spot_img
Home Blog Page 886

କାହା କଥାରେ ରିଟାୟର୍ଡ ଆଉଟ୍ ହୋଇ ପାଭିଲିୟନ ଗଲେ ତିଲକ ବର୍ମା ?

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ୧୨ ରନରେ ହାରିଛି । ମୁମ୍ବାଇ ସପକ୍ଷରେ ଯାଉଥିବା ଏହି ମ୍ୟାଚଟି ଶେଷ ସମୟରେ ପରାଜୟ ଆଡ଼କୁ ଟାଣି ନେଇଥିଲା । ୧୯ତମ ଓଭରରେ ସାର୍ଦ୍ଧୁଲ ଠାକୁରଙ୍କ ଘାତକ ବୋଲିଂ ସାଙ୍ଗକୁ ଶେଷ ଓଭରରେ ଆଭେଶ ଖାନଙ୍କ ମାପଚୁପ ବୋଲିଂ ମୁମ୍ବାଇ ହାତରୁ ମ୍ୟାଚକୁ ଟାଣି ଆଣିଥିଲା । ତେବେ ଏହି ମ୍ୟାଚରେ ମୁମ୍ବାଇ ପକ୍ଷରୁ ତିଲକ ବର୍ମା ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଥିଲେ । ମାତ୍ର ସେ ଧିମା ବ୍ୟାଟିଂ କରିଥିବା ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ସେ ରିଟାର୍ୟାଡ ଆଉଟ୍ ହୋଇ ପାଭିଲିୟକୁ ଫେରିଥିଲେ । ଆଉ ତାଙ୍କ ସ୍ଥାନରେ ମିଚେଲ ସାଣ୍ଟନର ବ୍ୟାଟିଂ କରିବାକୁ ଆସିଥିଲେ । ତିଲକ ୨୩ ବଲରୁ ୨୫ ରନ କରିଥିଲେ । ସେ ବଡ଼ ସଟ ମାରିବାକୁ ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ଶେଷ ସମୟରେ ବ୍ୟାଟରେ ଠିକସେ ଲାଗୁ ନଥିଲା । ଯେଉଁ କାରଣରୁ ସେ ରିଟାର୍ୟାଡ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କାହା କଥାରେ ପାଭିଲିୟନ ଫେରିଥିଲେ ତିଲକ ? ଅଧିନାୟକ ନାଁ କୋଚ କିଏ ତାଙ୍କୁ ଡାକିଥିଲେ ? ଏମିତି ଏକ ପ୍ରଶ୍ନ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଉଠିଛି ପ୍ରଶ୍ନ । ତେବେ ମୁଖ୍ୟ ପ୍ରଶିକ୍ଷକଙ୍କ କଥାରେ ସେ ପାଭିଲିୟନକୁ ଫେରିଥିଲେ । ଏହା ମ୍ୟାଚର ଏକ ନୂଆ ରଣନୀତି ଥିଲା । ମାତ୍ର ଏଥିରେ ବିଫଳ ହୋଇଥିଲା ମୁମ୍ବାଇ ।

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆଜି ଅଶୋକଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ରଥରେ ଚଢି ମାଉସୀମା ଘରକୁ ଯିବେ ବାବା ଲିଙ୍ଗରାଜ। ମହାପ୍ରଭୁ ଲିଙ୍ଗରାଜଙ୍କ ସହିତ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ କରିବେ।ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ କରାଯାଇଛି। ଶନିବାର ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହେବ। ରୁକୁଣା ରଥଯାତ୍ରାର ନିତୀକାନ୍ତି ବିଳମ୍ବ ନହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଶନିବାର ଭୋର ୫ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ହେବ। ଭୋର ୫ଟା ୩୦ ମିନିଟରେ ସାହାଣମେଳା ଦର୍ଶନ କରିବେ ଶ୍ରଦ୍ଧାଳୁ। ସକାଳ ୬ଟା ୩୦ ମନିଟରେ ଛାମୁ ପରିସ୍କାର, ସକାଳ ୭ଟାରେ ମହାସ୍ନାନ ଓ ବେଶ ଓ ସୂର୍ଯ୍ୟାପୂଜା ନୀତି। ସକାଳ ୮ଟାରେ ଶ୍ରୀଜୀଉଙ୍କ ବଲ୍ଲଭ ନୀତି ଓ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୩୦ରୁ ପହଣ୍ଡି ବିଜେ ଓ ରଥାରୁଢ଼ କରିବେ ଶ୍ରୀଜୀଉ। ଅପରାହ୍ନ ଗୋଟାଏ ୩୦ ମିନିଟରେ ରଥରେ ପୂଜା ଓ ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ ହେବ। ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ଦାୟିତ୍ଵ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଡିସିପି ଜଗମୋହନ ମିନା, ଟ୍ରାଫିକ ଡିସିପି ତପନ ମହାନ୍ତିଙ୍କ ନେତୃତ୍ୱରେ ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ସୁବିଧା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଦୁଇ ଡିସିପିଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୫ ଏସିପି, ୧୨ଜଣ ଇନ୍ସପେକ୍ଟର, ୫୫ଜଣ ସବ ଇନ୍ସପେକ୍ଟର ସମେତ ୧୬ ପ୍ଲାଟୁନ ଫୋର୍ସ ଓ ୮୫ ଜଣ ହୋମଗାର୍ଡ ନିୟୋଜିତ କରାଯାଇଛି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ ଲାଗି ଉଠିଲା ଦାବି

ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ ଲାଗି ଉଠିଲା ଦାବି। ବ୍ୟାଙ୍କକରେ ଅନୁଷ୍ଠିତ ବିମସଟେକ ସମ୍ମିଳନୀ ଅବସରରେ ଏହି ଦାବି ଉଠାଇଛନ୍ତି ବାଂଲାଦେଶର ମୁଖ୍ଯ ପରାମର୍ଶଦାତା ମହମ୍ମଦ ୟୁନୁସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ଏହି ଦାବି ଉଠାଇଛନ୍ତି ୟୁନୁସ। ଏହା ସହ ଦୁଇ ନେତାଙ୍କ ମଧ୍ୟରେ ସଂଖ୍ୟାଲଘୁ ସୁରକ୍ଷା, ସୀମା, ବେଆଇନ ଅନୁପ୍ରବେଶ ଆଦି ସମ୍ପର୍କରେ ଆଲୋଚନା ହୋଇଛି। ଭାରତ-ବାଂଲାଦେଶ ସୀମାରେ ବେଆଇନ ଅନୁପ୍ରବେଶ ବଢୁଥିବାରୁ ଏହାକୁ ରୋକିବା ଦିଗରେ ଦୁଇ ଦେଶ ମଧ୍ଯରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ବି ସାମିଲ ହୋଇଥିଲେ। ଏକ ଶାନ୍ତିପୂର୍ଣ୍ଣ, ପ୍ରଗତିଶୀଳ ଓ ଅନ୍ତର୍ଭୁକ୍ତିମୂଳକ ବାଂଲାଦେଶ ଗଠନ ଦିଗରେ ଭାରତ ଆଗ୍ରହୀ ବୋଲି କହିଥିଲେ ମୋଦୀ।

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଫେଲ୍ ମାରିଲା ଜନ ଶୁଣାଣି

ଚୌଦ୍ଵାର : ଚୌଦ୍ଵାର ବାଣିପଦା ପଞ୍ଚାୟତରେ ଥିବା ଇଡକୋ ଜମିରେ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ସ୍ଥାପନ କରାଯିବ । ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାର୍ଯ୍ୟକ୍ରମ ହତକୁ ନିଆଯାଇଛି । ଏନେଇ ଆଜି ହେବାକୁ ଥିବା ଜନଶୁଣାଣିକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଅନ୍ୟ ଏକ ତାରିଖ ନିର୍ଦ୍ଧାରିତ କରାଯାଇ ଜନ ଶୁଣାଣି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି । କହିଛନ୍ତି ଏଠାରେ ପ୍ରକଳ୍ପ ନିର୍ମାଣ କରାଗଲେ ପରିବେଶ ପ୍ରଦୂଷଣ ହେବା ସହିତ ଏହାର ପ୍ରଭାବ ଜନବସତି ଉପରେ ପଡ଼ିବ । ତେଣୁ ଏହି ଅଞ୍ଚଳରେ ଏବେ କି ଆଗାମୀ ଭବିଷ୍ୟତରେ  ଏହି ପ୍ରକଳ୍ପ କଲେ ଏହାକୁ ବିରୋଧ କରାଯିବ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ଚୌଦ୍ଵାର ଥାନା ଆଇଆଇସିଙ୍କ ସମେତ ଶହେରୁ ଅଧିକ ପୋଲିସ ନିୟୋଜିତ ହୋଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଉପସ୍ଥିତ ଅଧିକାରୀମାନେ ଫେରିଯାଇଥିଲେ ।

ରାଜ୍ୟସଭାରେ ମାନସଙ୍କ ପ୍ରଶ୍ନ: PMGSYରେ କେତେ ଆର୍ଥିକ ସହୟତା ଦେଇଛ ?

