spot_img
Home Blog Page 875

ମାଟି ଚୋରି କରୁଥିଲେ ମାଫିଆ : ବିରୋଧ କରିବାରୁ ଖଣ୍ଡାରେ ହାଣି କଲେ ଲହୁଲୁହାଣ

ନନ୍ଦିଘୋଷ ବ୍ୟୁରୋ :  ରାତି ଅଧରେ ସରକାରୀ ଜାଗାରୁ ମାଟି ଚୋରି କରୁଥିଲେ । ବିରୋଧ କରିବାରୁ ୩ ଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ମାଟି ମାଫିଆ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଂଚଳରେ ବର୍ବରତାର ସୀମା ଟପି ଯାଇଛନ୍ତି ମାଟି ମାଫିଆ । ଗୁରୁତର ଅବସ୍ଥାରେ ୩ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ୍ ପରେ ଏମ୍ସ ଏବଂ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୋମବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ବାଲିଅନ୍ତା ତହସିଲ୍ ଅଧିନ ଜିତିକାଲସୁଆଁଲୋ ଗାଁରେ ଥିବା ଗୋଚର ଜମିରୁ ମାଟି ମାଫିଆ ମାଟି ଚୋରି କରୁଥିଲେ । ଏହି ଖବର ନିକଟସ୍ଥ ଗଡ଼ଭିଙ୍ଗାରପୁର ଗାଁର କିଛି ଯୁବକ ପାଇଥିଲେ । ତୁରନ୍ତ ଯୁବକ ମାନେ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ । ସେତେବେଳେ ୨ଟି ଜେସିବି ମେସିନ ଯୋଗେ ହାଇୱା ଟ୍ରକ୍ ରେ ଲୋଡ କରାଯାଇ ମାଟି ଚୋରି ହେଉଥିଲା । ଯୁବକ ମାନେ ଏହାକୁ ବିରୋଧ କରିବାରୁ ସେଠାରେ ଉପସ୍ଥିତ ମାଟି ମାଫିଆ ମାନେ ଗାଳି ଗୁଲଜ କରି ମାଡ଼ ମାରିଥିଲେ ।

ପରେ ପ୍ରାୟ ୨୦ ଜଣ ମାଟି ମାଫିଆ ଏବଂ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଁଞ୍ଚି ଲୁହା ରଡରେ ମାଡ ମାରିବା ସହ ଖଣ୍ଡାରେ ହାଣି ପକାଇଥିଲେ । ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡି ଯାଇଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଗୁରୁତର ୩ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ । ଆକ୍ରମଣକାରୀ ୪ ଜଣ ଯୁବକଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ । ଏହା ସହ ଆକ୍ରମଣକାରୀଙ୍କ ଦୁଇଟି ମଟରସାଇକେଲକୁ ଅଟକ ରଖିଥିଲେ ଗ୍ରାମବାସୀ ।

୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣା : ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ୧୭ ବର୍ଷ ପରେ ଆସିଲା ରାୟ । ଏହି ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟ ଏ ସମ୍ପର୍କରେ ଏକ ବିସ୍ତୃତ ୬୦୦ ପୃଷ୍ଠାର ନିଷ୍ପତ୍ତି ଜାରି କରିଛନ୍ତି। ୧୩ ମେ, ୨୦୦୮ରେ ଜୟପୁରରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପରେ, ଚାନ୍ଦପୋଲ ବଜାରରେ ନବମ ବୋମା ମିଳିଥିଲା। ବିସ୍ଫୋରଣର ୧୫ ମିନିଟ ପୂର୍ବରୁ ଏହି ବୋମାକୁ ନିଷ୍କ୍ରିୟ କରାଯାଇଥିଲା, ଯାହା ଅନେକଙ୍କ ଜୀବନ ରକ୍ଷା କରିଥିଲା।

ସ୍ବତନ୍ତ୍ର କୋର୍ଟ ସୈଫୁରରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମଦଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସମସ୍ତ ଚାରି ଦୋଷୀଙ୍କୁ IPCର ୪ଟି ଧାରା, UAPAର ୨ଟି ଧାରା ଏବଂ ବିସ୍ଫୋରକ ଆଇନର ୩ଟି ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କୋର୍ଟ ଅଭିଯୁକ୍ତଙ୍କୁ IPCର ଧାରା 120 B, 121 A, 124 A, 153 A ଏବଂ 307, ଏବଂ UAPAର ଧାରା ୧୩ ଏବଂ ୧୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

