spot_img
Home Blog Page 907

୧୦ ହଜାର ଟପି ପାରେ ମିଆଁମାର ଭୂକମ୍ପ ମୃତକଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ମିଆଁମାର ଭୂକମ୍ପରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଏକ ହଜାରରୁ ଅଧିକ ମୃତଦେହ ଉଦ୍ଧାର ହୋଇ ସାରିଛି । ଏପରି ସ୍ଥିତିରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ଧ୍ବଂସସ୍ତୂପ ତଳୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଥାଇଲାଣ୍ଡରେ ବି ଘଟିଛି ନାହିଁ ନଥିବା କ୍ଷତି । ବିପଦ କାଳରେ ଭାରତ ସମେତ ଅନ୍ଯାନ୍ୟ ରାଷ୍ଟ୍ର ବଢାଇଲେ ସହାୟତାର ହାତ ।

କେଇ ସେକଣ୍ଡର ପ୍ରଳୟ । ମିଆଁମାର ଛାରଖାର । ସବୁଠି ବିଭୀଷିକାର ସ୍ବାକ୍ଷର । କେଉଁଠି ନଭଶ୍ଚୁମ୍ବୀ କୋଠା ଧସିଛି ତ କେଉଁଠି ଭୁଶୁଡ଼ିଯାଇଛି ବ୍ରିଜ । ନିୟତିର ତମାମ ତାଣ୍ଡବରେ ଆଖି ପିଛୁଳାକେ ଚାଲିଯାଇଛି ଶହ ଶହ ଜୀବନ । ଗତକାଲି ଲଗାତାର ଦୁଇଟି ଭୂକମ୍ପ ଘଟିଥିବା ବେଳେ ଆଜି ପୁଣି ୫.୧ର ସାନି ଭୂକମ୍ପ ସାରା ମିଆଁମାରକୁ କରିଛି ବେସାହାର । ମୃତ୍ୟୁସଂଖ୍ଯା ୧୦ ହଜାରରୁ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା । ଚାପି ହୋଇ ଆହତ ହୋଇଛନ୍ତି ହଜାର ହଜାର ଲୋକ । ଆହତ ଲୋକଙ୍କୁ ଧ୍ବଂସସ୍ତୂପ ତଳୁ କରାଯାଉଛି ଉଦ୍ଧାର। ଗୃହଯୁଦ୍ଧରେ ଖିନଭିନ୍ନ ହୋଇଥିବା ମିଆଁମାରରେ ଏବେ ପ୍ରକୃତିର ତାଣ୍ଡବ ସାରା ଜନଜୀବନକୁ କରିଦେଇଛି ଅସ୍ତବ୍ୟସ୍ତ । ଦେଶବାସୀଙ୍କୁ ସହାୟତା ଦେବା ଲାଗି ଆହ୍ବାନ ଦେଇଛନ୍ତି ଜୁଣ୍ଟା ଶାସକ ମିନ ଅଙ୍ଗ ହାଇଙ୍ଗ । ଗତକାଲି ଭୂକମ୍ପନରେ ଧସିଯାଇଥିଲା ୧୦୦ ବର୍ଷ ପୁରୁଣା ଆଭା ବ୍ରିଜ ।

ସେପଟେ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି କରିଛି ଭୂକମ୍ପ । ଧୂଳିସାତ ହୋଇଛି ଅନେକ କୋଠା ଓ ବ୍ରିଜ। ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁଛକ ମାର୍କେଟରେ ୧୦୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା କରାଯାଉଛି। ସେପଟେ ଭୂକମ୍ପରେ ବ୍ୟାଙ୍କକ ଥରି ଉଠିଥିବା ବେଳେ ରାସ୍ତାରେ ଜଣେ ଆସନ୍ନ ପ୍ରସବାଙ୍କୁ ସହାୟତା କରିଥିଲେ ଡାକ୍ତର ଓ କର୍ମଚାରୀ । ସେ ଜଣେ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାଯାଇଛି ।

