spot_img
Home Blog Page 915

ଗେଲ ଇଣ୍ଡିଆକୁ ଏନଜିଟି ଛାଟ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିନା ଅନୁମତିରେ ଭୁବନେଶ୍ବରରେ କେମିତି ଚାଲିଛି ସିଏନଜି ଷ୍ଟେସନ ନିର୍ମାଣ ?

ଭୁବନେଶ୍ବର: ନିଜ ନିୟମ ନିଜେ ପାଳନ କଲାନି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ । ଜିଲ୍ଲାପାଳଙ୍କ ଅନୁମୋଦନ ନାହିଁ, ତଥାପି ରାଜଧାନୀର ଚନ୍ଦ୍ରଶେଖରପୁର ଆବାସିକ ଅଞ୍ଚଳରେ GAIL ଇଣ୍ଡିଆ ନିର୍ମାଣ କରୁଥିଲା ସିଏନଜି ଷ୍ଟେସନ୍ ? ସ୍ଥାନୀୟ ଅଞ୍ଚଳରେ ବିରୋଧ ସତ୍ତ୍ବେ ନିର୍ମାଣ କାର୍ଯ୍ୟ ଜାରି ରହିବାରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT)ରେ ରୁଜୁ ହୋଇଛି ମାମଲା । NGT ନିର୍ଦ୍ଦେଶ ପରେ ଏବେ ଖୋର୍ଦ୍ଧା ଜିଲ୍ଲାପାଳ କାମ ବନ୍ଦ କରିବା ସହ ୭ ଦିନ ଭିତରେ ଜବାବ ରଖିବାକୁ ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେପଟେ ପେଟ୍ରୋଲଠାରୁ ଅଧିକ ଦହନଶୀଳ ସିଏନଜି ଷ୍ଟେସନ୍ ପ୍ରତିଷ୍ଠା ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ GAILକୁ ଏନଜିଟି ଛାଟ । ଜିଲ୍ଲାପାଳଙ୍କ ଅନୁମୋଦନ ନଥାଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚାଲିଥିଲା ଷ୍ଟେସନ ନିର୍ମାଣ । ଏନଜିଟିଙ୍କ ନିର୍ଦ୍ଦେଶରେ କାମ ବନ୍ଦ କଲେ ଖୋର୍ଦ୍ଧା ଜିଲ୍ଲାପାଳ । କାହିଁକି ଓ କେମିତି ଜିଲ୍ଲାପାଳଙ୍କଠାରୁ ମଞ୍ଜୁରୀ ନନେଇ ଗେଲ୍ ଇଣ୍ଡିଆ ନିର୍ମାଣ କରୁଛି ସେ ନେଇ ୭ ଦିନ ଭିତରେ ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସିଏନଜି ଷ୍ଟେସନ୍କୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । GAIL ଇଣ୍ଡିଆ କାମ ଆରମ୍ଭ କରିବା ଦିନଠୁ ବିରୋଧ ହୋଇ ଆସୁଛି । ଅଥଚ ତାକୁ ଅଣଦେଖା କରି ଚାଲିଛି ଗେଲ୍ ଇଣ୍ଡିଆ । ଅଭିଯୋଗ ହୋଇଛି, ଭୁବନେଶ୍ବର ରାଜଭବନ ଛକରେ ଥିବା ପେଟ୍ରୋଲ ପମ୍ପରେ ଟାଙ୍କି ଫାଟିବା ଘଟଣା ହେଉ କି ନୟାଗଡ଼ ଘଟଣା । କମ୍ପ୍ରେସର ଫାଟି ଜୀବନ ଯିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ସିଏନଜି ଓ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ନିୟମ କଲେ । ପେଟ୍ରୋଲ ପମ୍ପ ହେଉକି ସିଏନଜି ଗ୍ୟାସ୍ ଷ୍ଟେସନ । ଆବାସିକ ଅଞ୍ଚଳର ୫୦ ମିଟର ବାହାରେ ଏପରି ଦହନଶୀଳ ଷ୍ଟେସନ ପ୍ରତିଷ୍ଠା ହୋଇପାରିବ । କିନ୍ତୁ ଯେ କୌଣସି ସ୍ଥିତିରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁମତି ନନେଇ ନିର୍ମାଣ କରାଯାଇପାରିବନି । ଭୁବନେଶ୍ବରରେ ନିର୍ମାଣାଧୀନ ସିଏନଜି ଷ୍ଟେସନ୍ ପାଇଁ GAIL ଇଣ୍ଡିଆ ୫୦ ମିଟର ନିୟମ ପାଳନ କରିନି କି ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିନି । ଅଥଚ ସ୍ଥାୟୀ ବାସିନ୍ଦାଙ୍କ ପାଚେରୀକୁ ଲାଗି କରି ସିଏନଜି ଷ୍ଟେସନ୍ ନିର୍ମାଣ କରୁଛନ୍ତି GAIL ଇଣ୍ଡିଆ କର୍ତ୍ତୃପକ୍ଷ । ଖୋଦ ନିଜ ମନ୍ତ୍ରାଳୟର ନିୟମକୁ GAIL କର୍ତ୍ତୃପକ୍ଷ ଉଲ୍ଲଂଘନ କରିଥିବା ଆବେଦନକାରୀଙ୍କ ଓକିଲ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ୩ ଶହ ଡିସିମିଲ ଜାଗାରେ ନିର୍ମାଣ ଚାଲିଛି ସିଏନଜି ଷ୍ଟେସନ୍ । ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସବୁ ମହଲରୁ ଏହାକୁ ସ୍ଥାନାନ୍ତର ପାଇଁ ଦାବି ଉଠୁଛି । କିନ୍ତୁ କ’ଣ ପାଇଁ GAIL ଇଣ୍ଡିଆ କର୍ତ୍ତୃପକ୍ଷ ସବୁ ନିୟମକୁ ଦଳିମକଚି ଦେଉଛନ୍ତି ତାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି । ମେ’ ୩୦ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ରହିଛି ।

