ନନ୍ଦିଘୋଷ ବ୍ୟୁରୋ : ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧବିରତି ମଧ୍ୟରେ ଗାଜା ଉପରେ ଆଇଡିଏଫର ଜବରଦସ୍ତ ହମଲା। ଆକ୍ରମଣରେ ୮୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜବାଲିଆ ଶରଣାର୍ଥୀ ଶିବିର ସମେତ ଗାଜାରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ସେନା। କତାରରେ ପରୋକ୍ଷ ଯୁଦ୍ଧବିରତି ଆଲୋଚନା ଜାରି ରହିଥିବା ବେଳେ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଗତକାଲି ଜବାଲିଆ ଶରଣାର୍ଥୀ ଶିବିର ସମେତ ଉତ୍ତର ଗାଜାରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ 50 ଜଣଙ୍କର ମୃତ୍ୟୁ ହୋଇଥିଲା। ଗାଜା ହସ୍ପିଟାଲ ଉପରେ ଇସ୍ରାଏଲୀ ଆକ୍ରମଣର ଶିକାରଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ଅଛନ୍ତି। ଜବାଲିଆ ନିକଟରେ ପ୍ରାୟ 50 ଜଣ ଏବଂ ଦକ୍ଷିଣରେ ଥିବା ଖାନ ୟୁନିସ ସହରରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିବା କହିଛି ଗାଜାର ସ୍ୱାସ୍ଥ୍ୟବିଭାଗ। ତେବେ ଇସ୍ରାଏଲୀ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ପିପିଲିରେ ପୁଣି ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା
ପିପିଲି : ପିପିଲିରେ ପୁଣି ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା। ପୀଡିତାଙ୍କ ମା ପିପିଲି ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି। ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି।
କେନାଲରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ
ଢେଙ୍କାନାଳ : ଢେଙ୍କାନାଳ କେନାଲରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଉଖମା ଗାଁରେ । ଅପରାହ୍ନରେ ଦୁଇ ଭାଇ କେନାଲ ହୁଡାରେ ବସିଥିଲେ ବୋଲି ଜଣାପଡିଛି ।ଅସାବଧାନତା ବସତଃ ସାନ ଭାଇ ସୋମ ସାହୁ କେନାଲ ଭିତରକୁ ଖସି ପଡିଥିଲେ । ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ ଭାଇ ଓମ ସାହୁ କେନାଲ ଭିତରକୁ ଡେଇଁ ପଡିଥିଲେ। ଫଳରେ ଉଭୟ ସାନ ଭାଇ ଓ ବଡ ଭାଇ କେନାଲରେ ବୁଡି ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଗ୍ରାମବାସୀ ଦୁଇ ଭାଇଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଅଉଖମା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବୁଢାରେ ଭରିଯିବ ତୁର୍କୀ, ଟେନସନ ବଢାଇଲା ଭଳି ଆସିଲା ରିପୋର୍ଟ
ନନ୍ଦିଘୋଷ ବ୍ୟୁରୋ : ତୁର୍କୀରେ ଏବେ ପିଲାଙ୍କ ଅଭାବ ଦେଖାଦେଇଛି। ୨୦୨୪ ମସିହାରେ ଦେଶରେ କେବଳ ୯.୩୭ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ, ଯାହା ସବୁଠାରୁ କମ୍ ସଂଖ୍ୟା ମଧ୍ୟରୁ ଗୋଟିଏ। ହାରାହାରି ପ୍ରତ୍ୟେକ ମହିଳା ଏବେ ମାତ୍ର ୧.୪୮ ସନ୍ତାନ ଜନ୍ମ ଦେଉଛନ୍ତି, ଯେତେବେଳେ ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଏହି ସଂଖ୍ୟା ଅତି କମରେ ୨.୧ ହେବା ଉଚିତ। ତୁର୍କୀର ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍ ମଙ୍ଗଳବାର ଏହି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ଦେଶର ଜନସଂଖ୍ୟା ବଜାୟ ରଖିବାର ଭାର ଏବେ ଗାଁ ଉପରେ। ସହରରେ ରହୁଥିବା ଲୋକମାନେ କମ୍ ସନ୍ତାନ ଜନ୍ମ କରୁଛନ୍ତି, ଯେତେବେଳେ ଗ୍ରାମାଞ୍ଚଳରେ ଜନ୍ମହାର ଏବେ ବି ଅଧିକ ଅଛି।