ବିପଦ କାଳେ ବନ୍ଧୁର ଭୂମିକା ନିର୍ବାହ କରିଛି ଭାରତ । ଅପରେସନ ବ୍ରହ୍ମାରେ ମିଆଁମାରକୁ ପଠାଯାଇଛି ଔଷଧ, ଖାଦ୍ୟ ପଦାର୍ଥ ସମେତ ୧୫ ଟନ ରିଲିଫ ସାମଗ୍ରୀ । ସେହିପରି ଆଇଏନଏସ ସତପୁରା ଓ ଆଇଏନଏସ ସାବିତ୍ରୀରେ ପଠାଯାଇଛି ୪୦ ଟନ ସାମଗ୍ରୀ । ବାୟୁସେନା ବାହିନୀର ସି-୧୩୦ ଏୟାରକ୍ରାଫରେ ବି ଯାଇଛନ୍ତି ୪୦ ଜଣ ଏନଡିଆରଏଫ ଯବାନ । ମିଆଁମାରକୁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଜାତିସଂଘ ପକ୍ଷରୁ ୫ ନିୟୁତ ଡଲାର ସହାୟତା ଦିଆଯାଇଛି ।

ତେଜିଲା ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରତିବାଦ: ବିରୋଧୀଙ୍କ ସହ ସ୍ବର ମିଳାଇଲେ ଶାସକ ଦଳ ପ୍ରତିନିଧି

ଭୁବନେଶ୍ବର: ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ବ୍ୟାକଫୁଟରେ ରାଜ୍ୟ ସରକାର । ପୂର୍ବରୁ ଅବସରପ୍ରାପ୍ତ ସେନା ଅଧିକାରୀ ଏହାକୁ ବିରୋଧ କରୁଥିଲେ । ଏବେ ଶାସକ ଦଳ ବିଜେପିର ନିଜ ବିଧାୟକ ବି ବିରୋଧ କରିଛନ୍ତି । ଆଜି ଗୃହ ଭିତରେ ବିଜେପି ବିଧାୟକ ଫକୀର ମୋହନ ନାୟକ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନବାଣରେ ଘେରିବା ସହ ସୈନିକ ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି । ବିଜେପି ବିଧାୟକଙ୍କ ବିରୋଧ ଯୋଗୁଁ ପୂର୍ତ୍ତମନ୍ତ୍ରୀ ସ୍ୱର ବଦଳାଇଛନ୍ତି । ଯେଉଁ ପୂର୍ତ୍ତ ବିଭାଗ ସୈନିକ ସ୍କୁଲର ନୂଆ ଜମି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ, ସେ ଆଜି ସ୍ଥାନାନ୍ତର ବାଧ୍ୟତାମୂଳକ ନୁହେଁ ବୋଲି ଗୃହରେ କହିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ସୈନିକ ସ୍କୁଲ ଜମିକୁ ନେଇ ରାଜ୍ୟ ସରକାର ଚଞ୍ଚକତା କରି ବିଲ୍ଡରଙ୍କ ହାତକୁ ଟେକିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରି ପ୍ରତିବାଦ ଶାଣିତ କରିବାକୁ ଗୃହ ବାହାରେ ଚେତାବନୀ ଦେଇଛି ବିଜେଡି ।

ମୋହନ ମାଝୀ ସରକାର ଆସୁ ଆସୁ ଭୁବନେଶ୍ୱରରୁ ସୈନିକ ସ୍କୁଲ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କଲା । ଖୋର୍ଦ୍ଧା ଜିଲ୍ଲା ଭିତରେ ନୂଆ ସୈନିକ ସ୍କୁଲ ପାଇଁ ଜମି ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ । ସେ ସମୟରେ ଗୃହ ଭିତରେ ଏହା ବିରୋଧରେ ବିଜେଡି ସ୍ୱର ଉଠାଇଥିବା ବେଳେ ଗୃହ ବାହାରେ ପ୍ରତିବାଦ କରିଥିଲେ ଅବସରପ୍ରାପ୍ତ ସେନା ଅଧିକାରୀ । ହେଲେ ସରକାର ଶୁଣିଲେ ନାହିଁ । ଆଜି କିନ୍ତୁ ଗୃହ ଭିତରେ ସରକାରଙ୍କ ସ୍ୱର ନରମ ପଡିଛି । କାରଣ ଆଜି ନିଜ ଦଳର ବିଧାୟକ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