ପ୍ରାୟ ୧୭ ବର୍ଷ ପୂର୍ବେ, ମେ ୧୩, ୨୦୦୮ରେ ଜୟପୁରରେ ଏକ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଚାନ୍ଦପୋଲର ରାମଚନ୍ଦ୍ର ମନ୍ଦିର ନିକଟରେ ଏକ ଜୀବନ୍ତ ବୋମା ମିଳିଥିଲା। ଉଭୟ ପକ୍ଷର ଯୁକ୍ତି ସମାପ୍ତ ହେବା ପରେ, କୋର୍ଟ ପୂର୍ବରୁ ମାର୍ଚ୍ଚ ୨୯କୁ ରାୟର ତାରିଖ ଭାବରେ ଧାର୍ଯ୍ୟ କରିଥିଲେ, କିନ୍ତୁ ଗତ ଶୁଣାଣିରେ କୋର୍ଟ ତାଙ୍କର ରାୟ ଦେଇ ନ ଥିଲେ।

ଗୋଷ୍ଠୀ ବିବାଦରେ ପଡିଲା ପୂର୍ଣ୍ଣଛେଦ, ୨୫ ବର୍ଷ ପରେ ଭିଟାମାଟିକୁ ଫେରିଲେ ୫୦ ପରିବାର

ନନ୍ଦିଘୋଷ ବ୍ୟୁରୋ :  ଗୋଷ୍ଠୀ ବିବାଦରେ ପଡ଼ିଲା ପୂର୍ଣ୍ଣଛେଦ । ୨୫ ବର୍ଷ ପରେ ଭିଟାମାଟିକୁ ଫେରିଲେ ୫୦ ପରିବାର । ଦୀର୍ଘ ବର୍ଷ ହେଲା ଗାଁରୁ ବିତାଡିତ ପରିବାରକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଉଦ୍ୟମ ଏବେ ସଫଳ ହୋଇଛି । ଆସିକା SDPO, ବି.ଡି.ଓ ଏବଂ ଆସିକା ଓ କୋଟିନଡା ଥାନା ଅଧିକାରୀ ବିତାଡିତ କିଛି ପରିବାରକୁ ଗାଁକୁ ନେଇ ସେମାନଙ୍କ ଜାଗା ଚିହ୍ନଟ କରୁଛନ୍ତି । ୫୦ଟି ପରିବାରର ଘର ଦ୍ବାର ଇତି ମଧ୍ୟରେ ମାଟିରେ ମିଶି ଯାଇଛି । ଜମି ବାଡି ବି ସବୁ ପଡିଆ ପଡିଛି  । ମାଟିରେ ମିଶି ଯାଇଥିବା ସ୍ଥାନରେ ଯେଉଁ ନଟାବୁଦା ହୋଇଥିଲା ତାହାକୁ ସଫା କରିଛି ପ୍ରଶାସନ  । ଆଗକୁ ବିତାଡିତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି ।