ରାଜ୍ୟସଭାରେ ପୁଣି ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ଉଠାଇଲା ବିଜେଡି

ଭୁବନେଶ୍ବର: ରାଜ୍ୟସଭାରେ ପୁଣି ଓଡିଶାର ହକ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଛି ବିଜେଡି । ଦଳୀୟ ସାଂସଦ ସସ୍ମିତ ପାତ୍ର ବଜେଟ ସଂପର୍କୀତ ବିତର୍କରେ ଅଂଶ ଗ୍ରହଣ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ରାଜ୍ୟବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ହେଲେ କେନ୍ଦ୍ର ସରକାର ସେ ଦିଗରେ କର୍ଣ୍ଣପାତ କରୁନାହାଁନ୍ତି । ଏହାସହ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ରାଜ୍ୟସଭାରେ ଉଠାଇଛନ୍ତି ସସ୍ମିତ । ଗୋଟିଏ ପଟେ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦର ବୃଦ୍ଧି ହୋଇଥିବା ବେଳେ, ବେକାରୀ ଓ କର ବୋଝ ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଦରଦାମ ନିୟନ୍ତ୍ରଣକୁ ଆଣିବାକୁ ସେ ଦାବି କରିଛନ୍ତି ।

କୋଇଲା ରୟାଲଟି ଓ ଗ୍ରୀନ୍ ଟ୍ୟାକ୍ସ କ୍ଷେତ୍ରରେ ସଂସ୍କାର ଅଣାଯିବା ସହ, ଓଡିଶାର ଯେଉଁ ଜିଲ୍ଲା ଗୁଡିକରେ କୋଇଲା ଖଣି ରହିଛି, ସେହି ଜିଲ୍ଲାଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଆଞ୍ଚଳିକ ବିକାଶ ପାଣ୍ଠି ଯୋଗାଇ ଦିଆଯାଉନାହିଁ । କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସସ୍ମିତ ଦାବି କରିଛନ୍ତି ।

ଗଙ୍ଗାଜଳ ପଲିଟିକ୍ସ, ପବିତ୍ର ହେଲା ବିଧାନସଭା: ଭିତରେ ଓ ବାହାରେ ବିଜେଡି ସଦସ୍ୟଙ୍କ ଗଙ୍ଗାଜଳ ସିଞ୍ଚନ

ଭୁବନେଶ୍ବର: ପବିତ୍ର ବିଧାନସଭାକୁ ଅପବିତ୍ର କରିଛି ବିଜେପି । ବିଧାନସଭାରେ କେବେ ପୋଲିସ ପଶି ନଥିଲା କି ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରି ନଥିଲା । ହେଲେ ବିଜେପି ସରକାରରେ ଏହା ଘଟିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡି ବିଧାୟକ ।

ବିଧାନସଭା  ଅପବିତ୍ର ହୋଇଛି । ଗୃହ ଭିତରେ ବାହାର ଲୋକ ପଶିଛନ୍ତି । ବିଧାୟକଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି । ଶାସକ ଦଳର କଥାରେ ପଡି ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୃହକୁ ବିଧାୟକମାନେ ଯିବା ଆସିବା କରିବା ସମୟରେ ବାଧା ଦେଇଛି । ବିଧାୟକଙ୍କୁ ମାଡ ମଧ୍ୟ ମରାଯାଇଛି । ଲୁଟ୍ ବି ହୋଇଛି । ବିଧାନସଭାର ବର୍ଷ ବର୍ଷର ପରମ୍ପରାକୁ ଭଙ୍ଗ କରାଯିବା ସହ ଗୃହକୁ ଅପବିତ୍ର କରାଯାଇଛି  । ଏପରି ଅଭିଯୋଗ ଆଣି ଗୁରୁବାର ବିଧାନସଭା ଭିତରେ ଓ ବାହାରେ ବିଜେଡି ବିଧାୟକମାନେ ଗଙ୍ଗାଜଳ ସିଞ୍ଚି ବିଧାନସଭାକୁ ପବିତ୍ର କରିଛନ୍ତି । ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରି ଗୃହ ମଧ୍ୟରେ ଗଙ୍ଗା ଜଳ ପକେଇ ପ୍ରତିବାଦ କରିଥିଲେ । ଗୃହ ପବିତ୍ର ହେବା ପରେ ବିଜେଡି ବିଧାୟକମାନେ ପ୍ରଶ୍ନକାଳରେ ସାମିଲ ହୋଇଥିଲେ ।

