ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଅନନ୍ତ ଅମ୍ବାନୀ । ରିଲାଏନ୍ସର ଷ୍ଟକ ଏକ୍ସଚେଞ୍ଜକୁ ଏ ବାବଦରେ ସୂଚନା ଦିଆଯାଇଛି । ହ୍ୟୁମାନ ରିସୋର୍ସେସ, ନୋମିନେସନ ଓ ରିମେନ୍ୟୁରେସନ କମିଟିର ସୁପାରିଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ମାସ ୧ ତାରିଖ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି । ଅନନ୍ତ ଏବେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଖୁବଶୀଘ୍ର ସେ ରିଲାଏନ୍ସର କାର୍ଯ୍ୟକାରୀ ନେତୃତ୍ବର ଅଂଶ ହେବେ । ଅନନ୍ତ ରିଲାଏନ୍ସ ଗ୍ରୁପର ଅନେକ କମ୍ପାନୀର ବୋର୍ଡ ସହ ଜଡ଼ିତ ରହିଛନ୍ତି । ସେଥିମଧ୍ୟରେ ୨୦୨୦ ଠାରୁ ଜିଓ ପ୍ଲାଟଫର୍ମ, ୨୦୨୨ ମେ ଠାରୁ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଓ ୨୦୨୧ ଜୁନ ଠାରୁ ରିଲାଏନ୍ସ ନ୍ୟୁ ଏନର୍ଜୀ ଓ ରିଲାଏନ୍ସ ନ୍ୟୁ ସୋଲର ଏନର୍ଜୀ ସାମିଲ ରହିଛି । ୨୦୨୨ ସେପ୍ଟେମ୍ବର ଠାରୁ ସେ ରିଲାଏନ୍ସ ଫାଉଣ୍ଡେସନର ମଧ୍ୟ ବୋର୍ଡ ମେମ୍ବର ରହିଛନ୍ତି ।
ସ୍ତ୍ରୀକୁ ଆକ୍ରମଣ କରିବାକୁ ଯାଇଥିଲା ସ୍ଵାମୀ: ପାଲଟା ଆକ୍ରମଣରେ ଅଭିଯୁକ୍ତ ସ୍ଵାମୀ ମୃତ
ଜଟଣୀ: ସ୍ତ୍ରୀକୁ ଆକ୍ରମଣ କରିବାକୁ ଯାଇଥିଲା ସ୍ଵାମୀ। ତାର ଖଣ୍ଡା ଚୋଟରେ ଶାଶୁ ଓ ସ୍ତ୍ରୀ ଆହତ ହୋଇଛନ୍ତି। ହେଲେ ପାଲଟା ଆକ୍ରମଣରେ ଅଭିଯୁକ୍ତ ସ୍ଵାମୀ ମୃତ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଉପକଣ୍ଠ ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ା ଗ୍ରାମଡିହ ଗାଁର। ଗତ ରାତିରେ ଏହି ଘଟଣା ଘଟିଛି। ରାତିରେ ଛାତ ଡେଇଁ ଶ୍ଵଶୁର ଘରକୁ ଯାଇଥିଲେ ଅଭିଯୁକ୍ତ ଜ୍ଵାଇଁ ଦିବାକର ବସ୍ତିଆ। ତାଙ୍କ ଖଣ୍ଡା ଚୋଟରେ ଶାଶୁ ଓ ସ୍ତ୍ରୀ ଆହତ ହୋଇଛନ୍ତି। ସ୍ତ୍ରୀର ବେକରେ ଓ ଶାଶୁଙ୍କ ହାତରେ ଗଭୀର ଚୋଟ ଲାଗିଛି। ଏହି ସମୟରେ ଶଶୁର ଘର ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜ୍ଵାଇଁ ଦିବାକରର ମୃତ୍ୟୁ ହୋଇଛି। ଇନଫୋଭାଲି ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ କରୁଛି।
ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଅଭିଯୋଗ କରିଛନ୍ତି, ସରକାର ନିଦାବିଷ୍ଣୁ ହୋଇଯାଇଛନ୍ତି। ବିଧାନସଭାରେ ଶିଶୁ ଓ ଛାତ୍ରୀ ନିର୍ଯାତନା ବଢୁଥିବା କହିଲୁ। ହେଲେ ସରକାର ଦୃଷ୍ଟି ଦେଲେନି। ସାନଖେମୁଣ୍ଡିରେ ଶିଶୁ ଧର୍ଷଣ ହୋଇ ହତ୍ୟା ହେଲା। ଯାଜପୁରରେ ଦୁଷ୍କର୍ମ ହେଲା। ରାଜଧାନୀରେ ରାଜନେତାଙ୍କୁ ଧମକ ଦିଆଯାଉଛି। ନା ମାଆ ନା ଛାତ୍ରୀ, କି ଲୋକ ବି ସୁରକ୍ଷିତ ନୁହନ୍ତି। ଆମେ ଏ କଥା ଉଠାଇବାରୁ ବିଧାନସଭାରୁ ନିଲମ୍ବନ ହେଲୁ। ଦୁଃଖର କଥା, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ଆଶ୍ଚର୍ଯ୍ୟ ଯେ ସରକାର କି ଭାବେ ଚାଲିଛି, ତାହା ଜଣା ପଡୁଛି। କାହାକୁ ଦଣ୍ଡ ମିଳୁନି। ଆମେ ହାଉସ୍ କମିଟି ଦାବି କରିଥିଲୁ। ହେଲେ ସରକାର ଭୁତାଇବାରେ ଲାଗିଛନ୍ତି। ସେ ସମୟରେ ଶୁଣିଥିଲେ ଆଜି ଏମିତି ହୋଇ ନଥାନ୍ତା। ନାରୀ ନିର୍ଯ୍ୟାତନା ବଢୁଛି। କଡ଼ା ଆଇନ ଆଣନ୍ତୁ ସରକାର। ନ ହେଲେ ନାରୀ ନିର୍ଯାତନା ଚାଲିଥିବ। ଯେଉଁମାନେ ଦୋଷୀ, ସେମାନଙ୍କୁ ଦଣ୍ଡ ଜଲଦି ମିଳିବା ଦରକାର ବୋଲି କହିଛନ୍ତି ରାମ ଚନ୍ଦ୍ର କାଡାମ
ବଳଳିବ ATM ନିୟମ: ମେ ପହିଲାରୁ ଅର୍ଥ ଉଠାଣ ଓ ବାଲାନ୍ସ ଚେକ୍ କରିବା ହୋଇଯିବ ମହଙ୍ଗା
ଯେଉଁମାନେ ଅର୍ଥ ଉଠାଇବା ପାଇଁ ଏଟିଏମର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଜରୁରୀ ଖବର । ଆସନ୍ତା ମାସ ୧ ତାରିଖରୁ ଏଟିଏମ ନିୟମ ବଦଳିବାକୁ ଯାଉଛି । ଏହାଫଳରେ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ (ଏନପିସିଆଇ)ର ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଅର୍ଥ ଉଠାଇବା ଏବେ ମହଙ୍ଗା ହୋଇଯିବ ।
ମେ ୧ ତାରିଖରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ପୂର୍ବରୁ ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ । ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ମାସକରେ ମେଟ୍ରୋ ସହରରେ ୫ ଥର ଲିମିଟ ଦେଉଥିବା ବେଳେ ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ଦେଇଥାଏ । ଏହାଠାରୁ ଅଧିକ ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି ଚାର୍ଜ ବଢ଼ିବ? ଏଟିଏମ୍ ଚାର୍ଜ ବଢ଼ିବାର କାରଣ ହେଉଛି, ଏଟିଏମ ନେଟଓ୍ବାର୍କ ଅପରେଟର ଓ ହ୍ବାଇଟ ଲେବଲ ଏଟିଏମ କମ୍ପାନୀଙ୍କ ତରଫରୁ ଇଣ୍ଟରଚେଞ୍ଜ ଫିସ୍ ବୃଦ୍ଧି ପାଇଁ ଦାବି କରିବା । ସେମାନଙ୍କର ମେଣ୍ଟେନାନ୍ସ ଓ ଅପରେସନ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଏପରି ସ୍ଥିତିରେ ଏନପିସିଆଇ ଏହି ଦାବିକୁ ଆରବିଆଇ ନିକଟରେ ଉପସ୍ଥାପନ କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଯେଉଁମାନେ ଅନ୍ୟ ବ୍ୟାଙ୍କର ଏଟିଏମ ଉପରେ ଅଧିକ ନିର୍ଭର କରୁଥିଲେ, ଏବେ ସେମାନେ ବେଶି ପ୍ରଭାବିତ ହେବେ ।