ସୈନିକ ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗୃହ ଭିତରେ ଘେରିଛନ୍ତି ବିଜେପି ବିଧାୟକ ଫକୀର ମୋହନ ନାୟକ । ପୁରୁଣା ସ୍ଥାନରୁ ସୈନିକ ସ୍କୁଲ ନଉଠାଇ ବିକଳ୍ପ ଭାବେ ୭ ଶହ ମିଟର ଫ୍ଲାଏ ଓଭର ପାଇଁ ସେ ପରାମର୍ଶ ଦେଇଛନ୍ତି । ନିଜ ବିଧାୟକଙ୍କ ଏପରି ଦାବି ପାଇଁ ବ୍ୟାକଫୁଟରେ ପଡିଥିବା ପୂର୍ତ୍ତ ମନ୍ତ୍ରୀ ବାଧ୍ୟ ହୋଇ କହିଲେ, ସେଠାରେ ଫ୍ଲାଏ ଓଭର କରିବା ସମ୍ଭବ ନୁହେଁ । ହେଲେ କେହି ଜବରଦସ୍ତ ସୈନିକ ସ୍କୁଲକୁ ହଟାଇ ପାରିବେ ନାହିଁ । ଏହା ସୈନିକ ସ୍କୁଲ ମ୍ୟାନେଜମେଣ୍ଟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ନିର୍ଭର କରେ । ବିଭିନ୍ନ ରାଜ୍ଯରେ ସୈନିକ ସ୍କୁଲ ସହର ବାହାରେ ଥିବାରୁ ସରକାର ସ୍ଥାନାନ୍ତର ନିଷ୍ପତ୍ତି ନେଇଥିଲେ ।

ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ବିଜେପି ସଦସ୍ୟ ଫକୀର ମୋହନ ନାୟକ ସୈନିକ ସ୍କୁଲରେ ପୂର୍ବତନ ଛାତ୍ର । ରଣେନ୍ଦ୍ର ଗତ ବିଧାନସଭାରେ ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତିକୁ ଗୃହରେ ବିରୋଧ କରିଥିଲେ । କାରଣ ସୈନିକ ସ୍କୁଲ ଜମିକୁ ବିଲ୍ଡରଙ୍କ ହାତକୁ ସରକାର ଟେକି ଦେବାର ଷଡଯନ୍ତ୍ରର ଗନ୍ଧକୁ ବାରିଛି ବିଜେଡି । ସୈନିକ ସ୍କୁଲ ଭୁବନେଶ୍ୱରରେ ରହୁ, ଆବଶ୍ୟକ ପଡିଲେ, ଏହାର ଦ୍ଵିତୀୟ କ୍ୟାମ୍ପସ ଖୋର୍ଦ୍ଧା ଶରଧାପୁରରେ କରିବାକୁ ବିଜେଡି ଦାବି କରିଛି ।

ରାଜ୍ୟବାସୀ ସିନା ବିଜେପିର ଓଡ଼ିଆ ଅସ୍ମିତା ନାରାକୁ ବିଶ୍ୱାସ କରି ଭୋଟ ଦେଲେ । ହେଲେ ଧୀରେ ଧୀରେ ସରକାରଙ୍କ ଓଡ଼ିଆ ଅସ୍ମିତା ବିରୋଧୀ ଆଚରଣରେ କ୍ଷୁବ୍ଧ ହେଲେଣି । ଏବେ ତ ବିଜେପି ସଦସ୍ୟ ବି ପ୍ରଶ୍ନ କରିବା ଆରମ୍ଭ କଲେଣି । ଯାହା ସରକାରଙ୍କ ନିଷ୍ପତ୍ତିର ଟାଳଟୁଳ ନୀତିକୁ ପଦାରେ ପକାଉଛି ।