ସେପଟେ ବିଜେଡିର ଅଭିନବ ପ୍ରତିବାଦ ପରେ ତେଜିଛି ଗଙ୍ଗାଜଳ ରାଜନୀତି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ବିଜେପି ବିଧାନସଭାରେ ଏକଛତ୍ରବାଦ୍ ଶାସନ ଚଳାଇଛି । ଗୁଣ୍ଡାଗର୍ଦ୍ଦି ଆରମ୍ଭ କରୁଛି । ଏହା ବିରୋଧରେ ବିଜେଡି ସ୍ୱର ଉତ୍ତୋଳନ କରିଛି ଓ କରିବ । ବଜେଟ ଅଧିବେଶନରେ ବିଧାନସଭା ପରିଚାଳନା ସଠିକ୍ ଭାବେ ହୋଇପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଶାସକ ଦଳକୁ ଘେରିଛନ୍ତି । ଅଭିନବ ପ୍ରତିବାଦ କରି ଶାସକ ଦଳକୁ ଚେତାଇ ଦେଇଛନ୍ତି ବିରୋଧୀ ।

ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି: SC/ST ଓ OBCଙ୍କୁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ସମାନ ସଂରକ୍ଷଣ ଦାବି

ଭୁବନେଶ୍ବର: ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ଜନସଂଖ୍ୟା ଅନୁପାତରେ ଡାକ୍ତରୀ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ବିଜେଡିର ଦାବି । ଡବଲ ଇଞ୍ଜିନ ସରକାରରେ ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ନେଇ କମ୍ପିଲା ବିଧନାସଭା । ପଛୁଆ ବର୍ଗ ଉପେକ୍ଷିତ ହୋଇଥିବା କହିଛି ବିଜେଡି । ନୂଆ ସରକାର ଆସିବା ପରେ ଜନସଂଖ୍ୟା ଅନୁସାରେ ସଂରକ୍ଷଣ ଓ ଜାତିଭିତ୍ତିକ ଜନଗଣନା କରିବାକୁ ମୁଲତବି ପ୍ରସ୍ତାବରେ ଦାବି କରିଛି ବିଜେଡି । ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତିକି ଦେବାକୁ ଦାବି କରିଛି ବିଜେଡି । ସେପଟେ ଶାସକ ଦଳର ଚିରାଚରିତ ଭାବେ ଉତ୍ତର ଦେଇ କହିଛି ତର୍ଜମା ଚାଲିଛି ।

SC/ST ଓ ପଛୁଆ ବର୍ଗଙ୍କ ପ୍ରତି ଅନ୍ୟାୟ । ସରଂକ୍ଷଣ ନେଇ ବିଧାନସଭାରେ ବିଜେଡିର ଗର୍ଜନ । ଯାହାର ଯେତେ ଜନସଂଖ୍ୟା ତାକୁ ସେତିକି ଭାଗ ଦିଅ । ଅନୂସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୯୪ ପ୍ରତିଶତ । ଏଥିରୁ SC ଓ STଙ୍କ ସଂଖ୍ୟା ହେଉଛି ୪୯. ୯୮ ପ୍ରତିଶତ । ହେଲେ ତାଙ୍କୁ ସଂରକ୍ଷଣ ମିଳୁଛି ମାତ୍ର ୩୮.୭୫ ପ୍ରତିଶତ । ପୂର୍ବରୁ ୨୦ ପ୍ରତିଶତ ମିଳୁଥିଲା । ନବୀନ ପଟ୍ଟନାୟକ ଶାସନ କାଳରେ ଏହାକୁ ୩୮.୭୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ହେଲେ ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । ୧୨ ପ୍ରତିଶତ ST ଓ ୮ ପ୍ରତିଶତ SC ଙ୍କ ପାଇଁ ସଂରକ୍ଷଣ ରହୁଛି । ତେବେ କାହିଁକି ୪୯.୯୮ ପ୍ରତିଶତ ମିଳିବ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ମୁଲତବୀ ପ୍ରସ୍ତାବରେ ଭାଗ ନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ଅରୁଣ ସାହୁ ଅନ୍ୟ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ ବୋଲି କହିଥିଲେ । ଚଳିତବର୍ଷରୁ ଶିକ୍ଷା ଓ ନିଯୁକ୍ତିରେ ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ବିଜେଡି ଦାବି କରିଛି । ତେବେ ମୁଲତବୀ ପ୍ରସ୍ତାବରେ ବିଭାଗୀୟ ମନ୍ତ୍ରୀ ଏହାକୁ ଏଡାଇ ଯାଇଥିଲେ । ପଛୁଆ ବର୍ଗଙ୍କୁ ନିଯୁକ୍ତିରେ ୧୧. ୨୫ ପ୍ରତିଶତ ସଂରକ୍ଷଣ ମିଳୁଛି ।ହେଲେ ଶିକ୍ଷାରେ ସଂରକ୍ଷଣ ନାହିଁ । SC/ST ଓ OBCଙ୍କ ଭବିଷ୍ୟତ ଅନ୍ଧାରକୁ ଗଲାଣି ବୋଲି ଅଭିଯୋଗ କରିଛି ବିଜେଡି ।