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୧୦ ହଜାର ୭୫୩ କିଲୋମିଟରର ୨୮୧୦ଟି ସବୁଦିନିଆ ରାସ୍ତା ନିର୍ମାଣ ହୋଇଛି । ପିଏମଜିଏସୱାଇ ଆରମ୍ଭ ହେବା ଦିନରୁ କେନ୍ଦ୍ର ସରକାର ପକ୍କା ରାସ୍ତା ନଥିବା ଗାଁକୁ ସଡକ ନିର୍ମାଣ ପାଇଁ ୨୪ ହଜାର ୮୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ନିଜସ୍ବ ଅଂଶଧନକୁ ମିଶାଇ ୩୩ ହଜାର ୩୧୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କେନ୍ଦ୍ର ସରକାର ଓଡିଶାକୁ ଦେଇଥିବା ଆର୍ଥିକ ସହୟତା ସମ୍ପର୍କରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ ଏହି ସୂଚନା ଦେଇଛନ୍ତି । ସବୁ ଦିନିଆ ରାସ୍ତା ନଥିବା ସବୁ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ୨୦୦୦ ମସିହା ଡିସେମ୍ବର ୨୫ ତାରିଖରେ ପିଏମଜିଏସଓ୍ବାଇ ଯୋଜନା ଆରମ୍ଭ କରିଥିଲେ । ୫୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁ ସହ ଉତ୍ତର ପୂର୍ବ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ୨୫୦ରୁ ଅଧିକ ଜନସଂଖ୍ୟା ଥିବା ଗାଁ ଏବଂ ମାଓ ପ୍ରଭାବିତ ୧୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପିଏମଜିଏସୱାଇରେ ପକ୍କା ରାସ୍ତା ନିର୍ମାଣ ହେଉଥିଲା । ରାଜ୍ୟରେ ଗତ ୨୫ ବର୍ଷ ମଧ୍ୟରେ ପ୍ରସ୍ତାବିତ ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୫ହଜାର ୩୧୩ଟି ଗାଁ ମଧ୍ୟରୁ ୧୫ହଜାର ୩୦୭ ଗାଁକୁ ପକ୍କା ରାସ୍ତା ନିର୍ମାଣ ସରିଛି । ସେହିଭଳି ମାଓ ଅଧ୍ୟୁଷିତ ୧୬୮୮ ଗାଁ ମଧ୍ୟରୁ ୧୬୮୪ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ସରିଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରେ ଦୁର୍ନୀତି, ଦେଶର ୨୧ଟି ସ୍ଥାନରେ ଇଡିର ପକ୍ଷରୁ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ : ଆୟୁଷ୍ମାନ ଭାରତ ଯୋଜନାରେ ଦୁର୍ନୀତି। ଦେଶର ୨୧ଟି ସ୍ଥାନରେ ଇଡିର ପକ୍ଷରୁ ଚଢ଼ାଉ। ଝାଡ଼ଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ ସମେତ ୨୧ଟି ସ୍ଥାନରେ ରେଡ୍। ହସପିଟାଲ ଏମପ୍ୟାନେଲ ଓ କ୍ଲେମ ସେଟେଲମେଣ୍ଟରେ ଅନିୟମିତତା ହୋଇଥିବା ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରାଞ୍ଚିର ଅଶୋକ ନଗର ଓ ବାରିଆତୁ ସମେତ ଜାମସେଦପୁର ମାଙ୍ଗୋ ଅଞ୍ଚଳରେ ଥିବା ଏକ ଘର ଏବଂ ୩୩ ନମ୍ବର ଜାତୀୟ ରାଜପଥରେ ନିକଟରେ ଏକ ନର୍ସିଂ ହୋମରେ ଚଢ଼ାଉ ହୋଇଛି। ଅଭିଯୋଗ ଅନୁସାରେ ରୋଗୀଙ୍କ ଚିକିତ୍ସା ନ କରି ଏପରିକି ରୋଗୀ ଭର୍ତ୍ତି ନ ହୋଇ ମଧ୍ୟ ହସପିଟାଲକୁ ଦିଆଯାଇଛି ଟଙ୍କା। ଏପରିକି ବିଭିନ୍ନ ହସପିଟାଲର ଏମପ୍ୟାନେଲରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା। ଅନେକ ବଡ଼ ବଡ଼ ହସ୍ତୀଙ୍କ ଘରେ,  ଅଫିସରେ ରେଡ୍ ହୋଇଛି। ଝାଡ଼ଖଣ୍ଡ ଷ୍ଟେଟ ଆରୋଗ୍ୟ ସୋସାଇଟିର ବିଭିନ୍ନ ଅଧିକାରୀ, କର୍ମଚାରୀ ଓ ଥାର୍ଡ ପାର୍ଟି ସଂସ୍ଥା ଯଥା ଏମଡି ଇଣ୍ଡିଆ, ସେଫୱେ ଓ ମେଡି ଆସିଷ୍ଟରେ ରେଡ୍ ହୋଇଛି। ଝାଡ଼ଖଣ୍ଡର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ଓମ ପ୍ରକାଶ ସିଂହଙ୍କ ଘରେ ବି ଇଡି ଖାନତଲାସ କରିଛି। ଆୟୁଷ୍ମାନ ଭାରତ ଯୋଜନାର ବ୍ୟାପକ ଅନିୟମିତତା ହୋଇଥିବା ନେଇ ୨୦୨୩ରେ ପାର୍ଲାମେଣ୍ଟରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ୨୦୦ରୁ ଅଧିକ ହସପିଟାଲରେ ଜାଲିଆତି ହୋଇଥିବାର ରିପୋର୍ଟ ଆସିଥିଲା।

