେ ବ୍ୟସ୍ତ ଥିଲେ ବୋଲି ସମ୍ପର୍କୀୟମାନେ ପୋଲିସକୁ ସୂଚନା ଦେଇଥିଲେ।
ଗତ ବର୍ଷ ଅରବିନ୍ଦଙ୍କ ସ୍ତ୍ରୀ ତାଙ୍କ କୋଠାର ଉପର ମହଲାରୁ ପଡ଼ି ମୃତ୍ୟୁବରଣ କରିଥିଲେ। ବିହିୟାନ୍ ପୋଲିସ ଷ୍ଟେସନରେ ନିୟୋଜିତ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହି ଦୁଃଖଦ ଘଟଣା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।”ବାସିନ୍ଦାମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ଅରବିନ୍ଦ ଗଭୀର ମାନସିକ ଅବସାଦରେ ପଡ଼ିଥିଲେ। “ସେ ହୁଏତ ମାନସିକ ଅବସାଦରୁ ନିଜ ଏବଂ ତାଙ୍କ ନାବାଳକ ପିଲାମାନଙ୍କର ଜୀବନକୁ ଶେଷ କରିବାକୁ ଚେଷ୍ଟା କରିଥାଇପାରନ୍ତି,” ଜଣେ ନିକଟ ସମ୍ପର୍କୀୟ ମନୋଜ କୁମାର କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅରବିନ୍ଦ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ତାଙ୍କ ପିଲାମାନଙ୍କୁ କୀଟନାଶକ ମିଶ୍ରିତ ଖାଦ୍ୟ ଖୁଆଇଥିଲେ। ଏହି ଘଟଣା ଗାଁକୁ ସ୍ତବ୍ଧ କରିଦେଇଛି, ଖବର ଶୁଣିବା ପରେ ଅରବିନ୍ଦଙ୍କ ଘର ବାହାରେ ବହୁ ସଂଖ୍ୟକ ଲୋକ ଜମା ହୋଇଛନ୍ତି।
ସରିଲା କଂଗ୍ରେସ ବୈଠକ, ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ପ୍ରସଙ୍ଗ। ଆସନ୍ତା ୨୭ରେ ବିଧାନସଭା ଘେରାଇ କରିବାକୁ କଂଗ୍ରେସ ବୈଠକରେ ନିଷ୍ପତ୍ତି। ମହିଳାଙ୍କ ସୁରକ୍ଷା ଅଧିକାର ପାଇଁ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ବିରୋଧରେ ବିଧାନସଭା ଘେରାଉ କରିବ କଂଗ୍ରେସ। ସରକାର ଲାଠି ଚଲାନ୍ତୁ କି ବିଧାୟକଙ୍କୁ ବି ଜେଲରେ ଭର୍ତ୍ତି କରନ୍ତୁ। କଂଗ୍ରେସ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ। ଏଥିସହିତ କଂଗ୍ରେସ ସଂଗଠନର ରୂପରେଖ କଣ ହେବ ଓ କାର୍ଯ୍ୟକ୍ରମ କଣ ହେବ ତାକୁ ନେଇ ହୋଇଛି ନିଷ୍ପତ୍ତି। ଗରିବ ଶୋଷିତ କୃଷକଙ୍କ ସ୍ୱର ହେବ କଂଗ୍ରେସ।ବିଜେପିର ଆଠ ମାସର ସରକାର ଭିତରେ ମହିଳା ବିରୋଧୀ ହିଂସା ବ୍ୟାପକ ହୋଇଛି।୧୮ ହଜାର ମହିଳାଙ୍କ ଉପରେ ନିର୍ଯାତନା ହୋଇଛି। କିନ୍ତୁ ମାତ୍ର ଏକ ପ୍ରତିଶତ ରିପୋର୍ଟ ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ। କିନ୍ତୁ ଜବାବ ଦେବା ବଦଳରେ କାଲି ବିଧାନସଭାରେ ଲୋକତନ୍ତ୍ରର କଳା ଅଧ୍ୟାୟ ଘଟିଲା। ଗଣତନ୍ତ୍ରର ହତ୍ୟା କରାଗଲା। ଯାହାକୁ ନେଇ କଂଗ୍ରେସର ବୈଠକରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଛି ।

