spot_img
Home Blog Page 848

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ପ୍ରସଙ୍ଗ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ପ୍ରସଙ୍ଗ । ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି । ହିଂସା ଘଟଣାର ତଦନ୍ତ ଏକ ସ୍ବତନ୍ତ୍ର ଟିମ୍ ଜରିଆରେ କରାଯାଉ ଏବଂ ତଦନ୍ତ ପ୍ରକ୍ରିୟାକୁ ସୁପ୍ରିମକୋର୍ଟଙ୍କ ତଦାରଖରେ କରାଯାଉ ବୋଲି ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ରାଜ୍ୟରେ ଦୁର୍ବଳ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ସରକାରଙ୍କଠାରୁ ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ ମାଗନ୍ତୁ ଏବଂ ଧନଜୀବନର ସୁରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ପିଟିସନରେ ଆବେଦନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ହିଂସାରେ ୨୦୦ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ଦକ୍ଷିଣ ଚବିଶ ପରଗଣା, ମାଲଦା, ହୁଗୁଳି ଓ ମୁର୍ଶିଦାବାଦରେ ଅସ୍ଥିରତା ଜାରି ରହିଛି । ସଂଶୋଧିତ ଓ୍ବାକଫ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଆଇନକୁ ତୃଣମୂଳ କଂଗ୍ରେସ ସମର୍ଥନ କରୁନାହିଁ ବୋଲି ସେ କହୁଛନ୍ତି। ପୂର୍ବରୁ ରାଜ୍ୟର ଅସ୍ଥିରପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ ।

ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଓ୍ବାକଫ ଆଇନ ମାମଲା। ଓ୍ବାକଫ ସଂଶୋଧନ ଆଇନ-୨୦୨୫ର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଦାୟର ହୋଇଥିବା ପ୍ରାୟ ୧୦ଟି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।  ପ୍ରଧାନବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଜଞ୍ଜୟ କୁମାର ଓ ଜଷ୍ଟିସ ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଏଆଇଏମଆଇଏମ ନେତା ଅସଦୁଦିନ ଓବେସୀ, ଆପ ନେତା ଅମାନତୁଲ୍ଲା ଖାଁ, ନାଗରିକ ଅଧିକାର ସୁରକ୍ଷା ମହାସଂଘ ନେତା ଅର୍ସଦ ମଦାନୀ, ଆରଜେଡି ନେତା ମନୋଜ ଝା ପ୍ରମୁଖ।

ଏହାସହ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଓ ଜମାଏତ ଉଲାମା-ଇ-ହିନ୍ଦ ପକ୍ଷରୁ ବି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ କୌଣସି ରାୟ ଆସିବା ପୂର୍ବରୁ ସୁପ୍ରିମକୋର୍ଟରେ ଗତ ଏପ୍ରିଲ ୮ରେ କେନ୍ଦ୍ର ସରକାର ଏକ କାଭିଟ ପିଟିସନ ଦାୟର କରିଥିଲେ। କାଭିଟ ପିଟିସନର ଅର୍ଥ ହେଉଛି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ କୌଣସି ରାୟ ଦେବା ପୂର୍ବରୁ ପ୍ରତିପକ୍ଷ ଆବେଦନକାରୀଙ୍କ ଯୁକ୍ତିର ତର୍ଜମା କରିବେ । ଏପ୍ରିଲ ୩ରେ ଲୋକସଭାରେ ଓ୍ବାକଫ ସଂଶୋଧନୀ ବିଲ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିଲା । ଏପ୍ରିଲ ୪ରେ ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଲ ୧୨୮-୯୫ ଭୋଟରେ ପାସ୍ ହୋଇଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଗତ ଏପ୍ରିଲ ୮ରେ ବିଜ୍ଞପ୍ତି ଜାରି କରିଥିଲେ ସରକାର ।

