ଭୁବନେଶ୍ବର ; ଏପ୍ରିଲ ପହିଲା ଓଡିଶା ଦିବସଠାରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ରାଜ୍ଯ ସରକାର ଓଡ଼ିଆ ପକ୍ଷ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ଯାହାକୁ ବିଜେଡି କଟାକ୍ଷ କରିଛି । ଡବଲ ଇଞ୍ଜିନ ସରକାରରେ ଗୋଟିଏ ଇଞ୍ଜିନ ଆଉ ଗୋଟେ ଇଞ୍ଜିନର ପକ୍ଷ ଛେଦନ କରୁଛନ୍ତି । ଏମିତିରେ ସରକାର କି ଓଡ଼ିଆ ପକ୍ଷ ପାଳନ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି । ଓଡିଶା ସରକାର ଦଶ ମାସରେ କେତେ କେନ୍ଦ୍ରୀୟ ଅନୁଦାନ ପାଇଛନ୍ତି ? ତାର ହିସାବ ଦେବେ କି ସରକାର ? କେନ୍ଦ୍ର ସରକାର ପ୍ରତ୍ଯେକ ଦିନ ରାଜ୍ୟ ସ୍ୱାର୍ଥର ପକ୍ଷ ଛେଦନ କରୁଛନ୍ତି । ଓଡ଼ିଆ ପକ୍ଷ ପାଳନ କେବଳ ଏକ ପ୍ରହେଳିକା । ପ୍ରଥମେ ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ । ବିନା ଭୟରେ ବିନା ରାଜନୀତିରେ କେନ୍ଦ୍ର ପାଖରେ ନିଜର ପକ୍ଷ ଜୋରଦାର ଉପସ୍ଥାପନ କରନ୍ତୁ । ଯେମିତି ନବୀନ ବାବୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରି ସଫଳ ହେଉଥିଲେ ତାହା କରନ୍ତୁ । ନିର୍ବାଚନ ଜିତିବା ପାଇଁ କେବଳ ଅସ୍ମିତା କଥା କୁହନାହିଁ । ଏହାକୁ କାମରେ କରି ଦେଖାଇବାକୁ ଆହ୍ବାନ ଦେଇଛି ବିଜେଡି । ପ୍ରତ୍ଯେକ ଦିନ ଓଡ଼ିଆ ଅସ୍ମିତା କ୍ଷୁଣ୍ଣ ହେଉଛି । ତେଣୁ ଓଡ଼ିଆ ପକ୍ଷ ପାଳନ ଏକ ଘୋଡ଼ଣି ମାତ୍ର । ଏ ସରକାର ସବୁବେଳେ ଦୋ ଛୋକିରେ। କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ସରକାରଙ୍କୁ ରାସ୍ତା ମିଳୁନି ବୋଲି କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ଭୂକମ୍ପ କ୍ଷତିଗ୍ରସ୍ତ ମିଆଁମାରର ସହାୟତା ପାଇଁ ଭାରତର ‘ଅପରେସନ ବ୍ରହ୍ମା’ ଆରମ୍ଭ
ନନ୍ଦିଘୋଷ ବ୍ୟୁରୋ: ଭୂକମ୍ପରେ ଧ୍ବସ୍ତ ବିଧ୍ବଂସ ମିଆଁମାରର ସହାୟତା ପାଇଁ ଆଗକୁ ଆସିଲା ଭାରତ । ମିଆଁମାରକୁ ସହାୟତା ପଠାଇବା ସହ ଆରମ୍ଭ ହୋଇଛି ‘ଅପରେସନ ବ୍ରହ୍ମା’ । ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରିଲିଫ୍ ଅଭିଯାନ ହେଉଛି ବ୍ରହ୍ମା । ଗତକାଲିଠାରୁ ଆରମ୍ଭ ହୋଇଛି ଏହି ଅପରେସନ ।
ଭାରତୀୟ ସେନା ପକ୍ଷରୁ ମିଆଁମାରକୁ ରିଲିଫ୍ ସାମଗ୍ରୀ ଓ ସାହାଯ୍ୟ ପଠାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ମିଆଁମାରରେ ଭୂକମ୍ପ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସାହାଯ୍ୟ ପ୍ରଦାନ କରିବା । ଏଥିରେ ଖାଦ୍ୟ, ଔଷଧ, ପୋଷାକ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଇଛି ।