ବିରୋଧୀରେ ଥିବା ସମୟରେ ପଛୁଆ ବର୍ଗଙ୍କ ଅଧିକାର ପାଇଁ ବିଜେପି ସ୍ୱର ଉଠାଉଥିଲା । ହେଲେ ଏବେ ସରକାରକୁ ଆସିବା ପରେ ତୁଣ୍ଡରେ ତୁଣ୍ଡି ପଡ଼ିଛି । ଗୃହରେ ମୁଲତବୀ ପ୍ରସଙ୍ଗରେ ସଂରକ୍ଷଣ କଥା ଉଠାଇଥିଲା ବିଜେଡି । SC/ST ଙ୍କୁ ସଂରକ୍ଷଣ ୩୮.୭୫ ପ୍ରତିଶତ ଥିବାବେଳେ ସେମାନଙ୍କୁ ଶିକ୍ଷାରେ ୨୦ ପ୍ରତିଶତ ମିଳୁଛି । ସେମାନଙ୍କୁ ୩୮.୭୫ ପ୍ରତିଶତ ସଂରକ୍ଷଣ ମିଳୁ । ଉଚ୍ଚବର୍ଗର ଗରିବ ପିଲାଙ୍କୁ ମାତ୍ର ୬ ପ୍ରତିଶତ ଥିବାବେଳେ ସେମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦାବି କରିଛି ଦଳ ।

ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଂଜିନ ସରକାର, ହେଲେ ଏହି ପ୍ରସଙ୍ଗରେ ଉତ୍ତର ସ୍ପଷ୍ଟ କରୁନାହାନ୍ତି । ନାମଲେଖାରେ ସଂରକ୍ଷଣ ମିଳିବ ନା ନାହିଁ ଜଣାପଡୁନି । ସେପଟେ ଏହାର ଜବାବ ରଖିଛି ବିଜେପି । ସୁପ୍ରିମକୋର୍ଟ ୫୦ ପ୍ରତିଶତ ମଧ୍ୟରେ ସଂରକ୍ଷଣ ସୀମିତ ରଖିବାକୁ ନିଷ୍ପତ୍ତି ଶୁଣାଇଛନ୍ତି । ସଂରକ୍ଷଣ ନେଇ ତର୍ଜମା ଚାଲିଛି ବୋଲି କହିଛି ବିଜେପି ।

ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ମୁଲତବୀ ପ୍ରସ୍ତାବରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରରେ ବିଜେପି କ୍ଷମତାରେ ଥିଲା, ଏବେ ଡବଲ ଇଂଜିନ ସରକାର । ସବୁ ବର୍ଗକୁ ସମାନ ଅଧିକାର ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ବିରୋଧରେ ରାଜଧାନୀରେ ଖଣ୍ଡପ୍ରଳୟ, କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ରାଜଧାନୀରେ ଖଣ୍ଡପ୍ରଳୟ । ପିଏମଜି ପାଲଟିଲା ରଣକ୍ଷେତ୍ର । ବାଜିଲା ଲାଠି, ଉଡିଲା ଚେୟାର, ପାଣି ମାଡ଼, ଗ୍ୟାସ ମାଡ଼ ସହ ଫୁଟିଲା ରବର ଗୁଳି । ଆଜି ଏମିତି କିଛି ଚିତ୍ର ଥିଲା ପିଏମଜି ଛକରେ । ରାଜ୍ୟ ସରକାରଙ୍କ ମନମାନୀ ବିରୋଧରେ କଂଗ୍ରେସ ପକ୍ଷରୁ କରାଯାଇଥିବା ସମାବେଶରେ ରକ୍ତମୁଖା ହୋଇଥିଲା ପୋଲିସ । ଲାଠିଚାର୍ଜରେ ଆହତ ହୋଇଛନ୍ତି ଅନେକ କଂଗ୍ରେସ କର୍ମୀ । ବିଜେପି ସରକାରର ଏକଛତ୍ରବାଦ ବିରୋଧରେ ହୋଇଥିବା ଗର୍ଜନ ଆଗକୁ ଅଧିକ ଶାଣିତ ହେବ ବୋଲି କହିଛନ୍ତି ଦଳର ନେତା ।

