spot_img
Home Blog Page 914

ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା

ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା। ୟୁକ୍ରେନକୁ ଶାନ୍ତି ସୈନ୍ୟ ପଠାଇବା ଉପରେ ପୁନର୍ବିଚାର କରିବ କହିଲା ନାଟୋ। ସିଧାସଳଖ ଯୁଦ୍ଧରେ ସାମିଲ ହେବେନି ନାଟୋ ସୈନିକ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ୟୁରୋପୀୟ ଦେଶସମୂହ ସର୍ବଦା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାମରିକ ଓ କୂଟନୈତିକ ସହାୟତା ଦେଇଆସିଛନ୍ତି। ତେବେ କିଛି ପ୍ରମୁଖ ନାଟୋ ଦେଶ ୟୁକ୍ରେନକୁ ସେନା ପଠାଇବାର ସେମାନଙ୍କର ରଣନୀତିର ପୁନର୍ବିଚାର କରିଛନ୍ତି।

ଏହି ନିଷ୍ପତ୍ତି ଫଳରେ ୟୁକ୍ରେନର ସୁରକ୍ଷା ଉପରେ ସିଧାସଳଖ ପ୍ରଭାବ ପକାଇଛି। ୟୁରୋପୀୟ ରାଜନୀତି ଏବଂ ରୁଷ ସହିତ ସମ୍ପର୍କରେ ମଧ୍ୟ ପ୍ରଭାବ ପକାଇବା ସମ୍ଭାବନା ରହିଛି। ଅଧିକାଂଶ ୟୁରୋପୀୟ ଦେଶ ୟୁକ୍ରେନର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସ୍ଥଳସେନା ପଠାଇବା ସମେତ ଅନେକ ବିକଳ୍ପ ଉପରେ ବିଚାର କରୁଥିଲେ।କିନ୍ତୁ ଏବେ ସେମାନେ ଏହି ନିଷ୍ପତ୍ତିରୁ ଓହରି ଯାଉଛନ୍ତି। ଏହାର ପଛରେ ଅନେକ କାରଣ ରହିଛି। ଯଦି ସେମାନେ ୟୁକ୍ରେନକୁ ସେନା ପଠାନ୍ତି ତେବେ ସିଧାସଳଖ ରୁଷ ସହ ଶତ୍ରୁତା ସୃଷ୍ଟି ହେବା ସମ୍ଭାବନା ରହିଛି।

ଆମେରିକା ବର୍ତ୍ତମାନ ତାର ବୈଦେଶିକ ନୀତି ପରିବର୍ତ୍ତନ କରୁଥିବାରୁ ଏହାର ପ୍ରଭାବ ୟୁରୋପୀୟ ଦେଶ ଉପରେ ପଡିଛି। ୟୁରୋପକୁ ତାର ରଣନୀତି ପରିବର୍ତ୍ତନ କରିବାକୁ ପଡୁଛି। ନାଟୋ ସୈନ୍ୟମାନେ ସିଧାସଳଖ ଯୁଦ୍ଧରେ ସାମିଲ ନହୋଇ ୟୁକ୍ରେନ ସୈନ୍ୟ ମାନଙ୍କୁ ତାଲିମ ଦେଇ ସେମାନଙ୍କର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବେ। ଫ୍ରାନ୍ସ ଓ ବ୍ରିଟେନର ସାମରିକ ଅଧିକାରୀ ଏହି ରଣନୀତି ଉପରେ କାମ କରୁଛନ୍ତି।

ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାର ଆଇନଶୃଙ୍ଖଳା ଓ ଜାତୀୟ ରାଜପଥ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ବାଲେଶ୍ଵର ଜିଲ୍ଲାରେ ଲୁଟ୍, ଛିନତାଇ, ରାହାଜାନୀ ଓ ହତ୍ୟା ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏମିତି ସ୍ଥିତିରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ବରେ ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଦାମ ପରିଡ଼ାଙ୍କ ସମେତ ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି ଜିଲ୍ଲାରେ ଜାତୀୟ ରାଜପଥ-୧୬, ବାଲେଶ୍ଵରରୁ ଭଦ୍ରକ ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଛି । ଦୀର୍ଘଦିନ ଧରି ଏହାର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଅଦ୍ୟାବଧି ଶେଷ ହୋଇନି । ଏହାଦ୍ୱାରା ପ୍ରତ୍ୟକ ଦିନ ଶତାଧିକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତା କାମ ଶୀଘ୍ର ସାରିବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି ଦଳ ।