ଗଂଜାମ ଜିଲ୍ଲା ଆସିକା ଥାନା ବାଲିଛାଇ ଗାଁରେ ଦୁଇ ହଜାର ମସିହାରେ ଗୋଷ୍ଠୀ ବିବାଦ ହୋଇଥିଲା । ବିବାଦ ଏତେ ମାତ୍ରାରେ ଉଗ୍ର ହୋଇଥିଲା କି ଗାଁରୁ ୫୦ଟି ପରିବାରକୁ ବିତାଡିତ କରାଯାଇଥିଲା । ଗାଁର ଗୋଟିଏ ଗୋଷ୍ଠୀ ଏକାଠି ହୋଇ ଦୁଇ ହଜାର ମସିହା ୨୦ ଫେବୃଆରୀରେ ୫୦ ପରିବାରକୁ ଗାଁରୁ ବିତାଡିତ କରିଥିଲେ । ସେହିଦିନ ଠାରୁ ବିତାଡିତ ଲୋକେ ଭାଗ୍ୟକୁ ଆଦରି କିଏ କେଉଁଠି ରହୁଥିଲେ । ଦୀର୍ଘ ୨୫ ବର୍ଷ ମଧ୍ୟରେ ନିଜ ଭିଟା ମାଟିକୁ ଫେରିବା ପାଇଁ ବହୁ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରସ୍ଥ ହୋଇ ବିଫଳ ହୋଇଥିଲେ । ଏପରିକି ଗତ ଫେବୃଆରୀ ମାସ ୨୦ ତାରିଖରେ ଗାଁର ଉଭୟ ପକ୍ଷ ଲୋକଙ୍କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସାମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ଫେବୃଆରୀ ୨୪ରେ ମଧ୍ଯ ପ୍ରଶାସନର ଉଦ୍ଯମକୁ ବିଫଳ କରିଥିଲେ ଗାଁ ଲୋକେ । ଶେଷରେ ଦୀର୍ଘ ଦିନ ପ୍ରଚେଷ୍ଟାରେ ଆଜି ପଡିଛି ପୂର୍ଣ୍ଣଛେଦ । ବିତାଡିତ ପରିବାର ଗାଁକୁ ଫେରିଛନ୍ତି ।

ସୁନ୍ଦରଗଡ଼ ଚୋରା କୋଇଲା ଖଣି ଘଟଣା : ୩ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ ଚୋରା କୋଇଲା ଖଣିର ତଦନ୍ତ ନିର୍ଦ୍ଦେଶ । ଏହି କୋଇଲା ଖଣିରୁ କୋଲ୍ ୱାସେରିକୁ କୋଇଲା ଯାଉଥିଲା କି? ତାହାରର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଡେପୁଟି ଡିରେକ୍ଟର ମାଇନ୍ସ ଓ ହେମଗିରି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ କୁହାଯାଇଛି। ତେଲେନଡ଼ିହି ଜଙ୍ଗଲରୁ ଚୋରାରେ ଚାଲିଥିଲା କୋଇଲା ଖନନ ଓ ଚାଲାଣ।

କୋଲ ୱାସେରି ଓ କୋଲ ଡିପୋକୁ କୋଇଲା ଯାଉଥିବା ସନ୍ଦେହ କରାଯାଉଛି। ତେଣୁ ଏହି ଅଂଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକର ହିସାବ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହିସାବରୁ ବେଶୀ କୋଇଲା ବାହାରିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ। ସେପଟେ ପୁଣି ଆକ୍ସନ ମୋଡ୍ ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଆଜି ପୁଣି ବେଆଇନ କୋଇଲା ଖଣି ଉପରେ ଚଢ଼ଉ ଚାଲିଛି।

ଗୋପାଳପୁର ପଞ୍ଚାୟତ ରତନସରାରେ ଚଢ଼ାଉ କରିଛି ମିଳିତ ଟିମ୍। ରତନସରାରେ ୧୦ ରୁ ଅଧିକ ବେଆଇନ କୋଇଲା  ଖଣି ଠାବ ହୋଇଛି। ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ଆଜି ପୁଣି ରେଡ୍ କରାଯାଉଛି। ବିପୁଳ ମାତ୍ରାରେ କୋଇଲା ଉତ୍ତୋଳନ ପରେ ଗଚ୍ଛିତ ରଖାଯାଇଛି । ନାଳ କଡ଼ରେ, ରୟତି ଜମିରେ ବି ବେଆଇନ ଭାବେ ଖନନ କରି କୋଇଲା ବାହାର କରାଯାଇଛି। ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ପ୍ରଶାସନ ସଜାଗ ହୋଇଛି ଏବଂ ବେଆଇନ ଖଣି କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛି ।