ଷ୍ଟାଫ୍ ସିଲେକ୍ସନ ପରୀକ୍ଷାରେ ତ୍ରୁଟି: ପାଠ୍ୟକ୍ରମ ବାହାରୁ ଆସିଥିଲା ପ୍ରଶ୍ନ, ତ୍ରୁଟି ନେଇ OSSC ଅଧ୍ୟକ୍ଷଙ୍କ ସୂଚନା
ଭୁବନେଶ୍ବର: ଷ୍ଟାଫ୍ ସିଲେକସନ ପରୀକ୍ଷାରେ ତ୍ରୁଟି। ଆଜି ଅନୁଷ୍ଠିତ ପରୀକ୍ଷାର ପ୍ରଶ୍ନପତ୍ରରେ ରହିଥିଲା ତ୍ରୁଟି। ଏପରିକି ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିଲା ବୋଲି ସୂଚନା ଦିଆଯାଇଛି। ତ୍ରୁଟି ନେଇ ସୂଚନା ଦେଇଛନ୍ତି OSSC ଅଧ୍ୟକ୍ଷ ଅଭୟ। ଏହା ସହ ଏହି ତ୍ରୁଟିକୁ ମାନିଛି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ। ନିଯୁକ୍ତି ସଂକ୍ରାନ୍ତ ବିଭିନ୍ନ ପଦବୀ ପାଇଁ ହୋଇଥିଲା ପରୀକ୍ଷା। ସେପଟେ OSSC ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଆଉଥରେ ପରୀକ୍ଷା କରିବାକୁ କୁହାଯାଇଛି। ଏହାର ବିକଳ୍ପ ନେଇ ମେ ୪ ତାରିଖ ପୂର୍ବରୁ ପରୀକ୍ଷାର୍ଥୀମାନେ ସେମାନଙ୍କର ମତାମତ ଦେବାପାଇଁ ସୂଚନ ଦେଇଛନ୍ତି କର୍ତ୍ତୃପକ୍ଷ। ଇ-ମେଲ ଯୋଗେ ପରୀକ୍ଷାର୍ଥୀ ଓଡ଼ିଶା ଷ୍ଟାଫ୍ ସିଲେକସନ୍ ଅଫିସିଆଲ ୱେବସାଇଟ [email protected] ରେ ମତାମତ ଦେଇପାରିବେ।
ଆରବ ସାଗରରେ ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମୋସ ମିସାଇଲର ପରୀକ୍ଷଣ
ନନ୍ଦିଘୋଷ ବ୍ୟୁରୋ ; ଆରବ ସାଗରରେ ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମୋସ ମିସାଇଲର ପରୀକ୍ଷଣ। ଆରବ ସାଗରରେ ନୌସେନାର ଯୁଦ୍ଧ ଜାହାଜରୁ ଏହି ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି। ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ ପାଇଁ ପ୍ଲାଟଫର୍ମ, ବ୍ୟବସ୍ଥା ଏବଂ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ଏହି ପରୀକ୍ଷଣ କରାଯାଇଥିଲା। ଭାରତୀୟ ନୌସେନା ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଦେଶର ସାମୁଦ୍ରିକ ସ୍ୱାର୍ଥକୁ ସୁରକ୍ଷା ଦେବାରେ ପ୍ରସ୍ତୁତ ବୋଲି କହିଛି ନୌସେନା। ନୌସେନାର INS ସୁରତ ବିଶ୍ୱସ୍ତରରେ ସବୁଠାରୁ ବଡ଼ ଏବଂ ଉନ୍ନତ ବିଧ୍ୱଂସକ ମଧ୍ୟରେ ସ୍ଥାନ ପାଇଛି। ୭୫% ସ୍ୱଦେଶୀ ସାମଗ୍ରୀ ସହିତ ଏହା ଅତ୍ୟାଧୁନିକ ଅସ୍ତ୍ର-ସେନ୍ସର ସିଷ୍ଟମ ଏବଂ ଉନ୍ନତ ନେଟୱର୍କ କ୍ଷମତାସମ୍ପନ୍ନ। ୨୨ ଏପ୍ରିଲରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ପରୀକ୍ଷଣ କରାଯାଇଛି। ପହଲଗାଓଁ ଆକ୍ରମମରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।