ବିଧାୟକଙ୍କୁ ନିଲମ୍ବନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ଟିମ୍

ଭୁବନେଶ୍ବର: ବିଧାନସଭାରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯିବା, ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ବିଧାୟକ ଏବଂ ବରିଷ୍ଠ ନେତାମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ନାରୀ ନିର୍ଯାତନା ରାଜ୍ଯରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଏହା ଉପରେ ଏକ ହାଉସ କମିଟି ଗଠନ ଲାଗି ଦାବି କରିଆସୁଛି । କିନ୍ତୁ ଏହାକୁ ନେଇ ସରକାର, କଂଗ୍ରେସ ବିଧାୟକମାନଙ୍କୁ ଗୃହ ଭିତରକୁ ଯିବାକୁ ଦିଆଯାଉନି । ସବୁ କଂଗ୍ରେସ ବିଧାୟକମାନଙ୍କୁ ନିଲମ୍ବନ କରାଯାଇଛି, ଏହା ଅଗଣତାନ୍ତ୍ରିକ । ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କୁ ବିଧାନସଭା ବାରଣ କରିବା ଅସମ୍ବିଧାନିକ କହି ଏହାର ପ୍ରତିବାଦ ରାଜ୍ଯପାଳଙ୍କ ନିକଟରେ କରିଛି କଂଗ୍ରେସ ।

କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ପୋଲିସ ଲଗେଇ ସରକାର ମାଡ଼ ମାରିଲେ । ଆନ୍ଦୋଳନକାରୀଙ୍କୁ ଲାଠିମାଡ, ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲେ । ପୋଲିସ ପଥର ମାରିବା ଓ ଆନ୍ଦୋଳନକାରୀଙ୍କ ମୁଣ୍ଡ ଫଟାଇବା ଆଶ୍ଚର୍ଯ୍ୟଜନକ ବୋଲି କଂଗ୍ରେସ କହିଛି ।

ସେହିପରି ରାଜ୍ୟରେ ଦୀର୍ଘ ଦିନ ଧରି ମହିଳା କମିଶନ ଅଧ୍ୟକ୍ଷା ନଥିବାରୁ ତୁରନ୍ତ ଅଧ୍ୟକ୍ଷା ନିଯୁକ୍ତି ପାଇଁ ରାଜ୍ଯପାଳଙ୍କୁ ଦାବି ଜଣାଇଛୁ ବୋଲି କହିଛି କଂଗ୍ରେସ ଟିମ୍ । ସମସ୍ତ ଦାବି ଓ ପରାମର୍ଶକୁ ରାଜ୍ଯପାଳ ଗ୍ରହଣ କରିବା ସହିତ ଅନୁଧ୍ଯାନ କରିବେ ବୋଲି କହିଛନ୍ତି । କଂଗ୍ରେସକୁ ନ୍ୟାୟ ମିଳିବା ନେଇ ବିଶ୍ବାସ ରହିଛି ବୋଲି କହିଛନ୍ତି ଦଳୀୟ ନେତା ।

ବିଜେଡିର ଇଫତାର ପାର୍ଟି: ନବୀନ ଜଣାଇଲେ ଇଦ୍ ମୁବାରକ୍

ଭୁବନେଶ୍ବର: ବିଜେଡିର ଇଫତାର ପାର୍ଟି । ଶଙ୍ଖଭବନରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ । ସାମିଲ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜଣାଇଲେ ଇଦ୍ ମୁବାରକ୍ ।

ଆଜି ଶଙ୍ଖଭବନରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଇଦ ଅବସରରେ ଇଫତାର ପାର୍ଟିର ଆୟୋଜନ କରାଯାଇଛି । ଏଥିରେ ନବୀନ ଯୋଗ ଦେଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ ଇଦ୍ ମୁବାରକ ଜଣାଇଛନ୍ତି । ଏହାସହ ଇଦ୍ ଶୁଭେଚ୍ଛା ଜଣାଇଲେ ।

