ନନ୍ଦିଘୋଷ ବ୍ୟୁରୋ: ମକା ଫସଲରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପାଞ୍ଚ ମାସର ପରିଶ୍ରମ ପୋଡି ପାଉଁଶ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ରାଇଘର ସରଗୁଲିରେ । ତେବେ କିଏ ଓ କାହିଁକି ଫଳନ୍ତି ମକା ଫସଲରେ ନିଆଁ ଲଗାଇଦେଲା ତାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ସରଗୁଲି ଗାଁର ଜ୍ୟୋତିର୍ମୟ ସାନା ୫ ଏକର ଜମିରେ ପାଞ୍ଚମାସ ପୂର୍ବେ ମକା ଲଗାଇଥିଲେ । କିନ୍ତୁ ତାଙ୍କ ମକା କିଆରୀରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଫଳନ୍ତି ଫସଲ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ମକା ଫସଲର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜମିରେ ଲାଗିଥିବା ୩ ଲକ୍ଷ ଟଙ୍କାର ଡ୍ରିପ ପାଇପ ମଧ୍ୟ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହାସହ ପାଖରେ ଥିବା ଆଉ ଜଣେ ଚାଷୀଙ୍କ ମକା ଫସଲ ପୋଡ଼ି ମଧ୍ଯ ନଷ୍ଟ ହୋଇଯାଇଛି । ଆହୁରି ବଡ କଥା ହେଲା ନିଜେ ଜ୍ଯୋତିର୍ମୟ ଜମିକୁ ଯାଇପାରୁନାହାଁନ୍ତି । ସେ ଗତ ୫ ଦିନ ହେଲା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଜମିରେ ନିଆଁଲଗାଇଥିବାର ଅଭିଯୋଗ କରିଛନ୍ତି ଜ୍ୟୋତିର୍ମୟଙ୍କ ବାପା ଜୟନ୍ତ ସାନା । ଘଟଣାସ୍ଥଳରେ ରାଇଘର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ । କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ତୁରନ୍ତ କ୍ଷତି ପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ମାଛଧରା ଜାଲରେ ପଡ଼ିଲା ଅଜଗର, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ରତ୍ନ ଚୀରା ନଦୀରୁ ମାଛ ଜାଲରେ ଫସିଲା ଅଜଗର ସାପ । ସକାଳୁ ମାଛ ଜାଲରେ ଅଜଗର ପଡ଼ିଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିଥିଲେ । ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଓ ହେମନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଜାଲ କାଟି ଅଜଗର ସାପକୁ ଜାଲରୁ ବାହାର କରିଥିଲେ । ସାପଟି ଏକ ବର୍ମିଜ୍ ପାଇଥନ୍ ପ୍ରଜାତିର ବୋଲି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ଚିହ୍ନଟ କରିଛନ୍ତି । ସାପଦେହରେ କୌଣସି ସ୍ଥାନରେ ବିଶେଷ କ୍ଷତ ସୃଷ୍ଟି ହୋଇନାହିଁ । ଏହି ବର୍ମିଜ୍ ପାଇଥନ୍ ପ୍ରଜାତି ଦଳ ଗାଡ଼ିଆ ବା ପାଣି ଜୋର ମାନଙ୍କରେ ବାସକରନ୍ତି । ଲୋକ ଚଳପ୍ରଚଳ କରୁଥିବାରୁ ସନ୍ଧ୍ୟା ହେବାପରେ ସାପଟିକୁ ବନ ବିଭାଗ ଉପସ୍ଥିତିରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ନିଶାର୍କ ଶନି ମନ୍ଦିରରୁ ଚୋରି, ସବୁ ଲୁଟିନେଲେ..
ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଚୋର। ମନ୍ଦିରକୁ ରାତିରେ ଟାର୍ଗେଟ କରି କଳାକନା ବୁଲାଉଛନ୍ତି । ଗତ ରାତିରେ ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ବାଣପୁର ନିଶାର୍କ ଶନି ମନ୍ଦିରରୁ ଚୋରି । ବିଳମ୍ବିତ ରାତ୍ରିର ମନ୍ଦିର ଛୋଟ ଗେଟ ତାଲା ଭାଙ୍ଗି ଶନି ଓ ପାର୍ଶ୍ଵ ବିଗ୍ରହରୁ ସୁନା ଚିତା, ରୂପା ମୁକୁଟ ଓ ଦାନ ହୁଣ୍ଡି ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ସକାଳେ ପୂଜକଙ୍କ ପତ୍ନୀ ମନ୍ଦିର ଖୋଲିବା ବେଳେ ଦେଖିଲେ ଗେଟ ମୁକୁଳା ଅଛି । ଏହା ପରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ସେଠାରେ ପହଞ୍ଚିଛନ୍ତି । ପୋଲିସରେ ଅଭିଯୋଗ କରାଯାଇଛି। ଏହା ଆଗରୁ ଗତ ୫ ତାରିଖରେ ବାସୁଦେବପୁର ଦକ୍ଷିଣେଶ୍ଵରୀ କାଳୀ ମନ୍ଦିରରୁ ସୁନା ଓ ରୂପାର ଅଳଙ୍କାର ଚୋରି ହୋଇଥିଲା । ସେହିପରି ମାର୍ଚ୍ଚରେ ବଂଶୀପାଟଣାର ହନୁମାନ ବାଟିକାର ରଘୁନାଥ ମନ୍ଦିରର ହୁଣ୍ଡି ବାକ୍ସ ଓ ବଜରଙ୍ଗବଲିଙ୍କ ମନ୍ଦିରର ହୁଣ୍ଡି ବାକ୍ସ ଚୋରି ନେଇ ଥିଲେ ଦୁର୍ବୃତ୍ତ। ସେହିପରି ଭୈରବପୁର ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ମଧ୍ୟ କିଛି ଦିନ ତଳେ ଚୋରି ହୋଇଛି। ସେହିପରି ହନୁମାନ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ ଓ ଅଳଙ୍କାର ବି ନେଇଥିଲେ ଦୁର୍ବୃତ୍ତ। ବାସୁଦେବପୁର ଥାନାର ଲିଖିତ ଅଭିଯୋଗ ସତ୍ତ୍ଵେ ପୋଲିସ ଏଯାଏ ଚୋରଙ୍କ ଟେର୍ ପାଇନାହିଁ।