ଆଗେଇ ଚାଲିଛି ପୋଲାଭରମ ପ୍ରକଳ୍ପ, ହାତ ଟେକିଦେଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ହରଡ଼ଘଣାରେ ରାଜ୍ୟ ବିଜେପି ସରକାର। ପ୍ରକଳ୍ପ ଦ୍ୱାରା ଆନ୍ଧ୍ର ଲାଭବାନ ହେବାକୁ ଥିବା ବେଳେ ଯେଉଁ କିଛି ଅଞ୍ଚଳ ପ୍ରଭାବିତ ହେବ ସେମାନଙ୍କ ପାଇଁ ମଧ୍ୟ ଚିନ୍ତା କରୁଛନ୍ତି ଆନ୍ଧ୍ର ସରକାର। ପ୍ରଭାବିତ ହେବାକୁ ଥିବା ଆନ୍ଧ୍ରର ୯ ଟି ଗ୍ରାମରେ ଗ୍ରାମସଭା ହୋଇଛି। ଜମି ଅଧିଗ୍ରହଣ ତଥା ଥଇଥାନ ପାଇଁ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ପରିବାରଙ୍କ ସହମତି ନିଆଯିବ। ସେମାନଙ୍କ ସୁବିଧା ପାଇ ମତାମତ ନିଆଯାଇଛି। ସର୍ବାଧିକ କ୍ଷତି ସହିବାକୁ ଥିବା ଓଡିଶାର ଆଦିବାସୀ ମାନେ କିନ୍ତୁ କେବେ ବୁଡିବେ ତାକୁ ଅପେକ୍ଷା କରିଛନ୍ତି। ଓଡିଶାର କୌଣସି ଲାଭ ହେବ ନାହିଁ। ହଜାର ହଜାର ଆଦିବାସୀ କ୍ଷତିଗ୍ରସ୍ତ ହେବା ସହ ବହୁ ଜଙ୍ଗଲ ଜମି ଓ ଆଦିବାସୀ ଅଞ୍ଚଳ ବୁଡିଯିବ। ନା ହେଉଛି ଗ୍ରାମସଭା ନା କୌଣସି ସର୍ଭେ। ଯାହାକୁ ନେଇ ଆମ ଜନତା ଅଧିକାର ସରକାରଙ୍କ ଉପରେ ବର୍ଷିଛି। ଆନ୍ଧ୍ର ନିଜ ଲୋକଙ୍କ ପାଇଁ କେତେ ତତ୍ପର ତାହା ସ୍ପଷ୍ଟ ହେଉଛି। ହେଲେ ରାଜ୍ଯ ସରକାର ଶୋଇଛନ୍ତି। ଆନ୍ଧ୍ର ରାଜନୈତିକ ବାର୍ଗେନ କରୁଛି କିନ୍ତୁ ଓଡିଶା ସରକାର ଚୁପ। ଓଡିଶା ବିଜେପି ସରକାର ଓ ୨୦ ବିଜେପି ସାଂସଦଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ ବୋଲି କୁହାଯାଇଛି। ଏ ପ୍ରସଙ୍ଗରେ ଆମ ଜନତା ଅଧିକାର ପକ୍ଷରୁ କରାଯାଉଥିବା କ୍ଷୟକ୍ଷତି ସମ୍ପର୍କିତ ସର୍ଭେର କାମ ୮୦ ପ୍ରତିଶତ ସରିଛି। ସର୍ଭେ ଶେଷ ହୋଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପରେ ସଂଗଠନର ପ୍ରତିନିଧି ଦଳ ସରକାରଙ୍କ ସହ ରାଷ୍ଟ୍ରପତିଙ୍କ ନିକଟରେ ବିଧିବଦ୍ଧ ଦାବି ସହ ମାଲକାନଗିରି ବାସୀଙ୍କ ସୁରକ୍ଷା ପାଇଁ ଲଢେଇ ଜୋରଦାର କରିବେ।