ବଡ଼ ମେଡିକାଲରେ ବଡ଼ ଅବ୍ଯବସ୍ଥା: ଆଇସିୟୁରେ ଥିବା ୬୦ ଭେଣ୍ଟିଲେଟର ଅଚଳ

କଟକ: ଏସସିବି ବଡ଼ ମେଡିକାଲର ବିଭିନ୍ନ ଆଇସିୟୁରେ ଭେଣ୍ଟିଲେଟର ଅଚଳ । ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୬୦ଟି ଭେଣ୍ଟିଲେଟର ଏବେ ଅକାମୀ ହୋଇପଡିଛି । ଫଳରେ ଜଟିଳ ରୋଗୀଙ୍କ ଜୀବନ ରକ୍ଷା ଦିଗରେ ଏବେ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଛି ଆଇସିୟୁରେ ଏହି ମେସିନ ଖରାପ ଥିଲା, ଯାହାର ପର୍ଯ୍ୟାୟ କ୍ରମେ ମରାମତି ହେଉଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ ।

ପ୍ରାୟ ୬୦ ଭେଣ୍ଟିଲେଟର ଅଚଳ ଯୋଗୁଁ ବଢୁଛି ସମସ୍ଯା । କୋଭିଡ ସମୟରେ ସରକାର ଯୋଗାଇଥିବା ୪୪ଟି ମେସିନ ରହିଛି । ଏହାର ମରାମତି ଦାୟିତ୍ୱରେ ଥିବା KTPL ସଂସ୍ଥା ମରାମତି କରିବା ସତ୍ତ୍ବେ କିଛି ସମୟ ଚାଲିବା ପରେ ଆପଣା ଛାଏଁ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି । ଫଳରେ ଗୁରୁତର ରୋଗୀ ପ୍ରମାଦ ଗଣିଲେଣି । ଯାହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି ।

କୋଭିଡ ସମୟରେ ଆସିଥିବା ଭେଣ୍ଟିଲେଟର ଅତ୍ୟଧିକ ବ୍ୟବହାର ଯୋଗୁଁ ଖରାପ ହୋଇଥିବା କହିଛନ୍ତି ବରିଷ୍ଠ ଡାକ୍ତର । ଏହି ମେସିନକୁ ବାହାରୁ ଯୋଗାଯାଉଥିବା ଅକ୍ସିଜେନ ଲାଇନ ମଧ୍ୟ ଖରାପ ହେଲାଣି । ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ସେପଟେ ଖବରକୁ ଅସ୍ବୀକାର କରିବା ସହ ଖରାପ ଥିବା ମେସିନକୁ ପର୍ଯ୍ୟାୟ କ୍ରମେ ମରାମତି କରାଯାଉଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ । ତେବେ ଏହାଦ୍ବାରା ଆଇସିୟୁ ରୋଗୀ ପ୍ରଭାବିତ ହୋଇ ନଥିବା ସେ କହିଛନ୍ତି ।

ହାସ୍ୟ ଅଭିନେତା ନରିଙ୍କୁ ପିଟିଲେ ତୁଳସୀ ଗଣନାଟ୍ୟ ମାଲିକ !

ଆଠଗଡ଼: ଯାତ୍ରା ଜଗତରୁ ଆଉ ଏକ ଚାଞ୍ଚଲ୍ୟକର ଖବର । ହାସ୍ୟ ଅଭିନେତାଙ୍କୁ ଯାତ୍ରା ପାର୍ଟି ମାଲିକଙ୍କ ଆକ୍ରମଣ । ଆଠଗଡ଼ ଅଞ୍ଚଳରୁ ଆସିଛି ଅଭିଯୋଗ । ହାସ୍ୟ ଅଭିନେତା ନରିପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ଆକ୍ରମଣ କରିଥିବା ଅଭିଯୋଗ । ଏନେଇ ନିଜେ ନରି ଅଭିଯୋଗ କରିଛନ୍ତି । ଚଣ୍ଡିଖୋଲ ଅଞ୍ଚଳରେ ଏକ ଢାବାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ନରି ।