୨୦୨୪ ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିବା ମହିଳାଙ୍କ ହାରାହାରି ବୟସ ୨୭.୩ ବର୍ଷ ଥିଲା, ଏବେ ମା’ଙ୍କ ହାରାହାରି ବୟସ ୨୯.୩ ବର୍ଷରେ ପହଞ୍ଚିଛି। ୨୦୦୧ ମସିହାରେ, ଏହି ସଂଖ୍ୟା ୨୬.୭ ବର୍ଷ ଥିଲା। ଏହା ବ୍ୟତୀତ, ଏବେ ପ୍ରଥମ ଓ ଦ୍ୱିତୀୟ ସନ୍ତାନ ମଧ୍ୟରେ ବ୍ୟବଧାନ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ରହିଛି ହାରାହାରି ୪.୭ ବର୍ଷ। ଯଦି ଆମେ ତୁର୍କୀର ବିଭିନ୍ନ ପ୍ରଦେଶ ବିଷୟରେ ଆଲୋଚନା କରିବା, ତେବେ ସାନଲିଉର୍ଫାରେ ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ନେଉଥିବା ବେଳେ ବାର୍ତିନ ଓ ଏସକିସେହିର ଭଳି ଅଞ୍ଚଳରେ ସବୁଠାରୁ କମ୍ ସଂଖ୍ୟାରେ ଶିଶୁ ଜନ୍ମ ହେଉଛନ୍ତି। ଅର୍ଥାତ୍, ଗୋଟିଏ ପଟେ କିଛି ଅଞ୍ଚଳ ଅଛି ଯାହା ଦେଶର ଜନସଂଖ୍ୟାକୁ ଧରି ରଖିଛି, ଅନ୍ୟପଟେ କିଛି ସ୍ଥାନରେ ପରିସ୍ଥିତି ଗମ୍ଭୀର ରହିଛି ।
ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ପରିବର୍ତ୍ତନଶୀଳ ସାମାଜିକ ଭୂମିକା, ବିବାହରେ ବିଳମ୍ବ ଏବଂ ଛୋଟ ପରିବାର ପାଇଁ ଇଚ୍ଛା ତୁର୍କୀର ଜନସଂଖ୍ୟା ହ୍ରାସର କାରଣ ହେଉଛି। ଏବେ ସରକାର ଏହାକୁ ‘ଜନସଂଖ୍ୟା ସଙ୍କଟ’ ବୋଲି ବିବେଚନା କରିଛନ୍ତି ଓ ୨୦୨୫ କୁ ‘ପରିବାର ବର୍ଷ’ ଭାବରେ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ଯୁବ ଦମ୍ପତିମାନଙ୍କୁ ଆର୍ଥିକ ସହାୟତା, ପିତାମାତାଙ୍କ ଛୁଟି, ପିଲା ଥିବା ପରିବାରକୁ ବାସଗୃହ ସବସିଡି ଓ ଶସ୍ତା ଶିଶୁ ଯତ୍ନ ସୁବିଧା ଯୋଗାଇ ଦିଆଯିବ। ଏହା ସହିତ, ଏକ ବଡ଼ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯିବ, ଯେଉଁଥିରେ ବିଶେଷକରି ସହର ଓ ଶିକ୍ଷିତ ବର୍ଗଙ୍କୁ ଟାର୍ଗେଟ କରାଯିବ।
ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନକୁ ସମର୍ଥନ ତୁର୍କୀକୁ ପଡିବ ମହଙ୍ଗା। ତୁର୍କୀ ସହ ବ୍ୟବସାୟ ବନ୍ଦ କରିବାକୁ ନେଇ ପ୍ରତିବାଦ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ବିଭିନ୍ନ ବ୍ୟବସାୟିକ ସଂଗଠନ। ପୁଣି,ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟରେ ପ୍ରତିବାଦ ଜୋର ଧରିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ତୁର୍କୀ ସମର୍ଥନ କରିଥିବାରୁ ତୁର୍କୀକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ସହିବାକୁ ପଡିପାରେ। ପର୍ଯ୍ୟଟନ କ୍ଷେତ୍ର ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ତୁର୍କୀର ପ୍ରାୟ ୩୦ ହଜାର କୋଟିରୁ ଅଧିକ କ୍ଷତି ହେବା ଆକଳନ କରାଯାଉଛି।