ଗତକାଲି ଭାରତୀୟ ବାୟୁସେନାର ପ୍ରଥମ ବିମାନ ହିଣ୍ଡନ ବାୟୁସେନା ଘାଟିରୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ନେଇ ମିଆଁମାରର ରାଜଧାନୀ ୟାଙ୍ଗୁନରେ ପହଞ୍ଚିଥିଲା । ଏଥିରେ ଭାରତୀୟ ବାୟୁସେନା, ନୌସେନା ଓ NDRF ଟିମ ସାମିଲ ଅଛନ୍ତି । NDRFର ୮୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହେବେ । ଅନ୍ୟାନ୍ୟ ଉପକରଣ ସହ ସନ୍ଧାନୀ କୁକୁରଙ୍କୁ ମିଆଁମାର ପଠାଯାଇଛି । ଭାରତୀୟ ନୌସେନାର ଦୁଇଟି ଜାହାଜ INS ସାବିତ୍ରୀ ଓ INS ସାତପୁରା ପ୍ରାୟ ୫୦ ଟନ୍ ରିଲିଫ୍ ସାମଗ୍ରୀ ନେଇ ଆସନ୍ତାକାଲି ସୁଦ୍ଧା ୟାଙ୍ଗୁନରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହି ସାମଗ୍ରୀ ମଧ୍ୟରେ ପୋଷାକ, ଜରୁରୀ ଔଷଧ, ଖାଦ୍ୟ ଓ ସାନିଟାଇଜର ରହିଛି ।
ମିଆଁମାରରେ ପ୍ରାୟ ୫୦ରୁ ୬୦ ହଜାର ଭାରତୀୟ ନାଗରିକ ରହୁଛନ୍ତି । ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟିଥିବା ସୂଚନା ମିଳିନି । ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ଗଞ୍ଜାମରେ ଯୁବକଙ୍କୁ ଗୁଳିମାରି ହତ୍ୟା
କବିସୂର୍ଯ୍ୟନଗର: ଗଞ୍ଜାମରେ ପୁଣି ଫୁଟିଲା ଗୁଳି । ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ମୃତକ ହେଲେ ଲକ୍ଷ୍ମୀ ନାରାୟଣ ପାଇକରାୟ ଓରଫ କୁନା । ପଥରପାଲ୍ଲି ରାସ୍ତାରେ ଗୁଳିମାଡ଼ ହୋଇଛି ।
ମିଳିଥିବା ସୂଚନା ଅନୁସାରେ କୁନା ବାଇକରେ ପଥରପାଲ୍ଲି ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କୁନାଙ୍କୁ ଗୁଳି କରି ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନି ।
ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ । ମଧୁସୂଦନ ଛାତ୍ରାବାସରେ ଘଟିଛି ଅଘଟଣ । ଖବର ପାଇବା ପରେ ପୋଲିସ ହଷ୍ଟେଲରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଛାତ୍ର ହେଲେ ତାପସ ରଞ୍ଜନ ନାୟକ । ସେ ଫେଲୋସିପ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ।
ତେବେ ତାପସଙ୍କ ମୃତ୍ୟୁ କେମିତି ମୃତ୍ୟୁ ହୋଇଛି ତା’ର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଗତକାଲି ରାତିରେ ସେ ସୁସ୍ଥ ଥିଲେ ଓ ସାଙ୍ଗମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ସାଙ୍ଗମାନେ କହିଛନ୍ତି ।