ଦିନ ଦଶଟା । ଭୁବନେଶ୍ୱରର ଲୋୟର ପିଏମଜି ଅଭିମୁଖେ ମାଡି ଚାଲିଲେ ହଜାର ହଜାର କଂଗ୍ରେସ କର୍ମୀ । ହାତରେ ଦଳୀୟ ପତାକା, ନାରୀ ନିର୍ଯାତନା ଓ ବିଜେପି ସରକାର ବିରୋଧୀ ପ୍ଲାକାର୍ଡ । ରାଜ୍ୟ ବିଜେପି ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ଓ ନାରୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ଗର୍ଜିଥିଲେ କଂଗ୍ରେସ ନେତା । ଶହ ଶହ ପୋଲିସ ବିଧାନସଭା ଚାରି ପଟେ ବ୍ୟାପକ ବ୍ୟାରିକେଡ ଲଗାଇ ଜଗି ରହିଥିଲେ । ହେଲେ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା ବିରୋଧରେ ଭୀମ ଗର୍ଜନ କରି ଆଗେଇ ଚାଲିଥିଲେ କଂଗ୍ରେସ କର୍ମୀ ।

ଦିନ ପ୍ରାୟ ଗୋଟାଏ । କଂଗ୍ରେସ କର୍ମୀଙ୍କ ସାମାନ୍ୟ ଠେଲାପେଲା ପରେ ହଠାତ ଆଗ୍ରେସିଭ ହୋଇଥିଲା ପୋଲିସ । କଂଗ୍ରେସ କର୍ମୀଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଥିଲା ରକ୍ତମୁଖା ପୋଲିସ । ନିରୀହ କର୍ମୀଙ୍କ ଉପରେ ପୋଲିସର ବର୍ବର କାଣ୍ଡ ପରେ ଛିନଛତ୍ର ହୋଇଯାଇଥିଲେ କର୍ମୀ । ପୋଲିସର ଆକ୍ରମଣକୁ କାଉଣ୍ଟର କରି କ୍ରୋଧିତ ହଜାର ହଜାର କର୍ମୀ ସିନେମା ଷ୍ଟାଇଲରେ ଚେୟାର ଉଡାଇ ଉଡାଇ ବ୍ୟାରିକେଡ ଆଡ଼କୁ ମାଡି ଆସିଥିଲେ । ସ୍ଥିତି ଭୟଙ୍କର ରୁପ ନେଉଥିଲା । ଚେୟାର ପରେ ପରେ ଟେକା, ପଥର ଓ କାଚ ମାଡ଼ ଆରମ୍ଭ ହୋଇଥିଲା । ଏପରିକି ଅଣ୍ଡା ମାଡ଼ ବି ହୋଇଥିଲା । ପୋଲିସ ଆହୁରି ପ୍ରତିକ୍ରିୟାଶୀଳ ହୋଇ ପାଣି ମାଡ଼ କରିବା ପରେ ତଳେ ପଡିଯାଇଥିଲେ ନେତା ଓ କର୍ମୀ । କେବଳ ଏତିକି ନୁହେଁ ପୋଲିସ ପ୍ରୟୋଗ କରିଥିଲା ଲୁହ ବୁହା ଗ୍ୟାସ ଓ ରବର ଗୁଳି । ପୋଲିସ ଆକ୍ରମଣରେ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଲିସକୁ ଗୁଣ୍ଡା ସଜାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହା ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି । ଆଗକୁ କଂଗ୍ରେସ ଏହାର ଜବାବ ଦେବ ବୋଲି ଚେତାଇ ଦିଆଯାଇଛି ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା, ଯୁବ, ଛାତ୍ର, ମହିଳ ନେତ୍ରୀ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ମଧ୍ୟ ବସିବାକୁ ଦେଇ ନଥିଲା । ବରିଷ୍ଠ କଂଗ୍ରେସ ନେତାଙ୍କଠାରୁ ଆରମ୍ଭ କରି ମହିଳା ନେତ୍ରୀଙ୍କୁ ଟେକି ନେଇ ଗିରଫ କରିଥିଲା । ଜବରଦସ୍ତ ଉଠାଇବା ଆଳରେ ପୋଲିସ ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିଧାନସଭାରେ ନାରୀ ନିର୍ଯାତନା ପ୍ରସଙ୍ଗରେ ନ୍ୟାୟ ମାଗୁଥିବା କଂଗ୍ରେସ ନେତା ଓ ନେତ୍ରୀଙ୍କୁ ଖୋଦ ପୋଲିସ ମାଡ଼ ମାରିବା ସହ ଅସଦାଚରଣ କରିବା ସରକାରଙ୍କ ଆଭିମୁଖ୍ୟକୁ ପ୍ରକାଶ କରିଛି ।

ରାଜ୍ୟରେ ବର୍ଦ୍ଧିତ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭା ଓ ରାଜରାସ୍ତାରେ ଆକ୍ରମଣତ୍ମକ ଆଭିମୁଖ୍ୟ ଆପଣାଇଛି । ଆଜିର ଆନ୍ଦୋଳନ ଦଳର କମବ୍ୟାକ ପ୍ଲାନ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି ।

ସରକାର ବଦଳିବା ପରେ ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁକୁ ସଂଯୋଗ କରୁଥିବା ପୋଲ କାମ ବନ୍ଦ