ଆଫଗାନିସ୍ତାନରେ ଭୂମିକମ୍ପ, ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନରେ ଭୂମିକମ୍ପ। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ହୋଇଥିବାର ସୂଚନା ମିଳିଛି। ହିନ୍ଦୁକୁଶ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଛି। ଦିଲ୍ଲୀ-ଏନସିଆର ସହିତ ଭାରତର କେତେକ ଅଞ୍ଚଳରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି। ଆଜି ଭୋର୍ ସମୟରେ ଏହି ଭୂମିକମ୍ପ ହୋଇଥିଲା। କିନ୍ତୁ କେହି ମୃତାହତ କିମ୍ବା କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର, NCS ଅନୁସାରେ ଭୂମିକମ୍ପ ୭୫ କିଲୋମିଟର ଗଭୀରତାରେ ହୋଇଥିଲା। ୫.୯ ତୀବ୍ରତାର ଭୂମିକମ୍ପ ହେଲେ ସାଧାରଣତଃ କ୍ଷୟକ୍ଷତି ହୋଇଥାଏ। ବିଶେଷ କରି କେନ୍ଦ୍ରସ୍ଥଳ ନିକଟରେ ଘରଦ୍ଵାର ଭାଙ୍ଗିଥାଏ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇନାହିଁ। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଝଟକା ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଥିଲେ।

କୋଇଲା ଓ୍ବାସେରୀରେ ଚଢାଉ, ହଜାର ହଜାର ଟନ୍ କୋଇଲା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ହେମଗିରି ଥାନା କନିକା ସ୍ଥିତ ଆର୍ଯ୍ୟନ କୋଲ ୱାସେରୀର ବିଭିନ୍ନ ଠିକଣାରେ ଚଢ଼ାଉ । ହଜାର ହଜାର ଟନ ବେଆଇନ କୋଇଲା ଗଚ୍ଛିତ ଥିବାର ସୂଚନା ପାଇ ଚଢାଉ ହୋଇଛି। ଜିଲ୍ଲା ପ୍ରଶାସନର ରାଜସ୍ବ ବିଭାଗ ଏବଂ ପୋଲିସର ଚଢ଼ାଉ ପରେ ଖଣି ବିଭାଗର ମଧ୍ୟ ଚଢ଼ାଉ ଜାରି ରହିଛି। କମ୍ପାନୀ ପାଚେରୀରୁ ଦୁଇ କିଲୋମିଟର ଜଙ୍ଗଲରେ ହଜାର ହଜାର ଟନ କୋଇଲା ରହିଛି। ପାଚେରୀ ଠାରୁ ଦୂରରେ ଆଉ ଏକ ଠିକଣାରେ ହଜାର ହଜାର ଟନ ବିଶୋଧିତ କୋଇଲା ଗଚ୍ଛିତ ଥିବା ଜଣାପଡିଛି। ପାଖାପାଖି ୧୦ ହଜାର ଟନ ବେଆଇନ କଞ୍ଚା କୋଇଲା ଜବତ ନେଇ ସୂଚନା ଦେଇଛନ୍ତି କନିଷ୍ଠ ଖଣି ଅଧିକାରୀ ମଙ୍ଗଳ ଚରଣ ହେମ୍ବ୍ରମ । ଆସନ୍ତାକାଲି ଅନ୍ୟ ସ୍ଥାନରେ ଥିବା କୋଇଲାର ଆକଳନ କରାଯିବ।

‘ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଗିରଫ ଦାବି’

ବଲାଙ୍ଗୀର : ପାଟଣାଗଡ଼ରେ ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଗିରଫ ଦାବି କରିଛନ୍ତି ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ ମେହେର । ଗିରଫ ଅଭିଯୁକ୍ତ ଯୁଗଳ କିଶୋର ସାହୁଙ୍କୁ ପ୍ରତିମୂର୍ତ୍ତି ପୋଡ଼ିବାକୁ ପ୍ରବର୍ତ୍ତାଇ ଥିବା ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପୂର୍ବତନ ବିଧାୟକ ସରୋଜ ମେହେର ତାଙ୍କ ସମର୍ଥକ ମାନଙ୍କ ସହ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଗତ ୨୦୨୨ ନଭେମ୍ବର ୧୨ ତାରିଖରେ ଶାସକ ଦଳର ଦୁଇ ଜଣ ବ୍ୟକ୍ତି ପ୍ରତିମୂର୍ତ୍ତି ସ୍ଥାପନ  କରିବା ପୂର୍ବରୁ ଫାଉଣ୍ଡେସନ ଭାଙ୍ଗିଥିଲେ ।  ଏହି ଘଟଣା ପଛରେ ମଧ୍ୟ ମୁଖ୍ୟ ଷଡଯନ୍ତ୍ରକାରୀ ବିଜେପି ଦଳର ବୋଲି ସେ ଅଭିଯୋଗ ଆଣିଛନ୍ତି । ପାଟଣାଗଡ଼ ଥାନାରେ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ ସହ ବିଜେଡି ଟିମ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତକରି ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ ନକଲେ ଆଗାମୀ ଦିନରେ ବିଜେଡି ପକ୍ଷରୁ ଏହାର ଜୋରଦାର ପ୍ରତିବାଦ ସହ ଥାନା ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ପୋଲିସ ଜଣଙ୍କୁ ଗିରଫ କରିଛି ଓ ତାକୁ ପାଗଳ ବୋଲି ଦର୍ଶାଉଛି। କିନ୍ତୁ ପ୍ରତିମୂର୍ତ୍ତି ଜାଳିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ କିଏ ଉସୁକାଇଛି ସେନେଇ କିନ୍ତୁ ଜଣାପଡିନି।

ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା, ସାମିଲ ହେଲେ ନେତା ଓ କର୍ମୀ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଧର୍ଷଣ, ଗଣଧର୍ଷଣ ଓ ବାଳିକା ନିଖୋଜ ପ୍ରତିବାଦରେ ରାଜ୍ୟବ୍ୟାପୀ କଂଗ୍ରେସର ବିଶାଳ ମଶାଲ ଶୋଭାଯାତ୍ରା । ଭୁବନେଶ୍ବର କଂଗ୍ରସଭବନରୁ ଏହି ଶୋଭାଯାତ୍ରା ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଭଦ୍ରକ ବନ୍ତ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଦ୍ରକ ଟାଉନ ହଲରେ ପହଞ୍ଚିଥିଲା ଶୋଭାଯାତ୍ରା । ପୁରୀ ଜିଲ୍ଲା ଅସ୍ତରଙ୍ଗ କଂଗ୍ରେସ ଦଳ ତରଫରୁ ଅସ୍ତରଙ୍ଗ ମୁଖ୍ୟ ବଜାର ତାରିଣୀ ମନ୍ଦିର ଠାରୁ ଥାନା ପର୍ଯ୍ୟନ୍ତ ଶତାଧିକ କଂଗ୍ରେସ କର୍ମୀ ମଶାଲ ଶୋଭାଯାତ୍ରା କରିଥିଲେ । ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟ ଠାରୁ ମାଆ ଚର୍ଚ୍ଚିକା ମନ୍ଦିର ପର୍ଯ୍ୟନ୍ତ ହାତରେ ମଶାଲ ଜାଳି ବିରାଟ ଶୋଭାଯାତ୍ରା ରେ ଆସି ପହଞ୍ଚିଥିଲେ ।ଅନୁଗGଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କଂଗ୍ରେସ ପକ୍ଷରୁ ଛେଣ୍ଡିପଦା ବ୍ଲକ ଅଫିସ ଯାଏଁ ଯାଇଥିଲା ଶୋଭାଯାତ୍ରା । ଧର୍ମାଗଡ ବ୍ଲକ କଂଗ୍ରେସ ତରଫରୁ ଶହଶହ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ବିହାର ବିଧାନସଭା ନିର୍ବାଚନ ଲାଗି ଦିଲ୍ଲୀରେ ରଣନୀତି

ନୂଆଦିଳ୍ଲୀ ; ବିହାର ବିଧାନସଭା ନିର୍ବାଚନ ଲାଗି ଦିଲ୍ଲୀରେ ରଣନୀତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଆରଜେଡି ନେତା ତେଜସ୍ବୀ ଯାଦବ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇଆସୁଥିବାବେଳେ ଆସନ ବୁଝାମଣା ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ବୈଠକ ପରେ ପାଟନାରେ ଅନ୍ୟ ଏକ ବୈଠକ ହେବ ବୋଲି କହିଛନ୍ତି ତେଜସ୍ବୀ। ବିହାରକୁ ଆଗେଇ ନେବା ଲାଗି କଂଗ୍ରେସ ଓ ଆରଜେଡି ହିଁ ବିକଳ୍ପ ବୋଲି ତେଜସ୍ବୀ କହିଛନ୍ତି। ସେ ଆହୁରି କହିଛନ୍ତି- ଗତ ୨୦ ବର୍ଷ ଧରି ରାଜ୍ୟର କୌଣସି ବିକାଶ ସାଧନ ହୋଇନାହିଁ। ବିଜେପି ଶାସନରେ ରାଜ୍ୟବାସୀ ତଳିତଳାନ୍ତ ହୋଇଛନ୍ତି। ତେବେ ବିହାର ଲାଗି କିଏ ସିଏମ ଫେସ ହେବେ ସେ ନେଇ ନୀରବ ରହିଛନ୍ତି ତେଜସ୍ବୀ। ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଦଳ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି।