ଅଭିଯୋଗ ଅନୁସାରେ ତୁଳସୀ ଯାତ୍ରା ପାର୍ଟିରେ ଆଗାମୀ ଯାତ୍ରା ଋତୁରେ କାମ କରିବାକୁ ଅଗ୍ରୀମ ଆଣିଥିଲେ ନରି । ତେବେ ପୂର୍ବ ନିର୍ଦ୍ଧାରିତ ପଇସା ମିଳି ନଥିଲା । ଫଳରେ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ କରିବାକୁ ଯାଇଥିଲେ ନରି । ଏହି ସମୟରେ ତୁଳସୀ ଯାତ୍ରା ପାର୍ଟିର ମାଲିକ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ଘଟଣାକୁ ନେଇ ନରି ଭାଙ୍ଗି ପଡ଼ିଛନ୍ତି । ଲୋକଙ୍କୁ ହସାଉଥିବା ଜଣେ କଳାକାରଙ୍କ ଆଖିରେ ଲୁହ ତାଙ୍କୁ ମର୍ମାହତ କରିଛି । ଆଉ ଯାତ୍ରା କରିବେ ନାହିଁ ବୋଲି କହିଛନ୍ତି ନରି ।

ଜାଲ ସାର୍ଟିଫିକେଟ ଦେଇ ଚାକିରି: ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଢେଙ୍କାନାଳ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ତାତିଲେ ଛାତ୍ରଛାତ୍ରୀ । ଜାଲ ଭିନ୍ନକ୍ଷମ ସାର୍ଟିଫିକେଟରେ ଚାକିରି କରିଥିବା ଅଧ୍ୟକ୍ଷଙ୍କୁ ହଟାଇବା ଦାବିରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଉତ୍ତକ୍ତ ଛାତ୍ରଛାତ୍ରୀ । ହୋହାଲ୍ଲା ନାରାବାଜିରେ କମ୍ପିଛି କଲେଜ ପରିସର । ଏପଟେ ଜାଲ ସାର୍ଟିଫିକେଟ ଘଟଣାରେ ଉପ ଜିଲ୍ଲାପାଳ ଓ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି ।

କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଅଶାନ୍ତ ହୋଇଛି ମହାବିଦ୍ୟାଳୟ । ମୁଖ୍ୟ ଫାଟକରେ ତାଲା ପକାଇ ହୋହଲ୍ଲା ନାରାବାଜି କରିଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ ଗୋଟିଏ ଜିଦ୍ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁଙ୍କ ତୁରନ୍ତ ବହିଷ୍କାର କରାଯାଉ ।

କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ବିଭିନ୍ନ ସମୟରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ବି ଅଭିଯୋଗ ହୋଇଛି । ପିଲାଙ୍କ ଶିକ୍ଷାରେ ଉନ୍ନତି ପାଇଁ ଆସିଥିବା ଅନୁଦାନ ଅର୍ଥରେ ବି ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଯଦି ଅଧ୍ୟକ୍ଷ ଚିତ୍ତରଞ୍ଜନ ଭିନ୍ନକ୍ଷମ, ତେବେ ତାଙ୍କର ନାଁରେ ଡ୍ରାଇଭିଙ୍ଗ ଲାଇସେନ୍ସ କିଭଳି ରହିଲା ?  ସେ ବାଇକ ଓ କାର କିଭଳି ଚଳାଉଛନ୍ତି ବୋଲି ପ୍ରଶ୍ନ ଉଠାଇ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଏନେଇ ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବା ପରେ ଢେଙ୍କାନାଳ ଉପ ଜିଲ୍ଲାପାଳ ଏହାର ତଦନ୍ତ କରିଛନ୍ତି । ତେବେ ପଚରାଉଚରା ବେଳେ କଲେଜ ଅଧ୍ୟକ୍ଷ କୌଣସି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ପାରି ନଥିବା ଜଣାପଡିଥିଲା । ଯାହାକୁ ନେଇ କଲେଜ ଛାତ୍ରଙ୍କ ମଧ୍ୟରେ ପୁଣି ଅସନ୍ତୋଷ ପ୍ରକାଶ ପାଇଥିଲା । ଏପଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଆଞ୍ଚଳିକ ନିର୍ଦ୍ଦେଶକ ଘଟଣା ସ୍ଥଳରେ ପହଞ୍ଚି ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡନାୟକ ଓ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁଙ୍କୁ ଅଲଗା ଅଲଗା ପଚରାଉଚରା କରିଛନ୍ତି ।