କୋରାପୁଟ: ଅବହେଳିତ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ନଣ ନାୟକଙ୍କ ଗାଁ ତେନ୍ତୁଳିଗୁମ୍ମା । ଗାଁକୁ ଯିବାକୁ ନାହିଁ ରାସ୍ତା । ତେନ୍ତୁଳିଗୁମା ଗାଁଠାରୁ ବୈପାରିଗୁଡା ବ୍ଲକ ଯିବା ବେଳେ ବାଟରେ ପଡୁଛି ଏକ ନଦୀ । ପୂର୍ବର ବିଜେଡି ସରକାର ଥିବା ବେଳେ ଉକ୍ତ ଦନୀ ଉପରେ ପୋଲି କାମ ଆରମ୍ଭ ହୋଇଥିଲା । ହେଲେ ସରକାର ବଦଳିବା ପରେ କାମ ଠପ୍ ହୋଇଯାଇଛି । ଫଳରେ ତହସିଲ୍ ହେଉ କିମ୍ବା ବ୍ଲକରେ କାମ ପଡ଼ିଲେ ପ୍ରାୟ ୭୦ କିମି ଲୋକଙ୍କୁ ଆସିବାକୁ ପଡୁଛି ।

ଆଦିବାସୀ ନେତା ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ତେନ୍ତୁଳିଗୁମ୍ମା । ଗାଁର ବିକାଶ ପାଇଁ ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ଯୋଜନା । ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାକୁ ନଦୀରେ ପୋଲ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ୪ଟି ସ୍ପାନ କାମ ସରିଥିଲା । କିନ୍ତୁ ସରକାର ବଦଳିଯିବା ପରେ କାମ ଏକପ୍ରକାର ଠପ୍ ହୋଇଯାଇଥିବା ଅଭିଯୋଗ ହେଉଛି ।

ଅଭିଯୋଗ ପରେ କାମ ବିଳମ୍ବ କଥା ସ୍ବୀକାର କରିଛନ୍ତି ଉପ ଜିଲ୍ଲାପାଳ । ତେବେ କେଉଁ କାରଣ ପାଇଁ ଏପରି ହୋଇଛି ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏନେଇ ଠିକାଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ରାମ ନବମୀରୁ ଦୁଲୁକିବ ଶ୍ରୀକ୍ଷେତ୍ର: ଏପ୍ରିଲ ୬ରୁ ଆରମ୍ଭ ହେବ ସାହିଯାତ

ପୁରୀ: ରାମ ନବମୀଠାରୁ ଦୁଲୁକିବ ଶ୍ରୀକ୍ଷେତ୍ର । ଏପ୍ରିଲ ୬ରୁ ଆରମ୍ଭ ହେବ ପୁରୀର ସାଂସ୍କୃତିକ ମହାକୁମ୍ଭ ସାହିଯାତ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ରାମଲୀଳାର ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବ ମୁଖର ହେବ ଶ୍ରୀକ୍ଷେତ୍ର । ବୀରବାଦ୍ୟର ତାଳେ ତାଳେ ଜାଗା ଆଖଡାର ଯୁବକମାନେ ବାଦୀ ସାହିରେ ସମରକଳା ପ୍ରଦର୍ଶନ ନେଇ ଆଖଡାମାନଙ୍କରେ ପ୍ରସ୍ତୁତି ଚାଲିଛି ।

ପୁରୀର ପ୍ରତି ସାହିରେ ଦେଖିବାକୁ ମିଳିବ ରାମଲୀଳାର ଦୃଶ୍ୟ । ସମରକଳାରେ କମ୍ପିବ ଶ୍ରୀକ୍ଷେତ୍ର ଦାଣ୍ଡ । ଚୈତ୍ରମାସ ଶୁକ୍ଳପକ୍ଷ ନବମୀଠାରୁ ଆରମ୍ଭ ହେବ ପୁରୀର ସାଂସ୍କୃତିକ ମହାକୁମ୍ଭ । ପରମ୍ପର ଅନୁଯାୟୀ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ସହ ଜଡିତ ଶ୍ରୀକ୍ଷେତ୍ରର ଆଠସାହିରେ ପାରମ୍ପାରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ । ଏପ୍ରିଲ ୬ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଯାତ । ଶ୍ରୀକ୍ଷେତ୍ରର ପ୍ରାଚୀନ ୮ ସାହିର ବାସିନ୍ଦା ୬୦ ଜାଗା ଘର ସୌଜନ୍ୟରୁ ୮ ଆଖଡା ନେତୃତ୍ୱରେ ଅନୁଷ୍ଠିତ ହେବ ଯାତ । ୮ ସାହିର ଜାଗା ଆଖଡାମାନଙ୍କରୁ ପୌରାଣିକ ରାମାୟଣର ଚରିତ୍ର ରାମ, ଲକ୍ଷ୍ମଣ, ସୀତା, ରାବଣ, ପର୍ଶୁରାମ, ହନୁମାନ, ସପ୍ତଶିରା ଓ ନାଗା ମେଢ ଆଦି ସାହି ପରିକ୍ରମା କରିବେ । ଏଥିରେ ପ୍ରତି ସାହିର ମୁରବୀ ଓ ବାସିନ୍ଦାମାନେ ପଟୁଆରରେ ଯୋଗଦେଇ କରି କଳାକୌଶଳ ପ୍ରଦର୍ଶନ କରିବେ ।