ଜମ୍ମୁ ଓ କାଶ୍ମୀରରେ ୫ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

କାଠୁଆ: ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ନିହତ । କାଠୁଆରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ୫ ଆତଙ୍କୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ୨ ଯବାନ ଆହତ ହୋଇଛନ୍ତି ।

ଗତ ରବିବାରଠାରୁ ଚାଲିଛି ଏହି ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ଖସି ପଳାଇବାରେ ସଫଳ ହୋଇଥିଲେ ଆତଙ୍କବାଦୀ । ପାକିସ୍ତାନରୁ ନୂତନ ଭାବେ ଖୋଳାଯାଇଥିବା ସୁଡ଼ଙ୍ଗ କିମ୍ବା ଘାଟି ରାସ୍ତା ଦେଇ ଆତଙ୍କବାଦୀ ଆସିଥିବା ସନ୍ଦେହ କରାଯାଉଛି ।

ଜାଖୋଲେ ଗାଁ ନିକଟରେ ଘଟିଥିଲା ଏନକାଉଣ୍ଟର । ଏବେବି ଅନେକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଠାବ କରିବାକୁ ଡ୍ରୋନର ସହାୟତା ନିଆଯାଇଥିଲା । ଏହି ଅପରେସନ ଏବେ ଚତୁର୍ଥ ଦିନରେ ପହଞ୍ଚିଛି । ହୀରାନଗର ସେକ୍ଟରରୁ ପ୍ରାୟ ୩୦ କିମି ଦୂର ରାଜବାଗର ଘାଟି ଜୁଥାନାର ଜାଖୋଲେ ଗାଁ ନିକଟରେ ଘଟିଥିଲା ଏହି ଗୁଳି ବିନିମୟ ।

ଅପରେସନରେ ସେନାର ଯବାନଙ୍କ ସହ NSG, BSF ଓ CRPF ଯବାନ ସାମିଲ ହୋଇଛନ୍ତି । ଅପରେସନରେ ସୁରକ୍ଷାକର୍ମୀ ଚାରିଟି M4 କାର୍ବାଇନ୍ ମ୍ୟାଗାଜିନ୍, ଦୁଇଟି ଗ୍ରେନେଡ୍, ଗୋଟିଏ ବୁଲେଟ୍ ପୃଫ ଜ୍ୟାକେଟ୍, ସ୍ଲିପିଂ ବ୍ୟାଗ୍, ଟ୍ରାକସୁଟ୍ ଏବଂ ଖାଦ୍ୟ ସାମଗ୍ରୀର ଏକାଧିକ ପ୍ୟାକେଟ ଜବତ କରିଥିଲେ । ଏନକାଉଣ୍ଟର ସ୍ଥଳରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ଥିବା ପଲିଥିନ୍ ବ୍ୟାଗ ମଧ୍ୟ ମିଳିଥିଲା ।

ଘରୋଇ ଆବାସିକ ଛାତ୍ରାଵାସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର: ଯାଜପୁରରେ ଏକ ଘରୋଇ ଆବାସିକ ଛାତ୍ରାଵାସରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ବିରୋଧରେ ଯାଜପୁର ଟାଉନ ଥାନାରେ ମାମଲା ।

ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱର ନିକଟରେ ଥିବା ଏକ ଯୁକ୍ତଦୁଇ ଘରୋଇ ଶିକ୍ଷାନୁଷ୍ଠାନରେ ସାନ ଦୋଗଡା ଗ୍ରାମର ପ୍ରସନ୍ନ ରାଉତଙ୍କ ପୁଅ ଗ୍ରୀଷ୍ମ କାଳୀନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ହଷ୍ଟେଲରେ ରହୁଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଲେଜ କର୍ତ୍ତୃପକ୍ଷ ପୁଅର ଦେହ ଖରାପ କହି ମେଡିକାଲକୁ ଡାକିଥିଲେ । ପରେ ବାଥରୁମରେ ପଡି ଯାଇଥିବା କହିଥିଲେ । ଏହାସହ ଏକ କାଗଜରେ କିଛି ଅଭିଯୋଗ ନାହିଁ କହି ଲେଖି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ବାଥରୁମକୁ ସୀଲ କରି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଅଙ୍ଗନବାଡି କର୍ମୀଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ସୁପରଭାଇଜର

କୋରାପୁଟ: ଅଙ୍ଗନବାଡ଼ି କର୍ମଚାରୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର । ଭିଜିଲାନ୍ସ କବଜାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ରେଣୁକା ପଟ୍ଟନାୟକ । ବୁର୍ଜା ଅଙ୍ଗନବାଡି କେନ୍ଦ୍ରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜଣେ ଅଙ୍ଗନବାଡି କର୍ମୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ।

ନୂତନ ଭାବେ ନିଯୁକ୍ତି ପାଇଥିବା ପିପଳପଦର ଗାଁର ଅଙ୍ଗନବାଡି କର୍ମୀ ଟଙ୍କା ଦେବା ପୂର୍ବରୁ ଭିଜିଲାନ୍ସକୁ ଯୋଗାଯୋଗ କରିଥିଲେ । ବର୍ତ୍ତମାନ ଏହି ଟଙ୍କା କାହା ପାଇଁ ସୁପରଭାଇଜର ଜଣକ ନେଉଥିଲେ ଓ ଏଥିରେ ଆଉ କାହା କାହା ସମ୍ପୃକ୍ତି ଅଛି ସେ ନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

କୁନୋ ଜାତୀୟ ପାର୍କରେ ଚିତା ବାଘଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୋପାଳ: କୁନୋ ଜାତୀୟ ପାର୍କରେ ଚିତାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ମାଈ ଚିତା ଜ୍ବାଲା ଓ ତାର ଚାରିଟି ଛୁଆ ଉପରେ ଗ୍ରାମବାସୀଙ୍କ ଆକ୍ରମଣ ପରେ ଚିତାବଂଶ ବୃଦ୍ଧି ନେଇ ଚାଲିଥିବା ସରକାରୀ ଯୋଜନାକୁ ନେଇ ଚାଲେଞ୍ଜ ସୃଷ୍ଟି ହୋଇଛି । ମଧ୍ୟପ୍ରଦେଶର ତେଲିଆପୁରା ଗ୍ରାମରେ ଏକ ଗାଈକୁ ଚିତାମାନେ ଶିକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିଥିଲେ । ବାଘ ଦଳଙ୍କ ଉପରକୁ ସେମାନେ ଟେକା ପଥର ଫୋପାଡିବା ସହ ଠେଙ୍ଗାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି ।

ଚିତାଙ୍କ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯଦି ଚିତାର ସନ୍ଧାନ ମିଳେ ତେବେ ତୁରନ୍ତ ଜଙ୍ଗଲ ବିଭାଗକୁ ଖବର ଦେବା, ପିଲା ଓ ପୋଷା ପ୍ରାଣୀଙ୍କୁ ଘର ଭିତରେ ରଖିବା, ଚିତାଙ୍କୁ ଦେଖିବା ପରେ ଆତଙ୍କିତ ହୋଇ ସେମାନଙ୍କୁ ଆକ୍ରମଣ ନ କରିବା କରିବା ଲାଗି ପରାମର୍ଶ ଦିଆଯାଇଛି । ଯଦି ଚିତା ଆକ୍ରମଣରେ କୌଣସି ଗୃହପାଳିତ ପ୍ରାଣୀର ମୃତ୍ଯୁ ଘଟେ ତେବେ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ ରାତିରେ କ୍ଷେତକୁ ନଯିବା, ସଂଘବଦ୍ଧ ଭାବେ ଚିତାଙ୍କୁ ନ ଘଉଡାଇବା, ଜାଲ ବା ଯନ୍ତା ଜରିଆରେ ଚିତାଙ୍କୁ ଧରିବା ଲାଗି ଉଦ୍ଯମ ନ କରିବା, ସେମାନଙ୍କ ଫଟୋ ଓ ଭିଡିଓ ନ ଉଠାଇବା ଲାଗି ପରାମର୍ଶ ଦିଆଯାଇଛି ।