ବିଶାଖାପାଟଣା ନିକଟରେ ଟ୍ରେନ ଦୁର୍ଘଟଣା, ଦୁଇ ଭାଗ ହୋଇଗଲା ଫଲକନାମା ଏକ୍ସପ୍ରେସ୍

ନନ୍ଦିଘୋଷ ବ୍ୟୁରୋ : ବିଶାଖାପାଟଣା ନିକଟରେ ଟ୍ରେନ୍ ଦୁର୍ଘଟଣା । ଦୁଇ ଭାଗ ହୋଇଗଲା ଫଲକନାମା ଏକ୍ସପ୍ରେସ୍ । ଟ୍ରେନରୁ ଅଲଗା ହୋଇଗଲା ଦୁଇଟି ଏସି ବଗି। ମଙ୍ଗଳବାର ସକାଳେ ଆନ୍ଧ୍ରପ୍ରଦେଶ ପଲାସା ନିଟସ୍ଥ ଶ୍ରୀକାକୁଲାମ୍ ଜିଲ୍ଲାରେ ଫଲକନୁମା ଏକ୍ସପ୍ରେସରେ ଘଟିଛି ଏହି ଅଘଟଣ । ବହୁ ସମୟ ଧରି ଘଟଣାସ୍ଥଳରେ ଅଟକି ରହିଲେ ଶହ ଶହ ଟ୍ରେନ ଯାତ୍ରୀ ।

ଯାତ୍ରୀଙ୍କ ମୁତାବକ, ଏହି ଘଟଣାଟି ସୁମ୍ମାଦେବୀ-ମଣ୍ଡାସା ଗ୍ରାମ ମଧ୍ୟରେ ଘଟିଥିଲା । ଯାତହା ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଜି ସକାଳେ ଏହି ସମସ୍ୟା ଘଟିବା ମାତ୍ରେ ହାଓ୍ୱଡ଼ା ଯାଉଥିବା ଟ୍ରେଟକୁ ଅଟକାଇ ଦିଆଯାଇଥିଲା । ପରେ ରେଳବାଇ ଅଧିକାରୀମାନଙ୍କ ସହ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୋଚ ଗୁଡିକୁ ଟ୍ରେନ୍ ସହ ସଂଯୋଗ କରିଥିଲେ। ଟ୍ରେନଟି ହାଇଦ୍ରାବାଦରୁ ହାଓଡ଼ା ଅଭିମୁଖେ ଯାଉଥିଲା।

ଏହି ଘଟଣା ସହିତ ଗୋଟିଏ ଟ୍ରାକରେ ଟ୍ରେନଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ରୁଟ୍ ଅବରୋଧ କରିଥିବାରୁ ଅନ୍ୟ ଟ୍ରେନ ଗୁଡିକ ଚଳାଚଳରେ ବାଧା ପ୍ରାପ୍ତ ହେବା ସହ ବିଳମ୍ୱ ହୋଇଥିଲା । ଯାତ୍ରୀମାନେ ପ୍ରଥମେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଥିବା ଆଶଙ୍କା କରିଥିଲେ, ହେଲେ ୨ଟି କୋଚରୁ ଟ୍ରେନରୁ ଅଲଗା ହୋଇଥିବା ଜାଣିବା ପରେ ଆଶ୍ୱସ୍ତି ଅନୁଭବ କରିଥିଲେ । କାରଣ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲେ ବଡ଼ ଧରଣର ଦୁର୍ଘଟଣା ହୋଇଥାନ୍ତା ।

ନିଟ-ୟୁଜି ୨୦୨୪ ପେପର ଲିକ୍ ମାମଲାର ଅବସାନ

ନନ୍ଦିଘୋଷ ବ୍ୟୁରୋ : ନିଟ-ୟୁଜି ୨୦୨୪ ପରୀକ୍ଷା ମାମଲାର ଅବସାନ। ଦୀର୍ଘ ସମୟ ଧରି ବିଚାର ବିଭାଗୀୟ ତର୍ଜମା ଓ ଆଇନଗତ ବିତର୍କ ପରେ ପେପର ଲିକ୍ ମାମଲାର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ-ୟୁଜି ନେଇ ଦୀର୍ଘ ବିତର୍କ ଜାରି ରହିଥିଲା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଗଠିତ ବିଶେଷଜ୍ଞ କମିଟି ପକ୍ଷରୁ ନିର୍ଦ୍ଧାରିତ ସମସ୍ତ ପ୍ରସ୍ତାବକୁ ମାନିବେ ବୋଲି କେନ୍ଦ୍ର ସରକାର କହିବା ପରେ ଏହି ମାମଲାର ଅନ୍ତ ଘଟିଛି।

ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କ ପକ୍ଷରୁ ରିପୋର୍ଟ ଦାଖଲ ପରେ ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ପି.ଏସ. ନରସିହ୍ମା ଓ ଜଷ୍ଟିସ ଜୟମାଲ୍ଯା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ତୁଷାର ମେହଟ୍ଟା ଦର୍ଶାଇଥିଲେ ବିଶେଷଜ୍ଞ କମିଟିର ୭ ସଦସ୍ୟଙ୍କ ମଧ୍ୟରୁ ଜଣେ ସଦସ୍ୟ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଦସ୍ୟ ବିଶେଷଜ୍ଞ କମିଟି ପ୍ରସ୍ତାବକୁ ଗ୍ରହଣ କରିବାକୁ ଚାହିଁଥିଲେ। ଗତବର୍ଷ ନିଟ-ୟୁଜି ୨୦୨୪କୁ ସ୍ଥଗିତ ରଖିବା ଲାଗି କୋର୍ଟ ମନା କରିଥିଲେ। ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସତ୍ୟ ନୁହେଁ ବୋଲି ଦର୍ଶାଇଥିଲେ କୋର୍ଟ। ଗତ ୨୦୨୪ରେ ଏନଟିଏ ପକ୍ଷରୁ ନିଟ-ୟୁଜି ଅନୁଷ୍ଠିତ ହୋଇଥିଲା ଏବଂ ଏମବିବିଏସ, ବିଡିଏସ ଓ ଆୟୁଷ ବିଭାଗ ଲାଗି ୨୩ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।

ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଦେଶରେ ଏବେ ଆପିଏଲ ୨୦୨୫ର ଜଲଓ୍ବା ଜାରି ରହିଥିବା ବେଳେ ଏହା ମଧ୍ୟରେ ବିସିସିଆଇ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଏହି ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳାଯିବ । ଏପ୍ରିଲ ୨୭ରେ ଭାରତ-ଶ୍ରୀଲଙ୍କା (କଲମ୍ବୋ), ୨୯ର ଭାରତ-ଦକ୍ଷିଣ ଆଫ୍ରିକା (କଲମ୍ବୋ), ମେ ୪ରେ ଭାରତ-ଶ୍ରୀଲଙ୍କା (କଲମ୍ବୋ), ୭ରେ ଭାରତ-ଦକ୍ଷିଣ ଆଫ୍ରିକା (କଲମ୍ବୋ) ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ହରମନପ୍ରୀତ କୌର ଅଧିନାୟିକା ଓ ସ୍ମୃତି ମନ୍ଧାନା ଉପ-ଅଧିନାୟିକା ଦାୟିତ୍ବ ତୁଲାଇବେ । ଏହି ସିରିଜ ପାଇଁ ଦଳରେ ସୁଯୋଗ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ପ୍ରତିକା ରାଓ୍ବଲ, ହରଲୀନ ଦେଓଲ, ଜେମିମା ରୋଡ୍ରିଗସ, ଋଚା ଘୋଷ (ଓ୍ବିକେଟ କିପର), ୟାସ୍ତିକା ଭାଟିୟା (ଓ୍ବିକେଟ କିପର), ଦୀପ୍ତି ଶର୍ମା, ଅମନଜୋତ କୌର, କାଶବୀ ଗୌତମ, ସ୍ନେହ ରାଣା, ଅରୁନ୍ଧତି ରେଡ୍ଡୀ, ତେଜଲ ହସବନୀସ, ଶ୍ରୀ ଚରନୀ, ଶୁଚି ଉପାଧ୍ୟାୟ ।

ରାଜ୍ୟପାଳଙ୍କ କ୍ଷମତା ଉପରେ ସୁପ୍ରିମ ଝଟକା: ବିଲ୍ ପକାଇ ରଖିବା ବେଆଇନ ବୋଲି ଦର୍ଶାଇଲେ ସୁପ୍ରିମକୋର୍ଟ