ଭାଇଚାରାର ଏହି ପର୍ବକୁ ଶୃଙ୍ଖଳିତ ସମ୍ପନ୍ନ କରିବା ନେଇ ୮ ସାହି ଆଖଡାର ମୁରବୀମାନଙ୍କ ସହ ଆଲୋଚନା କରାଯାଇଛି । ସେପଟେ ସାହିଯାତ ପାଇଁ ୮ ସାହି ଆଖଡା ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଜାଗା ଆଖଡାର ମୁରବୀ ଓ ଗୁରୁମାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ୮ ସାହି ଆଖଡାରେ ଯୁବକମାନେ ୮ରୁ ୧୦ ଘଣ୍ଟା ଧରି ପ୍ରଶିକ୍ଷଣ ନେଉଛନ୍ତି । ପ୍ରାୟ ୩ରୁ ୪ ମାସ ପୂର୍ବରୁ ଯୁବକମାନେ ସ୍ୱତନ୍ତ୍ର ବାଦ୍ୟ ତାଳେ ତାଳେ ନୃତ୍ୟ ଅଭ୍ୟାସ କରୁଛନ୍ତି । ସାହିଯାତ ପାଇଁ ଆବଶ୍ୟକ ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

ଆକ୍ସନ ମୋଡ଼ରେ ସିଏମସି: ପାର୍କିଂ ବ୍ୟବସ୍ଥା ନଥିବା ଘରୋଇ ହସ୍ପିଟାଲଙ୍କୁ ୭ ଦିନ ମହଲତ

କଟକ: କଟକରେ ବିଭିନ୍ନ ଘରୋଇ ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ଯାଞ୍ଚ ଆରମ୍ଭ । ସିଏମସି କମିଶନରଙ୍କ ଦ୍ଵାରା ଗଠିତ ଜଏଣ୍ଟ କମିଟି ସଦସ୍ୟ ଆଜି ମହାନଦୀ ବିହାର ଅଞ୍ଚଳରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ଲାଇସେନ୍ସ ସହିତ ପାର୍କିଂ ଯାଞ୍ଚ କରିଛି । ଦୁଇଟି ହସ୍ପିଟାଲର ପାର୍କିଂ ନଥିବା ଜଣାପଡିଛି । ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷରୁ ୭ଦିନ ମହଲତ ଦେଇଛି ସିଏମସି । ଏହି ଅବଧି ମଧ୍ୟରେ ପାର୍କିଂ ବ୍ୟବସ୍ଥା ନକଲେ ହସ୍ପିଟାଲକୁ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ପାର୍କିଂ ନଥିବାରୁ ସିଡିଏରୁ ସର୍ବକ୍ଷମା ପାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦର୍ଶାଇଥିବାବେଳେ ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

କମିଶନରଙ୍କ ନିର୍ଦ୍ଦେଶ ଜାରି ହେବା ପରେ ଆକ୍ସନ ମୋଡରେ ସିଏମସି । ଘରୋଇ ହସ୍ପିଟାଲ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ଜଏଣ୍ଟ କମିଟି । ଏହି କମିଟି କଟକ ମହାନଦୀ ବିହାର ଅଞ୍ଚଳରେ ବିଭିନ୍ନ ଘରୋଇ ହସ୍ପିଟାଲ ଯାଞ୍ଚ କରିଛି । ପାର୍କିଂ ସହ ଫାୟାର, ଟ୍ରେଡ଼, ୟୁଜର୍ସ, ପଲ୍ୟୁସନ, ସିଡିଏ ପ୍ଲାନ ଆଦି ଯାଞ୍ଚ କରିଛି ଟିମ୍ । ଯାଞ୍ଚ ସମୟରେ ଦୁଇଟି ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ କର୍ତ୍ତୃପକ୍ଷଙ୍କୁ ନୋଟିସ କରିବା ସହ ୭ ଦିନ ମହଲତ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ପାର୍କିଂ ବ୍ୟବସ୍ଥା ନକରନ୍ତି ତେବେ, ହସ୍ପିଟାଲ ସିଲ୍ କରାଯିବାକୁ ଚେତାବନୀ ଦିଆଯାଇଛି ।

ଯାଞ୍ଚକୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସ୍ବାଗତ କରିଛନ୍ତି । ତେବେ ସପୃକ୍ତ ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସିଡିଏରେ ସର୍ବକ୍ଷମା ଆବେଦନ ହୋଇଥିଲା । ୧୫ ଲକ୍ଷ ଟଙ୍କା ଫାଇନ ପରେ ବିଲଡିଂକୁ ଅନୁମତି ମିଳିଥିବା କହିଛନ୍ତି କର୍ତ୍ତୃପକ୍ଷ । ତେବେ ଖୁବଶୀଘ୍ର ପାର୍କିଂ ନେଇ ସୁବିଧା କରାଯିବ ବୋଲି ମାଲିକ କହିଛନ୍ତି ।