ସେପଟେ ରାଜନୈତିକ ଦଳଗୁଡିକ ମଧ୍ୟ ସରକାରଙ୍କୁ କଡା ନିନ୍ଦା କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଦିବାସୀ। ମାଲକାନଗିରି ଜିଲ୍ଲାର ଆଦିବାସୀ ମାନେ ପୋଲାଭରମ ପ୍ରକଳ୍ପ ଦ୍ବାରା ବ୍ୟାପକ କ୍ଷତିଗ୍ରସ୍ତ ହେବେ। କିନ୍ତୁ ଏ ଯାଏ ସେଠାରେ ପଲ୍ଲୀସଭା, ଗ୍ରାମସଭା ହୋଇନାହିଁ। ବିଧାନସଭାରେ ମଧ୍ୟ ଏ କଥା ଉଠାଯାଇଥିଲା। କିନ୍ତୁ ସରକାର ନିରବ ରହିଲେ। କେନ୍ଦ୍ରରେ ବିଜେପି ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡ଼ିଶାର ଆଦିବାସୀଙ୍କ ସୁରକ୍ଷା ପାଇଁ ରାଜ୍ୟ ବିଜେପି ସରକାରର ଆଦୌ ଚିନ୍ତା ନାହିଁ। କେନ୍ଦ୍ରର ଚାପରେ ଚୁପ ରହିଛି ଓଡିଶା ବିଜେପି ସରକାର। ମାଲକାନଗିରିର ୧୬୩ ଆଦିବାସୀ ଗାଁ ଜଳମଗ୍ନ ହେବ, ତିନି ଚାରୋଟି ନଦୀର ଜଳ ମଧ୍ୟ ନିଷ୍କାସିତ ହେବ ନାହିଁ। ଆଦିବାସୀ ମାନେ ତ୍ରାହି ତ୍ରାହି ଡାକିଲେଣି। କିନ୍ତୁ ବିଜେପି ସରକାର କେନ୍ଦ୍ର ଚାପରେ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। କଂଗ୍ରେସ ଆଦିବାସୀଙ୍କ ସୁରକ୍ଷା ପାଇଁ ଦୁର୍ବାର ଆନ୍ଦୋଳନ କରିବ ବୋଲି ଚେତାଇ ଦେଇଛନ୍ତି କାଡାମ। ସେପଟେ ସିପିଆଇଏମଏଲର କହିବା କଥା ପୂର୍ବ ସରକାର ସମୟରେ ଯେଭଳି ସ୍ୱର ଉତ୍ତୋଳନ ହେଉଥିଲା ଏବେ ତାହା ନାହିଁ। ପୋଲାଭରମ ପ୍ରସଙ୍ଗରେ ଆଦିବାସୀଙ୍କର ଏକ ବଡ଼ ସଂଗ୍ରାମ ହେବ। ୨୦୨୭ ସୁଦ୍ଧା ପୋଲାଭରମ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ସବୁ ଶକ୍ତି ଖଟାଇ ଲାଗି ପଡ଼ିଛନ୍ତି ଆନ୍ଧ୍ର ସରକାର। କେନ୍ଦ୍ରର ବିଜେପି ସରକାର ମଧ୍ୟ ଆନ୍ଧ୍ର ପାଇଁ ନିଜର ପେଡି ଖୋଲି ଦେଇଛନ୍ତି। କିନ୍ତୁ ଓଡ଼ିଶାର ଡବଲ ଇଞ୍ଜିନ ସରକାର କିନ୍ତୁ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ତ ଦୂରର କଥା ପୋଲାଭରମ ଯୋଗୁ କେତେ କ୍ଷୟକ୍ଷତି ହେବ ତାର ଆକଳନ ବି କରୁ ନାହାନ୍ତି।

ପୁଣିଥରେ ନବୀନ ମଡେଲକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ବର : ସରକାର ବଦଳିଛି । ହେଲେ ନବୀନ ନୀତିରେ ଏବେ ବି ଶତମୁଖ ନୀତି ଆୟୋଗ । ପ୍ରକାଶ ପାଇଛି ୨୦୨୫ ନୀତି ଆୟୋଗ ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କ ରିପୋର୍ଟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ଆର୍ଥିକ ପରିଚାଳନାରେ ସବୁ ରାଜ୍ୟଠୁ ଆଗରେ । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କରେ ୬୭.୮ ପଏଣ୍ଟ ପାଇ ଦେଶରେ ଏକ ନମ୍ବର ପୋଜିସନ ପାଇଛି । ଖୋଦ ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି । ନୀତି ଆୟୋଗଙ୍କ ରିପୋର୍ଟ ପୁଣି ଥରେ ନବୀନଙ୍କ ଆର୍ଥିକ ସୁପରିଚାଳନା ନୀତିକୁ ମୋହର ମାରିଛନ୍ତି । ଗୁଜରାଟ ୫ ନମ୍ବର ସ୍ଥାନରେ ଥିବାବେଳେ ଉତ୍ତରପ୍ରଦେଶ ୭ ନମ୍ବର ଓ ମଧ୍ୟପ୍ରଦେଶ ୯ ନମ୍ବର ସ୍ଥାନରେ ରହିଛି । ୨୦୨୪ରେ ସରକାର ପରିବର୍ତ୍ତନ ହୋଇଛି ସତ, କିନ୍ତୁ ଏବର ଡବଲ ଇଞ୍ଜିନ ସରକାର ଉତ୍ତରାଧିକାରୀ ସୂତ୍ରରେ ନବୀନଙ୍କ ଆର୍ଥିକ ସୁପରିଚାଳନାର ଫଳ ଅମଳ କରୁଛନ୍ତି ବୋଲି ବିଜେଡି ଦାବି କରିଛି । ଏବର ସରକାର ଅବିଚାରିତ ଭାବେ ଋଣ କରିଚାଲିଛନ୍ତି । ଫଳରେ ରାଜ୍ୟର ବିତ୍ତୀୟ ସ୍ବାସ୍ଥ୍ୟ ବିଗିଡ଼ିବାକୁ ଯାଉଛି । ଏ ଦୁର୍ବୁଦ୍ଧି ରାଜ୍ୟ ସରକାରଙ୍କୁ କେନ୍ଦ୍ରରୁ ମିଳିଛି । ଦେଶର ଅଭିବୃଦ୍ଧି ଆଗରେ ମୁଣ୍ଡପିଛା ଆୟରେ ୧୪୦ ତମ ସ୍ଥାନରେ ରହିଛି । ମୋହନ ସରକାର ଚାଣକ୍ୟ ନୀତିରେ ନ ଯାଇ ଚାର୍ବାକ ନୀତିରେ ଚାଲିଛି । ଖୋଦ କଂଗ୍ରେସ ମଧ୍ୟ ନବୀନଙ୍କ ଆର୍ଥିକ ପରିଚାଳନାକୁ ପ୍ରଶଂସା କରିଛି ।…

ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିଚାଳନାର ୪ଟି ଥିଲା ମୁଖ୍ୟ ଦିଗ । ଖୋଲାବଜାରରୁ ଅଧିକ ସୁଧରେ ଋଣ ନିଆଯାଉନଥିଲା । କେବଳ ଆଇଏମ୍ଏଫ, ବିଶ୍ବ ବ୍ୟାଙ୍କ, ଏଡିବିରୁ ଶୂନରୁ ୨ ପ୍ରତିଶତ ହାରରେ ନିଆଯାଉଥିଲା ଋଣ । ପୁଞ୍ଜିଗତ ବ୍ୟୟକୁ ଗୁରୁତ୍ବ ଦିଆଯାଇ ରାଜ୍ୟର ଆୟକୁ ବୃଦ୍ଧି କରାଯାଇଥିଲା । ଲୋୟର ସୁକତେଲ, ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପଠୁ ଆରମ୍ଭ କରି ବିଜୁ ଏକ୍ସପ୍ରେସ ଓ୍ବେ, ବିଏସ୍କେଓ୍ବାଇ, ଶିକ୍ଷା ସହାୟତା ରାଜ୍ୟକୁ ନୂଆ ପରିଚୟ ସୃଷ୍ଟି କରୁଥିଲା । ଏଥିରେ ଲୋକଙ୍କ ଆୟ ସଞ୍ଚୟ ହେବା ସହ ଉତ୍ପାଦିକତା ବୃଦ୍ଧି ପାଉଥିଲା । ଫଳରେ ଋଣ ନେବାର ଆବଶ୍ୟକତ ନଥିଲା । ଅନ୍ୟରାଜ୍ୟଙ୍କ ଋଣଭାର ୬ ଲକ୍ଷରୁ ୭ ଲକ୍ଷ କୋଟି ରହିଥିଲା । ସେମାନେ ସୁଧ ବାବଦରେ ୧ ଟଙ୍କା ଆୟର ୫୬ ପଇସା ସୁଧ ପରିଶୋଧରେ ଖର୍ଚ୍ଚ କରୁଥିଲେ । ଓଡ଼ିଶା ଖର୍ଚ୍ଚ ପରିଶୋଧ କରୁଥିଲା ମାତ୍ର ୧୨ ପଇସା । ତୃତୀୟରେ ଯାହା ବି ନୀତି ପ୍ରଣୟନ କରାଯାଉଥିଲା ଫାଇଭ-ଟି ବ୍ୟବସ୍ଥା ଯୋଗୁ ଲୋକଙ୍କ ପାଖରେ ସରକାରଙ୍କ ଯୋଜନାର ସୁଫଳ ପହଞ୍ଚିପାରୁଥିଲା । ଚତୁର୍ଥ କଥାଟି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ସହ ୧ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚାଇବା ପାଇଁ ଭିଜନ ରଖିଥିଲେ । ଯାହାକି ଏବର ସରକାରରେ ଦେଖିବାକୁ ମିଳୁନି । ନବୀନଙ୍କ ସୁଶାସନକୁ ଲୋକେ ଏବେ ବି ମନେ ପକାଉଛନ୍ତି । ବିଗତ ୨୪ ବର୍ଷ ଥିଲା ଓଡ଼ିଶା ଶାସନର ସୁବର୍ଣ୍ଣଯୁଗ । ଯେଉଁଥିରେ ରାଜ୍ୟ ଅର୍ଥନୀତି ୧୮ ଗୁଣ ବଢିଥିଲା ।