ଚେନ୍ନାଇ: ରାଜ୍ୟପାଳଙ୍କ କ୍ଷମତା ଉପରେ ସୁପ୍ରିମ ଝଟକା। ବିଭିନ୍ନ ବିଲ୍ ପକାଇ ରଖୁଥିବାରୁ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବିଲ୍ ପକାଇ ରଖିବାକୁ ବେଆଇନ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ବିଧାନସଭାରେ ୧୦ଟି ବିଲ୍ ଗୃହୀତ ହୋଇଥିବା ସତ୍ତ୍ବେ ଏଗୁଡିକୁ ପକାଇ ରଖିଥିବାରୁ ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ତାମିଲନାଡୁ ସରକାର। ବିଲଗୁଡିକୁ ପକାଇ ରଖିବା ସମ୍ବିଧାନ ଅନୁସାରେ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ରାଜ୍ୟ ବିଧାନସଭାଗୁଡିକରେ ଗୃହୀତ ହୋଇଥିବା ବିଲଗୁଡିକୁ ରାଜ୍ୟପାଳମାନେ ଯେପରି ପକାଇ ରଖିପାରିବେ ନାହିଁ ସେଥିଲାଗି ସାମ୍ବିଧାନିକ ଟାଇମଲାଇମ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି- ବିଲଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପକାଇ ରଖିବାର କ୍ଷମତା ରାଜ୍ୟପାଳଙ୍କ ନିକଟରେ ନାହିଁ। ସମ୍ବିଧାନର ଧାରା ୨୦୦ ଅନୁସାରେ ରହିଥିବା ଫ୍ରେମୱାର୍କ ଅନୁସାରେ ରାଜ୍ୟପାଳମାନେ କାର୍ଯ୍ୟ କରିବା ଉଚିତ। ୩ ମାସ ମଧ୍ୟରେ ବିଲକୁ ସମ୍ମତି ଦେବେ କିମ୍ବା ଗୃହକୁ ଫେରାଇବେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ତାମିଲନାଡୁ ସରକାରଙ୍କ ବିଜୟ ସାବ୍ୟସ୍ତ ହୋଇଛି।

ମେ ୩ୟ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ: ସୂଚନା ଦେଲେ ବୋର୍ଡ ସଭାପତି

କଟକ: ମେ ମାସ ୩ ୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ।। ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଛି। ୨ ରୁ ୩ ଦିନ ଭିତରେ ସରିବ ଖାତାଦେଖା କାର୍ଯ୍ୟ। । ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହୋଇଥିଲା। ଏଥର ୫ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଢେଙ୍କାନାଳର ପାହାଡ ଓ ଜଙ୍ଗଲରେ କିଛି ମାଓବାଦୀ ଲୁଚି ଥିବା ଗ୍ରାମବାସୀଙ୍କ ସୂଚନା

କୋରାପୁଟ: ଛତିଶଗଡ ସିଆରପିଏଫ ଗୁଳିରୁ ବଞ୍ଚିବା ପାଇଁ ମାଓବାଦୀ ମାନେ ଏବେ ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ପଶିଛନ୍ତି । କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ପାହାଡ ଓ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଗ୍ରାମବାସୀ କହିଛନ୍ତି । କେନ୍ଦୁଝର ଓ ଯାଜପୁର ସୀମାନ୍ତ ଗ୍ରାମ ଏକୁଲ ଓ ସେକୁଲ ଗ୍ରାମ ରେ କିଛି ମାଓବାଦୀ ଲୁଚି ରହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତ ସାରେଇ ଜଙ୍ଗଲ ରେ ରହିଛି ମାଓବାଦୀଙ୍କ ପୁରୁଣା ଆଡ୍ଡା । ଦୁଇ ଦିନ ପୂର୍ବରୁ ଗୋଟିଏ ଫରେଷ୍ଟ ବିଟ ହାଉସକୁ ମାଓବାଦୀ ମାନେ ଭାଙ୍ଗି ଦେଇ ଥିବା ପୋଲିସ ସନ୍ଦେହ କରିଛି । ଜଙ୍ଗଲ ଭିତରକୁ ନ ଆସିବାକୁ ସ୍ଥାନୀୟ ଲୋକଙ୍କୁ ଧମକାଇଛନ୍ତି ମାଓବାଦୀ। ଗତକାଲି କିଛି ଲୋକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ଜଙ୍ଗଲ ଭିତରକୁ ନଆସିବାକୁ ସେମାନଙ୍କୁ ମାଓବାଦୀମାନେ ସିଧା ସିଧା ମନା କରିଛନ୍ତି।