ପୂର୍ବରୁ କୁନୋ ପାର୍କରୁ ଚିତାମାନେ ଉତ୍ତରପ୍ରଦେଶ, ରାଜସ୍ଥାନ ଆଡକୁ ଚାଲିଯିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନ କୁନୋ ପାର୍କରେ ୧୧ ଛୁଆଙ୍କ ସହ ମୋଟ ୧୭ଟି ଚିତା ଖୋଲାରେ ବୁଲୁଛନ୍ତି । ୯ଟି ଚିତାଙ୍କୁ ଏନକ୍ଲୋଜର ଭିତରେ ରଖାଯାଇଛି ।

ପଶ୍ଚିମବଙ୍ଗ ଦଲଗାଓଁ ଚା’ ବଗିଚାରୁ କଲରାପତରିଆ ବାଘ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗର ଦୂଆର୍ସର ଦଲଗାଓଁ ଚା’ ବଗିଚାରୁ ବାଘ ଉଦ୍ଧାର । ବନ ବିଭାଗ ଦ୍ବାରା ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି । ଦୀର୍ଘ ଦିନ ଧରି ଚା’ ବଗିଚାରେ କଲରାପତରିଆ ବାଘ ରହିଥିଲା ।

ବଗିଚାରେ କାମ କରୁଥିବା ସମୟରେ ବାଘ ଆକ୍ରମଣରେ ଦୁଇଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଏନେଇ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ପରେ ବନ ବିଭାଗର କର୍ମଚାରୀମାନେ ଚା’ ବଗିଚାରୁ ଏକ ଗୁମ୍ଫା ପାଇଥିଲେ । ଆଜି ସକାଳେ ସେହି ଗୁମ୍ଫାରୁ ପଞ୍ଜୁରୀ ସାହଯ୍ୟରେ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି ।

ବଢ଼ିବ ସରକାରଙ୍କ ନିୟନ୍ତ୍ରିତ ଔଷଧର ଦାମ

ଭୁବନେଶ୍ବର: ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍ । କ୍ୟାନସର, ଡାଇବେଟିସ, ହୃଦରୋଗ ସମ୍ପର୍କିତ ଅନେକ ଔଷଧର ଦର ବଢ଼ିବ । ଏହାସହ ଆଣ୍ଟିବାୟୋଟିକର ଦାମ ବି ବଢ଼ିବ । ଏସବୁ ଔଷଧର ଦାମ ୧.୭ ପ୍ରତିଶତ ବଢିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟିସର ସାଧାରଣ ସମ୍ପାଦକ ରାଜୀବ ସିଙ୍ଘଲ ।