ରାଣୀହାଟ, ମଙ୍ଗଳାବାଗ କାଠଗୋଲା, ଯୋବ୍ରା ବଜ୍ରକବାଟି ମହାନଦୀ ବିହାର, ସିଡିଏ ତୁଳସୀପୁର ଆଦି ଅଞ୍ଚଳରେ ମାଳ ମାଳ ହସ୍ପିଟାଲ ଚାଲିଛି । ତେବେ ଅନେକ ହସ୍ପିଟାଲ ବ୍ୟବସାୟ ଆଳରେ ମୌଳିକ ସୁବିଧାକୁ ଭୁଲି ଯାଇଥିବା ଅଭିଯୋଗ ହୋଇଛି ।

ଇଂଲଣ୍ଡ ସିରିଜରେ ଖେଳିବେନି ରୋହିତ, ନିଜ ନାଁ ଦେବାକୁ କଲେ ମାନ !

ନନ୍ଦିଘୋଷ ବ୍ୟୁରୋ: ୬ ମାସରେ ଦୁଇଟି ଆଇସିସି ଟ୍ରଫି ଜିତାଇ ଥିବା ଭାରତୀ ସଫଳ ଅଧିନାୟକ ତଥା ଡିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର । ଯାହା ତାଙ୍କ ପ୍ରଶଂସକଙ୍କୁ କରିଦେବ ନିରାଶ । ଆଗାମୀ ଇଂଲଣ୍ଡ ସିରିଜରେ ଖେଳିବେନି ରୋହିତ । ସିରିଜ ପାଇଁ ନିଜ ନାଁ ଦେବାକୁ ରୋହିତ ମନା କରିଥିବା ଶୁଣିବାକୁ ମିଳୁଛୁ । ବର୍ତ୍ତମାନ IPL ଚାଲିଛି । ଏହା ସରିବା ପରେ ଟିମ ଇଣ୍ଡିଆ ୫ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଯିବ । ହେଲେ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ କାରଣରୁ ରୋହିତ ଇଂଲଣ୍ଡ ଯିବାକୁ ଚାହୁଁ ନଥିବା ରିପୋର୍ଟରେ କୁହାଯାଇଛି ।

ତେବେ ରୋହିତ ଇଂଲଣ୍ଡ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ରୋହିତଙ୍କୁ ନେଇ ସସପେନ୍ସ ଦେଖା ଦେଇଥିବା ବେଳେ ବିରାଟ କୋହଲି ସିରିଜ ଖେଳିବା ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ସିଡନୀ ଟେଷ୍ଟରେ ରୋହିତ ଖେଳି ନଥିବା ବେଳେ ବୁମରାଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା । ନିକଟ ଅତୀତରେ ଭାରତ ଖେଳିଥିବା କିଛି ଟେଷ୍ଟ ସିରିଜରେ ଉଭୟ ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କୋହଲି ୧୯ଟି ଇଂନିସରେ ୨୨.୪୭ ଆଭରେଜରେ ୩୮୨ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ସେହିପରି ରୋହିତ ଶେଷ ୧୫ଟି ଇଂନିସରେ ୧୦.୯୩ ଆଭରେଜରେ ମାତ୍ର ୧୬୪ ରନ୍ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି ।

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଭାରତ ହାରିବା ପରେ ଉଭୟଙ୍କୁ ଇଂଲଣ୍ଡ ସିରିଜରେ ସ୍ଥାନ ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କୋହିଲଙ୍କ ପାଖରେ ଇଂଲଣ୍ଡରେ ଖେଳିବାର ଅଭିଜ୍ଞତା ଥିବାରୁ ବୋର୍ଡ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ବିଚାର କରୁଛି । ସୂଚନାଯୋଗ୍ୟ, ଜୁନ୍ ୨୦ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି ।

୯ମ ଓ ୧୦ମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ବି ଖାଇବେ ମଧ୍ୟାହ୍ନ ଭୋଜନ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ । ୨୦୨୫-୨୬ ଶିକ୍ଷା ବର୍ଷରୁ ପ୍ରଦାନ କରାଯିବ ଏହି ମଧ୍ୟାହ୍ନ ଭୋଜନ ।

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟରୁ ଏଥିଲାଗି ଅର୍ଥ ଖର୍ଚ୍ଚ ହେବ । ଏଥିପାଇଁ ସରକାର ବାର୍ଷିକ ୫୭୦.୭୧ କୋଟି ଖର୍ଚ୍ଚ କରିବେ । ସେହିପରା ଆସନ୍ତା ଏପ୍ରିଲ ପହିଲାରୁ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ  ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଲଡୁ । ସପ୍ତାହକୁ ୩ଟି ଲଡୁ ମିଳିବ । ମଙ୍ଗଳବାର, ଗୁରୁବାର ଓ ଶନିବାର ଲଡୁ ମିଳିବ । ସୋମବାର, ବୁଧବାର ଓ ଶୁକ୍ରବାର ଅଣ୍ଡା ଦିଆଯିବ । ଶୁକ୍ରବାର ଦିନ ଅଧିକ ଗୋଟିଏ ଅଣ୍ଡା ଦେବାକୁ ନିଷ୍ପତ୍ତି ନିଆଯାଇଛି ।