ସମ୍ବଲପୁରରେ ବିଜେଡି ପ୍ରତିବାଦ ସଭାରେ ପୋଲିସର ଦମନଲୀଳା

ସମ୍ବଲପୁର : ସମ୍ବଲପୁରରେ ବିଜେଡି ପ୍ରତିବାଦ ସଭାରେ ପୋଲିସର ଦମନଲୀଳା। ବର୍ଦ୍ଦିରେ ଲାଗିଲା କଳଙ୍କ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣାରେ ବିଜେଡି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କରୁଥିବାବେଳେ ପୋଲିସ କରିଛି ଅମାନୁଷିକ ଆକ୍ରମଣ। ଏପରିକି ମହିଳା କର୍ମୀଙ୍କୁ ବି ଛାଡ଼ି ନଥିଲା ପୋଲିସ। ମହିଳା କର୍ମୀଙ୍କୁ ପୋଲିସ ଘୋଷାରି ଘୋଷାରି ନେଇଥିଲା। କିଛି ମହିଳାଙ୍କ ଉପରକୁ ବି ପୋଲିସ ହାତ ଉଠାଇଥିବା ଦେଖାଯାଇଛି। ବିହାର ଓ ଉତ୍ତରପ୍ରଦେଶକୁ ଓଡ଼ିଶା ପୋଲିସ ବଳିଗଲା ବୋଲି କହିଛନ୍ତି ଆନ୍ଦୋଳନକାରୀ। ସରକାରୀ କଳର ଅପବ୍ୟବହାର କରି ଆନ୍ଦୋଳନକାରୀଙ୍କୁ ଦମନ କରାଯାଇଛି ବୋଲି କହିଛନ୍ତି ଆନ୍ଦୋଳନକାରୀ। ପୋଲିସର ଆକ୍ରମଣରେ ବିଜେଡି ନେତ୍ରୀ ସଂଯୁକ୍ତା ମେହେରଙ୍କୁ ଆଘାତ ଲାଗିଛି। ସଂଯୁକ୍ତାଙ୍କ ଦୁଇଟି ଆଙ୍ଗୁଠି ଭାଙ୍ଗି ଯାଇଛି। ତାଙ୍କୁ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୋଲିସର ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା କରାଯାଇଛି।

 

୧୮ ଜିଲ୍ଲାକୁ ମିଳିଲା ବିଜେଡି ଜିଲ୍ଲା ସଭାପତି

ଭୁବନେଶ୍ବର ; ବିଜେଡିର ୧୮ ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ। ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ଯୋଗୁ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଆସନ୍ତାକାଲିଠୁ ଆଉ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା ପରେ ଏକଜିକ୍ୟୁଟିଭ କମିଟି ଗଠିତ ହେବ। ତା ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସଭାପତି ପଦ ପାଇଁ ନୋମିନେସନ କେବେ ଓ ନିର୍ବାଚନ କେବେ ପରବର୍ତ୍ତୀ ପର୍ଯ୍ୟାୟରେ ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଅନୁଗୁଳ ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ଼ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ପାଇଁ ପ୍ରଦୀପ ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଜିଲ୍ଲା ସଭାପତି ହୋଇଛନ୍ତି। ସେହିପରି ଗଜପତି ଲାଗି ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡ଼କାମୀ, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ମନୋହର ରନ୍ଧାରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କମ୍ପ ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି।