ରାଜ୍ୟ କ୍ୟାବିନେଟରେ ଆଜି ୬ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଆଜି ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ସଂରକ୍ଷଣ ନୀତି ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ କରାଯିବ । ଏହା ସହିତ ଉଚ୍ଚଶିକ୍ଷାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ପୂର୍ବ ପରି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାକୁ ମିଳିତ ଭାବରେ ୧ ଏପ୍ରିଲ, ୨୦୨୫ ରୁ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାକୁ ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଭାବରେ ନାମିତ କରାଯିବ । ପୂର୍ବରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ ମାନେ ୧୦,୦୦୦ ଟଙ୍କା ପାଉଥିଲେ । ଏବେ ୧୨,୦୦୦ ଟଙ୍କା ପାଇବେ । ପୁଅ ଜନ୍ମ ହେଲେ ମା’ ମାନେ ପାଉଥିବା ୧୦ ହଜାର ଟଙ୍କାର ସହାୟତା ପୂର୍ବପରି ଅପରିବର୍ତ୍ତିତ ରହିଛି । ଆଦିମ ଜନଜାତି ସମ୍ପ୍ରଦାୟର ମହିଳାଙ୍କୁ ପ୍ରଥମ ୨ ଟି ସନ୍ତାନ ପରେ ମଧ୍ଯ ଝିଅ ଜନ୍ମ ପାଇଁ ୧୨ ହଜାର ଟଙ୍କା ଓ ପୁଅ ଜନ୍ମ ପାଇଁ ୧୦ହଜାର ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପାଣି ପାଇଁ ପାକିସ୍ତାନର ଭାରତ ନିକଟରେ ଗୁହାରି
ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଭାରତର ଦମ୍ ଦେଖି ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଏବେ ପାଣି ଲାଗି ହେଲାଣି ଡହଳ ବିକଳ। ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ଲାଗି ଭାରତ ନିକଟରେ ଅନୁରୋଧ କରିଛି ପାକିସ୍ତାନ। ଏନେଇ ଜଳଶକ୍ତି ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଛନ୍ତି ପାକିସ୍ତାନ ଜଳ ସମ୍ପଦ ସଚିବ ସୟଦ ଅଲି ମୁର୍ତାଜା। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଉତ୍ତ୍ୟକ୍ତ ହୋଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ। ୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ ନଦୀରୁ ଭାରତ ୩୦ ପ୍ରତିଶତ ଓ ପାକିସ୍ତାନ ୭୦ ପ୍ରତିଶତ ଜଳ ପାଇଥାଏ। ଜଳ ଚୁକ୍ତି ରଦ୍ଦ ହେବା ପରେ ପାକିସ୍ତାନ ଜଳାଭାବରେ ଛଟପଟ ହେବା ପରିଲକ୍ଷିତ ହୋଇଛି। ଏପରିକି ପାକିସ୍ତାନକୁ ବିନା ସୂଚନାରେ ନଦୀ ବନ୍ଧର ଗେଟ ଖୋଲିଦେଉଛି ଭାରତ।
ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ ବିଜୟ ଶାହାଙ୍କ ଲାଗି ବଢ଼ିଲା ଅଡୁଆ
ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶ ବିଜେପି ମନ୍ତ୍ରୀ ବିଜୟ ଶାହାଙ୍କ ଲାଗି ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ବିରୋଧରେ ଆଦିବାସୀ ବ୍ଯାପାର ମନ୍ତ୍ରୀ ବିଜୟ ଦେଇଥିଲେ ବୟାନ। ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରେସ ବ୍ରିଫିଂ ସୋଫିଆ କରିଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ। ଏହି ପ୍ରସଙ୍ଗରେ ମଧ୍ଯପ୍ରଦେଶ ହାଇକୋର୍ଟ ନିଜ ଆଡୁ କରିଥିଲେ ମାମଲା ରୁଜୁ। କର୍ଣ୍ଣେଲ ସୋଫିଆ ଜଣେ ଆତଙ୍କୀଙ୍କ ଭଉଣୀ ବୋଲି କହିଥିଲେ ବିଜୟ। ରାମକୁଣ୍ଡ ଗ୍ରାମରେ ଆୟୋଜିତ ଏକ ସଭାରେ ବିଜୟ ଏହି ବିବାଦୀୟ ବୟାନ ଦେଇଥିଲେ। ବିଜୟଙ୍କ ଏହି ବୟାନକୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା। ଗତକାଲି ସେ ଏହି ବୟାନ ନେଇ କ୍ଷମା ପ୍ରାର୍ଥନା କରିଥିଲେ। ଦୁଃଖ ପରିସ୍ଥିତି ସମୟରେ ମନ୍ତ୍ରୀ ମୁସଲିମଙ୍କ ବିରୋଧରେ କହିବାକୁ ପଛାଇନଥିଲେ ବୋଲି କହିଥିଲେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ।
ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବା ମୁଖା ଖୋଲିଲେ ଜନସଂଗଠନ, ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ
ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଆସିବା ପରେ ବିଗିଡି ଯାଇଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ଏଭଳି ଅଭିଯୋଗ କରିଛନ୍ତି ବିଭିନ୍ନ ଜନ ସଂଗଠନ। ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି।ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଡାକ୍ତର ନିଶିଦ୍ଧ ଔଷଧ ଦେଉଥିବା ଭଳି ବଡ଼ ଅଭିଯୋଗ ହୋଇଛି। ଏସସିବି ମେଡ଼ିକାଲରେ ଚାଲିଥିବା ଅଭିଯୋଗ କରିଛି ଜନସ୍ୱାସ୍ଥ୍ୟ ଅଭିଯାନ ଓ ଅନ୍ୟ ପ୍ରମୁଖ ଜନ ସଂଗଠନ।ଏହି ବ୍ୟାନ ମେଡ଼ିସିନ ଖାଇ ୨୭ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି।ସରକାରଙ୍କ ଛତ୍ରଛାୟାରେ ଚାଲିଛି କିଡନି ରାକେଟ। ଯନ୍ତ୍ରଣାରେ ଡାକ୍ତରଙ୍କ ସହଯୋଗ ନପାଇ ରୋଗୀ ଆତ୍ମହତ୍ୟା କରୁଛନ୍ତି। ଆଗକୁ ଯାହା କହୁଥିଲେ ସରକାର ଆସିବା ପରେ ଓଲଟା କାମ କରୁଛନ୍ତି। ଦୂଷିତପାନୀୟ ଜଳ ପିଇ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି।ଡାକ୍ତର ଚିକିତ୍ସାର ବିଧିବ୍ୟବସ୍ଥା ମାନୁନାହାନ୍ତି। କିଡନୀ ପ୍ରତିରୋପଣ ପରେ ମିଳୁନି ଆବଶ୍ୟକ ସେବା ଓ ଚିକିତ୍ସା। ତେଣୁ ରୋଗୀ ଭୟରେ ମେଡ଼ିକାଲ ଆସୁ ନାହାନ୍ତି।ସରକାରଙ୍କ ପାଖରେ ବାରମ୍ବାର ଦାବି ପରେ ସମସ୍ୟାର ସମାଧାନ ହେଉନି ବୋଲି କହିଛନ୍ତି ଜନ ସଂଗଠନ ।
ଯେଉଁ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଥିଲା ସେମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି।ରୋଗୀଙ୍କ ପାଇଁ ବାରମ୍ବାର ଔଷଧ ପରିବର୍ତ୍ତନ କରାଯାଉଛି। ଗତ ୬ ମାସରେ ଏସସିବିରେ ମାତ୍ର ଗୋଟିଏ କିଡନୀ ପ୍ରତିରୋପଣ ହୋଇଛି।ପ୍ରତିରୋପଣ ସଂଖ୍ୟା ବଢିବା ତୁଳନାରେ କମିଛି।ଦାନ ହେଉଥିବା କିଡନୀ କୁଆଡେ ଯାଉଛି ବୋଲି ପ୍ରଶ୍ନ ଉଠୁଛି।ଗରିବଙ୍କ ଉପରେ ପରୀକ୍ଷା କରାଯାଉଛି। ଯାହା ଫଳରେ ଅନେକ ଜୀବନ ଯାଉଛି। SCB ନେଫ୍ରୋଲୋଜି ବିଭାଗରେ ୩ ପ୍ରଫେସର ଓ ୩ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଜଣେବି ପ୍ରଫେସର ନାହାନ୍ତି। କିଡନୀ ରୋଗୀଙ୍କ ପାଇଁ ୩୦ ଜିଲ୍ଲାରେ ଡାୟାଲିସିସ ଵ୍ୟଵସ୍ଥା ରହିଛି।କିନ୍ତୁ ମେସିନ ଚଳାଇବାକୁ କେହି ନାହାନ୍ତି। ରାଜ୍ୟରେ କିଡନୀ ରୋଗୀ ଚିହ୍ନଟ ସହ ଅଭିଯୋଗ ପ୍ରକୋଷ୍ଠ ପାଇଁ ଦାବି ହୋଇଛି। ଘରୋଇ ହସ୍ପିଟାଲକୁ ଅନୁକମ୍ପା ଦେଖାଇ ସରକାରୀ ମେଡିକାଲକୁ ମାରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ଜନସଂଗଠନ ସମୂହ। ରାଜ୍ୟରେ ନୂଆ ସରକାର ଆସିବା ପରେ ଅନେକ ଜିଲ୍ଲାରେ ସିଡିଏମଓ ନାହାନ୍ତି। ପଦବୀ ସୃଷ୍ଟି ହୋଇଥିଲେ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ।ଏହାକୁ ନେଇ ଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି।
ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି, ସଫଳତାର ଶିଖର ଛୁଇଁଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ନନ୍ଦିଘୋଷ ବ୍ୟୁରୋ : ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିଛି ନବୀନଙ୍କ ଦୂରଦୃଷ୍ଟି । ସଫଳତାର ଶିଖର ଛୁଇଁଛି ଓଡିଶା ଆଦର୍ଶ ବିଦ୍ୟାଳୟ । ନବୀନଙ୍କ ଏହି ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ପ୍ରଶଂସା କରିଛନ୍ତି ଶିକ୍ଷାର୍ଥୀ ଓ ଶିକ୍ଷାବିତ। ଘରୋଇ ସିବିଏସଇ ସ୍କୁଲ ଭଳି ଓଡିଆ ଛାତ୍ରଛାତ୍ରୀଙ୍କି ଇଂରାଜୀ ମାଧ୍ୟମରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିବାକୁ ୨୦୧୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟ । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ମଧ୍ୟବିତ୍ତ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଢିଥିଲେ । ଗତକାଲି ପ୍ରକାଶ ପାଇଥିବା ସିବିଏସଇ ପରୀକ୍ଷାରେ ଘରୋଇ ସିବିଏସଇ ସ୍କୁଲକୁ ବି ମାତ ଦେଇଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ । ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ପରୀକ୍ଷାରେ ପାସ ହାର ୯୧.୮ପ୍ରତିଶତ । ୧୦୬୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ବିଜ୍ଞାନରେ ୭୨.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ବାଣିଜ୍ୟରେ ପାସ ହାର ୭୭.୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ନେଇ ନବୀନ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ସଫଳତା ନବୀନ ପଟ୍ଟନାୟକଙ୍କ ଶ୍ରେୟ ବୋଲି କହିଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ସିବିଏସଇ ଦଶମରେ ଓଡ଼ିଶା ଟପ୍ପର ହୋଇଛନ୍ତି ଭଦ୍ରକର କାବ୍ୟରଞ୍ଜନ ମାଝୀ। ସେ ମୋଟ ୫୦୦ରୁ ୪୯୭ ମାର୍କ ତଥା ୯୯.୭ ପ୍ରତିଶତ ରଖିବାର ସୌଭାଗ୍ୟ ହାସଲ କରିଛନ୍ତି। କାବ୍ୟରଞ୍ଜନ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଳାଶଗଢିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଭିନ୍ନ ମହଲରୁ ଭିଡ଼ ଜମିଛି। ସେହିଭଳି ଭୁବନେଶ୍ବର ଉପକଣ୍ଠ ବାରଙ୍ଗର ଟପର ହୋଇଛନ୍ତି ସ୍ବାଗତ ପାଣିଗ୍ରାହୀ । ବାରଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ମୋଟ ୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି । ସ୍ବାଗତ ପାଣିଗ୍ରାହୀ ମୋଟ ୫୦୦ ନମ୍ବର ରୁ ୪୭୦ ନମ୍ବର ରଖି ଉତ୍ତିର୍ଣ୍ଣ ହେବା ସହିତ ବିଦ୍ୟାଳୟର ଟପର ହୋଇ ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ଯରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ସେଥିରୁ ଆଦର୍ଶ ବିଦ୍ୟାଳୟ ଅନ୍ୟତମ । ଯାହା ଦ୍ବାରା ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ମାଗଣାରେ ସିବିଏସଇ ପାଠ ପଢିବାର ସୁଯୋଗ ପାଇଛନ୍ତି ।