କଞ୍ଚାମାଲର ଦାମ ବଢିବା ସହ ଅଧିକ ଖର୍ଚ୍ଚ ଭରଣା ତଥା ଫାର୍ମାସ୍ୟୁଟିକାଲ ଶିଳ୍ପକୁ ସହାୟତା ଲାଗି ସରକାର ଏହି ପଦକ୍ଷେପ ନେବେ । ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହି ଦରବୃଦ୍ଧି ଲାଗୁ ହେବ । ଔଷଧର ଦରବୃଦ୍ଧି ସୀମାକୁ ଅତିକ୍ରମ କରି ଫାର୍ମା କମ୍ପାନୀମାନେ ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ରସାୟନ ଓ ସାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅବଗତ ହୋଇଥିଲା । ଫାର୍ମା କମ୍ପାନୀଗୁଡିକ ଦ୍ବାରା ଦରବୃଦ୍ଧି ସୀମା ଉଲ୍ଲଂଘନ ଘଟଣା ୩୦୦ରୁ ଅଧିକ ବୋଲି ଜାଣିବାକୁ ପାଇଛି ଜାତୀୟ ଫାର୍ମାସୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ । କେଉଁ ଔଷଧର ଦାମ୍ କେତେ ରହିବ ତାହା ନିର୍ଦ୍ଧାରଣ କରିଥାଏ ଏନପିପିଏ । ସରକାରୀ ସ୍ତରରେ ମିଳୁଥିବା ଔଷଧ କ୍ରୟ କରୁଥିବା ହେତୁ ରୋଗୀମାନେ ବାର୍ଷିକ ୩ ହଜାର ୭୮୮କୋଟି ଟଙ୍କା ସଞ୍ଚୟ କରିଥାନ୍ତି ।

ଶାସନ ଚଲାଇବା ଜାଣି ନାହାନ୍ତି ବିଜେପି ସରକାର, ପ୍ରତିହିଂସା ପରାୟଣ ହେଉଛନ୍ତି: ଅରୁଣ ସାହୁ

ଭୁବନେଶ୍ବର: ବିଜେପି ସରକାର ଠିକ ଭାବେ ଶାସନ ଚଳାଇବା ଜାଣି ନାହାନ୍ତି । ସରକାର ପ୍ରତିହିଂସା ପରାୟଣ ହେଉଛନ୍ତି । ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଆଉ କଂଗ୍ରେସ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ସେ କହିଛନ୍ତି, ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ । ତାହା କିନ୍ତୁ ସମ୍ଭବ ନୁହେଁ । ଏବେ ଯେମିତି ପୋଲିସ ଛାଉଣୀ ହୋଇଛି, ଲାଗୁଛି ରୁଷ- ଯୁକ୍ରେନ ଲଢେଇ ଚାଲିଛି । ଶାନ୍ତିପ୍ରିୟ ରାଜ୍ୟକୁ ଅଶାନ୍ତ କରିବାରେ ବିଜେପିର ହାତ ରହିଛି ।

କଂଗ୍ରେସ ବିଧାୟକଙ୍କ ଉପରୁ ନିଲମ୍ବନ ଉଠାଇବାକୁ ବାଚସ୍ପତିଙ୍କୁ ଭେଟିବେ ପଦ୍ମଲୋଚନ

ଭୁବନେଶ୍ବର: ଗୃହରେ ବିଶୃଙ୍ଖଳା ପାଇଁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ସମସ୍ତ ୧୪ ବିଧାୟକ । ଏମାନଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇବା ପାଇଁ ବାଚସ୍ପତିଙ୍କୁ ଭେଟିବେ ବିଜେପିର ବରିଷ୍ଠ ବିଧାୟକ ପଦ୍ମଲୋଚନ ପଣ୍ଡା ।  ବିଧାନସଭାର ବାକି ଥିବା ଦିନ କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଲୋଚନା କରିବି ବୋଲି ସେ କହିଛନ୍ତି ।

ସମସ୍ତଙ୍କୁ ସାଙ୍ଗରେ ନେଇ ଗୃହ ଚାଲିବା ଦରକାର । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସୁରୁଖୁରୁରେ ଚଳାଇବାକୁ ନିଷ୍ପତ୍ତି ନିଅନ୍ତୁ । କଂଗ୍ରେସର ନେତୃତ୍ଵଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ବାଚସ୍ପତିଙ୍କୁ ଭେଟି ପ୍ରସ୍ତାବ ଦେବେ ବୋଲି କହିଛନ୍ତି ପଦ୍ମଲୋଚନ । ବିଧାୟକଙ୍କୁ ନିଲମ୍ବନ କରିବା ସପକ୍ଷରେ ସେ ନୁହଁନ୍ତି ବୋଲି କହିଛନ୍ତି ।