ପୁଣି ଫେରିଲା ପେଗାସସ ବିବାଦ, ଚୋରି ହୋଇଛି ଭାରତୀୟଙ୍କ ହ୍ବାଟ୍ସଆପ୍ ଡାଟା

ଭୁବନେଶ୍ବର : ଶହେ ଜଣ ଭାରତୀୟଙ୍କ ହ୍ବାଟସ୍ଆପ୍ ହ୍ୟାକ ହୋଇଛି ! ମେକସିକୋ ପରେ ଭାରତୀୟଙ୍କ ଡାଟା ଚୋରି ବିଶ୍ବରେ ଦ୍ବିତୀୟ । ୬ ବର୍ଷ ପରେ ପୁଣି ଥରେ ଫେରିଲା ପେଗାସସ୍ ବିବାଦ । ୨୦୧୯ରେ ଫେସ୍ବୁକ ଓ ହ୍ବାଟସ୍ଆପ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପେଗାସସ୍ ବିକଶିତ କରିଥିବା ଇସ୍ରାଏଲି ସଂସ୍ଥା ଏନ୍ଏସ୍ଓ ବିରୋଧରେ ଆମେରିକା କୋର୍ଟରେ ମାମଲା ଦାଏର କରିଥିଲେ । ଏକ ଜାତୀୟସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜୁକରବର୍ଗଙ୍କ ମାମଲାରୁ ଏହି ନୂଆ ତଥ୍ୟ ସାମନାକୁ ଆସିଛି । ୨୦୨୧ରେ ୨୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ନେଇ ଅଭିଯୋଗ ଉଠିଥିଲା । ଯେଉଁଥିରେ ବିଶିଷ୍ଟ ରାଜନେତା ଓ ସାମ୍ବାଦିକଙ୍କ ସାମିଲ ଥିଲେ । ଏହାକୁ ନେଇ ସଂସଦରେ ଝଡ ଉଠିବା ସହ ସୁପ୍ରିମକୋର୍ଟରେ ଏକାଧିକ ମାମଲା  ଦାୟର ହୋଇଥିଲା । ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଦୁଇଟି କମିଟିର ତଦନ୍ତ ପରେ ମାତ୍ର ୫ ଜଣଙ୍କ ଫୋନ ପ୍ରଭାବିତ ହୋଇଥିବା ଖବର ସାମନାକୁ ଆସିଥିଲା । ଏବେ ପୁଣି ଥରେ ଏନ୍ଏସ୍ଓ ଗୃପ୍ର କାରନାମା ସାମନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ବିରୋଧୀ ।

ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟାକୁ ସୁରକ୍ଷା ଦେବା କେନ୍ଦ୍ର ସରକାରଙ୍କ ଦାୟିତ୍ବ । ଆଜିକାଲି ଟଙ୍କାଠୁ ଆରମ୍ଭ କରି ଜମିବାଡ଼ି ସବୁ କିଛି ଲୋକେ ଡିଜିଟାଲରେ କାରବାର କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଡିଜିଟାଲ ପ୍ଲାଟଫର୍ମର ବିକାଶ କରିଛନ୍ତି । କିନ୍ତୁ ଏହି ଡାଟା ଯେ କାଲି କୌଣସି ମାଲଓ୍ବେର୍ କିମ୍ବା ସ୍ପାଇଓ୍ବେର ଜରିଆରେ ଚୋରି ହେଉନଥିବା କିଏ କହିବ ? ଖୋଦ ସରକାରୀ ଓ୍ବେବସାଇଟ ବି ହ୍ୟାକ ହେଉଛି । ଯଦି ବିକଶିତ ରାଷ୍ଟ୍ର ଆମେରିକାରେ ଉଦବେଗ ପ୍ରକାଶ ପାଉଛି । ଏଠି କେନ୍ଦ୍ର ସରକାର ଭାରତୀୟଙ୍କ ଡାଟା କିପରି ସୁରକ୍ଷିତ ରହିବ ? ସେ ନେଇ ଦୃଢ଼ ପଦକ୍ଷେପ ନେବାକୁ ବିଶେଷଜ୍ଞ ଦାବି କରିଛନ୍ତି । ପୋଗାସସ୍ ଜରିଆରେ ୫୧ଟି ରାଷ୍ଟ୍ରର ୧୨୨୩ ଲୋକଙ୍କ ଡାଟା ଚୋରି ନେଇ ତଥ୍ୟ ଆସିଛି । ମେକ୍ସିକୋରେ ସର୍ବାଧିକ ୪୫୬ ଡଣଙ୍କର ଥିବାବେଳେ ଭାରତରେ ୧୦୦ ଜଣ, ବାହାରିନରେ ୮୨, ମରୋକ୍କୋରେ ୬୦, ପାକିସ୍ତାନରେ ୫୮, ଇଣ୍ଡୋନେସିଆରେ ୫୪ ଓ ଇସ୍ରାଏଲରୁ ୫୧ ଜଣଙ୍କର ଡାଟା ଚୋରି ହୋଇଥିବା ଅଭିଯୋଗ ହୋଇଛି ।