ସରିଲା ଅଧିବେଶନ, ଆରମ୍ଭ ହେଲା ହିସାବ ନିକାଶ । ବିଧାୟକଙ୍କ ଫୋକସରେ ନିର୍ବାଚନ ମଣ୍ଡଳୀ

ଭୁବନେଶ୍ବର : ବିଧାନସଭା ଅଧିବେଶନ ସରିବା ପରେ ଆରମ୍ଭ ହୋଇଛି ପୋଷ୍ଟମଟମ। ମୁଖ୍ୟ ବିରୋଧୀ ଦଳ ବିଜେଡି ଉଠାଇ ଥିଲା  ପଛୁଆ ବର୍ଗ ସଂରକ୍ଷଣ, ମହାନଦୀ, ପୋଲାଭରମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନ କଟନି ଛଟନୀ, ଆଦିବାସୀ ହଷ୍ଟେଲ ସୁରକ୍ଷା, ଶ୍ରୀମନ୍ଦିର ସମସ୍ୟା, ମିଶନ ଶକ୍ତିକୁ ସରକାର ଶକ୍ତିହୀନ କରୁଥିବା ପରି ପ୍ରସଙ୍ଗ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ପ୍ରଶ୍ନ ବି କରିଥିଲା ବିଜେଡି। ଦଳର ବିଧାୟକମାନେ ନିଜ ଅଂଚଳର ସମସ୍ୟା କଥା ଉଠାଇ ସମାଧାନର ବାଟ ଖୋଜିଥିଲେ । ଗୃହ ମୁଲତବୀ ହେବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିର୍ବାଚନୀ ମଣ୍ଡଳୀ ଉପରେ ବିଜେଡି ବିଧାୟକମାନେ ଫୋକସ୍ କରିଛନ୍ତି। ସେପଟେ ଶାସକ ଦଳର ବିଧାୟକ କହିଛନ୍ତି ଏଥରର ଅଧିବେଶନ ବେଶ ଉତ୍ସାହନ ଜନକ ଥିଲା।

ଏହି ଅଧିବେଶନରେ କଂଗ୍ରେସର ୧୪ ବିଧାୟକ ଅଧିକାଂଶ ସମୟ ନାରୀ ନିର୍ଯାତନା ପ୍ରସଙ୍ଗରେ ଉଭୟ ଗୃହ ଭିତରେ ଓ ବାହାରେ କରିଥିଲେ ହଟ୍ଟଗୋଳ। ଅଧିକାଂଶ ସମୟ ଗୃହ ବାହାରେ ରହିଥିଲେ। ସେମାନେ ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ପାରିଲେ ନାହିଁ କି ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲରେ ଦଳର ମତ ରଖିପାରିଲେ ନାହିଁ। ଏହା ବିଜେପିକୁ ବେଶ ସୁହାଇଥିଲା । କଂଗ୍ରେସର ବିଧାୟକ ଗୃହ କାର୍ଯ୍ୟରେ ସାମିଲ ହୋଇନଥିବାରୁ ନିଜ  ଅଂଚଳର ସମସ୍ୟା କଥା ବି ଉଠାଇପାରିନଥିଲେ। ଏବେ ଅଧିବେଶନ ସରିଲା ପରେ ବିଧାୟକମାନେ ନିର୍ବାଚନୀ ମଣ୍ଡଳୀ ଯାଇ ଭୋଟରଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥର ବିଧାନସଭାର ବଜେଟ ଅଧିବେଶନରେ ଥିଲା ୨୫ଟି କାର୍ଯ୍ୟ ଦିବସ। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରି ସରକାରଙ୍କୁ ଜବାବ ମାଗିଥିଲା ବିଜେଡି।ବିଧାନସଭା ଇତିହାସରେ ପ୍ରଥମ ଥର କଂଗ୍ରେସର ସବୁ ବିଧାୟକ ୭ କାର୍ଯ୍ୟଦିବସରୁ ନିଲମ୍ଵନ ହେବା ପରେ ବ୍ୟାକଫୁଟକୁ ଚାଲିଯାଇଥିଲା ଦଳ ।