ମିଆଁମାରରେ ପୁଣି ଭୂକମ୍ପ ଝଟକା: ଗତକାଲି ଭୂକମ୍ପରେ ଗଲାଣି ହଜାରେରୁ ଅଧିକ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ପୁଣି ଥରିଲା ମିଆଁମାର । ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ମପାଯାଇଛି । ଗତକାଲି ଦୁଇଟି ଭୂକମ୍ପ ମିଆଁମାରକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଥରେ ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।

ସୂଚନାଯୋଗ୍ୟ, ଗତକାଲି ମିଆଁମାର ସମେତ ଥାଇଲାଣ୍ଡରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ କେବଳ ମିଆଁମାରରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ଲୋକେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ତେବେ ସମୟ ଗଡ଼ିବା ସହ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଏମିତି ସ୍ଥିତିରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

ସେହିପରି ଥାଇଲାଣ୍ଡରେ ମଧ୍ୟ ଭୁକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲିର ଭୂକମ୍ପରେ ଥାଇଲାଣ୍ଡରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ଆଜି ମିଆଁମାରରେ ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଗତକାଲିର ପ୍ରାକୃତିକ ତାଣ୍ଡବରୁ ଲୋକେ ବାହାରି ନଥିବା ବେଳେ ଆଉ ଏକ ଭୂକମ୍ପ ଝଟକା ସେମାନଙ୍କୁ ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ବହୁ ଲୋକେ ଏବେ ବି ନିଖୋଜ ଥିବା ବେଳେ ଲୋକେ ସେମାନଙ୍କ ପରିଜନଙ୍କୁ ଖୋଜୁଛନ୍ତି । ଏମିତି ସ୍ଥିତିରେ ଆଉ ଏକ ଭୂକମ୍ପ ଝଟକା ଲୋକଙ୍କୁ ଦୋହଲାଇ ଦେଇଛି ।

ସେପଟେ ଭୂକମ୍ପ ପରେ ମିଆଁମାରକୁ ବିଭିନ୍ନ ଦେଶରୁ ରିଲିଫ ସହାୟତା ପହଞ୍ଚିବାରେ ଲାଗିଛି । ଭାରତ ୪୦ ହଜାର କେଜିର ରିଲିଫ ସାମଗ୍ରୀ ମିଆଁମାରକୁ ପଠାଇଛି । ଏଥିରେ ଔଷଧ ସମେତ, ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ସେହିପରି ରିଲିଫ କାମରେ ଭାରତୀୟ ନେଭି ମଧ୍ୟ ନିଯୋଜିତ ହୋଇଛି ।

ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ ପାଇଁ ସରକାର ଆଣିବେ ୟୁନିଫର୍ମ ପଲିସି

ଭୁବନେଶ୍ବର: ରାଜ୍ୟର ୨୪ଟି ଜିଲ୍ଲାରେ ଚିହ୍ନଟ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୬୦ହଜାର ୪୨୬.୯୪୩ ଏକର ଜମି । ସେହିପରି ୩୮ ହଜାର ୬୧.୮୨୯ ଏକର ଜମିର ସ୍ୱତ୍ୱଲିପି ରହିଛି । ଯାହାର ଡିଜିଟାଇଜେସନ କାମ ସରିବ । ବାକି ୨୨ ହଜାର ଏକରର ଆରଓଆର ଯୋଗାଡ଼ ସରିବା ପରେ ଡିଜିଟାଇଜେସନ କରାଯିବ ।

ସେହିପରି ୬ଟି ରାଜ୍ୟରେ ୩୯୫.୨୫ ଏକରର ଜଗନ୍ନାଥ ଜମି ରହିଛି । ସର୍ବାଧିକ ଜମି ପଶ୍ଚିମବଙ୍ଗରେ ଥିବା ନେଇ ରେକର୍ଡ କରାଯାଇଛି । ରାଜ୍ୟର ୭ଟି ଜିଲ୍ଲାରେ ୧୬୮.୮୬ ଏକର ଜଗନ୍ନାଥ ଜମି ଅବରୋଧ ହୋଇଛି । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୬ ଏଆଇ ଅନୁସାରେ ୯୭୪ ମାମଲା ରୁଜୁ ହୋଇଛି । ଯେଉଁମାନେ ଦୀର୍ଘ ଦିନ ଧରି ଜଗନ୍ନାଥ ଜମି ଅବରୋଧ କରିଥିଲେ, ସେମାନଙ୍କ ପାଇଁ ୨୦୦୩ରେ ଏକ ୟୁନିଫର୍ମ ପଲିସି ଆସିଥିଲା । ଯେଉଁଥିରେ ଶହେ ଡିସିମିଲ ଜମି କନସେସନରେ ମିଳିବାର ନିୟମ କରାଯାଇଥିଲା । ବାକି ଜମି ବେଞ୍ଚ ମାର୍କ ଭାଲ୍ୟୁରେ ଦିଆଯିବାର ନିୟମ ହୋଇଥିଲା । ଯାହା ୨୦୧୯ରେ ସଂଶୋଧନ ହୋଇଥିଲା । ନୂଆ ସରକାର ତିନି ମାସରେ ୟୁନିଫର୍ମ ପଲିସି ଆଣିବେ । ଏଥିରେ ଲ୍ୟାଣ୍ଡ ସେଟଲମେଣ୍ଟ ପ୍ରକ୍ରିୟା ଜରିଆରେ ଶହେ ଡିସିମିଲ ଜମି କନସେସନ ରେଟରେ ଫେରାଯିବ ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

୫୦ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ସାଇବର ଠକେଇର ଶିକାର ହେବା ପରେ ଜୀବନ ହାରିଲେ ଦମ୍ପତି । ସ୍ବାମୀ ନିଜ ଗଳା କାଟି ଦେଇଥିବା ବେଳେ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି କର୍ଣ୍ଣାଟକ ବେଲଗାଭିରେ । ସାଇବର ଅପରାଧୀଙ୍କ ଦ୍ବାରା ୫୦ ଲକ୍ଷ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି ଦିଆଙ୍ଗୋ ନଜରାତ ଏବଂ ତାଙ୍କ ପତ୍ନୀ ପ୍ଲେବିଆନା ନଜରାତ । ମୃତ୍ୟୁ ପୂର୍ବରୁ ସେମାନେ ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି ।

ଦିଲ୍ଲୀ କ୍ରାଇମବ୍ରାଞ୍ଚର ଅଧିକାରୀଙ୍କ ପରିଚୟ ଦେଇ ଅପରାଧୀମାନେ ଟଙ୍କା ଲୁଟି ନେଇଥିଲେ । ଏକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ସେମାନେ ଏହି ଟଙ୍କା ଲୁଟ୍ କରିଥିଲେ । ପତିପତ୍ନୀ ଦୁହେଁ ମହାରାଷ୍ଟ୍ର ସଚିବାଳୟରେ ଚାକିରି କରି ଅବସର ନେଇଥିଲେ ।

ସେପଟେ ଅନଲାଇନ ଡେଟିଂ ଆପରେ ସାମିଲ ହୋଇ ନୋଏଡାର ଜଣେ ବ୍ଯକ୍ତି ହରାଇଛନ୍ତି ସାଢେ ୬ କୋଟି ଟଙ୍କା । ଅନଲାଇ ଟ୍ରେଡିଂ ଆପରେ ନିବେଶ କରିବା ଲୋଭ ଦେଇ ମହିଳା ଜଣକ ଏହି ଟଙ୍କା ଠକି ନେଇଥିଲେ । ଠକେଇର ଶିକାର ବ୍ୟକ୍ତି ଜଣେ ବ୍ୟବସାୟୀ ଓ ସେ ନୋଏଡାର ସେକ୍ଟର ୩୬ର ବାସିନ୍ଦା । ଏନେଇ ସେ ଦିଲ୍ଲୀ ସାଇବର କ୍ରାଇମ ପୋଲିସରେ ଅଭିଯୋଗ ଦାୟର କରିଛନ୍ତି ।