ପୂର୍ବରୁ ଭାରତୀୟ ନୌସେନାର ଯୁଦ୍ଧଜାହାଜ INS ସୁରତରୁ ଆରବ ସାଗରରେ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ-ଆକାଶକୁ ମାଡ଼ କରୁଥିବା କ୍ଷେପଣାସ୍ତ୍ର MR-SAM ସଫଳ ପରୀକ୍ଷଣ କରିଥିଲା। MR-SAM ଭୂପୃଷ୍ଠରୁ-ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆକାଶରୁ ଆକ୍ରମଣ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ।
ଆଣବିକ ଯୁଦ୍ଧର ଧମକ ଦେଲା ପାକିସ୍ତାନ !
ନନ୍ଦିଘୋଷ ବ୍ୟୁରୋ ; ଭାରତକୁ ଆଣବିକ ଯୁଦ୍ଧର ଧମକ ଦେଇଛି ପାକିସ୍ତାନ। ମନ୍ତ୍ରୀ ହନିଫ୍ ଆବାସି କହିଛନ୍ତି, ୧୩୦ ଆଣବିକ ପରମାଣୁ ବୋମା ଭାରତକୁ ଟାର୍ଗେଟ କରି ଅଛନ୍ତି। ସାହିନ, ଘୋରି ପରି କ୍ଷେପଣାସ୍ତ୍ର ବି ଅଛି। ଭାରତ ଯଦି ସିନ୍ଧୁ ନଦୀ ଜଳକୁ ପୁରାପୁରି ବନ୍ଦ କରି ଦିଏ, ତେବେ ସଂପୂର୍ଣ୍ଣ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ରହିବା ଉଚିତ ବୋଲି କହିଛନ୍ତି ହନିଫ। ସେ କହିଛନ୍ତି, ପାକିସ୍ତାନର ପରମାଣୁ ଅସ୍ତ୍ର ପ୍ରଦର୍ଶନ ପାଇଁ ନୁହେଁ । ଭାରତ ପାଣି ବନ୍ଦ କଲେ ‘ପୂର୍ଣ୍ଣ ଯୁଦ୍ଧ’ ହେବ। ପାକିସ୍ତାନ ସାରା ଦେଶରେ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି। ପାକିସ୍ତାନର ଏୟାରସ୍ପେସ୍ ବନ୍ଦ ଜାରି ରହିଲେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଭୁଶୁଡ଼ି ପଡ଼ିବ ବୋଲି ସେ ତାତ୍ସଲ୍ୟ କରିଛନ୍ତି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ଛାନିଆଁ। ବିଳି ବିଳେଇ ହେଉଛନ୍ତି ଏହାର ମନ୍ତ୍ରୀ ଓ ନେତାମାନେ। ବିଶେଷ କରି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ପରେ ପାକିସ୍ତାନ ବାଉଳା ହୋଇ ପଡ଼ିଛି ଓ ଏହାର ମନ୍ତ୍ରୀ ନେତାମାନେ ମନକୁ ଯାହା ଆସିଲା ତାହା କହୁଛନ୍ତି। ସେମାନେ କିନ୍ତୁ ମନେ ରଖିବା ଉଚିତ ଯେ, କାହାକୁ ସେମାନେ ଧମକ ଦେଉଛନ୍ତି। ଭାରତ ସବୁ କ୍ଷେତ୍ରରେ ପାକିସ୍ତାନ ଅପେକ୍ଷା ଶକ୍ତିଶାଳୀ। ସେ ଅସ୍ତ୍ରଶସ୍ତ୍ର ହେଉ କି ରଣନୀତି କିମ୍ଵା ଅର୍ଥନୀତି ଓ ଟେକ୍ନୋଲଜିରେ ଭାରତ କାହିଁ କେତେ ଗୁଣରେ ପାକିସ୍ତାନ ଅପେକ୍ଷା ଆଗୁଆ ରହିଛି। ତେଣୁ ଭାରତକୁ ଧମକ ଦେବା ଆଗରୁ ପାକିସ୍ତାନ ଭାବିବା ଉଚିତ, ସେ କାହାକୁ କଣ କହୁଛି।
ପହଲଗାଓଁ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା !
ବଲେଶ୍ବର : ପହଲଗାଓଁ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା। ସୋସିଆଲ ମିିଡିଆରେ ତାଙ୍କ ନାଁରେ ଟଙ୍କା ମଗାଯାଉଛି। ଏହାକୁ ନାପସନ୍ଦ କରିଛନ୍ତି ପ୍ରଶାନ୍ତଙ୍କ ପରିବାର। କହିଛନ୍ତି, ଏଥିରେ ପରିବାରର କୌଣସି ଭୂମିକା ନାହିଁ। ଆମକୁ ନ ପଚାରି କିଏ ଏମିତି କରିଛି। ଟଙ୍କା ନ ଦେବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି। ଏହାକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପରିବାର । ପୋଲିସ ତଦନ୍ତ କରୁଛି। ପ୍ରଶାନ୍ତଙ୍କ ପତ୍ନୀ କହିଛନ୍ତି, ସ୍ୱାମୀଙ୍କ ପାଇଁ ଟଙ୍କା ଦରକାର ନୁହେଁ, ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରନ୍ତୁ। ମୋ ସ୍ୱାମୀ ଏବେ ଜାତୀୟ ହିରୋ । ମୋ ପରି ଆଉ କେହି ଅସୁବିଧାରେ ନ ପଡ଼ନ୍ତୁ, ସେନେଇ ସରକାର ଠୋସ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରଶାନ୍ତଙ୍କ ପତ୍ନୀ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ଵରର ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା। କେତେକ ଲୋକ ଏବେ ପ୍ରଶାନ୍ତଙ୍କ ନାଁରେ ସୋସିଆଲ ମିଡିଆରେ ଟଙ୍କା ମାଗୁଥିବାରୁ ଏପରି କହିଛନ୍ତି ତାଙ୍କ ପତ୍ନୀ। ପରିବାରର ବିନା ଅନୁମତିରେ ଏପରି କରାଯାଉଛି। ଏହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପ୍ରଶାନ୍ତଙ୍କ ପରିବାର। ସାଇବର ଥାନାରେ ମାମଲା ରୁଜୁ କରାଯାଇ ପୋଲିସ କରୁଛି ତଦନ୍ତ। ବଡ଼ କଥା ହେଲା ପ୍ରଶାନ୍ତଙ୍କ ସ୍ତ୍ରୀ କହିଛନ୍ତି, ଯିଏ ଯାଇଛି ସେ ଆସିବନି। ଟଙ୍କା କିଛି ଦରକାର ନାହିଁ । ଠାକୁରଙ୍କ ନିକଟରେ ଟିକେ ନିବେଦନ କରନ୍ତୁ ଗୋଟିଏ ମିନିଟ ଦିଅନ୍ତୁ ସେତିକି ମୋ ସ୍ୱାମୀଙ୍କ ପାଇଁ ଆବଶ୍ୟକ । ଯାହାର ଆର୍ଥିକ ଆବଶ୍ୟକ ଅଛି ତାହାକୁ ସାହାଯ୍ୟ କରନ୍ତୁ। ଆଗରୁ ଭାବୁ ନଥିଲି। ଏବେ ଭାବୁଛି ସାରା ଦେଶରେ ଏବେ ମୋ ସ୍ୱାମୀଙ୍କୁ ହିରୋ ବୋଲି ଭାବୁଛନ୍ତି। ସେ କହିଛନ୍ତି, ଗତକାଲି NIA ଯାହା ପଚାରିଛନ୍ତି ସବୁ କହିଛି । ମୁଁ ଭାବିନଥିଲି ମୋ ଜୀବନରେ ଏପରି ଅବସ୍ଥା ଆସିବ ବୋଲି। ଆଉ କାହା ସହ ଏମିତି ନ ହେବ, ସେମିତି ସରକାର ଠୋସ ପଦକ୍ଷେପ ନିଅନ୍ତୁ ସରକାର। ପ୍ରଶାନ୍ତଙ୍କ ଭାଇ ମଧ୍ୟ ଟଙ୍କା ଆଦାୟକୁ ନାପସନ୍ଦ କରିବା ସହିତ ସେ ଏପରି କରିବାକୁ କାହାକୁ ଅନୁମତି ଦେଇନଥିବା କହିଛନ୍ତି। ପରିବାର ପକ୍ଷରୁ ନିବେଦନ କରିଛନ୍ତି କୌଣସି ସୋସିଆଲ ମିଡିଆରେ ଯଦି ଏପରି ଟଙ୍କା ଆଦାୟ କରାଯାଉଛି, ତେବେ ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତୁ। କେହି ଟଙ୍କା ଦିଅନ୍ତୁ ନାହିଁ।
ସାଇନ୍ସ ପାର୍କ ବସ୍ତିରେ ଛୁରାମାଡ ଘଟଣା, ସାଇଣ୍ଟିଫିକ ଟିମର ଯାଞ୍ଚ
ଭୁବନେଶ୍ବର : ନିଶା ପାଇଁ ନାରକୀୟ କାଣ୍ଡ। ଗଡୁଛି ମୁଣ୍ଡ, ଚାଲୁଛି ଭୁଜାଲି। ପୋଲିସର ସତ ଚେଷ୍ଟା ପରେ ବି ବସ୍ତିରେ ରକ୍ତର ହୋଲି ଖେଳୁଛନ୍ତି ଅପରାଧୀ। ହୋଲିରେ ଶାନ୍ତିପଲ୍ଲୀ ବସ୍ତିରେ ମର୍ଡର, ସମେଇଗାଡ଼ିଆର ଯୁବକଙ୍କୁ ବୀଭତ୍ସ ହତ୍ୟା ଓ ସହଦେବ ନାୟକ ହତ୍ୟାକାଣ୍ଡ ପରେ ପୁଣି ସାଇନ୍ସ ପାର୍କରେ ତାଣ୍ଡବ ରଚିଛନ୍ତି ଅପରାଧୀ। ପୁତୁରାର ଭୁଜାଲି ମାଡରେ ଗୁରୁତର ହୋଇଛନ୍ତି ଦାଦା ଓ ଖୁଡି। ଶାନ୍ତିଭୂଷଣ ନାୟକଙ୍କୁ ଛୁରାମାଡ଼ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ପେଟରେ ଭୁଜାଲି ଭୁସି ଗୁରୁତର କରିଛନ୍ତି ପୁତୁରା ଜନ୍ମେଜୟ ନାୟକ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ସହିଦନଗର ପୋଲିସ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ସରଜମିନ ଯାଞ୍ଚ କରିଛି। ପାରିପାର୍ଶ୍ବିକ ପରିସ୍ଥିତି ସହ କ୍ରାଇମ ସ୍ପଟରେ ଫରେନସିକ ଯାଞ୍ଚ କରିଛି ଟିମ। ଛୁରାମାଡ଼ କରିଥିବା ଜନ୍ମେଜୟ ନାୟକ ମଧ୍ୟ ଗୁରୁତର ଅଛନ୍ତି । ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ପୁଣି ଅଶାନ୍ତ ଗଞ୍ଜାମ, ଶାଳବଣ ଜଙ୍ଗଲରେ ଦୁଇ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ
ବ୍ରହ୍ମପୁର : ପୁଣି ଅଶାନ୍ତ ଗଞ୍ଜାମ। ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଜଙ୍ଗଲରେ ଦୁଇ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁମଣ୍ଡଳ ଗ୍ରାମର
ସଞ୍ଜୟ ବାରିକ ଓ ଅଜୟ ବାରିକ ନାମକ ଦୁଇ ଭାଇକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ପଡିଛି ମୃତଦେହ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