ଆହୁରି ସ୍ବଚ୍ଛ ହେବ ରିଅଲ ଇଷ୍ଟେଟ କାରବାର, ସାବାଡ଼ ହେବେ ଠକ ବିଲଡର

ଭୁବନେଶ୍ବର : ରେରା ପଞ୍ଜୀକୃତ ଆପାର୍ଟମେଣ୍ଟର ହେବ ଫରେନସିକ୍ ଅଡିଟ୍ । କ୍ରେତାଙ୍କ ଅର୍ଥକୁ ନେଇ ବିଲଡର ଏପଟ ସେପଟ କଲେ ମିଳିବ ଆର୍ଥିକ ଦଣ୍ଡ । ଓରେରା ପକ୍ଷରୁ ବାହାରିଲା ବିଧିବଦ୍ଧ ବିଜ୍ଞପ୍ତି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଗଢ଼ାଗଲା ଫରେନସିକ୍ ଅଡିଟ୍ ଟିମ୍ । ଗ୍ରାହକ ହେବେ ଅଧିକ ସଶକ୍ତ, ସାବାଡ ହେବେ ଠକ ବିଲଡର । କଟକ, ଭୁବନେଶ୍ବର ସମେତ ସାରା ରାଜ୍ୟରେ ହେବ କାର୍ଯ୍ୟକାରୀ। ଘର କିଣିବା ପାଇଁ ଗ୍ରାହକ ଅର୍ଥ ପୈଠ କରିବା ପରେ ବି ନିର୍ଦ୍ଧାରିତ ସମୟରେ ସରୁନି ପ୍ରକଳ୍ପ । ବିଭିନ୍ନ ବାହାନା ଦେଖାଇ ବିଲଡର ଜାଣିଶୁଣି ପ୍ରକଳ୍ପ ସାରୁନାହାନ୍ତି । ଗୋଟିଏ ପ୍ରକଳ୍ପରେ କ୍ରେତାଙ୍କ ଠାରୁ ଆଦାୟ ଅର୍ଥ ଅନ୍ୟ ପ୍ରକଳ୍ପରେ ବିନିଯୋଗ କରୁଛନ୍ତି ବିଲଡର । ଏପରିକି ଲୋକଙ୍କ ଅର୍ଥକୁ ନିଜ କାମରେ ବିନିଯୋଗ କରୁଛନ୍ତି ବିଲଡର । ଘର କିଣିବା ପାଇଁ ବ୍ୟାଙ୍କରୁ ଋଣ ଆଣି ବିଲଡରଙ୍କୁ ଅର୍ଥ ଦେଇ ଫସୁଛନ୍ତି ଗ୍ରାହକ। ରେରା କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଛି ଏଭଳି ଅନେକ ଅଭିଯୋଗ। ଏସବୁକୁ ନଜରରେ ରଖି ଓରେରା ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନେଇ ଏକ ପ୍ୟାନେଲ କମିଟି ଗଢ଼ିଛନ୍ତି ଓରେରା ।

ପ୍ରକଳ୍ପର ଆର୍ଥିକ ଅଡିଟ, ଫରେନସିକ୍ ଅଡିଟ ଟିମ୍ କଲା ପରେ କୌଣସି ଅନିୟମିତତା ଆସିଲେ ଓରେରା ଆଇନର ଧାରା ୬୩ ଅନୁସାରେ ବିଲଡରଙ୍କୁ ପ୍ରକଳ୍ପ ବଜେଟର ୧୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ । ଫରେନସିକ୍ ଅଡ଼ିଟ୍ ଟିମର ରିପୋର୍ଟ ଅଦାଲତରେ ମଧ୍ୟ ଗ୍ରହଣୀୟ ହେବ। ଧାରା ୧୩ ଅନୁସାରେ ଘର କିଣିବା ପାଇଁ ଏଗ୍ରିମେଣ୍ଟ କଲା ପରେ କ୍ରେତା ଘର ମୂଲ୍ୟର ୧୦ ପ୍ରତିଶତ ଦେବା କଥା । ସମସ୍ତ ପ୍ରମୋଟର ପ୍ରତି ୩ ମାସରେ ଷ୍ଟାଟସ ରିପୋର୍ଟ ଦେବା ବାଧ୍ୟତାମୂଳକ । ପ୍ରକଳ୍ପର ୭୦ ପ୍ରତିଶତ ଅର୍ଥ ଏକ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟରେ ବିଲଡର ଜମା କରିବା କଥା । ଏହି ଅର୍ଥକୁ ଅନ୍ୟ ପ୍ରକଳ୍ପ ବା ନିଜ କମ୍ପାନୀର ଷ୍ଟାଫ ଦରମା ବାବଦକୁ ଖର୍ଚ୍ଚ କରିପାରିବେ ନାହିଁ। ତୃତୀୟ ପକ୍ଷ ଅଡିଟ ହେଲେ ଗ୍ରାହକମାନେ ଅଧିକ ସଶକ୍ତ ହେବା ସହ ବିଲଡରମାନେ ମଧ୍ୟ ସ୍ବଚ୍ଛତା ଅବଲମ୍ବନ କରିବେ । ଫରେନସିକ୍ ଅଡିଟ ଟିମ୍କୁ ଡେଭଲପର ବା ପ୍ରମୋଟର ମାନେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରଦାନ କରି ଅଡିଟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପଡ଼ିବ। ନଚେତ ରେରା ଆଇନର ଧାରା ୩୫ର ଉଲ୍ଲଂଘନ ବୋଲି ବିବେଚନା କରାଯିବ ।